ତ୍ରୈତୟା ଯୁଗରେ ସୁବ୍ରତ ନାମକ ଜଣେ ବ୍ରାହ୍ମଣ ସବୁ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି, କିନ୍ତୁ ସୂର୍ଯ୍ୟ ଉପାସନା କରନ୍ତି ନାହିଁ।ଏହାଫଳରେ ଅବସ୍ଥା ଏପରି ହେଲା ଯେ,ଖାଇବାକୁ ନ ପାଇ ସୁବ୍ରତଙ୍କର ଦୁଇ ଝିଅ ଘର ଛାଡ଼ି ବଣକୁ ଚାଲିଗଲେ। ସେ ଦିନ ଥିଲା ରବିବାର ଶୁକ୍ଳପକ୍ଷ ଏକାଦଶୀ।ସେ ଦୁହେଁ ଦେଖିଲେ ସ୍ୱର୍ଗର ନରନାରୀମାନେ ତୋରଣ କରି ଚାନ୍ଦୁଆ ଟାଣି କଦଳୀ ଗଛ ପୋତି ଦୋଳିରେ ଭଗବାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରୁଥା’ନ୍ତି।ପୂଜାର୍ଚ୍ଚନା ରତି ନରନାରୀ ଏ ଦୁଇ ଭଉଣୀଙ୍କ କାନ୍ଦଣାର ଶୁଣିବାକୁ ପାଇଲେ।ସେମାନେ ସେହି ଦୁଇ ଭଉଣୀଙ୍କୁ ପୂଜାସ୍ଥାନରେ ଆଣି ସବୁକଥା ଶୁଣିଲେ।ନରନାରୀଗଣ ସେ ଦୁହିଁଙ୍କ ଘରର ଦୁଃଖ କଥା ଶୁଣି ଭଗବାନ ସୂର୍ଯ୍ୟଦେବଙ୍କୁ ଆକୁଳ ବିନତି ପୂର୍ବକ ପ୍ରାର୍ଥନା କରିଲେ।ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ସୂର୍ଯ୍ୟ ନାରାୟଣ ସେଠାରେ ଆବିର୍ଭାବ ହେଲେ,କିନ୍ତୁ ସେହି କନ୍ୟା ଦୁହିଁଙ୍କର ସହାୟତା କରିବାକୁ ମନା କରିଦେଲେ।
ଏହାପରେ ସେମାନେ ପୁଣି ସୂର୍ଯ୍ୟଙ୍କୁ ସ୍ମୃତି କରିବାରେ ଲାଗିପଡ଼ିଲେ।ଏଥର ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ସେଠାରେ ପୁଣି ଉଭା ହେଲେ। ସୂର୍ଯ୍ୟ ଦେବ ସେମାନଙ୍କ ମଧ୍ୟରୁ ଜଣେ ରାଜପୁତ୍ର ଓ ଆଉ ଜଣେ ମନ୍ତ୍ରୀ ପୁତ୍ରଙ୍କୁ ବିବାହ କରିବାର ବରପ୍ରଦାନ କରି ଚାଲିଗଲେ।
ଏହାପରେ ଦୁଇ ଭଉଣୀ ସୂର୍ଯ୍ୟଙ୍କ ଉପାସିକା ହୋଇଗଲେ।ସେ ଦୁହେଁ ନିତ୍ୟ ନିୟମିତ ଭାବେ ସୂର୍ଯ୍ୟ ଉପାସନାରେ ଧ୍ୟାନ ଦେଲେ।ସେମାନଙ୍କ ପୂଜା ଆରଧନାରେ ସନ୍ତୁଷ୍ଟ ହୋଇ ପୁଣି ସୂର୍ଯ୍ୟ ଦେବତା ଆବିର୍ଭାବ ହେଲେ।ଏଥର ସେ ଦୁହେଁ ସେମାନଙ୍କ ପିତା-ମାତାଙ୍କ କଷ୍ଟ ନିବାରଣ ଲାଗି ପ୍ରାର୍ଥନା କରିଲେ।
ଭଗବାନ ସୂର୍ଯ୍ୟଦେବ କହିଲେ ‘‘ବ୍ରାହ୍ମଣ ସୁବ୍ରତ ଓ ସୁତପୀ ଦୁହେଁ କଦାଚିତ ସୂର୍ଯ୍ୟ ପୂଜା କରନ୍ତି ନାହିଁ।ଏଣୁ ସେମାନଙ୍କୁ ମୁଁ ଅଭିଶାପ ଦେଇଛି।ଯଦି ତୁମମାନଙ୍କ ମାତା ସୂର୍ଯ୍ୟ ନାରାୟଣ ବ୍ରତ କରନ୍ତି ଓ ନିୟମିତ ଭାବେ ସୂର୍ଯ୍ୟପୂଜା କରନ୍ତି ,ତେବେ ତୁମ ବାପା ମାଆଙ୍କ କଷ୍ଟ ଦୂରୀଭୂତ ହେବ’’।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଦୁଇ ଭଉଣୀ ଅରଣ୍ୟ ଛାଡ଼ି ଘରକୁ ପ୍ରତ୍ୟାବର୍ତ୍ତନ କରିଲେ। ସେ ଦୁହେଁ ବାପାମାଆଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇଲେ।ଏହାପରେ ମାଆ ସୂର୍ଯ୍ୟ ନାରାୟଣ ବ୍ରତ କରିଲେ।ତାଙ୍କର ଉପାସନାରେ ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇ ତାଙ୍କୁ ପୁତ୍ରବତୀ ଓ ଧନବତୀ ହେବାର ବର ଦେଲେ,ଏହାପରେ ସେ ପୁତ୍ରଲାଭ କରିଲେ।