ଶବ୍ନମ୍, ଉସ୍ମାନ୍ ଓ ବନ୍ଦନା ଥିଲେ ସହପାଠୀ। ଉସ୍ମାନ୍ ଭୂଗୋଳରେ ସ୍ନାତକୋତ୍ତର କରୁଥିବା ବେଳେ ଶବ୍ନମ୍ ଓ ବନ୍ଦନା ଇଂରାଜିରେ ସ୍ନାତେକାତ୍ତର କରୁଥିଲେ। ଉସ୍ମାନ୍ ଶବ୍ନମ୍ଙ୍କୁ ଦୃଦୟ ଦେଇ ବସିଥିବା ବେଳେ ବନ୍ଦନା ଉସ୍ମାନ୍ଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ, ଶବ୍ନମ୍ ସିଧାସଳଖ ଉସ୍ମାନ୍ଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ ବି ବନ୍ଧୁତ୍ୱ ବଜାୟ ରଖିଥିଲେ। ସେମିତି, ଉସ୍ମାନ୍ ତାକୁ ଭଲପାଆନ୍ତି ନାହିଁ ଜାଣି ସୁଦ୍ଧା ବନ୍ଦନା ତାଙ୍କ ପ୍ରେମରେ ପଡ଼ିଯାଇଥିଲା। ଏ କଥା ପ୍ରକାଶ ନ କରିବାରୁ ତା’ ପ୍ରେମ ନିରବ-ପ୍ରେମ ହୋଇଯାଇଥିଲା। କଲେଜପାଠ ଶେଷ ହେବା ପରେ ବନ୍ଦନା ଓ ଉସ୍ମାନ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଶବ୍ନମ୍ ଫେରିଗଲା ଗାଁକୁ।
ପ୍ରେମ ପାଇଁ ସାଜିଲା ହତ୍ୟାକାରୀ
ଅସଲରେ ଉଚ୍ଚଶିକ୍ଷିତା ଶବ୍ନମ୍ ଥିଲା ବାଗ୍ଦତ୍ତା। ଉସ୍ମାନ୍ଙ୍କୁ ଭେଟିବା ପୂର୍ବରୁ ସେ ତାଙ୍କ ଗାଁ’ର ଯୁବକ ଜାଲିମ୍ ସଲିମ୍ ପ୍ରେମରେ ବାନ୍ଧି ହୋଇ ସାରିଥିଲା। ତାକୁ ଜୀବନସାଥୀ କରିବା ପାଇଁ ପ୍ରତିଜ୍ଞା ବି କରିଥିଲା। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ସଲିମ୍ ଏକ କାଠ କାରଖାନାରେ କାମ କରୁଥିଲା। ପୁଣି ସଲିମ୍ ଥିଲା ନୀଚ ଜାତିର। ତା’ ପରିବାରର ଆର୍ଥିକ ଅବସ୍ଥା ବି ସ୍ବଚ୍ଛଳ ନ ଥିଲା। ତେଣୁ, ଶବ୍ନମ୍ର ପରିବାର ଦୁହଁଙ୍କ ସମ୍ପର୍କକୁ ସ୍ୱୀକୃତି ଦେବାକୁ ଅରାଜି ହେଲା। ଶବ୍ନମ୍ ପାଗଳୀପ୍ରାୟ ହୋଇଗଲା। ରାସ୍ତାରୁ କଣ୍ଟା ହଟାଇବାକୁ ଦିନେ ରାତିରେ ସଲିମ୍ ସହଯୋଗରେ ଶବ୍ନମ୍ ନିଜ ପରିବାରର ସାତଜଣଙ୍କୁ ହତ୍ୟା କଲା। ୧୦ ମାସର ପୁତୁରାକୁ ବି ଛାଡ଼ି ନ ଥିଲା। ୨୦୦୮ ଏପ୍ରିଲ୍ ୧୪ ରାତିରେ ଉତ୍ତରପ୍ରଦେଶର ବାୱନ୍ଖଡ଼ି ଗାଁରେ ଘଟିଥିବା ଏହି ବୀଭତ୍ସ ଗଣହତ୍ୟା ‘ସାତ୍ ଖୁନ୍’ ନାମରେ କୁଖ୍ୟାତ। ସେତେବେଳକୁ ଏକ ସରକାରୀ ହାଇସ୍କୁଲ୍ରେ ଇଂରାଜୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିବା ଅବିବାହିତା ଶବ୍ନମ୍ ଗର୍ଭବତୀ ହୋଇସାରିଥିଲା। ପ୍ରେମିକ ସହ ସ୍ବପ୍ନର ସଂସାର ଗଢ଼ିବା ବଦଳରେ ହତ୍ୟାକାରିଣୀ ବନି ଜେଲର ଚାରିକାନ୍ଥ ଭିତରକୁ ଚାଲିଗଲା ଶବ୍ନମ୍। ରାମପୁର ଜେଲ୍ରେ ବନ୍ଦୀ ଥିବା ବେଳେ ସେ ପୁଅ ଜାଭେଦ୍କୁ ଜନ୍ମଦେଲା। ତା’ ପିଲାର ବାପା ସଲିମ୍ ବି ସେଇ ଅପରାଧରେ ଆଗ୍ରା ଜେଲ୍ରେ ଥିଲା। ଶେଷରେ ଅଦାଲତ ସଲିମ୍ ଓ ଶବ୍ନମ୍ଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ। ଏସବୁ କାଣ୍ଡ ପରେ ସଲିମ୍ ପରିବାର ଶବ୍ନମ୍ର ପୁଅକୁ ଗ୍ରହଣ କରିବାକୁ ରାଜି ହେଲେନାହିଁ।
ଶବ୍ନମ୍, ଉସ୍ମାନ୍ ଓ ବନ୍ଦନାଙ୍କ ତ୍ରିକୋଣୀୟ ପ୍ରେମ ଯେତିକି ଚର୍ଚ୍ଚିତ, ସେତିକି ବିସ୍ମୟସୂଚକ। ପ୍ରେମର ସାର୍ଥକତା ସବୁବେଳେ ପ୍ରାପ୍ତିରେ ନ ଥାଏ, ତ୍ୟାଗରେ ବି ଥାଏ ଚରମ ଉପଲବ୍ଧି। ଅନାବିଳ ବନ୍ଧୁତ୍ବ, ପ୍ରତ୍ୟାଶାହୀନ ପ୍ରେମ ଓ ସହାବସ୍ଥାନ ଲାଗି ବିବାହର ବିରଳ ଉଦାହରଣ ସୃଷ୍ଟି କରିଛି ଏଇ ତିନିଜଣଙ୍କ ସଂପର୍କ।
ଶବ୍ନମ୍ଙ୍କ ପୁଅକୁ ପୋଷ୍ୟ କଲେ ଉସ୍ମାନ୍
ଶବ୍ନମ୍ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ ବିଷୟରେ ଜାଣି ଉସ୍ମାନ୍ ଅସ୍ଥିର ହୋଇପଡ଼ିଲେ। ଶବ୍ନମ୍ ଜେଲ୍ରେ ପୁଅ ଜନ୍ମ କରିଛି ଜାଣିବା ପରେ ଉସ୍ମାନ୍ ହିଁ ପ୍ରଥମେ ଯାଇଥିଲେ ତାକୁ ଭେଟିବାକୁ। ସେ ସମୟର କଥା ମନେପକାଇ ଉସ୍ମାନ୍ କହନ୍ତି, ‘‘ମୁଁ ଲଗାତାର ପ୍ରାୟ ୩ ମାସ ଧରି ଶବ୍ନମ୍କୁ ଭେଟିବାକୁ ଉଦ୍ୟମ କରିଥିଲି। ମାତ୍ର ସେ ମୋତେ ଦେଖା କରେନାହିଁ। ତଥାପି ମୁଁ ନିରାଶ ହୋଇ ନ ଥିଲି। ୩ ମାସ ପରେ ଶବ୍ନମ୍କୁ ପ୍ରଥମ ଥର ଭେଟିଲି, କିନ୍ତୁ ସେ କିଛି କହିଲାନି। ତା’ପରେ ପ୍ରତି ସପ୍ତାହରେ ମୁଁ ତାକୁ ଭେଟିବାକୁ ଗଲି। ସବୁବେଳେ ତାକୁ ପଚାରେ ତୁ କାହିଁକି ଏମିତି କଲୁ? ସେ ଚୁପ୍ ରହେ। ୯ ଥର ଭେଟାଭେଟି ହେବା ପରେ ସେ କହିଲା, ତୁମେ କ’ଣ ବହି ଲେଖିବ? ମୋତେ ସେ ବିଷୟରେ କିଛି ପଚାର ନାହିଁ। ତା’ ପୁଅକୁ ମୁଁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲି। ପ୍ରଥମେ ସେ ରାଜି ହେଲାନି। ଦିନେ ମୁଁ କହିଲି, ସମ୍ପତ୍ତି ପାଇଁ ମୁଁ ତୋ ପୁଅକୁ ଗ୍ରହଣ କରିବାକୁ ଚାହୁଁନି। ଚାହୁଁଛି, ଆମ ବନ୍ଧୁତ୍ବକୁ ଚିରଦିନ ସମ୍ପର୍କର ବନ୍ଧନରେ ବାନ୍ଧିବାକୁ। ପ୍ରାୟ ବର୍ଷକ ପରେ ଶବ୍ନମ୍ ମୋ ପ୍ରସ୍ତାବରେ ରାଜି ହେଲା। ଆଇନ ଅନୁଯାୟୀ ୨୦୧୫ ଜୁଲାଇ ୧୫ ତାରିଖରେ ମୁଁ ତା’ ପୁଅକୁ ସନ୍ତାନ ଭାବେ ଗ୍ରହଣ କଲି। ଜଣେ ଖୁନୀ ମହିଳାର ସନ୍ତାନକୁ ଗ୍ରହଣ ଥିବାରୁ ସାମାଜିକ ତାଡ଼ନାର ଶରବ୍ୟ ହେବାକୁ ପଡ଼ିଲା। ମୁଁ କିନ୍ତୁ ବିଚଳିତ ହେଲିନାହିଁ।’’
ଉସ୍ମାନ୍-ବନ୍ଦନା ବିବାହ
ଏତିକିବେଳେ ଉସ୍ମାନ୍ଙ୍କ ଜୀବନରେ ଆଉ ଏକ ଅପ୍ରତ୍ୟାଶିତ ମୋଡ଼ ଆସିଲା। ବିବାହ କରିବା ପାଇଁ ପରିବାର ଲୋକେ ଉସ୍ମାନ୍ଙ୍କ ଉପରେ ଚାପ ପକାଇଲେ। କିନ୍ତୁ, ବିବାହ କରି ସେ ସନ୍ତାନସନ୍ତତି କରିବେ ନାହିଁ ବୋଲି ସର୍ତ୍ତ ରଖିଲେ। ଫଳରେ କେହି ତାଙ୍କୁ ବାହା ହେବାକୁ ରାଜି ହେଲେନି। ଦିନେ ଅଚାନକ୍ ସହପାଠୀ ବନ୍ଦନା ସହିତ ଉସ୍ମାନ୍ଙ୍କର ବୁନ୍ଦେଲ୍ ସହର ହାଟରେ ଭେଟ ହୋଇଗଲା। ଦୁଃଖସୁଖ ହେଲାବେଳେ ବନ୍ଦନା କହିଲେ, ‘‘ଉସ୍ମାନ୍! ମୁଁ ତମକୁ ବିବାହ କରିବାକୁ ରାଜି। ଆମେ ଦୁହେଁ ମିଶି ସାଙ୍ଗ ଶବ୍ନମ୍ର ପୁଅକୁ ଲାଳନପାଳନ କରିବା। ତମେ ମୋ କଥାକୁ ଚିନ୍ତାକରି ଦେଖ।’’ ପ୍ରକୃତରେ ଏ ପ୍ରସ୍ତାବରେ ଥିଲା ତିନିଜଣଙ୍କ ପ୍ରେମକୁ ସାର୍ଥକ କରିବାର ସୂତ୍ର। ସାକ୍ଷାତ୍ର ୭ ଦିନ ପରେ ଦୁହେଁ ବିବାହ କଲେ। ବନ୍ଦନା କହନ୍ତି, ‘‘ଆମ ଘରେ ପ୍ରଥମେ ରାଜି ହେଉ ନ ଥିଲେ। ମୁଁ ବୁଝାଶୁଝା କରାଇ ଏତେଦିନ ପର୍ଯ୍ୟନ୍ତ ବିବାହ ନ କରିବାର କାରଣ କହିଲାରୁ ସଭିଏଁ ରାଜି ହେଲେ। ମୋ ପ୍ରେମକୁ ମାନବିକତାର ମନ୍ତ୍ରରେ ବାନ୍ଧି ଆଦର୍ଶ ସାମାଜିକ ମୂଲ୍ୟବୋଧ ପାଇଁ ଏ ବିବାହ କରିଛି। ଆମେ ଖୁବ୍ ଆନନ୍ଦରେ ଅଛୁ। ଗୁଡୁ (ଜାଭେଦ୍) ଭଲ ପଢୁଛି। ତାହାହିଁ ଆମକୁ ସବୁଠୁ ଅଧିକ ସୁଖ ଓ ଶାନ୍ତି ଦେଉଛି।’’ କିନ୍ତୁ, ‘ସାତ୍ ଖୁନ୍’ କରିଥିବା ଶବ୍ନମ୍ ଆଗ୍ରା ଜେଲ୍ରେ ବନ୍ଦୀ ଜୀବନ ବିତାଇବା ସହିତ ଫାଶୀଖୁଣ୍ଟକୁ ଅପେକ୍ଷା କରିଛି। ସେ ହେବ ଫାଶୀଦଣ୍ଡ ପାଇବାରେ ସ୍ବାଧୀନ ଭାରତର ପ୍ରଥମ ମହିଳା ଅପରାଧୀ।