ଏଣିକି ଅସହାୟ ବୃଦ୍ଧ ବାପାମାଆଙ୍କୁ ସୁରକ୍ଷା ଯୋଗାଇ ଦେବ ପୁଲିସ!

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୃଦ୍ଧ ପିତାମାତାଙ୍କ ଉପରେ ଅତ୍ୟାଚାର। ନିକଟ ଅତୀତରେ ଅସହାୟ ବୃଦ୍ଧ ବାପାମାଆଙ୍କ ପ୍ରତି ନିଜ ଜନ୍ମକଲା ସନ୍ତାନମାନେ ଦେଉଥିବା ଅକଥନୀୟ ଅତ୍ୟାଚାର ଭଳି ଅନେକ ମାମଲା ସାମ୍ନାକୁ ଆସିଛି। କେଉଁଠି ସଂପତି ଲୋଭର ବଶବର୍ତ୍ତି ହୋଇ କିଏ ନିଜର ଜନ୍ମକଲା ବାପାମାଙ୍କୁ ଘରୁ ତଡିଦେଲାଣି ତ ପୁଣି କିଏ ଜୀବନରୁ ମାରି ଦେଲାଣି। ତେବେ ଅସହାୟ ବାପାମାଆଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟ ଓ ଅତ୍ୟାଚାରକୁ ଦୃଷ୍ଟିରେ ରଖି ହରିୟାଣା ପୁଲିସ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଯେଉଁଥିରେ ସେମାନଙ୍କୁ ପୂରା ସୁରକ୍ଷା ମିଳିବା ସହ ପ୍ରତିଟି ଭଲମନ୍ଦ ଖବର ରଖିବେ ପୁଲିସ୍‌ କର୍ମୀ।

ସୂଚନା ମୁତାବକ, ହରିୟାଣାର ସମସ୍ତ ଥାନାମାନଙ୍କରେ ସିନିୟର ସିଟିଜେନଙ୍କ ପାଇଁ ଏକ ନିଆରା ଅଭିଯାନ ଆରମ୍ଭ କରାଯାଇଛି। ତେବେ ସମସ୍ତ ଥାନାରେ ଅଭିଯୋଗ କରୁଥିବା ଅସହାୟ ବୃଦ୍ଧ ବାପାମାଆଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ପୁଲିସକର୍ମୀମାନେ ପ୍ରତି ସପ୍ତାହରେ ସେମାନଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିବେ। ଏଥିସହିତ ହିଁ ଗମ୍ଭୀର ମାମଲାରେ ସେମାନଙ୍କ ପାଇଁ ସୁରକ୍ଷାକର୍ମୀଙ୍କୁ ବି ନିୟୋଜିତ କରାଯିବ।

ତେବେ ହରିୟାଣାର ରୋହତକ ଜିଲ୍ଲାର ଏସପି ଜଶନଦୀପ ସିଂହ ରନ୍ଧୱା ଏସଂପର୍କରେ ସମସ୍ତ ଥାନାକୁ ଏକ ନୋଟିସ୍‌ ପଠାଇଛନ୍ତି । ଏସପି ଜଶନଦୀପ ସିଂହଙ୍କ କହିବା ମୁତାବକ, ଗତ କିଛି ଦିନ ହେଲା ବୃଦ୍ଧ ବାପାମାଆଙ୍କୁ ସହ ମାରପିଟ୍‌ ଏବଂ ହଇରାଣ କରିବା ଭଳି ମାମଲା ସାମ୍ନାକୁ ଆସିଛି। ବୃଦ୍ଧ ବାପାମାଙ୍କୁ ହଇରାଣ ହରକତ କରିବା ଭଳି ମାମଲାରେ ପୁଲିସ୍‌ ଏଣିକି ତତକାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏସପି ଜଶନଦୀପ ଆହୁରି ମଧ୍ୟ କହିଛନ୍ତି, ଏଭଳି ପ୍ରକାରର ମାମଲାକୁ ଦୃଷ୍ଟିରେ ରଖି ସମସ୍ତ ଥାନାକୁ ଏନେଇ ନୋଟିସ୍‌ ପଠାଯାଇଛି । ଯେଉଁଥିରେ କୁହାଯାଇଛି କି, ଅସୁବିଧାରେ ଥିବା ବୃଦ୍ଧ ବାପାମାଆ, ଅସହାୟ ମହିଳା ବା ପୁରୁଷଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ ଏବଂ ଅଭିଯୋଗ ପରେ ଉଭୟ ଅଭିଯୋଗକାରୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ମିମାଂସା କରିବାକୁ ଚେଷ୍ଟା କରାଯିବ। ଏଥିସହିତ ହିଁ ସମୟ ସମୟରେ ତାଙ୍କୁ ଭେଟି ତାଙ୍କର ସମସ୍ୟା ସଂପର୍କରେ ବୁଝାଯିବ। ଯଦି ଉଭୟଙ୍କ ମଧ୍ୟରେ ସେଭଳି କୌଣସି ପରିବର୍ତ୍ତନ ନଆସେ ତେବେ ଉକ୍ତ ପରିବାର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର