ସ୍ବଳ୍ପ ଆୟକାରୀ ପରିବାରରେ ପିଲାଏ ସ୍କୁଲ୍‌ ପାଠ ଲେଖିବା ପାଇଁ ଯଥେଷ୍ଟ ପରିମାଣର ଖାତା ପାଆନ୍ତି ନାହିଁ। ତେଣୁ, ସେମାନଙ୍କ ଭିତରୁ କେତେକ ନିଜ ନିଜ ଭାଇଭଉଣୀଙ୍କ ସ୍କୁଲ୍‌ କଲେଜ ଖାତାରେ ବଳିପଡ଼ିଥିବା କାଗଜରେ ପାଠ ଲେଖନ୍ତି। ଏମିତି ବି ପିଲା ଅଛନ୍ତି ଯେଉଁମାନେ ଉପରୋକ୍ତ ସୁବିଧାରୁ ବଞ୍ଚିତ ହୋଇ ଚିରାଫଟା କାଗଜରେ ସ୍କୁଲ୍‌ପାଠ ଲେଖିବାକୁ ବାଧ୍ୟ ହୁଅନ୍ତି।
ପାଠପଢ଼ା ସମୟରେ ମୌଳିକ ସମ୍ବଳର ଅଭାବ କଥା ଭାବି ବିଚଳିତ ବୋଧ କରିଥିଲେ ବାରାଣସୀର ଝିଅ ପ୍ରୀତୁ। ବାଣିଜ୍ୟରେ ସ୍ନାତକ କରିବା ପରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଗୋଟାଏ ରପ୍ତାନି ଓ ଆମଦାନିକାରୀ କମ୍ପାନିରେ ଚାକିରି କରିଥିଲେ ସେ। ‌କାମ ଭିତରେ ବି ସେ ଚିନ୍ତା କରୁଥିଲେ କିଭଳି ଏ ସମସ୍ୟା ଦୂର ହୋଇପାରିବ। ଗରିବ ପିଲାଙ୍କୁ ଖାତା ଯୋଗାଇ ହେବ। ହଠାତ୍‌ ତାଙ୍କ ମନକୁ ଆସିଲା, ପୁନଃ ପ୍ରକ୍ରିୟାକରଣ କରାଯାଉଥିବା ରଦ୍ଦିକାଗଜରେ ତ ସୁନ୍ଦର ଖାତା ତିଆରି କରାଯାଇ ପାରିବ! ତାଙ୍କର ଏ ଭାବନାରୁ ଜନ୍ମ ନେଲା ଛୋଟିଆ ସଂସ୍ଥାଟେ। ସେ ତା’ର ନାଁ ରଖିଲେ ‘ଲିଟଲ୍‌ ଲିଫ୍‌’ ବା ‘ଟିକିପତ୍ର’।

Advertisment

ଏ ସଂକ୍ରାନ୍ତରେ ପ୍ରୀତୁ ଚୌଧରୀ କହନ୍ତି, ‘‘ଭଲ କାମ କରିବା ପାଇଁ ମନରେ ଆଗ୍ରହ ଆସିଲା। ମୋର ହୃଦ୍‌ବୋଧ ହେଲା‌, ସବୁ ପରିତ୍ୟକ୍ତ ସାମଗ୍ରୀ ଆବର୍ଜନା ନୁହେଁ। ଏଥିରୁ ପରିବେଶ ଓ ସମାଜ ଉପକୃତ ହେଲା ପରି ମୂଲ୍ୟବାନ୍‌ ଜିନିଷ ପ୍ରସ୍ତୁତ କରାଯାଇପାରିବ।’’ ଉପରୋକ୍ତ ଚିନ୍ତାଧାରା ନେଇ ୨୦୧୪ ଅକ୍ଟୋବର୍‌ରେ ‘ଲିଟଲ୍‌ ଲିଫ୍‌’ ଗଢ଼ାହେଲା। ପ୍ରଥମେ ବାରାଣସୀରେ ସଂସ୍ଥାପିତ ଏହି ସେବାକାରୀ ସଂଗଠନ ଲୋକଙ୍କ ଘରୁ ରଦ୍ଦିକାଗଜ ସଂଗ୍ରହ କରିଆଣି ସେ ସବୁକୁ ପୁନଃପ୍ରକ୍ରିୟାକାରୀ କମ୍ପାନିକୁ ଦେଲା।

ପ୍ରୀତୁ ଜାଣିଲେ ପୁନଃପ୍ରକ୍ରିୟାକୃତ କାଗଜରେ ପଢୁଆ ପିଲାଙ୍କ ସକାଶେ ଖାତା ତିଆରି କରୁଥିବା ସଂସ୍ଥାନ ସବୁ ଅଛି। ଏଥର ‘ଲିଟଲ୍‌ ଲିଫ୍‌’ ଦ୍ବାରା ସଂଗୃହୀତ ରଦ୍ଦି କାଗଜ ସେ ସବୁ ସଂସ୍ଥାନକୁ ପଠାଯାଇ ସେଥିରେ ଅଭାବୀ ପିଲାଙ୍କ ପାଇଁ ଖାତା ତିଆରି କରାଗଲା। ପ୍ରତ୍ୟକ୍ଷ ଭାବେ ରଦ୍ଦି କାଗଜ ପ୍ରକ୍ରିୟାକରଣ ନ କରି କି, ଖାତା ତିଆରି ନ କରି ‘ଲିଟଲ୍‌ ଲିଫ୍‌’ ଏଥିପାଇଁ ସମସ୍ତ ସୁବିଧା କରିଦେଲା। ରଦ୍ଦି କାଗଜ ସହିତ ଅନ୍ୟାନ୍ୟ ଆବର୍ଜନା ନ ମିଶାଇବା ପାଇଁ ଘରେ ଘରେ କହି ବୁଝାଇବା, ଅନୁଦାନ ଯୋଗାଡ଼ କରିବା ଓ ଅଭାବୀ ପିଲାଙ୍କ ଲାଗି ସୁଲଭ ମୂଲ୍ୟରେ ଖାତା ଉପଲବ୍ଧ କରାଇବା ଆଦି କାର୍ଯ୍ୟ ସୁଗମ କଲା ‘ଲିଟଲ୍‌ ଲିଫ୍‌’। ପ୍ରୀତୁ କହନ୍ତି, ‘‘ଅନେକଙ୍କ ଭବିଷ୍ୟତ ପରିବର୍ତ୍ତନ କରିବା ପାଇଁ ଏହା ଥିଲା ସାମାନ୍ୟ ଅୟମାରମ୍ଭ ମାତ୍ର।’’

ଏମିତି ବାରାଣସୀରେ କାର୍ଯ୍ୟଧାରା ଚାଲୁରଖିଥିବା ପ୍ରୀତୁଙ୍କ ସଂସ୍ଥାର ୨୦୧୮ରେ ପୁଣେରେ ଗୋଟାଏ ଶାଖା ଖୋଲିଲା। କ୍ରମେ ଏହି ଅ‌ାନ୍ଦୋଳନ‌େର ନୂଆ ନୂଆ ବ୍ୟବସ୍ଥା ସଂଯୋଗ କରାଗଲା। ସେଥିରୁ ଗୋଟାଏ ସଂପର୍କରେ ପ୍ରୀତୁ ବୁଝାଇ କହନ୍ତି, ‘‘ଯିଏ ଦୁଇକିଲୋ ରଦ୍ଦି କାଗଜ ଦାନ କରିବ ତାଙ୍କୁ ଖଣ୍ଡେ ପୁନଃପ୍ରକ୍ରିୟାକୃତ କାଗଜରେ ନିର୍ମିତ ଖାତା ମିଳିବ। ଯଦି ତାଙ୍କର ଏହି ଖାତା ଆବଶ୍ୟକ ନ ଥାଏ ସେ ଚାହିଲେ ସେ ଖଣ୍ଡିକୁ ନିଜେ କୌଣସି ଅଭାବୀ ପିଲାକୁ ଦାନ କରିପାରିବେ। ଏ ବ୍ୟବସ୍ଥା ଦାତାଙ୍କୁ ପ୍ରେରିତ  କଲା ଅର୍ଥାତ୍‌ ତାଙ୍କ ମନରେ ମାଲିକାନା ଭାବନା ଉଦ୍ରେକ କରିବା ସହିତ ସେମାନଙ୍କୁ ସମାଜ କଲ୍ୟାଣ ସହ ସମ୍ପୃକ୍ତ କରାଇଲା।’’ ସଂଗ୍ରହ ସୁବିଧା ନିମନ୍ତେ ‘ଲିଟଲ୍‌ ଲିଫ୍‌’ ସର୍ବନିମ୍ନ ଦଶ କିଲୋରୁ ଅଧିକ ପରିମାଣର ରଦ୍ଦି କାଗଜ ଗ୍ରହଣକରେ। ଉପରୋକ୍ତ ପରିମାଣର କାଗଜ ହୋଇଗଲେ ଦାତାମାନେ ‘ଲିଟଲ୍‌ ଲିଫ୍‌’ ଟିମ୍‌ ସହିତ ଯୋଗାଯୋଗ କରନ୍ତି। ସେମାନେ ଗାଡ଼ିଟିଏ ଯୋଗାଡ଼ କରି ଦାତାଙ୍କ ଘରୁ ମାଗଣାରେ କାଗଜ ନେଇଆସନ୍ତି। ପହିଲେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ରଦ୍ଦି କାଗଜ ପୃଥକ୍‌ କରିବା କି, କାଗଜ ଦାନକରିବା ଲାଗି ଅମଙ୍ଗ ହେଉଥିଲେ। କିନ୍ତୁ, ଆମେ ତାଙ୍କୁ ବୁଝାଇ ଦେଲୁ ଯେ ପୁନଃପ୍ରକ୍ରିୟାକରଣ ପରେ ସେ କାଗଜ କେମିତି ଖାତା ହୋଇ ପୁଣି ତାଙ୍କ ନିକଟକୁ ଫେରିବ ଅଥବା ଅଭାବୀ ପିଲାଙ୍କୁ ଦିଆଯିବ। ଏଥର ଲୋକଙ୍କ ମନ ମାନିଲା ଓ ସେମାନେ ସହଯୋଗ କଲେ। ବୋଲି ପ୍ରୀତୁ କହନ୍ତି।

ସେ ଆହୁରି ମଧ୍ୟ କହନ୍ତି, ‘‘ଗୋଟିଏ ଟନ୍‌ ନୂଆ କାଗଜ ତିଆରି କରିବାକୁ ୧୦ରୁ ୧୫ଟି ବଡ଼ଗଛ କାଟିବାକୁ ପଡ଼େ। ଖାଲି ସେତିକି ନୁହେଁ, ସେଥିରୁ କାଗଜ ତିଆରି କରାଯିବା ପ୍ରକ୍ରିୟାରେ ଲାଗେ ୪୫ରୁ ୫୦ ଘନମିଟର ନିର୍ମଳ ଜଳ ଏବଂ ଏହାଦ୍ବାରା ପରିବେଶ କମ୍‌ ପ୍ରଭାବିତ ହୁଏନାହିଁ। ଆମର ଏ କାର୍ଯ୍ୟର ଉପକାରିତା ବି ବହୁମୁଖୀ। ରଦ୍ଦି କାଗଜ ପୁନଃପ୍ରକ୍ରିୟାକରଣ ଯୋଗୁଁ ପରିବେଶ ପରିଚ୍ଛନ୍ନ ରହୁଛି। ଏଥିପାଇଁ ଗଛ ଆବଶ୍ୟକ ହୁଏ ନାହିଁ; ଅପେକ୍ଷାକୃତ କମ୍‌ ଜଳ ଆବଶ୍ୟକ ହୁଏ। ମାତ୍ର ୪ରୁ ୫ ଘନମିଟର ପାଣି ବ୍ୟବହାର କରାଯାଇ ୧,୧୦୦ କିଲୋ ରଦ୍ଦି କାଗଜରୁ ୧ ଟନ୍‌ ପୁନଃପ୍ରକ୍ରିୟାକୃତ କାଗଜ ତିଆରି କରାଯାଇପାରୁଛି। ପିଲାଙ୍କୁ ଦିଆଯାଉଥିବା ପ୍ରତିଟି ଖାତା ମଧ୍ୟ ପରୋକ୍ଷ ଭାବେ ଚେତାଇ ଦେଉଛି ପୃଥିବୀ ଓ ପିଲାଙ୍କ ଭବିଷ୍ୟତ ପ୍ରତି ଆମେ ଯତ୍ନବାନ୍‌ ହେବା ଉଚିତ।’’