ଗ୍ରାମୀଣ ଅର୍ଥନୀତିକୁ ବଦଳାଇ ଦେଇଥିବା ପୁଷ୍କରିଣୀ ‘ଉମ୍‌ବୁଲ୍‌ ପ˚ଗୋକ୍‌’

ଇଣ୍ତୋନେସିଆ ଅନ୍ତର୍ଗତ କେନ୍ଦ୍ରୀୟ ଜାଭା ଅଞ୍ଚଳରେ ପ˚ଗୋକ୍‌ ନାମକ ଗ୍ରାମ ଅବସ୍ଥିତ। ଗ୍ରାମ ମଝିରେ ଥିବା ଏକ ଛୋଟିଆ ପୁଷ୍କରିଣୀର ନାମ- ଉମ୍‌ବୁଲ୍‌ ପ˚ଗୋକ୍‌। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ପଚାଶ ଏବ˚ କୋଡ଼ିଏ ମିଟର‌୍‌। ଏକଦା ଏହା ଥିଲା ବିଶେଷତ୍ବହୀନ ଅସନା ପୋଖରୀଟିଏ ମାତ୍ର। ତେବେ, ଏବେ ଏହା ମାଧ୍ୟମରେ ଗ୍ରାମର ଅର୍ଥନୀତି ବେଶ୍‌ ସମୃଦ୍ଧ। ଏହି ପୁଷ୍କରିଣୀଟି ଦୈନିକ ଶତାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଏବ˚ ଏହା ଦ୍ବାରା ଗ୍ରାମବାସୀ ଉପକୃତ ହେଉଛନ୍ତି। ପୋଖରୀଟିର ରୂପ ବଦଳାଇ, ଏକ ପର୍ଯ୍ୟଟକ ଆକର୍ଷଣରେ ପରିଣତ କରିବାର ସମସ୍ତ ଶ୍ରେୟ ପାଇବେ ଗ୍ରାମର ମୁଖିଆ ଜୁନୈଦି ମୁଲ୍ୟୋନୋ। ୨୦୦୬ରେ ସେ ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହୋଇଥିଲେ। ସେତେ ବେଳେ ଗ୍ରାମ ସହ ପୋଖରୀର ଅବସ୍ଥା ବହୁତ ଖରାପ ଥିଲା। ବେକାରି ଚରମ ସୀମାରେ ଥିଲା। ଗ୍ରାମବାସୀଙ୍କର ଆୟ ବୋଲି କିଛି ନ ଥିଲା। ଶିକ୍ଷିତ ଜୁନୈଦି ପୋଖରୀ ମାଧ୍ୟମରେ ଗ୍ରାମର ଅର୍ଥନୀତିର ବିକାଶ ପାଇଁ ଯୋଜନା କଲେ। ପ୍ରଥମେ ପୋଖରୀର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଲେ। କିଛି ସହାୟତାର ହାତ ବଢ଼ାଇଲେ, କିଛି ହସିଲେ। ଯାହା ହେଉ ସାମୂହିକ ଉଦ୍ୟମରେ ପୋଖରୀ ସଫାହୋଇଗଲା। ତା’ ମଧ୍ୟକୁ ଆଖପାଖରେ ପ୍ରବାହିତ ଚାଳିଶଟି ଝରଣାର ଜଳ ଭର୍ତ୍ତିକରିବାର ବ୍ୟବସ୍ଥା ହେଲା। ପୁଷ୍କରିଣୀ ଜଳ ଶରତ୍‌କାଳୀନ ଜହ୍ନ ପରି ଅତି ସ୍ବଚ୍ଛ ଓ ନିର୍ମଳ ପାଲଟିଗଲା। ତାହା ପରେ ଜୁନୈଦି ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କାଚକେନ୍ଦୁ ପୁଷ୍କରିଣୀ ବାବଦରେ ପ୍ରଚାର ଆରମ୍ଭ କଲେ। କ୍ରମେ ପର୍ଯ୍ୟଟକ ଆକର୍ଷିତ ହେଲେ। ପ୍ରଚାର ବଢ଼ିଲା ଏବ˚ ତାହା ସହ ଗ୍ରାମରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିଲା।

goodnewsfromindonesia.id

ଏବେ ଇ˚ଡୋନେସିଆର ପ୍ରଥମ ଦଶଟି ସମୃଦ୍ଧ ଗ୍ରାମ ମଧ୍ୟରେ ପ˚ଗୋକ୍‌ ଗୋଟିଏ। ଗ୍ରାମର ସାତ ଶହ ପରିବାର ପୁଷ୍କରିଣୀ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ବହୁ ସ˚ଖ୍ୟକ ପର୍ଯ୍ୟଟକ ଆସୁଥିବାରୁ, ସେମାନଙ୍କ ଆୟ କ୍ରମାଗତ ବଢ଼ୁଛି। ପର୍ଯ୍ୟଟକଙ୍କ ମନୋର˚ଜନ ପାଇଁ ପୁଷ୍କରିଣୀ ମଧ୍ୟରେ ଡାଇଭି˚ର ବ୍ୟବସ୍ଥା କରାଯାଇଛି। ସେମାନେ ଗ୍ରାମୀଣ ସ୍ବଚ୍ଛ ପରିବେଶରେ ରହିପାରୁଛନ୍ତି। ସୁଖାଦ୍ୟ ତଥା ଅନ୍ୟ ମନୋର˚ଜନ ମଧ୍ୟ ମିଳୁଛି। ତେଣୁ, ଗ୍ରାମବାସୀ ତଥା ପର୍ଯ୍ୟଟକ ସମସ୍ତେ ଆନନ୍ଦିତ।

ସମ୍ବନ୍ଧିତ ଖବର