ଫିଲ୍ମ ଫେୟାର ପୁରସ୍କାର ପାଇଥିବା ପ୍ରଥମ ଅଭିନେତା: ଦିଲୀପ କୁମାର

କେବଳ ପରଦାର ନାୟକ ନୁହେଁ, ବାସ୍ତବ ଜୀବନରେ ଯେଉଁ ଅନୁଭବ ଦେଇଛ, ତାହା ଅନୁଭବ୍ୟ ଓ ଅବିସ୍ମରଣୀୟ। ଅଭିନୟ ତ ଅନେକ କରିଛନ୍ତି, କିନ୍ତୁ ଅଭିନେତା ଭାବେ ସେ ଯେଉଁ ବାସ୍ତବତାର ସ୍ବାଦ ଚଖେଇଛନ୍ତି, ତାହା ଅଭୁଲା ଓ ଅପାସୋରା। ଦିଲୀପ ଏକ ନାମ ନୁହେଁ; ଏକ ଚରିତ୍ର, ଏକ ଆବେଗ ଓ ଏକ ଉଦ୍‌ବେଳନ। ଆଜି କେବଳ ପରଦା ପ୍ରେମିକ ନୁହେଁ, ସାଧାରଣ ଲୋକ ଆଖିରେ ବି ଅଶ୍ରୁ। ଯିଏ ଯେତେ ବାହୁନିଲେ ବି କମ୍‌ ହେବ, କାହିଁକିନା ପ୍ରତିଟି ହୃଦୟରେ ତୁମେ ବସିଛ, ଇହକାଳ ପରକାଳରେ ମଧ୍ୟ ଦିଲୀପ ପ୍ରତିଟି ଦିଲ୍‌ରେ ଦିୱାନା ହେଇ ରହିଥିବ।

 

Gulf News

ୟୁସୁଫ୍ ଖାନ୍‌ରୁ ଦିଲୀପ କୁମାର ପର୍ଯ୍ୟନ୍ତ ଯାତ୍ରା
ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାରଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ୍ ଖାନ୍‌। ବାପା ଥିଲେ ଜଣେ ସଫଳ ଫଳ ବ୍ୟବସାୟୀ। ଏକଦା ମାସାନି ଚର୍ଚ୍ଚଗେଟ୍ ଷ୍ଟେସନ୍‌ରେ ତାଙ୍କର ‌ଭେଟ ହୋଇଥିଲା ଡ. ମାସାନିଙ୍କ ସହ। ସେ ୟୁସୁଫ୍‌ଙ୍କୁ ବମ୍ବେ ଟକିଜ୍‌ରେ ଯୋଗ ଦେବାକୁ କହିଥିଲେ। ଏହାପରେ ୟୁସୁଫ୍‌ ପହଞ୍ଚିଥିଲେ ବମ୍ବେ ଟକିଜ୍‌ର ମାଲିକାଣୀ ଦେବିକାରାଣୀଙ୍କ ନିକଟରେ। ଆଉ ସେଠାରେ ମାତ୍ର ୧୨୫୦ ଟଙ୍କାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ୟୁସୁଫ୍‌ଙ୍କ ଠାଣିରୁ ସେ ଜଣେ ଭଏ ଅଭି‌ନେତା ହୋଇପାରିବେ ବୋଲି ଦେବିକାରାଣୀ ଅନୁମାନ କରିନେଇଥିଲେ। ଊର୍ଦ୍ଦୁ ଭାଷାରେ ଓସ୍ତାଦି ଥିବା ୟୁସୁଫ୍ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖାଲେଖିରେ ସହଯୋଗ କରୁଥିଲେ। ଦିନେ ଦେବିକାରାଣୀ ୟୁସୁଫ୍‌ଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ। ତାହା ହିଁ ହେଲା। ମହମ୍ମଦ ୟୁସୁଫ୍ ଖାନ୍‌ରୁ ତାଙ୍କ ନାମ ପରିବର୍ତ୍ତିତ ହେଇ ରହିଲା ‘ଦିଲୀପ କୁମାର’। ଦେବିକାରାଣୀ ତାଙ୍କୁ ସିନେମାର ଅଭିନୟର ସୁଯୋଗ ଦେଲେ। ୧୯୪୪ରେ ଦିଲୀପଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଜୁଆର ଭଟ୍ଟା’। ପ୍ରଥମେ ପ୍ରଥମେ ଅଭିନୟ ଜୀବନର ଗାଡ଼ି ଧିମା ଚାଲିଥିଲେ ବି ପରେ ଦିଲୀପ କୁମାର କୋଟିକୋଟି ସିନେପ୍ରେମୀଙ୍କ ମନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ।

ନଜର ଲାଗିଯିବ ବୋଲି ବାରମ୍ବାର ନଣ୍ଡା କରାଉଥିଲେ ଜେଜେ ମା’
ଦିଲ୍ଲୀପ କୁମାର ଶୈଶବରେ ବେଶ୍‌ ସୁନ୍ଦର ଓ ଗୁଲୁଗୁଲିଆ ଦେଖାଯାଉଥିଲେ। ତାଙ୍କ ଗୋଲାପୀ ଗାଲ ଓ ଘଞ୍ଚ କେଶ ବ୍ୟକ୍ତିତ୍ବକୁ ଆକର୍ଷଣୀୟ କରୁଥିଲା। କାଳେ କାହାର ନଜର ଲାଗିଯିବ, ସେଥିପାଇଁ ଦିଲ୍ଲୀପଙ୍କ ଜେଜେ ମା’ ତାଙ୍କ ମୁହଁରେ କଳା ଟିପା ଲଗାଇ ଦେଉଥିଲେ। ଏପରିକି ଦିଲ୍ଲୀପଙ୍କୁ ବାରମ୍ବାର ନଣ୍ଡା କରାଇ ଦେଉଥିଲେ। ପରବର୍ତୀ ସମୟରେ ସେ ବି.ଆର୍‌ ଚୋପ୍ରାଙ୍କ ଚାଣକ୍ୟ-ଚନ୍ଦ୍ରଗୁପ୍ତ ଫିଲ୍ମରେ ଚାଣକ୍ୟ ଭୂମିକାରେ ଅଭିନୟ କରିବା ବେଳେ ଚାଣକ୍ୟ ଚରିତ୍ରରେ ତାଙ୍କୁ କେଶବିହୀନ ମୁଣ୍ଡରେ ହିଁ ଦେଖିବାକୁ ମିଳିଥିଲା। ସତୁରି ଦଶକର ଏହି ଚଳଚ୍ଚିତ୍ର ସେତେବେଳେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ପରେ କିନ୍ତୁ କେଶ ବିନ୍ୟାସ ହିଁ ଦିଲ୍ଲୀପଙ୍କୁ ଆହୁରି ଆକର୍ଷଣୀୟ କରିଦେଇଥି‌ଲା। ଦିଲ୍ଲୀପଙ୍କ ଲୋକପ୍ରିୟତା ଉଚ୍ଚ ସୋପାନକୁ ଛୁଇଁଥିଲା। ବାଙ୍ଗାଲୋରର ଦୁଇ ଯୁବତୀ ଦିଲ୍ଲୀପଙ୍କୁ ବିବାହ କରିବେ ବୋଲି ଅଡ଼ି ବସିଥିଲେ। ଏପରିକି ନିଜ ପ୍ରିୟ ଅଭିନେତାଙ୍କ କଳା ଧଳା ଫଟୋକୁ ଛାତିରେ ଲଗାଇ ସେମାନେ ସମୟ ବିତାଇଥିଲେ।

ବହୁଭାଷାରେ ମାଷ୍ଟର
ଦିଲ୍ଲୀପଙ୍କ ପିତା ମହମ୍ମଦ ସରୱର ଖାଁ ଓ ମା’ ଆୟେସା ବେଗମ୍‌ଙ୍କ ୬ ପୁଅ ଓ ୬ ଝିଅଙ୍କ ମଧ୍ୟରେ ଦିଲ୍ଲୀପ ଥିଲେ ଚତୁର୍ଥ। ପରିବାରର ସଦସ୍ୟମାନେ ହିନ୍ଦ୍‌କୋ ତଥା ପଞ୍ଜାବୀ ପାର୍ସୀ ମିଶ୍ରିତ ଭାଷାରେ କଥାବାର୍ତ୍ତା କରୁଥିଲେ। ମାତ୍ର ଦିଲ୍ଲୀପ ଥିଲେ ବହୁଭାଷୀ। ହିନ୍ଦୀ, ପାସ୍ତୋ, ଊର୍ଦୁ, ପଞ୍ଜାବୀ, ମରାଠୀ, ଇଂରାଜୀ, ବଙ୍ଗାଳୀ, ଗୁଜରାଟୀ, ପାର୍ସୀ ଭାଷାରେ ତାଙ୍କର ଦଖଲ ଥିଲା। ଭୋଜପୁରୀ ଓ ଅୱଧିରେ ମଧ୍ୟ ସେ କଥା ହୋଇପାରୁଥିଲେ। ସେ ୧୯୭୦ରେ ବଙ୍ଗାଳି ଚଳଚ୍ଚିତ୍ର ସାଗିନା ମହତୋରେ ଅଭିନୟ କରିଥିଲେ। ଭୋଜପୁରୀ ଚଳଚ୍ଚିତ୍ର ଗଙ୍ଗା ଯମୁନାରେ ମଧ୍ୟ ଅଭିନୟ କରିଥିଲେ।

ଫିଲ୍ମ ଫେୟାର ପୁରସ୍କାର ପାଇଥିବା ପ୍ରଥମ ଅଭିନେତା
ଦିଲ୍ଲୀପ ଫିଲ୍ମଫେୟାର ପୁରସ୍କାର ପାଇଥିବା ପ୍ରଥମ କଳାକାର। ‘ଦାଗ୍’ ଚଳଚ୍ଚିତ୍ର ପାଇଁ ସେ ଏହି ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ଆଉ ସାତ ଥର ସେ ଏହି ପୁରସ୍କାର ପାଇଛନ୍ତି। ବୈଜୟନ୍ତୀମାଲା, ମଧୁବାଲା, ନର୍ଗିସ, ନିମ୍ମି, ମୀନା କୁମାରୀ ଓ କାମିନୀ କୌଶଲ ଆଦି ଅଭିନେତ୍ରୀଙ୍କ ସହିତ ଦିଲୀପ କୁମାରଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ୫୦ ଦଶକରେ ଗୋଟେ ସିନେମା ପାଇଁ ଏକ ଲକ୍ଷ ଟଙ୍କା ପାଉଣା ନେବାରେ ସେ ଥିଲେ ପ୍ରଥମ ଅଭିନେତା।

Twitter

ଗୀତ ଗାଇଥିଲେ, ଦକ୍ଷ ଫୁଟବଲ୍‌ ଖେଳାଳି ଥିଲେ
ନିଜର ଅଭିନୟ ଦକ୍ଷତା ପାଇଁ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିବା ଦିଲ୍ଲୀପ କୁମାର ଗୀତ ବି ଗାଇ ପାରୁଥିଲେ। ୧୯୫୭ରେ ନିର୍ମିତ ‘ମୁସାଫିର୍‌’ ଚଳଚ୍ଚିତ୍ରରେ ‘ଲଗି ନେହିଁ ଛୋଟେ ରାମା କହେ ଜିୟା ଜାଏ.. ଗୀତଟି ତାଙ୍କ କଣ୍ଠରେ ପ୍ରସ୍ତୁତ ହୋଇଥିଲା। ଅନେକ ଦର୍ଶକ ଦିଲ୍ଲୀପଙ୍କ ଏଭଳି କରିସ୍ମା ବାବଦରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ସେ ଜଣେ ବହୁବିଧ ଗୁଣର ଅଧିକାରୀ ଥିଲେ। ବାସ୍ତବରେ ସେ ରାଜ କପୁରଙ୍କ ଉପଦେଶକ୍ରମେ ପ୍ରଥମେ ଜଣେ ଭଲ ଫୁଟ୍‌ବଲ୍‌ ଖେଳାଳି ହେବାର ଇଚ୍ଛା ରଖିଥିଲେ। ମାତ୍ର ଦିଲ୍ଲୀପଙ୍କ ବାପା ତାଙ୍କୁ ଚେସ୍‌ରେ ଧ୍ୟାନ ଦେବାକୁ କହୁଥିଲେ। ବିଦ୍ୟାଳୟ ସ୍ତରରେ ସେ ଜଣେ ଭଲ ଖେଳାଳି ମଧ୍ୟ ଥିଲେ। ଏପରିକି ସ୍କୁଲ୍‌ର ଫୁଟ୍‌ବଲ୍‌ ସଂଘର ସମ୍ପାଦକ ରହିଥିଲେ।

ସମ୍ବନ୍ଧିତ ଖବର