ବୁଚା: ୟୁକ୍ରେନ୍‌ ଉପରେ ରୁଷ ଲଗାତର ଆକ୍ରମଣ କରିଚାଲିଛି। ଏହି ଆକ୍ରମଣରେ କିବ୍‌, ଖାରକିବ୍‌, ବୁଚା, ଆଦି ସହର ଧ୍ବଂସ ପାଇଗଲାଣି। ଏହି ଆକ୍ରମଣରେ ହଜାର ହଜାର ନାଗରିକଙ୍କ ଜୀବନ ଚାଲିଗଲାଣି। ଏହି ନାଗରିକଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି। ଏହା ମଧ୍ୟରେ ଏକ ଭୟାବହ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପିଲା ପିଠିରେ ଠିକଣା ଲେଖିଥିବା ଦେଖିବାକୁ ମିଳିଛି। ଯଦି ତାଙ୍କର କିଛି ହୋଇଯାଏ ତେବେ ତାଙ୍କ ପିଲା ସୁରକ୍ଷିତ ରହିବ ଚିନ୍ତା କରି ମହିଳା ଜଣକ ଏପରି କରିଛନ୍ତି। ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ୟା ମଧ୍ୟରେ ୪୦ ଦିନ ପୂରିଥିବା ବେ‌ଳେ ୟୁକ୍ରେନ୍‌ରୁ ଏକ ଭୟଙ୍କର ଦୃଶ୍ୟ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ର ଉତ୍ତର ଉପକଣ୍ଠ ସ୍ଥିତ ଏକ ସହର ବୁଚାରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ। ରୁଷ୍‌ ସେନା ବୁଚାରେ ଗଣହତ୍ୟା କରିଥିବା ଅଭିଯୋଗ ହୋଇଛି। ରାସ୍ତାରେ କୁଢ଼ କୁଢ଼ ଶବ ପଡ଼ିରହିଥିବାର ଦୃଶ୍ୟ ଏବେ ଇଣ୍ଟର‌ନେଟ୍‌ରେ ପ୍ରସାରିତ ହେବାରେ ଲାଗିଛି।

ଜାଣିବାକୁ ମିଳିଛି ଯେ ରୁଷ୍‌ ସେନା ବେସମେଣ୍ଟ୍‌ରେ ଲୁଚିଥିବା ଲୋକଙ୍କୁ ବଳପୂର୍ବକ ବାହାରକୁ ଆଣି ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିବ୍‌ଠାରୁ ୫୦ କିମି ପଶ୍ଚିମ ମୋତିଜିନ୍‌ ସହରର ମେୟର, ତାଙ୍କ ସ୍ବାମୀ ଏବଂ ପୁଅକୁ ଅତି ନିର୍ମମ ଭା‌ବେ ହତ୍ୟା କରାଯାଇଛି। ମେୟରଙ୍କ ହାତ ପଛପଟୁ ବନ୍ଧା ଯାଇଥିଲା ଏବଂ ତାଙ୍କ ଆଖିରେ ଏକ ପଟି ବନ୍ଧା ଯାଇଥିଲା। ୟୁକ୍ରେନ୍‌ ଉପ ପ୍ରଧାନମନ୍ତ୍ରୀ ମଧ୍ୟ ମେୟରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି।