ପିପିଲି-ନିମାପଡ଼ା ରାସ୍ତାରେ ରହିଛି ଉଗ୍ରେଶ୍ବର ଦେଉଳି ଗ୍ରାମ ଓ ଉଗ୍ରେଶ୍ବର ମହାଦେବଙ୍କ ପୀଠ। ଗଙ୍ଗବଂଶୀ ସମ୍ରାଟ ଚତୁର୍ଥ ନରସିଂହ ଦେବଙ୍କ ଦ୍ୱାରା ପ୍ରଦତ୍ତ ପୁରୀ ଶଙ୍କରାନନ୍ଦ ମଠ ତାମ୍ରଶାସନର ନିମ୍ନୋକ୍ତ ଧାଡ଼ିରୁ ଏହି ଗ୍ରାମ ଓ ପୀଠର ପ୍ରାଚୀନତା ସଂପର୍କରେ ସୂଚନା ମିଳେ। ଏଥିରେ ଉଲ୍ଲେଖ ରହିଛି, ‘‘ଦେବରଥାଚାର୍ଯ୍ୟ ସାଇସୋ-ଦକ୍ଷିଣ ରାଡୋସୋଭା ଦୁଇ ଗ୍ରାମ କୋଷ୍ଠାଦେଶ ଉଗ୍ରେଶ୍ବରଦେବଙ୍କର ଦେଉଳି। ଭୂମି ଦେଉଳ ମଧ୍ୟେ କରି ଚତୁଃସୀମା ସମାକ୍ରାନ୍ତ ଶାସନାକ।’’

Advertisment

ଉପରୋକ୍ତ ତାମ୍ରଫଳକ ବିବରଣୀ ଅନୁଯାୟୀ, ଚତୁର୍ଥ ନରସିଂହ ଦେବ ତାଙ୍କ ରାଜଧାନୀ ବାରଣାସୀ କଟକ (ଅଧୁନା କଟକ ସହର)ରୁ ଦେବରଥ ଆଚାର୍ଯ୍ୟ ନାମକ ଜଣେ ଆତ୍ରେୟସ ଗୋତ୍ରଧାରୀ ବ୍ରାହ୍ମଣଙ୍କୁ ସାଇଶୋ ଓ ରାଡୋସୋ ନାମକ ଦୁଇଟି ଗ୍ରାମ ଦାନ କରିଥିଲେ। ଏହି ଦେବରଥ ଆଚାର୍ଯ୍ୟ ସେହି ଅଞ୍ଚଳର ଆରାଧ୍ୟ ଉଗ୍ରେଶ୍ବର ଦେବଙ୍କର ମୁଖ୍ୟ ସେବକ/ପୂଜକ ଥିଲେ। ଏହି ଦାନ ସମୟର ମହାପାତ୍ର କୃଷ୍ଣାନନ୍ଦ ସନ୍ଧିବିଗ୍ରହ, ମହାପାତ୍ର ଲଣ୍ଡୁରଥ ସନ୍ଧିବିଗ୍ରହ, ପାତ୍ର ସିଦ୍ଧେଶ୍ବର ଜେନା ସନ୍ଧିବିଗ୍ରହ, ଶ୍ରୀକରଣ ମହାସେନାପତି, ଦ୍ୱାରପରିଚ୍ଛା ବିଶ୍ୱନାଥ ମହାସେନାପତି, ଭିତର ଭଣ୍ଡାର ଅଧିକାରୀ ନରହରି ସନ୍ଧିବିଗ୍ରହ ପ୍ରମୁଖ ରାଜକର୍ମଚାରୀଗଣ ଉପସ୍ଥିତ ଥିଲେ। ଏହି ଦାନକୁ ସମ୍ପୂର୍ଣ୍ଣ ସ୍ୱୀକୃତି ୨୪ ଫେବ୍ରୁଆରି ୧୩୯୭ ଖ୍ରୀଷ୍ଟାବ୍ଦରେ ରାଜାଙ୍କର ନାରାୟଣପୁର କଟକସ୍ଥିତ ରାଜକୀୟ ଶିବିରରୁ ମିଳିଥିଲା ବୋଲି ତାମ୍ରଫଳକରୁ ସୂଚନା ମିଳେ। ଉପରୋକ୍ତ ଗ୍ରାମଗୁଡ଼ିକ ଗଙ୍ଗରାଜୁତି ସମୟର କୋଷ୍ଠଦେଶ ମଦନଖଣ୍ଡ ଅଥବା ଓଡ଼ମ୍ବଳ ମଦନଖଣ୍ଡ (ଜିଲ୍ଲା ବା ରାଜସ୍ବ ଅଞ୍ଚଳ) ଅନ୍ତର୍ଭୁକ୍ତ ଥିଲା ବୋଲି ଜଣାଯାଏ।

ଏ ସଂପର୍କରେ ବିଶଦ ବିବରଣୀ ଏପିଗ୍ରାଫିଆ ଇଣ୍ଡିକା ଭାଗ-୨୮ ପୁସ୍ତକରୁ ପଢ଼ିଲା ପରେ ଏହି ଗବେଷକ ଉଗ୍ରେଶ୍ବର ଦେଉଳିକୁ ଗସ୍ତ କରିଥିଲା। ପୁରୀ ଜିଲ୍ଲା ନିମାପଡ଼ା ତହସିଲ୍‌ ଅନ୍ତର୍ଗତ ଏହି ଗ୍ରାମ ଭାର୍ଗବୀ ଓ ଧନୁଆ ନଦୀର ମଧ୍ୟବର୍ତ୍ତୀ ସମତଳ ଭୂମିରେ ଅବସ୍ଥିତ। ଗ୍ରାମର କିଛି ବୟସ୍କ ବ୍ୟକ୍ତିଙ୍କ ସହ କଥୋପକଥନରୁ ଜାଣିବାକୁ ମିଳିଲା ଯେ ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରର ନିର୍ମାଣ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ହୋଇଥିଲା। ଓଡ଼ିଶା ଇତିହାସରେ କୋଣାର୍କ ମନ୍ଦିରର ନିର୍ମାତା ଭାବରେ ଲାଙ୍ଗୁଳା ନରସିଂହ ଦେବ ଅର୍ଥାତ୍‌ ପ୍ରଥମ ନରସିଂହ ଦେବ ସର୍ବଜନବିଦିତ। ହେଲେ ତାଙ୍କ ଅନ୍ତେ ସେହି ଗଙ୍ଗବଂଶରେ ଯେ ଆହୁରି ତିନି ଜଣ ନରସିଂହ ଦେବ ନାମଧାରୀ ସମ୍ରାଟ ଜନ୍ମ ହୋଇ ରାଜ୍ୟଶାସନ କରିଥିଲେ। ଏହା ସ୍ଥାନୀୟ ଗ୍ରାମବାସୀମାନଙ୍କ ପାଇଁ ବୁଝିବା ନିଶ୍ଚିତ ରୂପେ କଷ୍ଟକର ବ୍ୟାପାର। ଏହି ପରବର୍ତ୍ତୀ ତିନି ନରସିଂହ ଦେବ ମଧ୍ୟ ଓଡ଼ିଶାରେ ବହୁ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ମହାପ୍ରତାପୀ ଲାଙ୍ଗୁଳା ନରସିଂହ ଦେବଙ୍କୁ ହିଁ ସମସ୍ତ ମଠ, ମନ୍ଦିର ଓ ଶାସନର ପ୍ରତିଷ୍ଠାତା ଭାବେ ଲୋକେ ଗ୍ରହଣ କରିନିଅନ୍ତି।

ପ୍ରାଚୀନ ଉଗ୍ରେଶ୍ବର ମହାଦେବଙ୍କ ପୀଠ ସଂପ୍ରତି ଆଧୁନିକତାର ସ୍ପର୍ଶ ପାଇଛି। ପୁରାତନ କଳିଙ୍ଗୀୟ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିର ଉପରେ ମୋଟା ଚୂନପ୍ରଲେପ ଏହାର ପ୍ରାଚୀନତାକୁ ବହୁ ମାତ୍ରାରେ ଲୁଚାଇ ଦେଇଛି। ତେବେ ମନ୍ଦିରର ପୀଷ୍ଠ ଓ ତଳ ଜଙ୍ଘ ଅଂଚଳକୁ ଲକ୍ଷ୍ୟ କଲେ ଜ୍ଞାତ ହୁଏ ଯେ ମନ୍ଦିରର ନିର୍ମାଣ ବଉଳମାଳିଆ ପଥରରେ ହୋଇଥିଲା। ରେଖଶୈଳୀରେ ନିର୍ମିତ ଏହି ମନ୍ଦିରରେ ପୀଢ଼ା ଜଗମୋହନ ଓ ସମ୍ମୁଖରେ ଏକ ନାଟମଣ୍ଡପ ମଧ୍ୟ ରହିଛି। ତେବେ ଏସବୁ ଆଧୁନିକତାର ଆଘାତରେ ନିଜର ପ୍ରାଚୀନତା ହରାଇ ବସିଲେଣି। ଗର୍ଭଗୃହରେ ହିରଣ୍ୟଗର୍ଭ ଶିବଲିଙ୍ଗ ଉଗ୍ରେଶ୍ୱର ମହାଦେବ ନାମରେ ପୂଜିତ। ମନ୍ଦିର ପରିସରରେ ଅନେକ ପ୍ରାଚୀନ ମୂର୍ତ୍ତି ରହିଛି। ସେ ମଧ୍ୟରୁ ଗଣେଶ, କାର୍ତ୍ତିକେୟ ଓ ଭୈରବଙ୍କ ମୂର୍ତ୍ତି ଉଲ୍ଲେଖଯୋଗ୍ୟ। ଏ ସବୁ ପ୍ରାଚୀନ ପ୍ରତିମା ଗଙ୍ଗ ଶାସନ ସମୟର ବୋଲି ପ୍ରତୀୟମାନ ହୁଏ।

ଶଙ୍କରାନନ୍ଦ ମଠ ତାମ୍ରଫଳକ ଉଲ୍ଲେଖିତ ଅନେକ ପୁରାତନ ଗ୍ରାମ ଯେପରି ଭଗବତୀପୁର ଶାସନ, ବଙ୍ଗୁରୁଷ ଶାସନ, ଗୋପୀନାଥପୁର ଶାସନ, ସାଇଁଶୋ ଶାସନ ଆଜି ମଧ୍ୟ ଉଗ୍ରେଶ୍ବର ଦେଉଳି ଆଖପାଖରେ ଉପସ୍ଥିତ। ପୁରାତନ ଉତ୍ସରେ ଉଲ୍ଲେଖ ଥିବା ଏସବୁ ଐତିହାସିକ ସ୍ଥାନରେ ଗବେଷଣାତ୍ମକ ଅନୁସନ୍ଧାନ ହେଲେ ଅନେକ ଲୁକ୍କାୟିତ ପ୍ରତ୍ନତାତ୍ତ୍ୱିକ ବିଭବ ଲୋକଲୋଚନକୁ ଆସିପାରିବ।  
ଐତିହ୍ୟ ଗବେଷକ, ତେଲେଙ୍ଗାପେଣ୍ଠ, କଟକ
୯୬୫୮୦୯୩୦୩୫