ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ଲୋକମାନଙ୍କୁ ସତର୍କ କରିଛି ସେଠିକାର ପାଣିପାଗ ବିଭାଗ । ବିଭାଗ ସୂଚନା ଦେଇଛି କି ଦୁଇଟି ସାମଦ୍ରିକ ଝଡ଼ ମୁହାଁମୁହିଁ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୋଫାନ ହୋଇପାରେ । ମାଡ଼ି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ ସରୋଜା ଓ ଅନ୍ୟଟି ଓଡେଟା ନାମରେ ନାମକରଣ କରାଯାଇଛି । ବୈଜ୍ଞାନିକମାନଙ୍କ ମତରେ ଏଭଳି ଭାବେ ଦୁଇଟି ତୋଫାନ ମୁହାଁମୁହିଁ ହେବା ଏକ ବିରଳ ଘଟଣା । ଏହି ତୋଫାନ ଫଳରେ ଚଳିତ ସପ୍ତାହରେ ପଶ୍ଚିମ ଅଷ୍ଟ୍ରେଲିଆର ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେବ।

Advertisment

ବୈଜ୍ଞାନିକମାନଙ୍କ ସୂଚନା ମୁତାବକ ତୋଫାନ ‘ସରୋଜା’ ଲଘୁଚାପର ରୂପ ନେଇସାରିଛି । ଏହି ତୋଫାନ ତୃତୀୟ ଶ୍ରେଣୀ ବାତ୍ୟାରେ ପରିଣତ ହୋଇସାରିଛି ଓ ଏହା ରବିବାର ସୁଦ୍ଧା ଅଷ୍ଟ୍ରେଲିଆ ଉପକୂଳରେ ମାଡ଼ହେବ । ଏହି ତୋଫାନ ୯୩ ମାଇଲ ବେଗରେ ଉପକୂଳମୁହାଁ ହେଉଥିବା ବେଳେ ସରୋଜା ୯୬୦ ମାଇଲ ଦୀର୍ଘ ଉପକୂଳରେ ତାଣ୍ଡବ ରଚିବ । ଏ ନେଇ ପ୍ରଶାସନ ତରଫରୁ ସେଠିକାର ଲୋକଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ପବନର ଭୟାବହତା ଉପରେ ସୂଚୀତ କରାଯାଇଛି।

ଅନ୍ୟପଟେ ‘ଓଡେଟା’ ଶନିବାର ବିଳମ୍ବିତ ରାତି ସୁଦ୍ଧା ଉପକୂଳରେ ପହଞ୍ଚିବ । ଫଳରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରିବା ସହ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକଳନ କରାଯାଇଛି।