ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ୍ କମିସନ୍(ୟୁଜିସି) ସ୍କଲାରସିପ୍ ୨୦୨୦-୨୧ ପାଇଁ ଅନ୍ଲାଇନରେ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଉଭୟ ନୂଆ କରି କିମ୍ବା ପୁରୁଣା ଛାତ୍ରବୃତ୍ତିକୁ ନବୀକରଣ କରିବାକୁ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇଁ ଆଗ୍ରହୀ ଛାତ୍ରମାନେ ୩୦ ଅକ୍ଟୋବର ୨୦୨୦ ପୂର୍ବରୁ ଆବେଦନ କରିବା ଆବଶ୍ୟକ। ନଭେମ୍ବର ୨୦ ତାରିଖ ସୁଦ୍ଧା ଏହି ଆବେଦନକୁ ଆନୁଷ୍ଠାନିକ ଭାବେ ଯାଞ୍ଚ କରାଯିବ।
ୟୁଜିସି ୩ ପ୍ରକାରର ଛାତ୍ରବୃତ୍ତି ପ୍ରଦାନ କରୁଛି। ଜଣେ ଛାତ୍ରୀ ବାପମାଆଙ୍କର ଏକମାତ୍ର କନ୍ୟା ସନ୍ତାନ ହୋଇଥିଲେ ତାଙ୍କ ପାଇଁ ସ୍ନାତକୋତ୍ତର ଛାତ୍ରବୃତ୍ତି, ୟୁନିଭରସିଟି ରାଙ୍କଧାରୀ ବା ରାଙ୍କ୍ ହୋଲ୍ଡର୍ଙ୍କ ପାଇଁ ଛାତ୍ରବୃତ୍ତି ଓ ଅନୁସୂଚୀତ ଜାତି କିମ୍ବା ଜନଜାତି ଛାତ୍ରଛାତ୍ରୀଙ୍କ ସକାଶେ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ଛାତ୍ରବୃତ୍ତିର ବ୍ୟବସ୍ଥା ରହିଛି।
ଛାତ୍ରୀମାନଙ୍କ ପାଇଁ ୩,୦୦୦ ଛାତ୍ରବୃତ୍ତି ରହିଛି। ଦୁଇ ବର୍ଷର ଅବଧି ପାଇଁ ମାସିକ ୩୬,୨୦୦ ଟଙ୍କା ଫେଲୋସିପ୍ ମିଳିବ। ଏହି ଛାତ୍ରବୃତ୍ତି ଅଧୀନରେ କୌଣସି ଅତିରିକ୍ତ ଖର୍ଚ କିମ୍ବା ଚିକିତ୍ସା ଖର୍ଚ ବହନ କରାଯିବ ନାହିଁ। ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରୀ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ଡିଷ୍ଟାନ୍ସରେ ପିଜି କରୁଥିବା ଛାତ୍ରୀମାନଙ୍କ ପାଇଁ ଏହି ଛାତ୍ରବୃତ୍ତି କାର୍ଯ୍ୟକାରୀ ନୁହେଁ।

ସେହିପରି କେବଳ ପ୍ରଥମ ଏବଂ ଦ୍ୱିତୀୟ ୟୁନିଭରସିଟି ରାଙ୍କ୍ଧାରୀଙ୍କ ସକାଶେ ଛାତ୍ରବୃତ୍ତି ରହିଛି। ଛାତ୍ରବୃତ୍ତି ଅଧିନରେ ସେମାନେ ମାସକୁ ୩ ହଜାର ୧ ଶହ ଟଙ୍କା ପାଇବେ, ଯାହା କେବଳ ଦୁଇ ବର୍ଷ ପାଇଁ ପ୍ରଦାନ କରାଯିବ। କେବଳ ପିଜି ପଢୁଥିଲେ ହିଁ ଏହି ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଛାତ୍ରବୃତ୍ତି ପାଇଁ ଆବେଦନ କରୁଥିବା ଛାତ୍ରମାନଙ୍କ ବୟସ ୩୦ ମଧ୍ୟରେ ହେବା ଆବଶ୍ୟକ।
ଯେଉଁ ଅନୁସୂଚୀତ ଜାତି କିମ୍ବା ଜନଜାତିର ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି ଇତ୍ୟାଦି ବୃତ୍ତିଗତ ବିଷୟଗୁଡ଼ିକରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ଆଗ୍ରହୀ ସେମାନଙ୍କ ସକାଶେ ଯେଉଁ ଛାତ୍ରବୃତ୍ତିଟି ପ୍ରଯୁଜ୍ୟ, ତାହା ଅଧିନରେ ସେମାନେ ମାସକୁ ୭୮୦୦ ଟଙ୍କା ପାଇବାକୁ ଯୋଗ୍ୟ ହେବେ। ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ଛାତ୍ରବୃତ୍ତିର ପରିମାଣ ପ୍ରତି ମାସରେ ୪୫୦୦ ଟଙ୍କା ରହିଛି। ଏହି ଯୋଜନା ଅଧୀନରେ ସମୁଦାୟ ୧୦୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ।