ତ୍ରିଲୋଚନ ବାବୁ ୧୯୭୧ ମସିହାରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନିଜ ଅଞ୍ଚଳ ଗୋବିନ୍ଦପୁରରୁ ପ୍ରଥମ ଥର ପାଇଁ ବିଧାନସଭାକୁ ଜିତିଥାଆନ୍ତି। ୧୯୭୨ ଜୁନ୍‌ ମାସରେ ରାଜ୍ୟରେ ବିଶ୍ବନାଥ ଦାଶଙ୍କ ୧୪ ମାସର ଅଣକଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ‌ହରେଇବାରୁ କଂଗ୍ରେସ ଦଳ କମ୍ୟୁନିଷ୍ଟ ଇତ୍ୟାଦିଙ୍କ ସହତି ମିଶି ସରକାର ଗଢୁଥାଏ। ନନ୍ଦିନୀ ଶତପଥୀ ଇନ୍ଦିରା ଗାନ୍ଧୀଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶା ସରକାରର ନେତୃତ୍ବ ନେବା ସ୍ଥିର ହୋଇ ସାରିଥାଏ। କେବଳ ଔପଚାରିକତା ଦିଗରୁ ରାଜ୍ୟ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ପାଇଁ ଦିଲ୍ଲୀରୁ ଆସି ଦଳୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥାଆନ୍ତି। ସ୍ବାଭାବିକ ଢଙ୍ଗରେ ନନ୍ଦିନୀଙ୍କ ନାଁ ପ୍ରସ୍ତାବ ଦିଆଗଲା; ହେଲେ ତ୍ରିଲୋଚନବାବୁ ଏହି ପ୍ରସ୍ତାବକୁ ବିରୋଧ କରି ଦୃଢ଼ ସ୍ବରରେ କହିଲେ, ‘ନନ୍ଦିନୀ ନୁହନ୍ତି, ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ କେହି ସରକାରର ନେତୃତ୍ବ ନେବା ଆବଶ୍ୟକ’। ତ୍ରିଲୋଚନ ବାବୁଙ୍କ ଭିନ୍ନ ମତକୁ ସମର୍ଥନ ଦେବାକୁ ଦଳର ଅନ୍ୟ କୌଣସି ବିଧାୟକଙ୍କ ପାଖରେ ସେଦିନ ସମ୍ଭବତଃ ଜୁ’ ନଥିଲା; ପରଦିନ ନନ୍ଦିନୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ। ପରିଣତି ସମ୍ପର୍କରେ ବେଶ୍‌ ସଚେତନ ଥାଇ ଓ ନିଜ ପାଇଁ ଲାଭକ୍ଷତିର ନିଘା ନ ଦେଇ ତ୍ରିଲୋଚନ ବାବୁ ନିଜ ବିବେକାନୁମୋଦିତ ରାଜନୀତିକ ବିଚାରଟିକୁ ସେଦିନ ଯେପରି ଅକୁଣ୍ଠ ଭାବରେ ବ୍ୟକ୍ତ କଲେ, ତାହା ହେଉଛି ତାଙ୍କ ବ୍ୟକ୍ତି-‌େବୖଶିଷ୍ଟ୍ୟ। ସେତେବେଳେ ସେ ୩୧ ବର୍ଷର ଯୁବକ।

Advertisment

କଟକର ଓଏମ୍‌ପି ଛକ ପାଖରେ, ଏବେ ଯେଉଁଠି ଜାତୀୟକବି ବୀର କିଶୋରଙ୍କ ନାମରେ ପ୍ରତିଷ୍ଠିତ ସରକାରୀ କଲେଜଟି ଦଣ୍ଡାୟମାନ, ୧୯୭୮ ମସିହାରେ ସେଠି ରେଭେନ୍‌ସା କଲେଜର ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଙ୍କ ପାଇଁ ନାଲିକୋଠାରେ ହଷ୍ଟେଲ ଚାଲୁଥିଲା। ଆମେ ସେତେବେଳେ ଏମ୍‌.ଏ. ‌େଶ୍ରଣୀର ଛାତ୍ର। ହଷ୍ଟେଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଥାଆନ୍ତି କଟକ ମ୍ୟୁନିସିପାଲିଟିର ଚେୟାରମ୍ୟାନ ତ୍ରିଲୋଚନ କାନୁନ୍‌ଗୋ। ଭାଷଣରେ ସେ କହିଲେ, ‘୫ ସଂଖ୍ୟାରେ ୩ ମିଶିଲେ ୮ ହୁଏ। ହେଲେ ଆଜିକାଲି ରାଜନୀତିର ମଣିଷମାନେ କ୍ଷମତା ପାଇଁ, ସ୍ବାର୍ଥପାଇଁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ଏଣ୍ଡୁଅ ରଙ୍ଗ ବଦଳେଇବା ପରି ଉଦ୍ଦେଶ୍ୟକୁ ସୁହାଇବା ଭଳି ୫ରେ ୩ ମିଶିଲେ ୬ ଅବା ୭ ଅବା ୯ ବୋଲି କହିବାକୁ ସାମାନ୍ୟତମ ସଂକୋଚ ବା ଲଜ୍ଜା ଅନୁଭବ କରୁନାହାନ୍ତି। ମୁଁ ଥିଲି ଗଣିତର ଛାତ୍ର; ଆଗପଛ ନ ବିଚାରି ୫ ଯୁକ୍ତ ୩ ସମାନ ୮ ବୋଲି ବାରମ୍ବାର କହୁଛି ଏବଂ ମୁଁ ଜମାରୁ ବଦଳି ପାରିବି ନାହିଁ।’ ଭରା ସଭାରେ, ଏମ୍‌.ଏ ପଢୁଆ ଯୁବକମାନଙ୍କ ସମ୍ମୁଖରେ ତ୍ରିଲୋଚନ ବାବୁଙ୍କର ସେଦିନର ବକ୍ତବ୍ୟଟି ଥିଲା ତାଙ୍କ ରାଜନୀତିକ ଦିଶା ଓ ଦର୍ଶନର ନିଟୋଳ ପରିପ୍ରକାଶ।

ରାଜନୀତିକୁ ଶ୍ରେଷ୍ଠ ନୀତି ଓ ଜନକଲ୍ୟାଣ ପାଇଁ ପ୍ରକୃଷ୍ଟ କ୍ଷେତ୍ର ବା ମାର୍ଗ ରୂପେ ବିବେଚନା କରି ତ୍ରିଲୋଚନବାବୁ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ୧୯୬୨ରେ ସେ ରେଭେନ୍‌ସା କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚନ ଜିତିଥିଲେ। ସେଇଠି ତିଆରି ହୋଇଥିଲା ତାଙ୍କର ସ୍ବତନ୍ତ୍ର ଏକ ରାଜନୀତିକ ପରିଚୟ ଓ ପରିଧି। ବିଧାନସଭା ଓ ଲୋକସଭାରେ ଦେଶର ବିବିଧ ନୀତି ନିର୍ଦ୍ଧାରଣ ବିତର୍କରେ ତ୍ରିଲୋଚନ ବାବୁଙ୍କ ଉପସ୍ଥାପନା ତାଙ୍କ ବିଦ୍‌ବତ୍ତା, ଦେଶପ୍ରୀତି ଓ ମୂଲ୍ୟବୋଧ ପ୍ରତି ଅଙ୍ଗୀକାରବଦ୍ଧତାର ପ୍ରମା‌ଣ ବହନ କରିଛି। ସେ ଜଣେ ଚିନ୍ତକ ଓ ଚିନ୍ତାଶୀଳ ଲେଖକ। ଅର୍ଥନୀତିକୁ ନେଇ ତାଙ୍କର ଅବବୋଧ ଓ ଅନୁଶୀଳନ ଗଭୀର ଓ ଉଚ୍ଚକୋଟୀର।

୧୯୭୮ରେ ଚେୟାରମ୍ୟାନ ଓ ୧୯୯୨ରେ ମେୟର ପଦରେ ସିଧାସଳଖ ଭୋଟରେ ତ୍ରିଲୋଚନବାବୁ ୨ ଥର କଟକ ମ୍ୟୁନିସିପାଲିଟିର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ପଦରେ ନିଷ୍ଠାପର ଓ ସମର୍ପିତ ସେବା ଦେଇ ସଫଳତାର ଶୀର୍ଷପୁରୁଷ ଭାବରେ ଜନଗଣଙ୍କ ମଧ୍ୟରେ ସେ ନିରନ୍ତର ଚର୍ଚ୍ଚିତ ହେଉଛନ୍ତି। ଗୁଣାତ୍ମକ ଶିକ୍ଷାର ବିସ୍ତାର ପ୍ରତି ତାଙ୍କ ପ୍ରୟାସ, ପ୍ରଯତ୍ନ ଓ ପ୍ରତିବଦ୍ଧତା ଉତ୍କର୍ଷର ଶିଖର ଛୁଇଁଛି। ଏକକ ଉଦ୍ୟମର କଟକ ଜିଲ୍ଲାର ଅଡ଼ଶପୁରରେ ପ୍ରତିଷ୍ଠିତ ଉଦୟନାଥ ସ୍ବୟଂଶାସିତ କଲେଜଟି ତାଙ୍କ ଶୁଦ୍ଧ ସାଧନା ଓ ସିଦ୍ଧିର ସୁବର୍ଣ୍ଣ ସ୍ମାରକୀ ଭାବରେ ଜ୍ଞାନାଲୋକ ବିତରଣ କରୁଛି। ଏ କ୍ଷେତ୍ରରେ ତାଙ୍କୁ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ମହାମନାଃ ମଦନମୋହନ ମାଲବ୍ୟଙ୍କ ସମତୁଲ୍ୟ ବୋଲି କୁହାଯାଇପାରିବ।

ସେ ଥିଲେ ଗାନ୍ଧୀବାଦୀ; ସେ ଥିଲେ ବୁଦ୍ଧିଦୀପ୍ତ ଓ ସଂସ୍କୃତିବନ୍ତ। ଜଣେ ନୀତିନିଷ୍ଠ ବ୍ୟକ୍ତି ଭାବରେ ଚଲାବାଟରେ ସେ ଅନେକ ପ୍ରତିବନ୍ଧକୁ ଭେଟିଛନ୍ତି; ହେଲେ ରାଜନୀତିରେ ମୂଲ୍ୟବୋଧକୁ ନେଇ ସ୍ବୀୟ ସିଦ୍ଧାନ୍ତ ସହିତ ସେ ସାମାନ୍ୟତମ ସାଲିସ କରିନାହାନ୍ତି। ଆମେ ସମସ୍ତେ, ବିଶେଷ କରି ଅାଜିର ଯୁବପିଢ଼ି ଯଦି ସମୂହ ପ୍ରାର୍ଥନା କରିବା, ଶହ ଶହ ସଂଖ୍ୟାରେ ଭଲ ମଣିଷ ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତୁ; ତାହା ହିଁ ହେବ ମର୍ଯ୍ୟାଦାବୋଧର ମଣିଷ ତ୍ରିଲୋଚନବାବୁଙ୍କ ପ୍ରତି ଅନୁପମ ଶ୍ରଦ୍ଧାଞ୍ଜଳି।

ମୋ-୯୪୩୮୨୭୫୦୯୧