କୋଲକାତା: ସେ ଦେଶ ହେଉ କିମ୍ବା ବିଶ୍ୱ... ମହିଳାମାନେ ଏବେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ୁଛନ୍ତି। ସବୁ କ୍ଷେତ୍ରରେ ଏବେ ମହିଳାମାନେ ନିଜର ଦକ୍ଷତା ପ୍ରମାଣ କରିସାରିଛନ୍ତି। ଏବେ ଏଭଳି ଜଣେ ସାହସୀ ମହିଳାଙ୍କ କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି, ଯିଏ କ୍ୟାବ୍ ଚାଳକ ହୋଇ ନିଜର ପରିବାର ଚଳାଉଛନ୍ତି। କୋଲକାତାର ଉବର କ୍ୟାବ ଡ୍ରାଇଭର ଦୀପ୍ତା ଘୋଷ ଜଣେ ଇଞ୍ଜିନିୟର ଥିଲେ, କିନ୍ତୁ ସେ ହଠାତ୍ କ୍ୟାବ ଡ୍ରାଇଭର ଭାବରେ କାମ କରିବା ଆରମ୍ଭ କଲେ। କାହିଁକି ଜଣେ ଇଞ୍ଜିନିୟର କ୍ୟାବ୍ ଚାଳକ ହେଲେ, ଏହାର କାରଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଦୀପ୍ତାଙ୍କ କାହାଣୀ ତାଙ୍କ କ୍ୟାବରେ ଯାତ୍ରା କରିଥିବା ପରମ କଲ୍ୟାଣ ସିଂହ ଫେସବୁକରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି। ପରମ ଲେଖିଛନ୍ତି ଯେ, କ୍ୟାବ୍ ବୁକ୍ କରିବା ପରେ ମୋତେ କଲ୍ ଆସିଥିଲା। ମହିଳାଙ୍କ ସ୍ବର ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଥିଲି। ସେ ମୋତେ ଠିକଣା ପଚାରିବା ପରେ ଫୋନ ରଖିଥିଲେ। ଏହା ପରେ ମୁଁ ତାଙ୍କ ପ୍ରୋଫାଇଲ ଚେକ୍ କରିବାରୁ ତାଙ୍କ ନାଁ ଦୀପ୍ତା ଘୋଷ ବୋଲି ଜାଣିବାକୁ ପାଇଲି। କ୍ୟାବରେ ବସିବା ପରେ ଦୀପ୍ତାଙ୍କ କଥାରୁ ସେ ଉଚ୍ଚଶିକ୍ଷିତା ବୋଲି ଜଣାପଡ଼ିବାରୁ ମୁଁ ତାଙ୍କୁ ତାଙ୍କ ପାଠପଢ଼ା ବିଷୟରେ ପଚାରିଲି। ସେ ମୋତେ ଯାହା କହିଲେ, ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିବା ସହ ୬ବର୍ଷ ଚାକିରି କରିଥିଲେ। ହେଲେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସବୁ ବଦଳିଯାଇଥିବା କହିଥିଲେ।
ଆଗକୁ ପରମ ଲେଖିଛନ୍ତି ଯେ, ୨୦୨୦ରେ ଦୀପ୍ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ବାପାଙ୍କ ପରେ ଘରେ କେବଳ ମା’ ଓ ତାଙ୍କ ସାନ ଭଉଣୀ ଥିଲେ। ଚାକିରି ବାହାର ରାଜ୍ୟରେ ଥିବାରୁ ଦୀପ୍ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ଏହା ପରେ କୋଲକାତାରେ ରହି ସେ ଶେଷରେ କ୍ୟାବ୍ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୧ରେ ସେ ଏକ ଅଲଟୋ କାର୍ କିଣି ଉବର ସହ ଯୋଡ଼ି ହେବା ପରେ ତାଙ୍କର କ୍ୟାବ୍ ଚାଳକ ଭାବେ ଯାତ୍ରା ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/uploads/2023/05/t-17-300x209.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ସ-24.jpg)