ଏସ୍‌ସିବିରେ ପୁଣି ୨ ସନ୍ଦିଗ୍ଧ, ରିପୋର୍ଟ ନେଇ କର୍ତ୍ତୃପକ୍ଷ ଚୁପ୍‌

କରୋନା ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର, ଅଯଥାରେ ମାନବାଧିକାର କମିସନରେ ଭିଡ଼ ଜମାଅନି

କଟକ : ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ଆଜି ୨ ଜଣ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସେଥିରୁ ଜଣେ ଇଣ୍ଡୋନେସିଆରୁ ଫେରିଥିବା ଯୁବକ ଥିବା ବେଳେ ଅନ୍ୟ ଜଣେ ମଧ୍ୟ ବିଦେଶରୁ ଫେରିଥିବା ଜଣାପଡିଛି। ଉଭୟଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠା ଯାଇଥିବାବେଳେ ରିପୋର୍ଟ କଣ ଆସିଛି ସେ ସଂପର୍କରେ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଛନ୍ତି। କାରଣ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂପର୍କୀତ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବାକୁ ବାରଣ କରାଯାଇଥିବାରୁ ଏସ୍‌ସିବି କର୍ତ୍ତୃପକ୍ଷ ଏନେଇ ସତର୍କତ‌ା ଅବଲମ୍ବନ କରୁଥିବା କହିଛନ୍ତି।

କରୋନା ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର
ଭୁବନେଶ୍ବର : ରାଜ୍ୟରେ କରୋନା ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଏହି ଅର୍ଥ ଖର୍ଚ୍ଚ କରିବାକୁ ମଞ୍ଜୁରି ଦେଇଛି। ଏହି ସମସ୍ତ ଟଙ୍କା ତତ୍କାଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରାଯିବ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବାବ୍‌ ପରୀକ୍ଷା, ରକ୍ତ ନମୁନା ପରୀକ୍ଷା, ପୃଥକୀକରଣ ଗୃହରେ ଚିକିତ୍ସା, ଖାଦ୍ୟ, ପୋଷାକ, ମେଡିକାଲ ଉପକରଣ, ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ପୋଷାକ ବାବଦରେ ଖର୍ଚ୍ଚ କରାଯିବ।

ପ୍ରକାଶଥାଉକି, ଦୁଇ ଦିନ ତଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କରୋନା ବାବଦରେ ଏସ୍‌ଡିଆରଏଫ୍‌ ପାଣ୍ଠିରୁ ସର୍ବାଧିକ ୩୫% ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପାଖରେ ବିପର୍ଯ୍ୟୟ ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌ ପାଣ୍ଠି ବାବଦରେ ୯୦୯ କୋଟି ଟଙ୍କାର ମହଜୁଦ୍‌ ଅଛି।

ଅଯଥାରେ ମାନବାଧିକାର କମିସନରେ ଭିଡ଼ ଜମାଅନି
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ମାନବାଧିକାର କମିସନ ଆଜି ଅଯଥାରେ କମିସନ କାର୍ଯ୍ୟାଳୟ ପରିସରରେ ଭିଡ଼ ନ ଜମାଇବା ଲାଗି ନିର୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନିର୍ଦେଶାବଳୀ ଜାରି କରିଥିବାରୁ କମିସନଙ୍କ କାର୍ଯ୍ୟାଳୟ‌େର ଯଥାସମ୍ଭବ ଭିଡ଼କୁ ଏଡ଼ାଇବା ପାଇଁ କମିସନ ନିର୍ଦେଶରେ ପ୍ରକାଶ କରିଛନ୍ତି। ଶୁଣାଣି ଚାଲିଥିବା ବେଳେ କେବଳ ଅଭିଯୋଗକାରୀ, ବିପକ୍ଷ ଓ ମାନବାଧିକାର ସୁରକ୍ଷା କର୍ମୀମାନେ କମିସନଙ୍କ କୋର୍ଟରୁମ୍‌କୁ ପ୍ରବେଶ କରିପାରିବେ। ଅପରପକ୍ଷରେ ଏଭଳି ପରିସ୍ଥିତିରେ କେବଳ ଜରୁରୀ ମାମଲା ଗୁଡ଼ିକୁ କମିସନ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଇଥିବା ପ୍ରେସ୍ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର