ରାଜେଶ ଅଗ୍ରୱାଲ

Advertisment

ବରଗଡ଼ ଜିଲ୍ଲାର ଭଟଲିରେ ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହେଉଛି ଏକ ନିଆରା ରଥଯାତ୍ରା। ଦଧିବାମନ ଜିଉଙ୍କ ରଥଯାତ୍ରା ସେ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ। କେବଳ ଓଡ଼ିଶା ନୁହେଁ, ଏହି ରଥଯାତ୍ରାରେ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼, ସାରଙ୍ଗଗଡ଼, ମହାସମୁନ୍ଦ ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ କରନ୍ତି। ପଶ୍ଚିମ ଓଡ଼ିଶାରେ ଶ୍ରୀକ୍ଷେତ୍ର ଭାବେ ବିଦିତ ଭଟଲି ଦଧିବାମନ ମନ୍ଦିରରେ ବିଗ୍ରହ କାଠରେ ନୁହେଁ, ପଥରରେ ନିର୍ମିତ। ଆଉ ଏକ ବିସ୍ମୟକର କଥା ହେଉଛି, ଏଠାରେ ଦଧିବାମନଙ୍କ ସହ ବଳଭଦ୍ର କିମ୍ବା ସୁଭଦ୍ରା ନାହାନ୍ତି; ପୂଜିତ ହେଉଛି କୁଲତା ସଂପ୍ରଦାୟର ଜଣେ ମହିଳାଙ୍କ ମୂର୍ତ୍ତି! ଏହା ପଛରେ ରହିଛି ଏକ ମାର୍ମିକ କାହାଣୀ।

ପ୍ରଚଳିତ କିଂବଦନ୍ତି ଓ ତାଳପୋଥିରେ ଲିଖିତ ତଥ୍ୟ ଅନୁସାରେ ୧୬ଶ ଖ୍ରୀଷ୍ଟାବ୍ଦ ଶେଷ ଭାଗରେ ଗାଙ୍ଗପୁର (ସୁନ୍ଦରଗଡ଼) ରାଜ୍ୟ ଦାମ୍ଭଜିମ୍ଭିରା ଗ୍ରାମରୁ କୁଲତା ଜାତିର ପରମାନନ୍ଦ ସପରିବାର ଆସି ଭଟଲି ଗ୍ରାମରେ ବସବାସ କଲେ। କିଛିଦିନ ପରେ ସମ୍ବଲପୁର ରାଜା ବଳରାମ ଦେବ ତାଙ୍କୁ ଭଟଲି ଗ୍ରାମର ଗୌନ୍ତିଆ (ମୁଖିଆ) ଭାବରେ ନିଯୁକ୍ତି ଦେବା ସହ ସାହୁ ଉପାଧି ପ୍ରଦାନ କଲେ। ପରମାନନ୍ଦଙ୍କ ବଡ଼ବୋହୂ କମଳା ଘର ପାର୍ଶ୍ବରେ ଏକ ଠାକୁର ମୂର୍ତ୍ତି ରଖି ପୂଜା କରୁଥିଲେ। ଥରେ ଠାକୁରଘରେ ନିଅଁା ଲାଗିଯିବାରୁ ଠାକୁରଙ୍କୁ ଉଦ୍ଧାର କରିବାକୁ ଯାଇ ସେ ନିଆଁରେ ପଶିଗଲେ। ମୂର୍ତ୍ତି ସହ ନିଜେ ମଧ୍ୟ ପୋଡ଼ି ହୋଇଗଲେ। ଏହି ଘଟଣାର କିଛି ଦିନ ପରେ ପରମାନନ୍ଦଙ୍କୁ ସ୍ବପ୍ନାଦେଶ ହେଲା ଯେ ଗ୍ରାମର ଚକ୍ରବନ୍ଧ (ପୋଖରୀ)ରେ ଏକ ଶିଳାଖଣ୍ଡ ଭାସୁଛି। ଆଉ ସେହି ଶିଳାଖଣ୍ଡ ହିଁ ହେଉଛି ପୋଡ଼ିଥିବା ଠାକୁର ଏବଂ ତାଙ୍କ ସହ ବିଲୀନ ହୋଇଯାଇଥିବା କମଳାଙ୍କ ପ୍ରତୀକ। ଗଁା ଲୋକ ସେଠାରୁ ଶିଳାଖଣ୍ଡଟିକୁ ଆଣି ଗୋଟିଏ ମାଟି ମନ୍ଦିରରେ ସ୍ଥାପନ କଲେ ଏବଂ ପାଖରେ କମଳାଙ୍କର ଏକ ମୂର୍ତ୍ତି ରଖି ସ୍ଥାନର ନାମ ‘ସତୀହାରୀ’ ରଖିଲେ। ମୂର୍ତ୍ତି ସହ ଜଣେ ମହିଳା ପୋଡ଼ି ଲୀନ ହୋଇଯାଇଥିବା ଯୋଗୁଁ ପଣ୍ଡିତମାନେ ମତ ଦେଲେ ଯେ ସେଠାରେ ଅନ୍ନପ୍ରସାଦ ଲାଗି ହୋଇପାରିବ ନାହିଁ, କେବଳ ଶୁଖିଲା ଭୋଗ ଦିଆଯିବ। ବ୍ରାହ୍ମଣ ପୂଜକ ସେ ବେଳରୁ ପୂଜା ଆରମ୍ଭ କଲେ ଏବଂ ପୁରୀ ରଥଯାତ୍ରା ତିଥି ମୁତାବକ ଭଟଲିରେ ଦଧିବାମନଙ୍କ ରଥଯାତ୍ରା ଆରମ୍ଭ ହେଲା।

ଏହାପରେ ଗୌନ୍ତିଆ ପରମାନନ୍ଦଙ୍କ ବଂଶଧର ଗଦାଧର ସାହୁ ଏକ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ କଲେ। ମାତ୍ର ଅାର୍ଥିକ ସମସ୍ୟା ହେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିପାରିଲେ ନାହିଁ। ତରାକନାର ଗୌନ୍ତିଆ ଶ୍ୟାମସୁନ୍ଦର ମିଶ୍ରଙ୍କ ସହାୟତାରେ ମନ୍ଦିର ସଂପୂର୍ଣ୍ଣ ହେଲା। ମନ୍ଦିର ପ୍ରତିଷ୍ଠା ହୋଇ ୨୯ ଏପ୍ରିଲ ୧୯୦୨ ଠାରୁ ମୂର୍ତ୍ତି ପୂଜା ପାଇଲେ। ସେବେଠାରୁ ରଥଯାତ୍ରାର ସମସ୍ତ ସେବା ଉଭୟ ଗୌନ୍ତିଆ ତୁଲାଇଲେ ଏବଂ ଛେରାପହଁରା ମଧ୍ୟ କଲେ। ପରମ୍ପରା ଅନୁସାରେ ପ୍ରଥମେ ଛେରାପହଁରା, ପହଣ୍ଡିବିଜେ ହୋଇ ଠାକୁର ରଥରେ ଚଢ଼ନ୍ତି। ରଥଟଣା ବେଳେ ଡାହୁକ ଅଶ୍ଳୀଳ ଗୀତ ଗାଏ। ରଥରେ ମାଉସୀମାଁ’ ମନ୍ଦିରକୁ ଯାଇ ଦଶମୀ ଦିନ ମନ୍ଦିରକୁ ଫେରନ୍ତି ଦଧିବାମନ। ପୁରୀ ଭଳି ଏଠାରେ ବି ଦିଅଁଙ୍କର ସୁନାବେଶ ହୁଏ। ଏହି ରଥଯାତ୍ରାରେ ‘ରଥଛୁଅଁାନି’ (ରଥ ଉପରେ ଥିବା ମୂର୍ତ୍ତିକୁ ଛୋଟ ଶିଶୁଙ୍କୁ ଛୁଅଁାଇଥାନ୍ତି, ବିଶ୍ବାସ ଅଛି ଏହା ଦ୍ବାରା ଶିଶୁର ସର୍ବମଙ୍ଗଳ ହୁଏ) ମଧ୍ୟ ହୁଏ।

ପ୍ରକାଶ ଥାଉକି, ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ଥିବା ସମସ୍ତ ଜଗନ୍ନାଥ ରଥଯାତ୍ରାରେ ରଥଛୁଆଁନି ଏକ ବିଶିଷ୍ଟ ପର୍ବ। ୧୯୨୪ ମସିହା ବେଳକୁ ଭଟଲି ଗୌନ୍ତିଆ ନିଜର ସମସ୍ତ ଜମି ବିକ୍ରି କରିଦେଲେ। ବଡ଼ମାଳ ଗୌନ୍ତିଆ ଭଜନ ସାହୁ, ତରାକନା ଗୌନ୍ତିଆ ଡୋଳାମଣି ମିଶ୍ର ଓ ଭଟଲିର ମାର୍‌ୱାଡ଼ି ବ୍ୟବସାୟୀ ସୁରଚନ୍ଦ ଅଗ୍ରୱାଲ୍‌ ମିଶି ଏହାକୁ କିଣିନେଲେ। ୧୯୫୭ ବେଳକୁ ସରକାର ଗୌନ୍ତିଆପ୍ରଥା ଉଠାଇଦେଲେ। ତରାକନା ଓ ବଡ଼ମାଳ ଗୌନ୍ତିଆଙ୍କ ପରିବାର ପରମ୍ପରା ଅନୁସାରେ ରଥଯାତ୍ରାର ଛେରାପହଁରା କାର୍ଯ୍ୟ ସଂପାଦନ କରୁଥିଲେ। କିଛି ବର୍ଷ ପର୍ଯ୍ୟନ୍ତ ଭଟଲିର ସମାଜସେବୀ ନାରାୟଣ ସାହୁ ବଡ଼ମାଳ ଗୌନ୍ତିଅାଙ୍କ ତରଫରୁ ତରାକନା ଗୌନ୍ତିଆ ବଂଶଧରଙ୍କ ସହ ଛେରାପହଁରା କଲେ। ଗତ କିଛି ବର୍ଷ ହେଲା ବଡ଼ମାଳ ଗୌନ୍ତିଆ ପରିବାର ଛେରାପହଁରା କରୁନାହାନ୍ତି।  ତାଙ୍କ ସ୍ଥାନରେ ଯୋଡ଼ି ହୋଇଛନ୍ତି ଭଟଲିର ସୁରଚନ୍ଦ ଅଗ୍ରୱାଲ୍‌ଙ୍କ ବଂଶଧର। ପ୍ରତିବର୍ଷ ଭଟଲି ରଥଯାତ୍ରା ନଅଦିନ ହେଉଥିବା ବେଳେ ଚଳିତବର୍ଷ ଏଗାର ଦିନ ଧରି ହେବ ଏବଂ ପ୍ରଥମଥର ରଥ ଉପରେ ସୁନାବେଶ କରାଯିବ। ଯାତ୍ରା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ଅତାବିରା, ବରଗଡ଼