ରାମାୟଣ କାବ୍ୟରେ ବର୍ଣ୍ଣିତ ଅନେକ କଥା ଉପକଥା ଊଣା ଅଧିକେ ସମସ୍ତଙ୍କୁ ଜଣା। କିନ୍ତୁ, ସେଥିରେ ଆହୁରି ମଧ୍ୟ ଏମିତି କେତେ ଆଚମ୍ବିତ କଥା ଅଛି ତାହା ହୁଏ ତ ଅନେକ ଜାଣି ନ ଥିବେ। ସେଇ ଭଳି ଆଚମ୍ବିତ କଥାରୁ କେତୋଟି:
ରାବଣ କୌଶଲ୍ୟାଙ୍କୁ ହରଣ କରିଥିଲେ: ରାମଙ୍କ ପତ୍ନୀ ସୀତାଙ୍କୁ ହରଣ କରିବାରୁ ବହୁ ପୂର୍ବରୁ ରାବଣ ରାମଙ୍କ ମାଆ କୌଶଲ୍ୟାଙ୍କୁ ଅପହରଣ କରିଥିଲେ। କଥାଟି ଏମିତି: ଥରେ ନିଜ ମୃତ୍ୟୁ କେମିତି ହେବ ବୋଲି ରାବଣ ବ୍ରହ୍ମାଙ୍କୁ ପଚାରି ଥିଲେ। ବ୍ରହ୍ମା କହିଲେ, କୌଶଲ୍ୟା ଓ ଦଶରଥଙ୍କ ପୁତ୍ର ତୁମ୍ଭ ମୃତ୍ୟୁର କାରଣ ହେବ। ଏଥିରେ ଖୁବ୍ ରାଗି ଯାଇ ରାବଣ କୌଶଲ୍ୟାଙ୍କ ବିଭାଘରର ଠିକ୍ ପୂର୍ବରୁ ତାଙ୍କୁ ଅପହରଣ କରି ଆଣି ଏକ ସିନ୍ଦୁକରେ ପୂରାଇ ସମୁଦ୍ର ମଧ୍ୟସ୍ଥ କୌଣସି ଏକ ଟାପୁରେ ରଖି ଦେଲେ। ଏରେ ନାରଦ ନାରଦ ମୁନି ଯାଇ ଦଶରଥଙ୍କୁ ଏ କଥା କହିଲେ। ରାଜା ଦଶରଥ ନିଜର ସୈନ୍ୟସାମନ୍ତ ଲଗାଇ ସମୁଦ୍ର ମଧ୍ୟସ୍ଥ ସେ ଟାପୁରୁ କୌଶଲ୍ୟାଙ୍କୁ ଉଦ୍ଧାର କରାଇ ଆଣି ଥିଲେ।
ଶିବଧନୁ: ରାମ ଶିବଧନୁ ଭାଙ୍ଗିବା ପ୍ରସଙ୍ଗ ତୁଳସୀଦାସଙ୍କ ରାମଚରିତ ମାନସରେ ବର୍ଣ୍ଣିତ। କିନ୍ତୁ, ବାଲ୍ମୀକଙ୍କ ରଚିତ ରାମାୟଣରେ ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ପ୍ରସଙ୍ଗ ନାହିଁ।
ପର୍ଶୁରାମଙ୍କ ଆଗମନ: ସୀତା ସ୍ୱୟମ୍ବରରେ ପର୍ଶୁରାମ ଯୋଗ ଦେଇଥିଲେ ବୋଲି ରାମଚରିତ ମାନସରେ ବର୍ଣ୍ଣନା କରାଯାଇଛି। କିନ୍ତୁ ରାମ ସୀତାଙ୍କୁ ବିବାହ କରି ଅଯୋଧ୍ୟା ଫେରିବା ବାଟରେ ପର୍ଶୁରାମ ଉଭା ହୋଇଥିଲେ ବୋଲି ବାଲ୍ମୀକ ରାମାୟଣରେ କୁହାଯାଇଛି।
ବନବାସ ଗମନ ବେଳେ ରାମ ତରୁଣ ନ ଥିଲେ: ବନବାସ ଗମନକାଳରେ ରାମଚନ୍ଦ୍ରଙ୍କୁ ୨୦ ବର୍ଷ ନୁହେଁ ୨୭ ବର୍ଷ ହୋଇଥିଲା। ଅର୍ଥାତ୍ ୧୪ ବର୍ଷ ବନବାସ ସାରି ଅଯୋଧ୍ୟା ଫେରିବାବେଳକୁ ତାଙ୍କୁ ହୋଇଥିଲା ୪୧ ବର୍ଷ।
ଲକ୍ଷ୍ମଣ ବାପାଙ୍କୁ ବିରୋଧ କରିଥିଲେ: ରାମଙ୍କ ବନବାସ କଥା ଶୁଣି ଲକ୍ଷ୍ମଣ ଖୁବ୍ ରାଗିଯାଇଥିଲେ। ବାପାଙ୍କ ସହ ଯୁଦ୍ଧ କରି ସିଂହାସନ ଆରୋହଣ କରିବାକୁ ସେ ରାମଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ, ରାମ ତାଙ୍କୁ ସତ୍ୟ ରକ୍ଷା ପ୍ରସଙ୍ଗ ସ୍ମରଣ କରାଇ ସେଥିରୁ ନିବୃତ କରାଇଥିଲେ।
ରାମଙ୍କ ପାଇଁ ଦଶରଥଙ୍କ ସମ୍ପଦ: ରାମଙ୍କୁ ବନବାସ ଆଦେଶ ଦେବା ପରେ ବନରେ ସୁଖରେ ଚଳିବାକୁ ସାଥିରେ କିଛି ଧନସମ୍ପଦ ନେଇ ଯିବାକୁ ଦଶରଥ ରାମଙ୍କୁ କହିଥିଲେ। କିନ୍ତୁ, କୈକେୟୀ ତାହା କରାଇ ଦେଲେ ନାହିଁ।
ଦଶରଥଙ୍କ ମୃତ୍ୟୁର ପୂର୍ବସୂଚନା ପାଇଥିଲେ ଭରତ: ପିତା ଦଶରଥ ପରଲୋକ ଗମନ କରିବେ ବୋଲି ଭରତ ସ୍ୱପ୍ନ ଦେଖିଥିଲେ।
କମ୍ବନ୍ଧ ବଧ: ବଣରେ ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜି ବୁଲୁଥିବାବେଳେ କମ୍ବନ୍ଧ ବୋଲି ଗୋଟାଏ ରାକ୍ଷସ ହାବୁଡ଼ରେ ପଡ଼ି ତାକୁ ମାରିଥିଲେ। ଶାପ ଯୋଗୁଁ କମ୍ବନ୍ଧ ରାକ୍ଷସ ପାଲଟି ଯାଇଥିଲା। ରାମ ତା’ର ଶବ ଦାହ କଲାବେଳେ ସେ ଶାପମୁକ୍ତ ହୋଇ ଥିଲା ଓ ସୁଗ୍ରୀବଙ୍କ ସହ ମିତ୍ରତା କରିବାକୁ ରାମଙ୍କୁ କହିଥିଲା।