ମଙ୍ଗଳପୃଷ୍ଠରେ ଥିବା ଜେଜିରୋ ଗର୍ତ୍ତ ଉପରେ ଗବେଷଣା କରୁଥିବା ବେଳେ ‘ନାସା’ ଦ୍ବାରା ପ୍ରେରିତ ‘ପର୍ସିଭରେନ୍ସ’ ରୋଭର୍ ସେଠାରେ ସଂଘଟିତ ଏକ ବିରଳ ପାଣିପାଗ ଘଟଣାକୁ ସାମନାକୁ ଆଣିଛି। ଗତ ଅଗଷ୍ଟ ୩୦ ତାରିଖରେ ପର୍ସିଭରେନ୍ସ କ୍ୟାମେରାରେ ମଙ୍ଗଳର ଥରୋଫେୟାର ପର୍ବତଶ୍ରେଣୀ ଉପରେ ଘଣ୍ଟା ପ୍ରତି ୧୯ କି.ମି. ବେଗରେ ଗତି କରୁଥିବା ଏକ ଧୂଳି ଝଡ଼ ନଜରକୁ ଆସିଛି। ‘ନାସା’ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓ ଚିତ୍ରରେ ତାହାକୁ ‘ଖଣ୍ଡିଆ ଭୂତ’ର ଆଖ୍ୟା ଦିଆଯାଇଛି। ପର୍ସିଭରେନ୍ସ ଦ୍ବାରା ଉତ୍ତୋଳିତ ଫଟୋସମୂହକୁ ବିଶ୍ଳେଷଣ କରି ‘ନାସା’ ବୈଜ୍ଞାନିକମାନେ ଧୂଳି ଝଡ଼ର ଚଉଡ଼ା ପାଖାପାଖି ୬୦ ମିଟର ଓ ଉଚ୍ଚତା ୨ କି.ମି. ହେବ ବୋଲି ଅନୁମାନ କରିଛନ୍ତି।
ପୃଥିବୀପୃଷ୍ଠରେ ଏପରି ‘ଖଣ୍ଡିଆ ଭୂତ’ ସୃଷ୍ଟି ହେବା ଏକ ସାଧାରଣ ଘଟଣା। ଯେତେବେଳେ ବାୟୁମଣ୍ଡଳରେ ଉପରକୁ ଉଠୁଥିବା ଉଷ୍ମ ବାୟୁ ତଳକୁ ଖସୁଥିବା ଥଣ୍ଡା ବାୟୁ ସହିତ ମିଶିଯାଏ, ସେତେବେଳେ ଏହା ସୃଷ୍ଟି ହୋଇଥାଏ। ତେବେ ପୃଥିବୀର ଖଣ୍ଡିଆ ଭୂତ ତୁଳନାରେ ମଙ୍ଗଳର ଖଣ୍ଡିଆ ଭୂତର ଆକାର ବହୁତ ବଡ଼ ବୋଲି ଜଣାଯାଇଛି। ଏଭଳି ଖଣ୍ଡିଆଭୂତ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଗୁଡ଼ିକ ଯୋଗୁଁ ମଙ୍ଗଳପୃଷ୍ଠ ଚାରିପଟେ ଧୂଳିକଣାଗୁଡ଼ିକ ବିଛାଇ ହୋଇ ରହିଛି। ପର୍ସିଭରେନ୍ସ ଅଧୁନା ମଙ୍ଗଳର ଉତ୍ତର ଗୋଲାର୍ଦ୍ଧରେ ଗବେଷଣା ଜାରି ରଖିଛି, ଯେଉଁଠି ଏବେ ଗ୍ରୀଷ୍ମ ଋତୁ ଚାଲିଛି। ବୈଜ୍ଞାନିକମାନେ ଏହି ଲୋହିତ ଗ୍ରହର ବାୟୁମଣ୍ଡଳ ଓ ପାଣିପାଗକୁ ଭଲଭାବରେ ବୁଝିବା ପାଇଁ ଖଣ୍ଡିଆ ଭୂତକୁ ଅଧ୍ୟୟନ କରୁଛନ୍ତି।