ପୂର୍ଣ୍ଣଚନ୍ଦ୍ର ସାହୁ

ଢେଙ୍କାନାଳ ଜିଲ୍ଲାରେ ରହିଛି ଏମିତି ଏକ ଗାଁ, ଯେଉଁଠି ଲୋକଙ୍କ ହାଣ୍ଡିଶାଳରେ ଆମିଷ ପଶିବା ମନା। ଗାଁରେ ଆମିଷକୁ ସଂପୂର୍ଣ୍ଣ ନା! ପୁରୁଷ ପୁରୁଷ ଧରି ସବୁପ୍ରକାର ଆମିଷ ଜାତୀୟ ଖାଦ୍ୟକୁ ବାରଣ କରିଆସି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛି ଭୁବନ ବ୍ଲକ୍‌ ଅନ୍ତର୍ଗତ ଏକତାଳି ପଞ୍ଚାୟତର ବେଣ୍ଟଶାଳିଆ। ଭୁବନ ବ୍ଲକ୍‌ ସଦର ମହକୁମାଠାରୁ ମାତ୍ର ଦଶ କିଲୋମିଟର୍‌ ଦୂରରେ ଥିବା ଏହି ଗାଁର ଅଧିକାଂଶ ପରିବାର ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର। ମୁଖ୍ୟତଃ ଚାଷବାସ ହିଁ ଏଠାକାର ଅଧିବାସୀଙ୍କ ପେଟପାଟଣାର ଉତ୍ସ। ବେଣ୍ଟଶାଳିଆର ସ୍ବାତନ୍ତ୍ର ହେଲା କାହା ଘରର ହାଣ୍ଡିଶାଳରେ କେବେ ମାଛ, ମାଂସ କି ଅଣ୍ଡା ପଶିନାହିଁ। କୁହାଯାଏ, ସାମରିକ ବାହିନୀରେ କାମ କରୁଥିବା ଗାଁର ଯୁବକମାନେ ବି ଆମିଷ ଛୁଅଁନ୍ତି ନାହିଁ। ଗାଁକୁ ବାହାହୋଇ ଆସୁଥିବା ନୂଆବୋହୂ ଓ ଝିଅମାନେ ମଧ୍ୟ ଏହି ନିୟମରେ ବନ୍ଧା। ପାଟିକୁ ସୁଆଦ ଲାଗୁଥିବା ଆଜିର ଫାଷ୍ଟ୍‌ଫୁଡ୍‌ ସଂସ୍କୃତି ଭିତରେ ବି ଦୈନନ୍ଦିନ ଜୀବନରେ ନିରାମିଷ ଖାଦ୍ୟକୁ ଆଦରି ନିଜକୁ ଗର୍ବିତ ମନେକରନ୍ତି ଗ୍ରାମବାସୀ।

Advertisment

ପ୍ରଚଳିତ ଲୋକକଥା ଅନୁଯାୟୀ, ଗାଁର ଜଣେ ଦଳିତ ବ୍ୟକ୍ତି ବିବାହ ସମୟରେ ଦହିମାଛ ନେଇ ଆସୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କ ଜୀବନ ବଞ୍ଚାଇବାକୁ ଗାଁଲୋକ ଠାକୁରଙ୍କ ପାଖରେ ଅଧିଆ ପଡ଼ିଥିଲେ। ଗାଁକୁ ଆଉ ଆମିଷ ଆସିବ ନାହିଁ ବୋଲି ଗାଁ ଲୋକ ନିୟମ କରିବା ପରେ ବ୍ୟକ୍ତିଜଣକ ଜୀବନ ପାଇଥିଲେ। ସେହିଦିନଠାରୁ ଗାଁକୁ ଆମିଷ କି, ମଦ କିଛି ପଶେନାହିଁ। ଏହାର ବ୍ୟତିକ୍ରମ କରି ଆମିଷ ଖାଇଲେ ବା ମଦ ପିଇଲେ ଆଖି ଫୁଟିଯିବ ବୋଲି ଗାଁ ଲୋକଙ୍କର ବିଶ୍ବାସ ରହିଛି। ପୁରୁଷ ପୁରୁଷ ଧରି ବେଣ୍ଟଶାଳିଆରେ ଏହି ଧାରା ସକ୍ରିୟ ରହିଛି।

sfsfsfxcxcxcdde

ପ୍ରଚଳିତ ଧର୍ମୀୟ ପରମ୍ପରା ପ୍ରଭାବରେ ମଧ୍ୟ ଗାଁ ଲୋକେ ସାତ୍ତ୍ବିକ ଖାଦ୍ୟକୁ ଆଦରି ନେଇଛନ୍ତି। ଗାଁ ସୀମାରେ ମହାପୁରୁଷ ପୂଜା ପାଇଆସୁଛନ୍ତି। ଦୀର୍ଘ ଛଅଶହ ବର୍ଷ ଧରି ଶୂନ୍ୟବାଦୀ ଚେତନାର ପ୍ରତୀକ ଅଚ୍ୟୁତାନନ୍ଦ ବେଣ୍ଟଶାଳିଆରେ ପୂଜା ପାଇଆସୁଥିବାରୁ ରାଧାକୃଷ୍ଣ ହେଉଛନ୍ତି ଗାଁର ଆରାଧ୍ୟ ଦେବତା। ତେଣୁ  ବେଣ୍ଟଶାଳିଆର ଅଧିବାସୀ ଜାକଜମକରେ ଅଷ୍ଟପ୍ରହର, ଜନ୍ମାଷ୍ଟମୀ, ଦୋଳପୂର୍ଣ୍ଣିମା, କାର୍ତ୍ତିକପୂର୍ଣ୍ଣିମା, ମହାବିଷୁବ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତି ପର୍ବ ପାଳନ କରିଥାନ୍ତି। କାର୍ତ୍ତିକପୂର୍ଣ୍ଣିମା ଅବସରରେ ଶରତ ରାସ ଉତ୍ସବରେ ତ ଗାଁର ଆବାଳବୃଦ୍ଧବନିତା ସାମିଲ ହୋଇଥାନ୍ତି। ବର୍ଷର ୩୬୫ ଦିନ ମଧ୍ୟରୁ ୩୬୦ ଦିନ ଭାଗବତ ପାଠ ପରମ୍ପରା ମଧ୍ୟ ରହିଛି ଏଠାରେ। ଗାଁର ପୁରୁଖା ଲୋକଙ୍କ କହିବା ଅନୁସାରେ, ବେଣ୍ଟଶାଳିଆ ଏକ ଐତିହ୍ୟସମ୍ପନ୍ନ ଗ୍ରାମ। ଗାଁରେ ଅନେକ ପ୍ରାଚୀନ ତାଳପତ୍ର ପୋଥି ସାଇତା ହୋଇ ରହିଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପୋଥି ନଷ୍ଟ ହେବାକୁ ବସିଲାଣି। ତେବେ ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ସଂସ୍କୃତି ପ୍ରବାହରେ ପ୍ରଭାବିତ ନହୋଇ ଗ୍ରାମବାସୀ ପ୍ରଚଳିତ ପରମ୍ପରାକୁ ଜାବୁଡ଼ି ଧରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଶଂସନୀୟ କଥାଟି ହେଲା, ଆଜିର ଯୁବପିଢ଼ି ମଧ୍ୟ ନିରାମିଷ ଭୋଜନ ପରମ୍ପରା ବଞ୍ଚାଇ ରଖିବା ପାଇଁ ସତତ ଚେଷ୍ଟିତ। ଗାଁଲୋକଙ୍କ ଆହାର ପ୍ରଣାଳୀ ପୂରା ସାତ୍ତ୍ବିକ ହୋଇଥିବାରୁ ଏଠାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପିଲାମାନଙ୍କୁ ଅଣ୍ଡା ବଦଳରେ କଦଳୀ ଦିଆଯାଏ।

ସମୟର ସୁଅରେ ଏବେ ସବୁଠି ପଶ୍ଚିମା ସଂସ୍କୃତିର ଝଡ଼ ବହୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ଖାଦ୍ୟପେୟ, ପୋଷାକପତ୍ର, ଆଚାର ବ୍ୟବହାର ଏପରିକି ଚିନ୍ତାଧାରାକୁ ବି ଏହି ଝଡ଼ ପ୍ରଭାବିତ କରି ସାରିଲାଣି। ହେଲେ ବେଣ୍ଟଶାଳିଆକୁ ଏହି ଝଡ଼ ଦୋହଲାଇ ପାରିନାହିଁ। ଏହି ଗାଁଲୋକ ଖାଦ୍ୟ-ଖାଦକ ସମ୍ପର୍କ ଭୁଲି ସାରା ଜଗତ ଗୋଟିଏ ପରିବାର ବ୍ରତରେ ବିଶ୍ବାସ କରି ଆସୁଛନ୍ତି ଏବଂ ସେହି ବ୍ରତ ପାଳନ ବି କରୁଛନ୍ତି। ତେଣୁ ଏହି ଗାଁକୁ ଯିଏ ବି ଆସନ୍ତି, ତାଙ୍କ ପାଟିରୁ ସ୍ବତଃ ବାହାରି ଆସେ- ବାଃ ବାଃ ବେଣ୍ଟଶାଳିଆ।