ଅସିତ ମହାନ୍ତି

Advertisment

କାର୍ତ୍ତିକ ମାସରେ ଆମେ ପାଳନ କରୁଥିବା ଦୀପାବଳିର ମାସକ ପରେ, ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ପାଳିତ ହୁଏ ଦେବଦୀପାବଳି। ଆମ ଦୀପାବଳି ସାଧାରଣତଃ ଗୋଟିଏ ଦିନର ହୋଇଥିବା ବେଳେ, କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ‌ତ୍ରୟୋଦଶୀଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିନିଦିନ ଧରି ଦୀପାବଳି ପାଳିତ ହୋଇଥାଏ। ଏଥିରେ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ଦେବଦୀପାବଳି ତିନିଦିନ ଧରି ପାଳିତ ହୁଏ। ଏହି ତିନିଦିନ ହେଉଛି- ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା। ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀମଦନମୋହନ ଏବଂ ଶ୍ରୀଦେବୀ ଓ ଭୂଦେବୀ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଏହି ନୀତି ସଂପନ୍ନ କରିଥାଆନ୍ତି। ଏଥିରେ ମଧ୍ୟ ଦୀପଦାନ ଏକ ମୁଖ୍ୟ ନୀତି। କିନ୍ତୁ ଶ୍ରୀମନ୍ଦିରରେ ଏହି ‌ଦୀପଦାନର ବିଧି ସଂପୂର୍ଣ୍ଣ ଭିନ୍ନ।

ଦୀପଦାନର ଶାସ୍ତ୍ରାନୁମୋଦିତ ବିଧି ହେଉଛି- ଭୂମିରେ ଦୀପଦାନ କରାଯାଏ ନାହିଁ; ବୃକ୍ଷରେ ଦୀପଦାନ କରାଯାଏ। ସେହି ବିଧି ଶ୍ରୀମନ୍ଦିରର ଏହି ନୀତିରେ ପାଳିତ ‌େହାଇଥାଏ। ଏହି ତିନିଦିନିଆ ‘ଦେବଦୀପାବଳି’ ନୀତିର ପ୍ରଥମଦିନ, ଅର୍ଥାତ୍ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଦିନ, ସନ୍ଧ୍ୟାଧୂପ ପରେ ଶୁଦ୍ଧ ସୁଆର ସେବକ ରତ୍ନସିଂହାସନର ନିମ୍ନଭାଗକୁ ପାଣି ପକାଇ ପରିଷ୍କାର କରିବା ପରେ, ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ଆଙ୍କନ୍ତି। ପାଳିଆ ମେକାପ ବଇଠାମାନଙ୍କରେ ଘିଅ ଦେଇ, ସେହି ଚାଉଳଗଛମାନଙ୍କରେ ବତି ଲଗାଇଥାଆନ୍ତି। ତାହାପରେ ପଣ୍ଡା, ପତି ମହାପାତ୍ର ଓ ମୁଦିରଥ ସେବକ, ସିଂହାସନ ଉପରେ ତିନିଠାକୁରଙ୍କୁ ମହାଦୀପ ଦ୍ୱାରା ବନ୍ଦାପନା କରିଥାନ୍ତି । ଦେବଦୀପାବଳିର ଦ୍ୱିତୀୟ ଦିନ, ଅର୍ଥାତ୍ ଅମାବାସ୍ୟା ତିଥିରେ ମଧ୍ୟ ଏହିପରି ନୀତି ହୋଇଥାଏ ।

କିନ୍ତୁ ତୃତୀୟ ଦିନ, ଅର୍ଥାତ୍ ମାର୍ଗଶିର ଶୁକ୍ଳ ପ୍ରତିପଦା ଦିନ, ଜଗନ୍ନାଥବଲ୍ଲଭ ମଠ ଠାରେ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ଏହିଦିନ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଜଗନ୍ନାଥ ବଲ୍ଲଭ ମଠକୁ ବିଜେ ହୁଅନ୍ତି । ସେଠାରେ କାଠରେ ତିଆରି ଭଦ୍ରାସନ ଉପରେ ଆସ୍ଥାନ ପ୍ରତିହାରୀ ଚାଉଳ ଗଛ କରି ସେଥିରେ ଦୀପ ବସାଇ ଥାଆନ୍ତି । ବିଧିମତେ ସେହି ଚାଉଳ ଗଛର ସଂସ୍କାର, ଦୀପଦାନ ଓ ବନ୍ଦାପନା ହେବା ପରେ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀମଦନମୋହନ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ‘ବାମଦେବ ସଂହିତା’ର ୨୩ ଅଧ୍ୟାୟରେ ଏ ସଂପର୍କରେ ଉଲ୍ଲେଖ ଅଛି- ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରେ ତୃତୀୟା ପୂଜା ସମାପ୍ତ ହେବା ପରେ, ଠାକୁରମାନଙ୍କ ସମ୍ମୁଖରେ ତଣ୍ଡୁଳ (ଚାଉଳ)‌େର ଗୋଟିଏ ବୃକ୍ଷ ନିର୍ମାଣ କରି ସେଥିରେ ଗାଈଘିଅରେ ପୂରିଥିବା ଏବଂ କର୍ପୂରବତି ସଂଯୋଗ ହୋଇଥିବା ୨୮ଟି ଦୀପ ଅତି ଭକ୍ତି ସହକାରେ ଦା‌ନ କରିବ। ଏଥିରୁ ୯ଟି ଲେଖାଏ ଦୀପ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ନିବେଦିତ ହେବା ସହିତ, ୧୦ଟି ଦୀପ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିବେଦିତ ହେବ। ପରେ ପ୍ରାସାଦ (ଶ୍ରୀମନ୍ଦିର)ର ଉପରି ଭାଗରେ ମଧ୍ୟ ଦୀପମାଳା ଏକାଦଶୀ ତିଥି ଭଳି ପ୍ରଜ୍ଜ୍ବଳିତ ହେବ। ସେହିପରି, ଅମାବାସ୍ୟା ଓ ପ୍ରତିପଦା ତିଥିରେ ମଧ୍ୟ ପ୍ରାସାଦର ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ସର୍ବତ୍ର ଦୀପ ପ୍ରଜ୍ଜ୍ବାଳିତ ହେବ।

ଏ ସଂପର୍କରେ ଲୋକୋକ୍ତି ରହିଛି ଯେ ଏହି ତିନିଦିନିଆ ଦେବଦୀପାବଳି ନୀତିରେ ସ୍ବୟଂ ଶ୍ରୀଜଗନ୍ନାଥ ତାଙ୍କର ସତ୍ୟଯୁଗର ବାମନାବତାରର ପିତୃପୁରୁଷ କଶ୍ୟପ ଓ ଅଦିତି, ତ୍ରେତୟାଯୁଗର ଶ୍ରୀରାମ ଅବତାରର ପିତୃପୁରୁଷ ଦଶରଥ ଓ କୌଶଲ୍ୟା ଏବଂ ଦ୍ବାପରଯୁଗର ଶ୍ରୀକୃଷ୍ଣରୂପର ପିତୃପୁରୁଷ ନନ୍ଦ ଓ ଯଶୋଦା ଏବଂ ଦେବକୀ ଓ ବସୁଦେବଙ୍କୁ ଦୀପଦାନ କରିଥାଆନ୍ତି। ସେହିପରି, କଥିତ ଅଛି ଯେ ସେ ତାଙ୍କର କଳିଯୁଗର ଦାରୁବ୍ରହ୍ମ ରୂପର ପିତୃପୁରୁଷ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦୀପଦାନ କରିଥାଆନ୍ତି।