ହରିଅାଣାରେ ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୁଆନା ନିର୍ବାଚନମଣ୍ଡଳୀରେ ସବୁଠାରୁ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏହି ନିର୍ବାଚନ ଯୁଦ୍ଧରେ ଦୁଇ ମହିଳା ମଲ୍ଲଯୋଦ୍ଧାଙ୍କର ଦଙ୍ଗଲ ସମସ୍ତଙ୍କୁ ଆକର୍ଷିତ କରିଛି। ଜୁଆନାର ବୋହୂ ଓ ଝିଅ ନିର୍ବାଚନ ପ୍ରଚାର ସବୁଠାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅକ୍ଟୋବର ୫ ତାରିଖରେ ଏଠାରେ ନିର୍ବାଚନ ହେବ ଏବଂ ୮ ତାରିଖ ଦିନ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦୁଇ ମହିଳା ମଲ୍ଲଯୋଦ୍ଧାଙ୍କ ନିର୍ବାଚନୀ ଯୁଦ୍ଧର ପ୍ରଚାର ଭୋଟରମାନଙ୍କୁ ବେଶ୍ ଉତ୍ସାହିତ କରୁଛି। ଭାରତର ସୁପ୍ରସିଦ୍ଧ ମଲ୍ଲଯୋଦ୍ଧା ଭିନେଶ ଫୋଗଟ୍ ଓ କବିତା ଦଲାଲ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। କବିତା ଓ ଭିନେଶଙ୍କ ନିର୍ବାଚନ ପ୍ରଚାରର ଶାଳୀନତା, ସଂଯମ ଓ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରି ନିର୍ବାଚନ ଲଢ଼ିବା ଶୈଳୀ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। ଉଭୟ କବିତା ଓ ଭିନେଶ ଏହି ନିର୍ବାଚନୀ ପ୍ରଚାରରେ ସମଗ୍ର ମହିଳା ଜାତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତ୍ୟାକ୍ଷେପ କଟୂକ୍ତି ପ୍ରୟୋଗ କରୁନାହାନ୍ତି। ବ୍ୟକ୍ତିଗତ ଚରିତ୍ର ସଂହାର ନ କରି ଉଭୟ ନିର୍ବାଚନ ପ୍ରଚାରରେ ମାତିଛନ୍ତି।
ଭିନେଶ କହନ୍ତି, ‘‘ଏହା ଏକ ନିର୍ବାଚନ ଏବଂ ଏଥିରେ ହାର୍ଜିତ୍ ରହିଥାଏ। କବିତା ହେଉଛନ୍ତି ମୋର ନିର୍ବାଚନ ପ୍ରତିଦ୍ବନ୍ଦ୍ବୀ। ସେ କିନ୍ତୁ ଭାରତର ଅନ୍ୟତମ ସମ୍ମାନନୀୟା ଓ ପ୍ରେରଣାଦାୟୀ ଭାରୋତ୍ତୋଳନକାରୀ ଓ ମଲ୍ଲଯୋଦ୍ଧା। ସେ ଆମ ସମସ୍ତଙ୍କର ଆଦର୍ଶ। ତାଙ୍କ ଭଳି ବ୍ୟକ୍ତିତ୍ବ ଠାରୁ ଆଗାମୀ ପିଢ଼ିର କିଶୋରୀ ଓ ଯୁବତୀ ଅନେକ ପ୍ରେରଣା ପାଇବେ। ତେଣୁ ନିର୍ବାଚନରେ ସେ ଗୋଟିଏ ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସମଗ୍ର ମାତୃଜାତିକୁ ଅସମ୍ମାନ ହେବ।’’ ସେହିପରି ଭାରତର ମହିଳା ଖଲ୍ଲୀ ଭାବେ ପରିଚିତ ୩୭ ବର୍ଷ ବୟସ୍କା କବିତା କୁହନ୍ତି, ‘‘ଏହି ଲଢ଼େଇ ମୋର ଭିନେଶଙ୍କ ବିରୋଧରେ ନୁହେଁ। ଏ ନିର୍ବାଚନ ଯୁଦ୍ଧ ହେଉଛି ଜୁଆନା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ସୁବିଧା ସୁଯୋଗର ଅଧିକାର ଦେବା ସହିତ ସେମାନେ ବର୍ଷ ବର୍ଷ ଧରି ଭୋଗୁଥିବା ସମସ୍ୟାରୁ ସେମାନଙ୍କୁ ମୁକ୍ତ କରିବା।’’
ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ବ ମନୋରଞ୍ଜନ ମଲ୍ଲଯୋଦ୍ଧା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କବିତା ଭାରତରେ ଅତ୍ୟନ୍ତ ସୁପରିଚିତ। ଅନ୍ୟପକ୍ଷରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଅଲିମ୍ପିକ୍ସ ମଲ୍ଲଯୋଦ୍ଧା ପ୍ରତିଯୋଗିତାରେ ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହେବା ପରେ ଭିନେଶ ସମଗ୍ର ବିଶ୍ବରେ ବିତର୍କର ବିଷୟ ପାଲଟିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଭିନେଶ କଂଗ୍ରେସ ଦଳ ପକ୍ଷରୁ ଏବଂ କବିତା ଆମ୍ ଆଦମୀ ପାର୍ଟିରୁ ଜୁଲାନା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଭୋଟରମାନେ ଭିନେଶଙ୍କୁ କାହିଁକି ଓଜନ ହ୍ରାସ କରିବାରେ ବିଫଳ ହେଲେ ବୋଲି ପ୍ରଶ୍ନଟିକୁ ବାରମ୍ବାର ପଚାରୁଛନ୍ତି। ଭିନେଶ କୁସ୍ତି ରିଙ୍ଗ୍କୁ ପୁଣି ଫେରିଯିବାକୁ ଅନୁରୋଧ କରୁଛନ୍ତି। ପ୍ରଶ୍ନର ଉତ୍ତରରେ ଭିନେଶ ଭୋଟରଙ୍କ ଠାରୁ ନେଇ ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଇ ଗୋଟିଏ ମତ ଦେଇ କହନ୍ତି, ‘‘ଗୋଟିଏ ଦିନରେ ଗୋଟିଏ ମହିଳା ଆଥ୍ଲେଟ୍ ପକ୍ଷରେ ତିନି କିଲୋଗ୍ରାମ୍ ଶାରୀରିକ ଓଜନ ହ୍ରାସ ସମ୍ଭବ ନୁହେଁ।
ଅଲିମ୍ପିକ୍ସରେ ଭାଗ ନେଉଥିବା ସମସ୍ତ ମହିଳା ମଲ୍ଲଯୋଦ୍ଧାମାନଙ୍କର ଏହି ସମସ୍ୟା ଲାଗି ରହିଥିଲା ଏବଂ ସମସ୍ତେ ଓଜନ ହ୍ରାସ ପାଇଁ ପ୍ରଚେଷ୍ଟା ଚଳାଇଥିଲେ। ପୁରୁଷମାନଙ୍କ ପରି ମହିଳାମାନଙ୍କ ଶରୀରରୁ ଜଳ ହ୍ରାସ କରି ଓଜନ କମାଇବା ସହଜସାଧ୍ୟ ନୁହେଁ। ମହିଳାମାନଙ୍କ ଶରୀର ସବୁବେଳେ ଜଳକୁ ଧରି ରଖିଥାଏ।’’ ପୁନଶ୍ଚ, ‘‘ବର୍ତ୍ତମାନର ମାନସିକ ସ୍ଥିତିରେ ମୁଁ ମଲ୍ଲଯୋଦ୍ଧା ରିଙ୍ଗ୍କୁ ପ୍ରତ୍ୟାବର୍ତ୍ତନ କରିବା ସ୍ଥିତିକୁ ନେଇ କିଛି ନିଶ୍ଚିତ ନୁହେଁ। କିନ୍ତୁ ଆପଣମାନେ ଭାରତୀୟ ମହିଳା ମଲ୍ଲଯୋଦ୍ଧାଙ୍କର ନ୍ୟାୟ ପାଇଁ ଯେଉଁ ଲଢ଼େଇ ଆରମ୍ଭ ହୋଇଛି ସେଥିପାଇଁ ମୋତେ ଏହି ନିର୍ବାଚନରେ ବିଜୟୀ କରିବାକୁ ଅନୁରୋଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ତାଙ୍କର ଖେଳ ଓ ଖେଳାଳିଙ୍କ ପ୍ରତି ରହିଥିବା ଭଲପାଇବାକୁ ନେଇ ମୁଁ ଭାରତୀୟ ହିସାବରେ ତାଙ୍କ ପାଇଁ ଗର୍ବ କରେ। କିନ୍ତୁ ମହିଳା ମଲ୍ଲଯୋଦ୍ଧାଙ୍କ ଆନ୍ଦୋଳନ ବେଳେ ତାଙ୍କର ନିରବତା ମୋତେ ମର୍ମାହତ କରିଛି। ମୁଁ ଏ ଗଁାର ବୋହୂ ହେବି, ଆପଣମାନେ ମୋର ନ୍ୟାୟ ଲଢ଼େଇ ପାଇଁ ଏହି ନିର୍ବାଚନରେ ମୋତେ ସମର୍ଥନ ଦେବାକୁ ମୁଁ ନିବେଦନ କରୁଛି’’ ବୋଲି ଭିନେଶ କୁହନ୍ତି।
ମଲ୍ଲଯୋଦ୍ଧା ରିଙ୍ଗ୍ରୁ ଦୂରେଇ ରହି ୧୫ ବର୍ଷର ନିରବତାକୁ ଭଙ୍ଗ କରି ଜୁଲାନା ନିର୍ବାଚନମଣ୍ଡଳୀର ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ମହିଳା ମଲ୍ଲଯୋଦ୍ଧା କବିତା। ଏଠାରେ ଉଲ୍ଲେଖଯୋଗ୍ୟ, କବିତା ୨୦୦୦ ମସିହାରେ ଭାରୋତ୍ତୋଳନକାରୀ ଭାବେ ଯୌନଶୋଷଣର ଶିକାର ହୋଇଥିବାର ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ସେ ଭାରୋତ୍ତୋଳନକୁ ଗୁଡ୍ବାୟ କହି ମଲ୍ଲଯୋଦ୍ଧା ରିଙ୍ଗ୍କୁ ଓହ୍ଲାଇଥିଲେ। ‘‘ଏହି ଦୁଃଖଦ ସମୟରେ ମୁଁ କେବଳ ଆତ୍ମସମ୍ମାନକୁ ବଞ୍ଚାଇ ରଖି ନିଜକୁ ନେଇ ଗର୍ବ କରୁଥିଲି ଏବଂ ନିଜକୁ ଯଥେଷ୍ଟ ସମ୍ମାନ ଦେଇ ଭଲ ପାଉଥିଲି। ସମଗ୍ର ନାରୀ ଓ ମାତୃଜାତିକୁ ସମ୍ମାନ ଦେବା ଏବଂ ସେମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ସ୍ଲୋଗାନ୍ ନେଇ ମୁଁ ଏ ନିର୍ବାଚନ ଲଢୁଛି। ଏ ନିର୍ବାଚନ ଲଢ଼େଇ ମୋର ଭିନେଶଙ୍କ ବିରୋଧରେ ନୁହେଁ, ବରଂ ଜୁଲାନା ନିର୍ବାଚନମଣ୍ଡଳୀର ପ୍ରତିଟି ଜନସାଧାରଣଙ୍କ ବିଶେଷତଃ ମହିଳାମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବାକୁ ତଥା ସେମାନଙ୍କର ଦୀର୍ଘ ଦିନର ସମସ୍ୟା ସମାଧାନ କରିବା ପାଇଁ ମୁଁ ନିର୍ବାଚନ ଯୁଦ୍ଧରେ ଅବତ୍ତୀର୍ଣ୍ଣ। ମୁଁ ଏଇ ଗଁାର ଝିଅ ଏବଂ ମୁଁ ହିଁ ସେମାନଙ୍କ ସହିତ ଅଛି ଓ ରହିଥିବି।’’
ହରିଆଣାର ୯୦ ବିଧାନସଭା ଆସନ ପାଇଁ ନିର୍ବାଚନମଣ୍ଡଳୀ ମଧ୍ୟରୁ ଜୁଲାନା ବର୍ତ୍ତମାନ ସମସ୍ତଙ୍କ ପାଇଁ ଏହି ଦୁଇ ମହିଳା ମଲ୍ଲଯୋଦ୍ଧାଙ୍କୁ ନେଇ ଆଦର୍ଶ ସୃଷ୍ଟି କରିଛି। କବିତା ଓ ଭିନେଶ ଉଭୟ ଜାଟ୍ ଭୋଟ୍କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ ଚଳାଇଛନ୍ତି। କବିତା ହରିଆଣାର ପାରମ୍ପରିକ ସାଲୁଆର୍ କୁର୍ତ୍ତି ପୋଷାକ ପିନ୍ଧି ନିର୍ବାଚନ ପ୍ରଚାର କରୁଥିବା ବେଳେ ଭିନେଶ ସେହିପରି ନିଜକୁ ପାରମ୍ପରିକ ବୋହୂ ବେଶରେ ସଜାଇ ଭୋଟରଙ୍କ ପାଖକୁ ଯାଉଛନ୍ତି।