ଭୂପୃଷ୍ଠରେ ଉପଲବ୍ଧ କୋଇଲା, ଖଣିଜ ତୈଳ ପରି ବିଭିନ୍ନ ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଦିନକୁ ଦିନ ସରି ଆସୁଥିବା ବେଳେ ଏବେ ସୌରଶକ୍ତି, ପବନ ଶକ୍ତି ଓ ଜୁଆର ଶକ୍ତି ପରି ନବୀକରଣୀୟ ଶକ୍ତି ଉପରେ ଗୁରୁତ୍ବାରୋପ କରାଯାଉଛି। ଏହି ନୂତନ ଅଣପାରମ୍ପରିକ ଉତ୍ସଗୁଡ଼ିକ ନିର୍ମଳ ସବୁଜ ଶକ୍ତି ଯୋଗାଇବାରେ ସକ୍ଷମ। ସ୍ବିଡେନ୍ର ‘କୋରପାଵାର’ ନାମକ ଏକ ଶକ୍ତି କମ୍ପାନି ଜୁଆରରୁ ଶକ୍ତି ଉତ୍ପାଦନ ପାଇଁ ଉତ୍ତର ପର୍ତ୍ତୁଗାଲ ଉପକୂଳରେ ଏକ ବିଶାଳ ପ୍ରକଳ୍ପ ଆରମ୍ଭ କରିବା ସହ ପ୍ରାରମ୍ଭିକ ସଫଳତା ମଧ୍ୟ ଲାଭ କରିଛି। ‘ସି-୪ ୱେଭ୍-ଏନର୍ଜି କନଭର୍ଟର’ ନାମକ ତିନି ମହଲା ବିଶିଷ୍ଟ ଏହି ଭାସମାନ ଯନ୍ତ୍ରଟି ତାହାର ଛଅମାସିଆ ପରୀକ୍ଷଣରେ ଚାରିଟି ପ୍ରମୁଖ ଆଟଲାଣ୍ଟୀୟ ଝଡ଼ ଓ ଭୀଷଣ ଜୁଆର ପରିବେଶକୁ ସଫଳତାର ସହ ସାମନା କରିପାରିଛି।
ସୌରଶକ୍ତି ଓ ପବନଶକ୍ତି ପରି ଅନୁକୂଳ ପାଗ କି ଋତୁ ଉପରେ ନିର୍ଭର ନକରି ଏହା ବର୍ଷ ତମାମ ଚବିଶଘଣ୍ଟା ଜୁଆରରୁ
ସବୁଜ ଶକ୍ତି ଉତ୍ପାଦନ କରିପାରିବ
ପରୀକ୍ଷଣ ବେଳେ କମ୍ପାନି ସି-୪ ଜୁଆର-ଶକ୍ତି ଉତ୍ପାଦକରୁ ସର୍ବାଧିକ ୬୦୦ କିଲୋଵାଟ୍ ଶକ୍ତି ଉତ୍ପନ୍ନ କରିପାରିଥିବା ଦାବି କରିଛି। ଆଗକୁ ଏହା ୮୫୦ କିଲୋଵାଟ୍ ପର୍ଯ୍ୟନ୍ତ ଶକ୍ତି ଅମଳ କରିପାରିବ ବୋଲି କମ୍ପାନି ଆଶା ରଖିଛି। ଯଦିଓ ଏହି ଶକ୍ତି ପରିମାଣ କୌଣସି ବିଶାଳ ପବନ କଳରୁ ମିଳିପାରୁଥିବା ଶକ୍ତି ସହ ତୁଳନୀୟ ନୁହେଁ, ତେବେ ଏହାର ଅନ୍ୟାନ୍ୟ ସୁବିଧା ରହିଛି। ସୌରଶକ୍ତି ଓ ପବନଶକ୍ତି ପରି ଅନୁକୂଳ ପାଗ କି ଋତୁ ଉପରେ ଏହା ନିର୍ଭର ନକରି ଚବିଶଘଣ୍ଟା ଧରି ବର୍ଷ ତମାମ ଜୁଆରରୁ ସବୁଜ ଶକ୍ତି ଉତ୍ପାଦନ କରିପାରିବ। ‘କୋରପାଵାର’ର ଏହି ଯୋଜନାକୁ ବ୍ୟାବସାୟିକ ସଫଳତା ଦେବାପାଇଁ କମ୍ପାନି ଅଳ୍ପ ଖର୍ଚ୍ଚରେ ଅଧିକ ସଂଖ୍ୟକ ଜୁଆର-ଟର୍ବାଇନ୍ ସ୍ଥାପନ ଉପରେ ମନୋନିବେଶ କରିଛି।