ବିଚିତ୍ର ଯାଆଁଳା ଭଉଣୀ

ବିଚିତ୍ର ଯାଆଁଳା ଭଉଣୀ

ସାଧାରଣତଃ ଯମଜ ସନ୍ତାନମାନଙ୍କର ଶାରୀରିକ ଗଢ଼ଣ ପ୍ରାୟ ସମାନ ରହିଥାଏ। ଯେଉଁଠି ଦୁଇ ଭାଇ ବା ଦୁଇ ଭଉଣୀ ଯାଁଳା ହୋଇ ଜନ୍ମ ହୋଇଥା’ନ୍ତି, ସେଠି ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଏତେ ଅଧିକ ଥାଏ ଯେ ପରସ୍ପରଠାରୁ ଅଲଗା କରି ଚିହ୍ନିବା ସମ୍ଭବ ହୁଏନି। ତେବେ ଜାପାନର ଓକାୟାମା ସହରରେ ରହୁଥିବା ଯମଜ ଭଉଣୀଦ୍ବୟ ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ୩୩ ବର୍ଷୀୟା ଏହି ଭଉଣୀ ଦ୍ବୟଙ୍କ ମଧ୍ୟରେ ଆଦୌ ସାମଞ୍ଜସ୍ୟ ତ ନାହିଁ, ସେମାନଙ୍କ ଶାରୀରିକ ଗଠନ ଏପରି ସଂପୂର୍ଣ୍ଣ ଭାବରେ ଭିନ୍ନ ଯେ ସେମାନେ ଯାଆଁଳା ବୋଲି ମଧ୍ୟ କେହି ବିଶ୍ବାସ କରିବେନି। ଏପରିକି ସେମାନଙ୍କ ଉଚ୍ଚତା ମଧ୍ୟ ପୂରା ଅଲଗା, ଜଣେ ବାଙ୍ଗରୀ ହୋଇଥିବା ବେଳେ ଜଣେ ସ୍ବାଭାବିକ ଭାବେ ଡେଙ୍ଗୀ।

ୟୁସି ଓ ମିଚି କିକୁଚି ନାମ୍ନୀ ଏହି ଦୁଇ ଭଉଣୀଙ୍କ ମଧ୍ୟରେ ଉଚ୍ଚତାର ତାରତମ୍ୟ ହେଉଛି ୭୫ ସେ.ମି. ବା ୨ ଫୁଟ ସାଢ଼େ ୫ ଇଞ୍ଜ। ତେବେ ସେମାନଙ୍କ ଭିତରେ ରହିଥିବା ଏହି ଅବିଶ୍ବସନୀୟ ଉଚ୍ଚତା ବ୍ୟବଧାନ ପାଇଁ ସେମାନେ ମଧ୍ୟ ଗିନିସ୍‌ ଵର୍ଲଡ୍‌ ରେକର୍ଡର ଅଧିକାରିଣୀ। ୧୯୮୯ ଅକ୍‌ଟୋବର ୧୫ ତାରିଖରେ ଜନ୍ମ ନେଇଥିବା ଏହି ଦୁଇ ଭଉଣୀଙ୍କ ମଧ୍ୟରୁ ୟୁସିଙ୍କର ଉଚ୍ଚତା ଏବେ ୧୬୨.୫ ସେ.ମି. ହୋଇଥିବା ବେଳେ ମିଚିଙ୍କର ଉଚ୍ଚତା ମାତ୍ର ୮୭.୫ ସେ.ମି.। ତେବେ ‘କୋଞ୍ଜେନିଟାଲ୍‌ ସ୍ପାଇନାଲ୍‌ ଏପିଫାଇସିଲ୍‌ ଡିସ୍‌ପ୍ଳାସିଆ’ ନାମକ ଅସ୍ଥି ବିକାର ରୋଗରେ ପୀଡ଼ିତା ମିଚିଙ୍କର ଉଚ୍ଚତା ବୃଦ୍ଧିରେ ଏହି ବିରଳ ରୋଗ ହିଁ ପ୍ରତିବନ୍ଧକ ସାଜିଥିବା ଜଣାଯାଇଛି। ନିଜର ବାମନତ୍ବ ପାଇଁ ମିଚି ପୂର୍ବରୁ ଅସୁରକ୍ଷିତ ଅନୁଭବ କରୁଥିଲେ। ତେବେ ୨୦୧୨ ମସିହାରେ ବିଶ୍ବର ସବୁଠୁ ବାମନ ବ୍ୟକ୍ତି ସମ୍ମାନର ସହ ସ୍ବାଭାବିକ ଜୀବନ ନିର୍ବାହ କରୁଥିବା ସମ୍ପର୍କରେ ବିଭିନ୍ନ ପତ୍ରପତ୍ରିକାରୁ ପଢ଼ିଲା ପରେ ସେ ନିଜକୁ ଆଶ୍ବସ୍ତ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ଅବଶ୍ୟ ସେଇ କାରଣରୁ ସେ ଏବେ ନିଜ ପିତ୍ରାଳୟରେ ରହୁଥିବା ବେଳେ ୟୁସି ଘରସଂସାର କରି ଅନ୍ୟତ୍ର ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe