ଅସିତ ମହାନ୍ତି
ଶ୍ରୀଜଗନ୍ନାଥ ପୁରୁଷୋତ୍ତମ। ତାଙ୍କ କ୍ଷେତ୍ରର ନାଆଁ ମଧ୍ୟ ପୁରୁଷୋତ୍ତମ। ଏ ଦୃଷ୍ଟିରୁ କ୍ଷେତ୍ର ଓ କ୍ଷେତ୍ରାଧୀଶ ଏକ। ସେହିପରି, ଶ୍ରୀଜଗନ୍ନାଥ ପତିତପାବନ। ତାଙ୍କ ବାନାର ନାମ ମଧ୍ୟ ପତିତପାବନ। ଏଥିରେ ମଧ୍ୟ ସେହି ଏକତ୍ବ ବିଦ୍ୟମାନ। ଏହାକୁ ନେଇ ଅନେକ ହୃଦୟସ୍ପର୍ଶୀ ଭଜନ ଓଡ଼ିଆରେ ଅଛି। କବି ଆର୍ତ୍ତ ଦାସଙ୍କଠାରୁ ଆରମ୍ଭ କରି ଗଜପତି ବୀରକେଶରୀ ଦେବଙ୍କ ପର୍ଯ୍ୟନ୍ତ, ଅନେକେ ଏହାକୁ ନେଇ ଭଜନ ଲେଖିଛନ୍ତି। ଏ ଦୁହିଁଙ୍କ ସମୟ ଅଷ୍ଟାଦଶ ଶତାବ୍ଦୀ। ପୁଣି ଏ ଦୁହିଁଙ୍କ ଭଜନର ପ୍ରଥମ ପଦ ମଧ୍ୟ ସମାନ। ତାହା ହେଉଛି- ‘‘ପତିତପାବନ ବାନା ଆଉ କେତେ ବେଳକୁ।/ ଭାସିଗଲି ଭବଜଳେ ନାବ ଦିଅ କୂଳକୁ।’’
ପତିତପାବନ ଶ୍ରୀଜଗନ୍ନାଥଙ୍କ ପାଇଁ ରଚିତ ଭଜନର ସଂଖ୍ୟା ବି କିଛି କମ୍ ନୁହେଁ। ଅଷ୍ଟାଦଶ ଶତାବ୍ଦୀର ନିତ୍ୟାନନ୍ଦ ଦାସ ଶ୍ରୀଜଗନ୍ନାଥଙ୍କୁ ଓ ତାଙ୍କ ପତିତପାବନ ବାନାକୁ ନେଇ ଲେଖିଛନ୍ତି, ‘‘ପତିତ ଜନଙ୍କୁ ଉଦ୍ଧାରିବାପାଇଁ ଉଡ଼ାଉ ଅଛ ପତାକା/ ବାହୁଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା/ ମହାପ୍ରଭୁ ହେ।’’
ଏହି ପତିତପାବନ ଭାବଧାରା ମଧ୍ୟ ପ୍ରକାଶ ପାଇଛି ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚାଯାତ୍ରାରେ। ଏହି ଦୁଇ ଯାତ୍ରା ‘ପତିତପାବନ ଯାତ୍ରା’ ଭାବରେ ଖ୍ୟାତ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ‘କୋଟିବ୍ରହ୍ମାଣ୍ଡସୁନ୍ଦରୀ’ କାବ୍ୟରେ ଲେଖିଛନ୍ତି, ‘‘ସ୍ନାନ ଗୁଣ୍ଡିଚା ଏ ବେନି ସ୍ବୟଂ ଲୀଳା ଯାର / ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ହେ।’’
ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚାଯାତ୍ରା ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ସାର; କାରଣ ଏହି ଦୁଇ ଯାତ୍ରାରେ ଶ୍ରୀଜଗନ୍ନାଥ ସ୍ବୟଂ ତାଙ୍କର ପ୍ରାସାଦ ବା ମନ୍ଦିର ଛାଡ଼ି ବାହାରକୁ ଆସିଥାଆନ୍ତି। ସେଥିପାଇଁ ଏହା ତାଙ୍କର ‘ସ୍ବୟଂଲୀଳା’। ସେ ପ୍ରାସାଦ ବା ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାହାରକୁ ଆସିବାର କାରଣ ହେଉଛି ପତିତଙ୍କୁ ଉଦ୍ଧାର କରିବା, ବା ‘ପତିତ-ପାବନ’। ସେଥିପାଇଁ ତାଙ୍କର ଏ ଦୁଇ ଯାତ୍ରା ‘ପତିତପାବନ ଯାତ୍ରା’।
ପରମ୍ପରା ଅନୁସାରେ, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟକୁ ସମସ୍ତଙ୍କର ପ୍ରବେଶ ଅଧିକାର ନାହିଁ। କେବଳ ନୈଷ୍ଠିକ ହିନ୍ଦୁମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ତାଙ୍କର ଦର୍ଶନ କରିପାରିବେ ବୋଲି ମଧ୍ୟ ବିଧାନ ରହିଆସିଛି। ଏ ଦୃଷ୍ଟିରୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ- ଯଦି ଶ୍ରୀମନ୍ଦିରକୁ ସମସ୍ତେ ଯାଇ ପାରିବେ ନାହଁି, ତେବେ ଶ୍ରୀଜଗନ୍ନାଥ ଜଗତର ନାଥ ହେଲେ କିପରି? ଯଦି ତାଙ୍କ ଶ୍ରୀମନ୍ଦିରକୁ କେବଳ ହିନ୍ଦୁମାନେ ଯାଇପାରିବେ, ତେବେ ତ ସେ ହିନ୍ଦୁନାଥ?
ଏହାର ଉତ୍ତର ଅଛି ଶ୍ରୀଜଗନ୍ନାଥଙ୍କର ଏହି ଦୁଇ ପ୍ରସିଦ୍ଧ ଯାତ୍ରାରେ। କାରଣ, ଏହି ଦୁଇ ଯାତ୍ରାରେ ସେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାହାରକୁ ଆସିଥାଆନ୍ତି। ଫଳରେ, ଯେଉଁ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ଯାଇ ତାଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେମାନେ ଏହି ଦୁଇ ଯାତ୍ରାରେ ତାଙ୍କର ଦର୍ଶନ କରିପାରିଥାଆନ୍ତି। ଏଇଥିପାଇଁ ହିଁ ଏ ଦୁଇ ଯାତ୍ରାର ନାମ ‘ପତିତପାବନ ଯାତ୍ରା’ ହୋଇଛି। ତେବେ, ବିପୁଳତା ଦୃଷ୍ଟିରୁ ତାଙ୍କର ରଥଯାତ୍ରାକୁ ‘ପତିତପାବନ ମହୋତ୍ସବ’ ମଧ୍ୟ କୁହାଯାଇଥାଏ।
ଏଇଥିପାଇଁ, ଭକ୍ତକବି ଆର୍ତ୍ତ ଦାସ ତାଙ୍କର ‘ରଥ ବିଜେ’ ଭଜନରେ ଲେଖିଛନ୍ତି-
‘‘ପତିତ ଜନଙ୍କୁ ଉଦ୍ଧାରି
ପାପ ତାପ ନାଶିବେ,
ପତିତପାବନ ନାମକୁ
ସ୍ବଭାବରେ ବହିବେ।
ନନ୍ଦିଘୋଷ ଘୋଷଯାତ୍ରାକୁ
ପ୍ରଭୁ ବଳଇ ମନ,
ଭକତଜନଙ୍କୁ ଉଦ୍ଧର
ଭାବେ ଆରତ ତ୍ରାଣ।’’
ତେବେ, ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରାର ପ୍ରାୟ ପନ୍ଦର ଦିନ ପୂର୍ବରୁ, ଭକ୍ତମାନେ ତାଙ୍କର ସ୍ନାନଯାତ୍ରାରେ ହିଁ ଏହାର ପ୍ରଥମ ସୁଯୋଗ ପାଇ ଥାଆନ୍ତି।
ଏହା ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କର ଅନନ୍ୟତା।