ସାରା ଭାରତର କେତେକ ପୁରାତନ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳିତ ଥିଲାବେଳେ, ଆମ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ମାହାରୀ ସେବା ପ୍ରଚଳିତ ଥିଲା। ଏହା ଥିଲା ନାରୀମାନଙ୍କ ଦ୍ବାରା ନିବେଦିତ ଶ୍ରୀମନ୍ଦିରର ଏକମାତ୍ର ସେବା। ମାତ୍ର ଶଶିପ୍ରଭା ଦେବଦାସୀଙ୍କ ପରଲୋକ ସହିତ ଶ୍ରୀମନ୍ଦିରରୁ ଏହି ଏକମାତ୍ର ନାରୀସେବା ଲୁପ୍ତ ହୋଇଛି। ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସୁଦୀର୍ଘ ପରମ୍ପରାରେ କେବଳ ପୁରୁଷମାନେ ଛେରାପହଁରା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଆସୁଥିଲେ। ପୁରୀର ଗଜପତି ମହାରାଜା ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ହେଲେ ମଧ୍ୟ ତାଙ୍କର ଜ୍ୟେଷ୍ଠପୁତ୍ର କେବଳ ବଂଶପରମ୍ପରାକ୍ରମେ ଏହି ବିଧି ପାଳନ କରିବାର ବିଧି ଅଛି। ତାଙ୍କର ଜ୍ୟେଷ୍ଠାକନ୍ୟା ଏହି ସେବା କରିପାରିବାର ବିଧି ନାହିଁ। କିନ୍ତୁ ସୁଖର କଥା, ବର୍ତ୍ତମାନ ଓଡ଼ିଶାର ଆଉ ଦୁଇଟି ପୁରାତନ ରାଜବଂଶର ଦାୟାଦ ଭାବରେ, ରାଜଜେମାମାନେ ଏହି ସେବା ବିଗତ କିଛିବର୍ଷ ଧରି କରିଆସୁଛନ୍ତି। ଏହି ଦୁଇ ରାଜଜେମା ହେଉଛନ୍ତି- ଯାଜପୁର ଜିଲ୍ଲାର ଗଡ଼ ମଧୁପୁର ରାଜବଂଶଜା ଶ୍ରୀମତୀ ଅପର୍ଣ୍ଣା ଧୀର ସିଂହ ଭରଦ୍ବାଜ ଏବଂ ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ।
ଗଡ଼ ମଧୁପୁରର ରାଜା ବୀରବର କୃଷ୍ଣପ୍ରକାଶ ଧୀର ନରେନ୍ଦ୍ର ସିଂହ ବାହାଦୂରଙ୍କର ୨୦୦୭ ମସିହା ଡିସେମ୍ବର ମାସ ୧୪ ତାରିଖରେ ବିୟୋଗ ଘଟିବା ପରେ, ତାଙ୍କର ଉତ୍ତରାଧିକାରିଣୀ ଭାବରେ ତାଙ୍କ କନ୍ୟା ଅପର୍ଣ୍ଣା ୨୦୦୮ ମସିହା ଜାନୁଆରୀ ମାସ ୨୩ ତାରିଖରେ ରାଜଗାଦିରେ ଅଧିଷ୍ଠିତା ହୋଇଥିଲେ। ପ୍ରଥା ଅନୁସାରେ ସେହିବର୍ଷ ରଥଯାତ୍ରାରେ ସେ ମହାପ୍ରଭୁଙ୍କର ଛେରାପହଁରା ସେବା କରିଥିଲେ। ବର୍ତ୍ତମାନ ସେ ବିବାହିତା ଏବଂ ଏକମାତ୍ର କନ୍ୟା ରିଦ୍ଧିକା ଓ ସ୍ବାମୀ ଦିଲ୍ଲୀପ ଭରଦ୍ବାଜଙ୍କ ସହ ଗଡ଼ ମଧୁପୁରରେ ବସବାସ କରୁଛନ୍ତି। ରଥ ଉପରେ ଛେରା ପହଁରା ସହ ଠାକୁରଙ୍କ ସମସ୍ତ ନୀତିକାନ୍ତିରେ ଶ୍ରୀଗୁଣ୍ଡିଚା ଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଆଦ୍ୟ ସେବକ ଭାବେ ସମସ୍ତ କାର୍ଯ୍ୟ ରାଣୀ ଅପର୍ଣ୍ଣା ହିଁ କରିଥାନ୍ତି। ଠାକୁରଙ୍କ ଏହି ଦାୟିତ୍ବ ନିର୍ବାହ କରିବାରେ ରାଣୀଙ୍କୁ ତାଙ୍କ ସ୍ବାମୀ ବିନୀତ ଭରଦ୍ବାଜ, ରାଜମାତା ଦୀପ୍ତି ଦେବୀ ପାଟ ମହାଦେଇ, ସାନ ଭଉଣୀ ଅନସୂୟା ଧୀର ସିଂହ ସହଯୋଗ କରି ଆସୁଛନ୍ତି।
ସେହିପରି, ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡ଼ଜାତର ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କର ପିତା କିଶୋର ଚନ୍ଦ୍ର ସିଂହଦେଓଙ୍କର ୨୦୧୦ ମେ ମାସ ୨୮ ତାରିଖରେ ବିୟୋଗ ଘଟିବା ପରେ ସେ ମହାପ୍ରଭୁଙ୍କର ସେବା କରୁଛନ୍ତି। ପିତାଙ୍କର ବିୟୋଗ ବେଳକୁ ସେ ମାତ୍ର ୧୪ ବର୍ଷର କିଶୋରୀ ଥିଲେ। ୨୦୧୦ ଜୁନ୍ ୮ ତାରିଖରେ ସେ ରାଜଗାଦିରେ ଅଭିଷିକ୍ତା ହୋଇଥିଲେ। ସେବର୍ଷ ରାଜଜେମା ସୁଲକ୍ଷଣା, ରଥଯାତ୍ରାବେଳେ ଶାରୀରିକ ଅସୁସ୍ଥତା କାରଣରୁ ଛେରାପହଁରା ସେବା କରିପାରି ନଥିଲେ ମଧ୍ୟ, ବାହୁଡ଼ା ଯାତ୍ରାର କିଛି ବିଧି ବ୍ୟବସ୍ଥାରେ ସାମିଲ ହୋଇଥିଲେ। ମାତ୍ର ୨୦୧୧ ମସିହାଠାରୁ ଏ ଯାଏ, ସେ ଅତି ଆନନ୍ଦର ସହିତ ରଥଯାତ୍ରାରେ ଛେରାପହଁରା ସେବା କରି ଆସୁଛନ୍ତି।
ଗଡ଼ ମଧୁପୁରର ରାଜଜେମା ଅପର୍ଣ୍ଣା ଧୀର ସିଂହ ଭରଦ୍ବାଜ ଓ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ବିଧିବଦ୍ଧ ଭାବରେ ଓ ଉତ୍ତରାଧିକାର ସୂତ୍ରରେ, ରାଜଗାଦିରେ ଅଭିଷିକ୍ତା ହେବା ସହିତ ନିଜ ନିଜ ବଂଶର ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ଭାବରେ ଆଦ୍ୟ ସେବିକା ରୂପେ ରଥଯାତ୍ରାରେ ଛେରାପହଁରା ଓ ଅନ୍ୟାନ୍ୟ ସେବା କରିବା ଫଳରେ, ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରାର ଶହ ଶହ ବର୍ଷର ପ୍ରଥାରେ ଏକ ବରଣୀୟ ବ୍ୟତିକ୍ରମର ସୂତ୍ରପାତ ହୋଇଛି। ଏବେ ପରିବର୍ତ୍ତିତ ସମୟ ଓ ସମାଜ ବ୍ୟବସ୍ଥାରେ, ପ୍ରତି କ୍ଷେତ୍ରରେ ନାରୀ ଓ ପୁରୁଷଙ୍କର ସମାନ ଅଧିକାର। ପୁଣି ନାରୀ ସଶକ୍ତିକରଣ ପ୍ରତି ଏବେ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ଶ୍ରୀଜଗନ୍ନାଥଙ୍କର ସେବା, ପୂଜା ପରମ୍ପରାରେ ନାରୀଟିଏ ଆଦ୍ୟ ସେବିକା ହେବାରେ କୌଣସି ବାଧା ନାହିଁ ବୋଲି ଆମ ସମାଜ ଗ୍ରହଣ କରିନେଲାଣି। ଓଡ଼ିଶାର ଦୁଇ ପ୍ରସିଦ୍ଧ ରାଜବଂଶରେ, ଉତ୍ତରାଧିକାରୀ ଭାବରେ ଦୁଇ ରାଜଜେମା ଶ୍ରୀଜଗନ୍ନାଥଙ୍କର ଆଦ୍ୟସେବିକା ଭାବରେ ଦାୟିତ୍ବ ନିର୍ବାହ କରିବା ଏହାର ଏକ ବଡ଼ ପ୍ରମାଣ।