ଚଢ଼େଇ ଧରିବାକୁ ଯାଇଥିବା ବେଳେ ହଜିଯାଇଥିବା ଦୁଇବାଳକ ୨୭ଦିନ ପରେ ଏପରି ଅବସ୍ଥାରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଜଙ୍ଗଲ ହେଉଛି ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜଙ୍ଗଲ । ଭାବନ୍ତୁ ତ ଯଦି ଏଭଳି ଜଙ୍ଗଲରେ ପିଲାମାନେ ହଜିଯିବେ ତେବେ କ’ଣ ହେବ? ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ପିଲାମାନେ କେବେ ଏପରି ଜଙ୍ଗଲରୁ ଫେରି ଆସି ପାରିବେ ନାହିଁ, କିନ୍ତୁ ଦୁଇଜଣ ପିଲା ଚମତ୍କାର ଭାବରେ ଏହି ଜଙ୍ଗଲରେ ହଜିଯିବାର ୨୭ ଦିନ ପରେ ଫେରି ଆସିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରାଜିଲର ଅମେଜୋନା ରାଜ୍ୟର ଦୁଇଜଣ ପିଲା ଗ୍ରାଉକୋ ଏବଂ ଗ୍ଲିସନ  ଚଢ଼େଇ ଧରିବା ଉଦ୍ଦେଶ୍ୟରେ ଫେବ୍ରୁଆରି ୧୮ ରେ ନିଜ ଘରୁ ବାହାରି ଯାଇଥିଲେ। ଉଭୟଙ୍କ ବୟସ ଯଥାକ୍ରମେ ୬ ବର୍ଷ ଏବଂ ୮ ବର୍ଷ ମଧ୍ୟରେ ହେବ। ସେ ନିଜ ଘର ନିକଟସ୍ଥ ଆମାଜନ ଜଙ୍ଗଲକୁ ଯାଇ ରାସ୍ତା ଭୁଲି ଯାଇଥିଲେ। ଆଉ ଜଙ୍ଗଲରେ ହଜି ଯାଇଥିଲେ।

ପିଲାମାନେ ଘରକୁ ନଫେରିବାରୁ ପରିବାରଲୋକ ବହୁ ଖୋଜା ଖୋଜି କରିଥିଲେ। ପ୍ରାୟ ୨୬୦ଜଣ ଲୋକ ଦୁଇପିଲାଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଯେଉଁଥିରେ ସାଧାରଣ ଲୋକ ଏବଂ ବୃତ୍ତିଗତ ଉଦ୍ଧାରକାରୀ ସଦସ୍ୟ ସାମିଲ ହୋଇଥିଲେ ।

ବହୁ ଖୋଜାଖୋଜି ସତ୍ତ୍ୱେ ପିଲାଙ୍କ କୌଣସି ସୂଚନା ମିଳି ନଥିଲା। ବର୍ଷା ହେତୁ ଜଙ୍ଗଲରେ ପ୍ରବେଶ କରିବା ଅଧିକ କଷ୍ଟସାଧ୍ୟ ଥିଲା । ଏହି କାରଣରୁ ଉଦ୍ଧାରକାରୀ ଦଳର ଲୋକଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ଉଦ୍ଧାରକାରୀ ଦଳର ଲୋକମାନେ ଏହି ଦୁଇ ପିଲାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଖୋଜିଥିଲେ, କିନ୍ତୁ ସେମାନେ ପାଇ ନଥିଲେ। ଏହାପରେ ଫେବ୍ରୁଆରି ୨୬ରେ ପିଲାଙ୍କୁ ଖୋଜିବା ପ୍ରକ୍ରିୟା ଶେଷ ହୋଇଥିଲା ।

ଏହା ସତ୍ତ୍ବେ ବି ଗ୍ରାମବାସୀମାନେ ହାର୍ ମାନି ନଥିଲେ। ପିଲାଦ୍ବୟକୁ ଖୋଜିବାକୁ ଲାଗିଥିଲେ। ପରିବାର ସଦସ୍ୟମାନେ ମଧ୍ୟ ନିରନ୍ତର ପିଲାମାନଙ୍କୁ ଖୋଜୁଥିଲେ ।

ଘଟଣାର ୨୭ ଦିନ ପରେ ଏକ ଚମତ୍କାର ଘଟଣା ଘଟିଥିଲା । ହଜି ଯାଇଥିବା ପିଲା ଦ୍ବୟଙ୍କ ସୂଚନା ମିଳିଥିଲା। ଜଣେ କାଠ କଟାଳିଙ୍କ ନଜର ଦୁଇପିଲାଙ୍କ ଉପରେ ପଡ଼ିଥିଲା। ଉକ୍ତ କାଠ କଟାଳିଙ୍କ ଆଡକୁ ଦୁଇଜଣ ପିଲା କାନ୍ଦିକାନ୍ଦି ଆସିଥିଲେ। ପିଲାଦ୍ବୟ ପ୍ରାୟ ଏକ ମାସ ଭୋକରେ ଜଙ୍ଗଲରେ ବୁଲୁଥିଲେ। ଜଳ ଅଭାବରୁ ତାଙ୍କ ଶରୀର ଡିହାଇଡ୍ରେସନ୍ ହୋଇଯାଇଥିଲା |

ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ବି ଥିଲା। ପିଲାଙ୍କ ସୂଚନା ମିଳିବା ପରେ ତାଙ୍କୁ ବିମାନ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ପିଲାମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ବଣୁଆ ଫଳ ଏବଂ ବର୍ଷା ପାଣି  ପିଇ ଗ୍ରାଉକୋ ଏବଂ ଗ୍ଲିସନ ୨୭ ଦିନ ଜଙ୍ଗଲରେ ରହିଥିଲେ।

 

 

ସମ୍ବନ୍ଧିତ ଖବର