ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଛୁଟି

ଜରୁରୀ କାର୍ଯ୍ୟ ଲାଗି ମୁଖ୍ୟାଳୟରେ ରହିବେ ଶିକ୍ଷକ ଓ କର୍ମଚାରୀ

ଷଷ୍ଠ ସେମିଷ୍ଟାର ପରୀକ୍ଷା‌ ହେବ, ଅନ୍ୟଗୁଡ଼ିକ ବାତିଲ୍‌
ଓୟୁଏଟି କୁଳପତିଙ୍କ ନିଆରା ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ଡିଗ୍ରି କଲେଜଗୁଡ଼ିକ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୧୩ ତାରିଖରେ ନିର୍ଦେଶ ଦିଆଯାଇଥିଲା। ସେହି ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାତିଲ୍‌ ହୋଇଥିଲା ଏବଂ ଶିକ୍ଷକ, କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସିବାକୁ କୁହାଯାଇଥିଲା। ତେବେ ରବିବାର ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କିମ୍ବା ମୂଲ୍ୟାୟନ କାର୍ଯ୍ୟ ନ ଥିଲେ ଶିକ୍ଷକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ କୌଣସି ପ୍ରକାର ଜରୁରୀକାଳିନ କାର୍ଯ୍ୟ ପାଇଁ ସେମାନେ ମୁଖ୍ୟାଳୟରେ ଉପସ୍ଥିତ ରହିବେ। ଆବାସିକ ହଷ୍ଟେଲଗୁଡ଼ିକରେ ରହୁଥିବା ଅନ୍ତେବାସୀମାନେ ଯଦି ଚାହିଁବେ ଘରକୁ ଯାଇପାରି‌‌ବେ। ଯେଉଁମାନେ ରହିବାକୁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କ ପାଇଁ ହଷ୍ଟେଲଗୁଡ଼ିକ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ସମ୍ପର୍କିତ ଲିଫ୍‌ଲେଟ୍‌ଗୁଡ଼ିକୁ ଶିକ୍ଷାନୁଷ୍ଠାନର ପ୍ରମୁଖ ସ୍ଥାନ, ହଷ୍ଟେଲ ନିକଟରେ ଲଗାଇବାକୁ କୁହାଯାଇଛି। ଏମିତିକି ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ଲିଫ୍‌ଲେଟ୍‌ ଭାବେ ବ୍ୟବହାର କରାଯାଇପାରିବ। କେବଳ ୨୦୨୦ର ୬ଷ୍ଠ ସେମିଷ୍ଟାର ଓ ବ୍ୟାକ୍‌-ପେପର୍‌ ପରୀକ୍ଷା ଅନୁଷ୍ଠିତ ହେବ। ଯଦି କୌଣସି ପରୀକ୍ଷା ନିଦ୍ଧିଷ୍ଟ ସମୟରେ କରାଯିବ ସେଭଳି ସ୍ଥଳେ ଚେୟାର/ଟେବୁଲ୍‌ ଉପରକୁ ଭଲ ଭାବେ ସଫା କରିବା, ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୂରତା‌ ରଖିବା, ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ଇନ୍‌ଭିଜି‌ଲେଟର ଓ ପରୀକ୍ଷାର୍ଥୀମାନେ ହାତ ସଫା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟ ସମସ୍ତ ପରୀକ୍ଷାଗୁଡ଼ିକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ପରୀକ୍ଷା ହେବା ନେଇ ପରବର୍ତୀ ସମୟରେ ଅବଗତ କରାଯିବ।

ଶିକ୍ଷକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ‌ତେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଜି ଅପରାହ୍ନରେ କୁଳପତି ପ୍ର‌ଫେସର ପବନ କୁମାର ଅଗ୍ରୱାଲ ସମସ୍ତ କଲେଜ ଅଧ୍ୟକ୍ଷ ଓ ଡିନ୍‌ଙ୍କ ବୈଠକ ଡାକି ମଙ୍ଗଳବାରଠାରୁ କ୍ୟାମ୍ପସ ସମ୍ମୁଖରେ ସାନିଟାଇଜର ରଖିବା, ସଫେଇ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ଗୋଟିଏପଟେ ରାଜ୍ୟ ସରକାର ଶିକ୍ଷକ ଓ କର୍ମଚାରୀଙ୍କ ଶିକ୍ଷାନୁଷ୍ଠାନକୁ ଆସିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ଅନ୍ୟପଟେ ଓୟୁଏଟି କୁଳପତିଙ୍କ ନିଆରା ନିଷ୍ପତ୍ତିକୁ ନେଇ ଶିକ୍ଷକ ଓ କର୍ମଚାରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ମଙ୍ଗଳବାରଠାରୁ ଶିକ୍ଷାନୁଷ୍ଠାନ ଆସିବେ କି ନାହିଁ ଜାଣିପାରୁ ନାହାନ୍ତି। ସେପଟେ କୁଳପତି ପ୍ରଫେସର ଅଗ୍ରୱାଲ ଆସନ୍ତାକାଲି ପାଇଁ ପୁଣିଥରେ ଡିନ୍‌ମାନଙ୍କ ବୈଠକ ଡାକିଥିବା ଜଣାପଡ଼ିଛି। ଏହି ବିଶ୍ବବିଦ୍ୟାଳୟରେ ଥିବା ହଷ୍ଟେଲ ବନ୍ଦ ରହିଥିବା ବେଳେ ୮ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର