ନୂଆଦିଲ୍ଲୀ: ପେସାଦାର ‘ମତ୍ସ୍ୟକନ୍ୟା’ ହେବା ପାଇଁ ଇଟାଲିର ଜଣେ ୩୩ ବର୍ଷୀୟ ଇଂରାଜୀ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଥିବା କଥା ଇଂଲଣ୍ଡ୍‌ର ସମ୍ବାଦପତ୍ର ‘ମେଟ୍ରୋ’ ରିପୋର୍ଟ କରିଛି।

Advertisment

ସୂଚନାଯୋଗ୍ୟ, ଇଂଲଣ୍ଡ ଅନ୍ତର୍ଗତ ଟର୍କ୍ବେର ମୂଳବାସିନ୍ଦା ମସ୍‌ ଗ୍ରିନ୍‌ ଇଂରାଜୀ ପଢ଼ାଇବା ଲାଗି ୨୦୧୬ରେ ସିସିଲିକୁ ଚାଲିଆସିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ଇଂରାଜୀ ଶିକ୍ଷୟିତ୍ରୀ ଗ୍ରିନ୍‌ କିଛି ଗୋଟାଏ ନୂଆ ସଉକ ଖୋଜୁଥିଲେ। ଦିନେ ଦେଖିଲେ ସ୍ଥାନୀୟ ସାଗର ବେଳାଭୂମିକୁ ଜଣେ ବ୍ୟକ୍ତି ‘ମତ୍ସ୍ୟପୁରୁଷ’ ବେଶରେ ଉଭାହେଲେ। ତାଙ୍କୁ ଦେଖି ଗ୍ରିନ୍‌ ସ୍ଥିର କଲେ କି, ସେ ବି ‘ମତ୍ସ୍ୟକନ୍ୟା’ ହେବେ।

publive-image Image Courtesy of India Today

ପରେ ପରେ ତାଙ୍କର ‘ମତ୍ସ୍ୟକନ୍ୟା’ ହେବା ଝୁଙ୍କ୍‌ ପ୍ରବଳ ହେଲା। ତେଣୁ, ‘ମତ୍ସ୍ୟକନ୍ୟା’ ହେବା ପାଇଁ ସେ ବିଧିବଦ୍ଧ ତାଲିମ୍‌ ନେଇ ପାଠ୍ୟକ୍ରମ ଶେଷ କଲେ। ତାଲିମ୍‌ରେ ସେ ପାଣି ଭିତରେ ନିଃଶ୍ବାସ ବନ୍ଦ କରି ରଖିବା, ପାଣିକୁ ଲମ୍ଫ ଦେବା ଭଳି ବିଭିନ୍ନ କୌଶଳ ଶିଖିଲେ। ‘ମତ୍ସ୍ୟକନ୍ୟା’ ହେବାକୁ ହେଲେ ପହଁରିବା ବେଳେ ଲାଞ୍ଜଟିଏ ଲଗାଇବାକୁ ପଡ଼େ। ଗ୍ରିନ୍‌ ତାହା ମଧ୍ୟ ଲଗାଇଲେ ଓ ତା’ର ବ୍ୟବହାର ଶିଖିଲେ। ଏବେ ତାଙ୍କର ‘ମତ୍ସ୍ୟକନ୍ୟା’ ବେଶ ପ୍ରତି ଖୁବ୍‌ ମମତା। ‘ମତ୍ସ୍ୟକନ୍ୟା’ ହେଲେ ସେ ପ୍ରକୃତି ଓ ସମୁଦ୍ର ସହିତ ଏକାତ୍ମ ହୋଇଯାଆନ୍ତି ବୋଲି କହୁଛନ୍ତି।

ପ୍ରଥମେ ସୌଖିନ୍‌ ‘ମତ୍ସ୍ୟକନ୍ୟା’ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଗ୍ରିନ୍‌ଙ୍କ ପାଖକୁ ‘ମତ୍ସ୍ୟକନ୍ୟା’ ଚାକିରି ପାଇଁ ‘ଇନ୍‌ଷ୍ଟାଗ୍ରାମ୍‌’ରେ ‘ଅଫର୍‌’ ଆସିବାରୁ ଶେଷକୁ ସେ ଏହାକୁ ବୃତ୍ତି କରିବା ଲାଗି ନିଷ୍ପତ୍ତି ନେଲେ।

ବେଉସା ବା ବୃତ୍ତି ବଦଳାଇଥିବାରୁ ସେ ଅସୁଖୀ ନୁହନ୍ତି ବୋଲି କହିବା ସହିତ କହିଛନ୍ତି ଯେ, ଆୟ ସ୍ବଳ୍ପ ହେଲେ ବି ପୂର୍ବାପେକ୍ଷା ଏବେ ସେ ଅଧିକ ଆନନ୍ଦିତା।