ନୂଆଦିଲ୍ଲୀ: ୟୁପିଏସସି ମଙ୍ଗଳବାର ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳ ପ୍ରକାଶ କରିଥିଲା। ଏହି ପରୀକ୍ଷାରେ ଟପ୍ପର ହୋଇଥିଲେ ଈଶିତା କିଶୋର। ଏବେ ମଧ୍ୟପ୍ରଦେଶରେ ୟୁପିଏସସି ଫଳାଫଳକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦାବି କରାଯାଉଛି ଯେ ସମାନ ରୋଲ ନମ୍ବରରେ ଦୁଇ ଜଣ ଯୁବତୀ ପରୀକ୍ଷା ଦେଇଥିବା ସହ ସେମାନଙ୍କ ନାମ ଓ ରାଙ୍କ ସମାନ ରହିଛି। ଉଭୟଙ୍କ ନାଁ ଆୟଶା ହୋଇଥିବା ବେଳେ ଦୁଇ ଜଣ ୟୁପିଏସସିରେ ୧୮୪ରାଙ୍କ ରଖିଛନ୍ତି। ତେବେ ପ୍ରକୃତରେ କିଏ ପାସ୍ ହୋଇଛି ଓ କିଏ ଫେଲ୍ ତାହା ଜଣାପଡ଼ିନଥିଲେ ବି ଏବେ ଉଭୟଙ୍କ ପରିବାର ଖୁସି ମନାଉଛନ୍ତି।
୨ଜଣ ଯୁବତୀ ହେଲେ ଦେବାସର ଆୟଶା ଫାତିମା ଏବଂ ଅଲିରାଜପୁରର ଆୟଶା ମକ୍ରାନି। ତେବେ ସମାନ ରାଙ୍କ ଘଟଣା ସାମ୍ନାକୁ ଆସିବା ପରେ ଉଭୟଙ୍କ ଆଡମିଟ କାର୍ଡ ଯାଞ୍ଚ କରାଯାଇଥିଲା। ଆୟଶା ଫାତିମାଙ୍କ ଆଡମିଟ କାର୍ଡରେ ୟୁପିଏସସିର ୱାଟର ମାର୍କ ଥିବା ବେଳେ ଆୟଶା ମକ୍ରାନିଙ୍କ ଆଡମିଟ କାର୍ଡ ସାଧା କାଗଜରେ ପ୍ରିଣ୍ଟ କରାଯାଇଥିବା ଭଳି ଦେଖାଯାଇଛି। ଆୟଶା ଫାତିମାଙ୍କ ଆଡମିଟ କାର୍ଡରେ କ୍ୟୁଆର କୋର୍ଡ ଥିବା ବେଳେ ଆୟଶା ମକ୍ରାନିଙ୍କ ଆଡମିଟ କାର୍ଡ କ୍ୟୁଆର କୋର୍ଡ ନଥିବା ଦେଖାଯାଇଛି।
ଦୁହିଁଙ୍କ ଆଡମିଟ କାର୍ଡରେ ପର୍ସନାଲିଟି ଟେଷ୍ଟର ତାରିଖ ଏପ୍ରିଲ ୨୫ ଥିବା ବେଳେ ଦିନ ଅଲଗା ଲେଖାଥିବା ଦେଖାଯାଇଛି। ତେବେ ଏହି ଦ୍ବନ୍ଦ୍ବ ଉପୁଜିବା ପରେ ଆୟଶା ମକ୍ରାନି ଠକାମିର ଶିକାର ହୋଇଥିବା କହିଛନ୍ତି। ଏବେ ଏନେଇ ତଦନ୍ତ ଚାଲିଥିବା କୁହାଯାଉଛି।