ଧୃତିକାମ ମହାନ୍ତି

ପ୍ରାକ୍-ସ୍ୱାଧୀନତା କାଳର ସ୍କୁଲ ଶିକ୍ଷକ ବାଉରୀବନ୍ଧୁ ଥିଲେ ଜଣେ ଭଗବତ୍ ବିଶ୍ୱାସୀ ମଣିଷ। ଘର କଟକ ଜିଲ୍ଲା ସୁନ୍ଦରଗ୍ରାମରେ। ଥରେ ତାଙ୍କ ମନରେ ଝୁଙ୍କ୍ ଉଠିଲା- ‘‘କାଳିଆର ମହିମାକୁ ପରଖିବି। ପୁଣି ଥରେ ଶ୍ରୀକ୍ଷେତ୍ର ଯିବି ଆଉ ମନ୍ଦିର ବେଢ଼ାରେ ଉପବାସରେ ବସିବି। ଦେଖିବା କିଏ ମତେ ଖାଇବାକୁ ଦେବ? ଶ୍ରୀମନ୍ଦିରରେ କେହି ଅଭୁକ୍ତ ରହେ ନାହିଁ ବିଶ୍ୱାସଟି କେତେ ସତ?”
କାଳିଆ ଠାକୁର ବି ଛାଡ଼ିବା ଦିଅଁ ନୁହନ୍ତି । କିଛି ଦିନ ପରେ ତାଙ୍କ ଡୋରି ଲାଗିଲା । ଶ୍ରୀକ୍ଷେତ୍ରକୁ ବାହାରିଲେ ବାଉରୀବନ୍ଧୁ । ଇଏ ୪୦ ଦଶକର କଥା। ଗାଡ଼ିମଟର ତ ନଥିଲା, ଶଗଡ଼ ଗାଡ଼ିରେ ଚାଲିଲେ ପୁରୀ। ଦୁଇଦିନ ପରେ ପହଞ୍ଚିଲେ। ତା’ପରଦିନ ସକାଳୁସକାଳୁ ବାହାରି ପଡ଼ିଲେ କାଳିଆସାଆନ୍ତଙ୍କ ପାଖକୁ। ଅରୁଣସ୍ତମ୍ଭରେ ମଥା ଛୁଆଇଁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଚଢ଼ି ରତ୍ନବେଦିରେ ବିରାଜମାନ ଶ୍ରୀଜିଉଙ୍କ ପାଖରେ ପହଞ୍ଚି କୋହକୁ ରୋକି ପାରିଲେନି। ମହାପ୍ରଭୁଙ୍କୁ ଦେଖି କାନ୍ଦି ପକାଇଲେ ସେ।
ଆଜି ଠାକୁରଙ୍କ ପରୀକ୍ଷା ନେବେ ବାଉରୀବନ୍ଧୁ! ମନେ ମନେ ପଣ କରିଥାଆନ୍ତି, ଯେତେ ଭୋକ ଲାଗିଲେ ବି ମହାପ୍ରସାଦ କିଣି ଖାଇବେ ନାହିଁ। ଦେଖିବା ଠାକୁରେ ତାଙ୍କୁ ଖୁଆଉଛନ୍ତି ନା ନାହିଁ! ବସି ବସି କ’ଣ କରିବେ? ଗୀତା, ଭାଗବତ, ଭଜନ, ଜଣାଣ ଯାହା ଜାଣିଥିଲେ, ସେସବୁ ଗାଇବା ଆରମ୍ଭ କଲେ । କିଛି ଦର୍ଶନାର୍ଥୀ ବି ପାଖରେ ବସି ତାଙ୍କଠାରୁ ଭଜନ-ଜଣାଣ ଶୁଣି ସମୟ କାଟିଲେ। ହେଲେ କେହି ପଚାରୁ ନଥାନ୍ତି ଖାଇବା କଥା। ଏମିତିରେ ଟପିଗଲା ମଧ୍ୟାହ୍ନ। ବାଉରୀବନ୍ଧୁଙ୍କ ମନରେ ଜିଦ୍। ସେ ପରୀକ୍ଷା କରିବେ, ସତରେ କ’ଣ ଶ୍ରୀମନ୍ଦିରରେ କେହି ଅଭୁକ୍ତ ରହନ୍ତି ନାହିଁ?
ସେମିତି ନୀଳଚକ୍ର ଓ ପତିତପାବନବାନାକୁ ଚାହିଁ ବସିଥାଆନ୍ତି ସେ। ଅପରାହ୍ଣ ହୋଇଗଲା କିନ୍ତୁ ଅନ୍ନପ୍ରସାଦ ଜୁଟୁ ନଥାଏ । ଧୀରେ ଧୀରେ ମନ୍ଦିର ଭିତର ଗହଳି ପତଳା ହୋଇଆସିଲା । ସୂର୍ଯ୍ୟ ପଶ୍ଚିମରେ ବୁଡ଼ିବାକୁ ଆରମ୍ଭ କଲେ। ଦୁଇ ଦିନର ଯାତ୍ରାର କ୍ଲାନ୍ତି ସଙ୍ଗକୁ ପ୍ରବଳ ଭୋକ । ତଥାପି ଟଳୁ ନଥାନ୍ତି ବାଉରୀବନ୍ଧୁ। ଜଗନ୍ନାଥଙ୍କ ପରୀକ୍ଷା ନେବା କ’ଣ ସହଜ କଥା!
ସଂଜ ନଇଁବା ନଇଁବା ହେଉଥାଏ। ବେଢ଼ା ଅନ୍ଧାରୁଆ ଲାଗିବା ଆରମ୍ଭ ହେଲା। ସେ ଲକ୍ଷ୍ୟ କଲେ କେହି ଜଣେ ଦୁଇ ହାତରେ ଦୁଇଟି ମହାପ୍ରସାଦ କୁଡୁଆ ଧରି ତାଙ୍କରି ଆଡ଼କୁ ଆସୁଛନ୍ତି । ଭାବିଲେ ବ୍ୟକ୍ତି ଜଣକ ବୋଧହୁଏ ଆଉ କାହା ପାଖକୁ ଯାଉଥିବେ। କିନ୍ତୁ ଆଗନ୍ତୁକ ତାଙ୍କରି ନିକଟରେ ଆସି ଅଟକି ଗଲେ। ଶ୍ରଦ୍ଧାର ସହ କହିଲେ- “ଆଜ୍ଞା, ମୁଁ ଅଧିକ ମହାପ୍ରସାଦ କିଣି ଦେଲି । ଏକୁଟିଆ ଏତେ ଖାଇପାରିବି ନାହିଁ। ଆପଣ ଯଦି ଦୟାକରି ଏଥିରୁ ଗୋଟିଏ ପାରୁଶ ପାଆନ୍ତେ, ତେବେ ଖୁବ୍ ଭଲ ହୁଅନ୍ତା।” ଏତିକି କହି ସେ ବାଉରୀବନ୍ଧୁଙ୍କ ଉତ୍ତରକୁ ଅପେକ୍ଷା ନ କରି ତାଙ୍କ ହାତକୁ ଅନ୍ନମହାପ୍ରସାଦ ଥିବା ଗୋଟିଏ କୁଡୁଆ ବଢ଼ାଇ ଦେଲେ।
ଆଖି ଛଳଛଳ ହୋଇଗଲା ବାଉରୀବନ୍ଧୁଙ୍କର। ଝାପ୍‌ସା ଦିଶୁଥିଲା ନୀଳଚକ୍ର। ଆପେ ଆପେ ଦୁଇ ହାତ ଉଠିଗଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ମନେ ମନେ ଭାବିଲେ- ‘‘ହେ ଜଗନ୍ନାଥ! ତୁମ ଲୀଳା ଦେଖିଲି। ତୁମ ମନ୍ଦିରରେ ସତରେ କେହି କେବେ ଭୋକିଲା ରହେ ନାହିଁ ।”
ବାଉରୀବନ୍ଧୁ ଭାବନାରୁ ବାହାରି ପ୍ରକୃତିସ୍ଥ ହେଲା ବେଳକୁ ମହାପ୍ରସାଦ ଆଣି ଦେଇଥିବା ବ୍ୟକ୍ତି ପାଖରେ ନ ଥିଲେ । ଧନ୍ୟବାଦ ଜଣାଇବାକୁ ଖୋଜିଲେ, ମାତ୍ର ତାଙ୍କର ଚିହ୍ନବର୍ଣ୍ଣ ନ ଥିଲା । ହଠାତ୍‌ ମନ ଭିତରୁ କିଏ କହିଲା-ସିଏ କାଳିଆ ସାଆନ୍ତ ନଥିଲେ ତ! ଭୋକିଲା ଭକ୍ତ ଲାଗି ରତ୍ନବେଦିରୁ ଓହ୍ଲାଇ ଆସିଥିଲେ କି ପ୍ରଭୁ?