ଦୀପାବଳି ଓ ଶୀତ ମାସଗୁଡ଼ିକରେ ଧୂଆଁ, ଧୂଳି ଓ ଶବ୍ଦର ମାତ୍ରାରେ ବୃଦ୍ଧି ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବାୟୁ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଭ୍ରୂଣର ଅଭିବୃଦ୍ଧିରେ ବାଧାଠାରୁ ଆରମ୍ଭ କରି ଅକାଳ ପ୍ରସବ ପର୍ଯ୍ୟନ୍ତ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞ ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି। ଦୀର୍ଘ ସମୟ ଏଭଳି ପ୍ରଦୂଷଣ ସଂସ୍ପର୍ଶରେ ରହିବା ଦ୍ବାରା ୩୭ ସପ୍ତାହ ପୂର୍ବରୁ ଅପରିପକ୍ବ ପ୍ରସବ ଘଟିପାରେ। ଗର୍ଭବତୀମାନଙ୍କ ପାଇଁ ବାୟୁ ଓ ଶବ୍ଦ ପ୍ରଦୂଷଣର ମିଳିତ ଚାପ ଚିନ୍ତା ଓ ଶ୍ୱାସକ୍ରିୟା ସମସ୍ୟା ବୃଦ୍ଧି କରି ଶିଶୁକୁ ଅମ୍ଳଜାନ ଯୋଗାଣକୁ ପ୍ରଭାବିତ କରିପାରେ।
ପ୍ରଦୂଷଣର ପ୍ରଭାବ ଗର୍ଭଧାରଣର ବହୁତ ପୂର୍ବରୁ ଆରମ୍ଭ ହୋଇଥାଏ। ପ୍ରଦୂଷିତ ବାୟୁ ହରମୋନ ସନ୍ତୁଳନକୁ ବିପର୍ଯ୍ୟସ୍ତ କରି ଡିମ୍ବାଣୁର ଗୁଣବତ୍ତା ହ୍ରାସ କରିପାରେ ଏବଂ ଅନିୟମିତ ଋତୁଚକ୍ର ସୃଷ୍ଟି କରିପାରେ, ଯାହା ପ୍ରଜନନ କ୍ଷମତାକୁ ହ୍ରାସ କରିଦିଏ।
ଭାରତରେ ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ଏବଂ ଗର୍ଭପାତ, ମୃତ ଶିଶୁ ଜନ୍ମ ଓ କମ୍ ଓଜନର ଶିଶୁ ଜନ୍ମ ମଧ୍ୟରେ ସମ୍ପର୍କ ରହିଛି। ପିଏମ୍ ୨.୫ ଆକାରର ସୂକ୍ଷ୍ମ କଣିକା ରକ୍ତ ପ୍ରବାହରେ ପ୍ରବେଶ କରି ପ୍ଲାସେଣ୍ଟାଲ କାର୍ଯ୍ୟକୁ ବାଧା ଦେଇପାରେ ଏବଂ ଭ୍ରୂଣକୁ ଅମ୍ଳଜାନ ପ୍ରବାହକୁ ହ୍ରାସ କରି ଉଭୟ ମା’ ଓ ଶିଶୁଙ୍କୁ ବିପଦରେ ପକାଇପାରେ। ତେଣୁ ବାୟୁ ଗୁଣବତ୍ତା ଖରାପ ଥିଲେ ଗର୍ଭବତୀମାନେ ଘର ଭିତରେ ରହି ଏଆର୍ ପ୍ୟୁରିଫାୟର୍ ବ୍ୟବହାର କରିବା ସହ ବାହାରକୁ ବାହାରିଲେ ଏନ୍୯୫ ମାସ୍କ ପିନ୍ଧିବା ଉଚିତ। ସେହିପରି ଗର୍ଭବତୀ ହେବା ପରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ସନ୍ତୁଳିତ ଖାଦ୍ୟ ଗ୍ରହଣ ମଧ୍ୟ ପ୍ରଦୂଷଣର ପ୍ରଭାବକୁ ହ୍ରାସ କରିପାରିବ। ସର୍ବୋପରି, ସଚେତନ ଜୀବନଶୈଳୀ ଓ ସମୟୋଚିତ ଡାକ୍ତରୀ ମାର୍ଗଦର୍ଶନ ଉଭୟ ମା’ ଓ ଶିଶୁଙ୍କ ଶ୍ୱାସକ୍ରିୟାକୁ ସୁଗମ କରି ବିପଦକୁ ଟାଳିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/12/new-project-4-2025-11-12-09-07-04.jpg)