ଭାରତ ଅନେକ ବିସ୍ମୟ ସୃଷ୍ଟିକାରୀ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଗନ୍ତାଘର। ତନ୍ମଧ୍ୟରୁ ଗୋଟିଏ ହେଉଛି ତ୍ରିପୁରାର ରଘୁନନ୍ଦନ ପର୍ବତରେ ଥିବା ଊନକୋଟି ଭାସ୍କର୍ଯ୍ୟସ୍ଥଳୀ। ଏଠାରେ ଊନକୋଟି ବା କୋଟିଏରୁ ଗୋଟିଏ କମ୍ ସଂଖ୍ୟକ ପ୍ରସ୍ତର ପ୍ରତିମା ରହିଛି ବୋଲି ଲୋକେ ବିଶ୍ବାସ କରନ୍ତି। ଉତ୍ତରପୂର୍ବ ଭାରତର ‘ଆଙ୍ଗ୍େକାର୍ ୱାଟ୍’ ବୋଲି କୁହାଯାଉଥିବା ଊନକୋଟି ହେଉଛି ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଏବଂ ତାହା ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ବୋଲି ଅନୁମାନ କରାଯାଏ।
ମହାଦେବଙ୍କ ଅସମାପ୍ତ ମସ୍ତକ
ଊନକୋଟିରେ ଥିବା ପ୍ରତିମାଙ୍କ ମଧ୍ୟରୁ ସବୁଠୁ ବଡ଼ ହେଉଛି ୩୦ ଫୁଟ୍ ଉଚ୍ଚ ‘ଊନକୋଟିଶ୍ବର କାଳ ଭୈରବ’ଙ୍କ ପ୍ରତିମା। ମହାଦେବଙ୍କ ଅସମାପ୍ତ ମସ୍ତକ କୁହାଯାଉଥିବା ଏହି ପ୍ରତିମାରେ ମହାଦେବଙ୍କ ସୁସଜ୍ଜିତ ଜଟାର ଉଚ୍ଚତା ହେଉଛି ୧୦ ଫୁଟ୍। ତା’ଛଡ଼ା ସେଠାରେ ଖୋଦିତ ହୋଇଛି ଗୋଟାଏ ଅତିକାୟ ଗଣେଶ ପ୍ରତିମା। ମହାଦେବଙ୍କ ଦୁଇପାର୍ଶ୍ବରେ ବିରାଜମାନ କରିଛନ୍ତି ଦୁଇଜଣ ଦେବୀ। ଜଣେ ସିଂହ ଉପରେ ଦଣ୍ଡାୟମାନ ଦେବୀ ଦୁର୍ଗା ଓ ଆଉ ଜଣେ ସମ୍ଭବତଃ ଦେବୀ ଗଙ୍ଗା। ଭୂଇଁରେ ଅର୍ଦ୍ଧନିମଜ୍ଜିତ ତିନୋଟି ବିଶାଳ ନନ୍ଦୀବୃଷଭ ପ୍ରତିମା ବି ରହିଛି। ବିଦ୍ବାନ୍ମାନେ କହନ୍ତି, ଊନକୋଟି ଖୋଦେଇ ହେଉଛି ଉତ୍କୃଷ୍ଟ ଭାସ୍କର୍ଯ୍ୟ ଏବଂ ଆଦିବାସୀ ଶୈଳୀ ଭାସ୍କର୍ଯ୍ୟର ସମନ୍ବୟ। ରଘୁନନ୍ଦନ ପାହାଡ଼ରେ ଖୋଦିତ ପ୍ରତିମା ସବୁକୁ ଛାଡ଼ି ସେ ପାହାଡ଼ ଆଖପାଖରେ ବିଛାଡ଼ି ହୋଇ ପଡ଼ିଥିବା ଶିଳାଖଣ୍ଡଗୁଡ଼ିକରେ ବି ଦେବଦେବୀଙ୍କ ପ୍ରତିମା ଖୋଦେଇ କରାଯାଇଛି।
ବିସ୍ମୟକର କିଂବଦନ୍ତିମାଳା
କିନ୍ତୁ, ଊନକୋଟି ନିର୍ମାଣ ସମ୍ବନ୍ଧୀୟ ସଠିକ୍ ସମୟ ଓ ତାରିଖ ଏବେ ବି ବିତର୍କ ବିଷୟ ହୋଇ ରହିଛି। ଏହାର ଇତିହାସ ପୌରାଣିକ ଆଖ୍ୟାନ, କିଂବଦନ୍ତି ଓ ଜନଶ୍ରୁତିର ସମ୍ମିଶ୍ରଣରେ ଅତୀବ ବିସ୍ମୟକର ହୋଇଯାଇଛି। କିଂବଦନ୍ତି ଅନୁସାରେ, ଥରେ ମହାଦେବ ୯୯,୯୯,୯୯୯ ଦେବଦେବୀଙ୍କୁ ସାଥିରେ ନେଇ କାଶୀ ଅଭିମୁଖେ ଯାତ୍ରା କରୁଥିଲେ। ରାତି ହୋଇଯିବାରୁ ସେମାନେ ରଘୁନନ୍ଦନ ପାହାଡ଼ରେ ବିଶ୍ରାମ ନେବାକୁ ସ୍ଥିରକଲେ। ନିଦ୍ରାଯିବା ଆଗରୁ ମହାଦେବ ସମସ୍ତ ଦେବଦେବୀଙ୍କୁ କହିଲେ, ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ନିଦ୍ରାତ୍ୟାଗ କରିବେ। କିନ୍ତୁ, ତା’ପର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ମହାଦେବଙ୍କ ବ୍ୟତୀତ ଆଉ କେହି ଉଠି ନ ଥିଲେ। କୃଦ୍ଧହୋଇ ମହାଦେବ ନିଦ୍ରିତ ଦେବଦେବୀଙ୍କୁ ପାଷାଣ କରିଦେଇ ଏକାକୀ କାଶୀ ଚାଲିଗଲେ। ଊନକୋଟିରେ ମହାଦେବଙ୍କ ଶାପ ପାଇଥିବା ସେହି ସବୁ ଦେବଦେବୀଙ୍କ ପାଷାଣ ପ୍ରତିମା ରହିଛି।
ଊନକୋଟି ସୃଷ୍ଟି ସଂପର୍କିତ ଅନ୍ୟ ଏକ ଜନଶ୍ରୁତି କହେ, କଲ୍ଲୁ କୁହ୍ମାର ନାମରେ ଜଣେ ପଥର କାରିଗର ଥିଲା ଦେବୀ ପାର୍ବତୀଙ୍କ ଭକ୍ତ। ଥରେ ଈଶ୍ବରପାର୍ବତୀ ସେ ଅଞ୍ଚଳରେ ବୁଲାବୁଲି କରୁଥିଲେ। ତାକୁ ସାଥିରେ କୈଳାସ ପର୍ବତକୁ ଘେନିଯିବା ପାଇଁ କଲ୍ଲୁ ସେମାନଙ୍କୁ ଗୁହାରିକଲା। କିନ୍ତୁ, ଈଶ୍ବରପାର୍ବତୀ କୁଣ୍ଠାବୋଧ କଲେ। ବାହାନାକରି ଦେବୀ ପାର୍ବତୀ କହିଲେ, ରାତି ପାହିବା ଆଗରୁ କୋଟିଏ ଦେବଦେବୀଙ୍କ ପ୍ରତିମା ଗଢ଼ି ପାରିଲେ ତୁ ଆମ ସାଥିରେ କୈଳାସ ପର୍ବତକୁ ଯାଇପାରିବୁ। ବିଚକ୍ଷଣ କାରିଗର କଲ୍ଲୁ ରାତି ପାହିଲା ବେଳକୁ ଊନକୋଟି ପ୍ରତିମା ଖୋଦେଇ କରିଦେଲା, କିନ୍ତୁ ଆଉ ଗୋଟିଏ ଶେଷ କରିପାରିଲା ନାହିଁ। ତେଣୁ ଈଶ୍ବରପାର୍ବତୀ ତାକୁ ସାଥିରେ କୈଳାସ ପର୍ବତକୁ ନେଲେନାହିଁ। ଆଉ କେତେକଙ୍କ ମତରେ କଲ୍ଲୁ କୁହ୍ମାରକୁ କୋଟିଏ ଦେବଦେବୀଙ୍କ ପ୍ରତିମା ଖୋଦେଇ କରିବାକୁ ସ୍ବପ୍ନାଦେଶ ହୋଇଥିଲା। ଏତେ ଦିଅଁ ପ୍ରତିମା ଖୋଦେଇ କରୁ କରୁ ସେ ଅହଙ୍କାରୀ ହୋଇ ଶେଷ ପ୍ରତିମାଟି ଦେବ ପ୍ରତିମା ବଦଳରେ ନିଜ ପ୍ରତିମା ଗଢ଼ିଦେଲା। ଏହାଦେଖି ଦେବଦେବୀ କ୍ରୋଧିତ ହୋଇ ସେ ପ୍ରତିମାକୁ ନଷ୍ଟ କରିଦେଲେ। ଫଳରେ ସେଠାରେ ଊନକୋଟି ଦେବଦେବୀ ପ୍ରତିମା ରହିଲା।
ଏ ପ୍ରସଙ୍ଗରେ ଆଉ ଗୋଟିଏ ଆଖ୍ୟାନ ବି ରହିଛି। ତ୍ରିପୁରା ରାଜ୍ୟର ପ୍ରଥମ ରାଜା ହାମ୍ତୋର୍ଫା ତାଙ୍କ ରାଜ୍ୟରେ ଆସି ରହିବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ। ମହାଦେବ ତାଙ୍କୁ କହିଲେ, ଏଥିପାଇଁ ସେ ସମସ୍ତ ଦେବଦେବୀଙ୍କୁ ସ୍ତୁତି କରନ୍ତୁ ଓ ସେମାନଙ୍କ ବିଗ୍ରହ ଗଢ଼ାନ୍ତୁ। ତଦନୁସାରେ ହାମ୍ତୋର୍ଫା ଦେବଦେବୀଙ୍କ ବିଗ୍ରହ ନିର୍ମାଣ କରାଇଲେ ଏବଂ ଦେବତାମାନେ ଆସି ତାଙ୍କ ରାଜ୍ୟରେ ରହିଲେ। କିନ୍ତୁ, ଦେବୀ ଗଙ୍ଗା ଆସିବାକୁ ମନାକଲେ। ସେ କହିଲେ ଯେ ଯଦି ସେ ଯାଆନ୍ତି ଦେଶର ବାକି ପ୍ରାନ୍ତ ଶୁଖିଯିବ। ତେଣୁ, ସେ ଗୋମତୀ ନଦୀକୁ ତ୍ରିପୁରା ପଠାଇଲେ। ତେଣୁ ରାଜା ଦେବୀ ଗଙ୍ଗାଙ୍କ ପ୍ରତିମା ଗଢ଼ାଇଲେ ନାହିଁ। ଫଳରେ ଦେବତାଙ୍କ ସଂଖ୍ୟା ଊନକୋଟି ହୋଇ ରହିଗଲା।
ହିନ୍ଦୁ ନା ବୌଦ୍ଧ କ୍ଷେତ୍ର?
ଊନକୋଟି ଶିଳା ଖୋଦେଇରେ ଦେବଦେବୀ, ପୌରାଣିକ ଜୀବଜନ୍ତୁ ଓ ବାହ୍ୟଜାଗତିକ ସତ୍ତାଙ୍କୁ ଦେଖିବାକୁ ମିଳେ। କେତେକ ଐତିହାସିକ କହନ୍ତି, ୭୫୦ ଖ୍ରୀଷ୍ଟାବ୍ଦରୁ ୧୧୬୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବଙ୍ଗରେ ପାଳ ରାଜବଂଶ ରାଜୁତି କାଳରେ ‘ଊନକୋଟି’ ପ୍ରସିଦ୍ଧ ହିନ୍ଦୁ ତୀର୍ଥକ୍ଷେତ୍ର ଥିଲା। ଏହା ବ୍ୟତିରକେ, କିଛି ପ୍ରତ୍ନତାତ୍ତ୍ବିକ ବର୍ଣ୍ଣନା କହେ ଯେ ତାହା ସମ୍ଭବତଃ ଧ୍ୟାନ ବା ତପସ୍ୟା ପାଇଁ ବୌଦ୍ଧ ଧର୍ମାବଲମ୍ବୀଙ୍କ କ୍ଷେତ୍ର ହୋଇଥାଇପାରେ। ସେ ଯାହାହେଉ, ଏହାର ସଷ୍ଟ୍ରା ଓ ସୃଷ୍ଟିକାଳ ରହସ୍ୟମୟ ହୋଇଥିଲେ ବି ପ୍ରତିବର୍ଷ ଏପ୍ରିଲ୍ ମାସରେ ଏଠାରେ ଆୟୋଜିତ ଅଶୋକାଷ୍ଟମୀ ମେଳା ସମୟରେ ବହୁସଂଖ୍ୟକ ଯାତ୍ରୀ ଆଗମନ ଘଟେ ଆଉ ଏ ଆଦିମ କ୍ଷେତ୍ରଟି ଜୀବନ୍ୟାସ ପାଇ ଚଳଚଞ୍ଚଳ ହୋଇଉଠେ।