ସମାନ ନାମ, ସମାନ ଖେଳ, ସମାନ ଇଭେଣ୍ଟ୍ କାରଣରୁ କେବେ ବି ସେମାନେ ଅଡୁଆରେ ପଡ଼ିନାହାନ୍ତି। କିନ୍ତୁ ଗଣମାଧ୍ୟମ ଓ ପ୍ରଶଂସକମାନେ ବହୁବାର ଦ୍ବନ୍ଦ୍ବରେ ପଡ଼ିଯାଆନ୍ତି। ଆମେ କହୁଛୁ ମୀନା ସାନ୍ତାଙ୍କ କଥା। ଏହି ନାମଟି ଶୁଣିଲେ ଓଡ଼ିଶା ଭାରୋତ୍ତୋଳନର ଭବିଷ୍ୟତ ସ୍ବପ୍ନ ଝଲସି ଆସେ। ଦୁହେଁ ଯୁବା ବୟସରେ ଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଛାପ ଛାଡ଼ି ସାରିଛନ୍ତି। କିନ୍ତୁ ଏହି ଗୋଟିଏ ନାମରେ ଦୁଇ ଜଣ ଖେଳାଳି ଥିବାରୁ କିଏ ସଫଳତା ପାଇଲା ସେହି ଚର୍ଚ୍ଚା ଅନେକ ଥର ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ଏବେ ଏହାର ଏକପ୍ରକାର ଅବସାନ ଘଟିଛି। ବାଧ୍ୟ ହୋଇ ସେମାନେ ନିଜ ନାମ ଶେଷରେ ‘ଏ’ ଓ ‘ବି’ ଯୋଡ଼ିଛନ୍ତି ଏବଂ ନିଜକୁ ସ୍ବତନ୍ତ୍ର ଭାବେ ପରିଚିତ ଓ ପ୍ରତିଷ୍ଠିତ କରିବାକୁ ଆଗେଇ ଯାଇଛନ୍ତି।
ସୁରେଶ ସ୍ବାଇଁ
ଏମିତି କ୍ବଚିତ୍ ହୁଏ। ଗୋଟିଏ ଖେଳରେ ଭାଗ ନେଉଥିବା ଦୁଇ ଖେଳାଳିଙ୍କ ନାଁ ସମାନ। କିନ୍ତୁ ଏହି ପ୍ରସଙ୍ଗ ଆଉ ଏକ ରୋଚକ ମୋଡ଼ ନିଏ ଯେତେବେଳେ ଜଣାପଡ଼େ ସେ ଦୁଇ ଜଣ ସଂପର୍କରେ ଦୁଇ ଭଉଣୀ । ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍ର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍ରେ ଶେଷ ହୋଇଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ୍ ଲିଗ୍ରେ ଉଭୟଙ୍କୁ ଭେଟିଥିଲା ‘ରବିବାର ସମ୍ବାଦ’। ମୀନା ସାନ୍ତା ନାମରେ ଆସିଥିବା ଏହି ଦୁଇ ଉଦୀୟମାନ ପ୍ରତିଭା ଚେହେରା ଓ ଗଢ଼ଣରେ ସଂପୂର୍ଣ୍ଣ ଭିନ୍ନ ଥିଲେ, କିନ୍ତୁ ସଂପର୍କରେ ପରସ୍ପରର ମାଉସୀ ଝିଅ ଭଉଣୀ। ପୁଣି ଦୁହିଁଙ୍କ ଘର ନବରଙ୍ଗପୁର ଜିଲ୍ଲାର ଉମରକୋଟ। ଦୁଇ ମୀନା ଏକାଠି ଖେଳ ଜୀବନ ଆରମ୍ଭ କରିଥିଲେ। ଆଗ ପଛ ହୋଇ ଆଗକୁ ବଢ଼ିଛନ୍ତି।
ସଂକ୍ଷେପରେ ମୀନା ସାନ୍ତା ‘ବି’
ନାମ: ମୀନା ସାନ୍ତା ‘ବି’
ଖେଳ: ଭାରୋତ୍ତୋଳନ (୫୯ କିଲୋଗ୍ରାମ୍)
ଜନ୍ମ: ୨୭ ମାର୍ଚ୍ଚ ୨୦୦୮
ପିତାମାତା: ନାରାସୁ ସାନ୍ତା-ବାଙ୍ଗାରୀ ସାନ୍ତା
ଠିକଣା: କେନ୍ଦୁଗୁଡ଼ା, ଉମରକୋଟ, ନବରଙ୍ଗପୁର।
ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଲିଗ୍ରେ ମୀନା ସାନ୍ତା ‘ଏ’ ଜିତିଛନ୍ତି ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ। ୫୫ କିଲୋଗ୍ରାମ୍ ବର୍ଗରେ ଭାଗ ନେଇ ସେ ଯୁବ ଓ କନିଷ୍ଠ ବର୍ଗରେ ସ୍ବର୍ଣ୍ଣ ଓ ବରିଷ୍ଠ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ନବରଙ୍ଗପୁର ଉମରକୋଟ କୁରୁମୁଣ୍ଡା ଗାଁର କୃଷକ ପରିବାରରୁ ଆସିଥିବା ୧୭ ବର୍ଷୀୟା ମୀନା ‘ଏ’ ଗତବର୍ଷ ଉତ୍ତରପ୍ରଦେଶର ନଏଡ଼ାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ସହ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହା ପୂର୍ବରୁ ସେ ଜାତୀୟସ୍ତରରେ ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ଉତ୍ଥାନ ପଥରେ ଥିବାରୁ ମୀନା ‘ଏ’ ଏବେ ପାଟିଆଲା ଜାତୀୟ ଶିବିରରେ ନିଜକୁ ଶାଣିତ କରୁଛନ୍ତି। ତାଙ୍କ ପ୍ରତିଭାକୁ ପ୍ରଥମେ କାଜିମ୍ ପଞ୍ଜାବୀ ଚିହ୍ନଟ କରିବା ପରେ ଅର୍ଜୁନ ବିଜେତା କେ ରବି କୁମାର ତାଙ୍କୁ ପ୍ରଶିକ୍ଷଣ ଦେଇ ଆଗକୁ ନେଇଛନ୍ତି।
ବୟସରେ ଗୋଟିଏ ବର୍ଷ ସାନ ମୀନା ସାନ୍ତା ‘ବି’ ବିଶେଷ ସଫଳତା ପାଇ ନଥିଲେ ମଧ୍ୟ ଭୁବନେଶ୍ବରର ସ୍ବର୍ଣ୍ଣ-ରୌପ୍ୟ ସଫଳତା ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ‘ରବିବାର ସମ୍ବାଦ’ ସହ କଥା ହେବାବେଳେ ଆଶାବ୍ୟକ୍ତ କରିଛନ୍ତି। ୧୬ ବର୍ଷୀୟା ମୀନା ‘ବି’ ଏଠାରେ ୫୯ କିଲୋଗ୍ରାମ୍ ଯୁବା ବର୍ଗରେ ସ୍ବର୍ଣ୍ଣ ଓ କନିଷ୍ଠ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଫଳରେ ଦୁଇ ମୀନା ୫ ପଦକ ଜିତି ଓଡ଼ିଶାକୁ ତ୍ରିମୁକୁଟ ପ୍ରଦାନରେ ପ୍ରମୁଖ ଭୂମିକା ନେଇଛନ୍ତି। ଗତବର୍ଷ ବିହାର ପାଟଳିପୁତ୍ରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ରୢାଙ୍କିଙ୍ଗ୍ ମହିଳା ଭାରୋତ୍ତୋଳନ (ଫେଜ୍-୩)ରେ ମୀନା ହାସଲ କରିଥିବା ସ୍ବର୍ଣ୍ଣ ଏ ପର୍ଯ୍ୟନ୍ତ ଏକମାତ୍ର ଜାତୀୟ ପଦକ ହୋଇରହିଥିଲା। ସେହି ନବରଙ୍ଗପୁର ଜିଲ୍ଲା ଉମରକୋଟର ଅନ୍ୟ ଏକ ଗାଁ କେନ୍ଦୁଗୁଡ଼ାର କୃଷକ ପରିବାରରୁ ଆସି ଟୀନା ଦିଦି (ମୀନା ସାନ୍ତା ‘ଏ’)ଙ୍କ ଭଳି ସଫଳତା ପାଇବାକୁ ସ୍ବପ୍ନ ଦେଖୁଛନ୍ତି। ମୀନା ‘ବି’ଙ୍କୁ ମଧ୍ୟ କାଜିମ୍ ପଞ୍ଜାବୀ ଓ କେ ରବି କୁମାର ପ୍ରଶିକ୍ଷଣ ଦେଇ ଗଢୁଛନ୍ତି। ମୀନା ‘ବି’ଙ୍କ ଶ୍ରଦ୍ଧା ନାମ ସଂଗୀତା ହୋଇଥିଲେ ମଧ୍ୟ ବଡ଼ଭଉଣୀ ଭାବେ ତାକୁ ନୀରୁ ଡାକନ୍ତି ମୀନା ‘ଏ’।