ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ଜନ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିବା ଜଣେ ଜନନେତା ମାତ୍ର ନ ଥିଲେ, ସେ ଥିଲେ ରାଜ୍ୟର ଆର୍ଥିକ-ସାମାଜିକ-ସାଂସ୍କୃତିକ-ବୌଦ୍ଧିକ ଆକାଶକୁ ଆଲୋକିତ କରିପାରିଥିବା ଜଣେ ଅତ୍ୟନ୍ତ ଉଜ୍ଜ୍ବଳ ଜ୍ୟୋତିଷ୍କ। ଏହି ଅନନ୍ୟ ପ୍ରଜ୍ଞା ପୁରୁଷ ଓ ମାର୍ଗ ଦର୍ଶକଙ୍କ ପବିତ୍ର ଶ୍ରାଦ୍ଧଦିବସରେ ‘ସମ୍ବାଦ’ର ଏହି ବିଶେଷ ଉପସ୍ଥାପନା।
Sambad is now on WhatsApp
Join and get latest news updates delivered to you via WhatsApp
ଡ. ଭଗବାନ ପ୍ରକାଶ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି କି˚ବଦନ୍ତି ପୁରୁଷଙ୍କ ସହ ଅନେକ ଥର ସାକ୍ଷାତ୍ର ସୁଯୋଗ ମିଳିଥିଲା। ତହିଁରୁ ଗୋଟିଏ ଚିତ୍ତାକର୍ଷକ, ପୁରୁଣା ଅନୁଭୂତି ଏଠାରେ ଉଲ୍ଲେଖ କରୁଛି। ୧୯୮୨ ମସିହାର କଥା। ମୁଁ ଥାଏ ଉତ୍କଳ ବିଶ୍ବବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସ˚ଯୋଜକ। ବସୁଥାଏ ବାଣୀବିହାରରେ। ୧୯୦ କଲେଜରେ ୨୦ ହଜାର ବିଦ୍ୟାର୍ଥୀ ସ୍ବେଚ୍ଛାସେବୀ ରୂପେ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରୁଥା’ନ୍ତି। ଏହି ଅବସରରେ ଏକବି˚ଶ ଶତାବ୍ଦୀରେ ସ୍ବେଚ୍ଛାସେବାର ସ୍ବରୂପ କିଭଳି ହେବ ସେ ସ˚ପର୍କରେ ଏକ ଜାତୀୟ ସ୍ତର ଆଲୋଚନା ଚକ୍ରରେ ଅନେକ ବିଖ୍ୟାତ ସମାଜ ବିଜ୍ଞାନୀ ଓ ସାମାଜିକ କର୍ମୀ ତଥା ଶିକ୍ଷାବିତ୍ଙ୍କ ଗହଣରେ ଯେଉଁ ୧୦ଟି ପ୍ରସ୍ତାବ ଗୃହୀତ ହୋଇଥିଲା, ସେଥିରୁ ଗୋଟିଏ ସମାଜ ସ˚ସ୍କାର ଧର୍ମୀ ପ୍ରସ୍ତାବ ଥିଲା- ଏକ ଜାତି, ଜାତକ-ଯୌତୁକ ମୁକ୍ତ ସମାଜ ସୃଷ୍ଟି ପାଇଁ କାମ କରିବା। ପ୍ରଥମ ପଦକ୍ଷେପ ଥିଲା ନିଜ ନାଁରୁ ଜାତି ସୂଚକ ସାଙ୍ଗିଆ ହଟେଇବା। ଏହି ପ୍ରସ୍ତାବକୁ ମୁଁ ପ୍ରଥମେ ନିଜ ଉପରେ ପ୍ରୟୋଗ କରିଥିଲି। ଏହାକୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଆସିଲା। ଏଥିପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ ଓ ପ୍ରଶାସନିକ ସହଯୋଗ ଆବଶ୍ୟକ ପଡ଼ିବ। ତେଣୁ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଦରକାର ପଡ଼ିବ। ସେତେବେଳେ ଶିକ୍ଷାମନ୍ତ୍ରୀ ଥାଆନ୍ତି ଗଙ୍ଗାଧର ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲକ ପଟ୍ଟନାୟକ। ସାକ୍ଷାତ ସମୟ ପାଇଁ ଉଭୟଙ୍କ କାର୍ଯ୍ୟାଳୟକୁ ନିବେଦନ କରାଗଲା। ଶିକ୍ଷାମନ୍ତ୍ରୀଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିପାଇଁ ସମୟ ଧାର୍ଯ୍ୟ କରିଦେଲେ। ତାହା ଥିଲା ରାତି ୧୧ଟା୪୫ ମିନିଟ୍ ଏବ˚ ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ।
ଜାନକୀ ବଲ୍ଲଭ ପଟ୍ଟନାୟକ ଦିନକୁ ୧୮-୨୦ ଘଣ୍ଟା କାମ କରୁଥିଲେ। ଆମେ ରାତି ୧୧ଟା୩୦ରେ ତାଙ୍କ ବାସଭବନ କାର୍ଯ୍ୟାଳୟରେ ପହଞ୍ଚିଲୁ। ଦଶ ମିନିଟ୍ ପରେ ଆମ ସମସ୍ତଙ୍କୁ ଚକିତ କରି ଜାନକୀବାବୁ ନିଜ କକ୍ଷ ଦ୍ବାର ଅଧା ଖୋଲି ଆମକୁ ଭିତରକୁ ଆସିବାକୁ ଇଙ୍ଗିତ ଦେଲେ। କହିଲେ ଦଶ ମିନିଟ୍ରେ ସାରିବା। ଅନ୍ୟମାନେ ଅପେକ୍ଷା କରିଛନ୍ତି। କୁହନ୍ତୁ, ମୁଁ କ’ଣ ଓ କିପରି ସାହାଯ୍ୟ କରିପାରିବି? ଏହା ପରେ ତାଙ୍କୁ ଜାତୀୟ ଆଲୋଚନା ଚକ୍ରରେ ଗୃହୀତ ପ୍ରଥମ ପ୍ରସ୍ତାବ କଥା କହିଲୁ। କିଭଳି ଜାତିସୂଚକ ସାଙ୍ଗିଆ ସମାଜରେ ଏବ˚ ଶିକ୍ଷାନୁଷ୍ଠାନମାନଙ୍କରେ ଜାତିଗତ ଭେଦଭାବ ସୃଷ୍ଟି କରୁଛି, ସେ କଥା ବୁଝାଇ କହିଲୁ। ସେ ଆମ ସହ ଏକମତ ହୋଇ ଭଗବତ୍ ଗୀତାରୁ ଏକ ଶ୍ଳୋକ ଉଦ୍ଧାର କରି କହିଲେ ଜାତି ଜନ୍ମଗତ ନୁହେଁ, ଏହା ଗୁଣ ଓ କର୍ମ କୈନ୍ଦ୍ରିକ ଏବଂ ବିଭିନ୍ନ ପେସାର ପ୍ରତୀକ। ତାଙ୍କର ଏହି ଉକ୍ତି ସପକ୍ଷରେ ଆମେ ଆଉ ଏକ ଯୁକ୍ତି ଉପସ୍ଥାପନ କରି କହିଲୁ- ଆଜ୍ଞା, ଭାରତୀୟ ପର˚ପରାରେ ସାଙ୍ଗିଆ ବ୍ୟବହାର ନ ଥିଲା। ଦଶରଥ, ଜନକ, ଅଜ, ରଘୁ, ଭରତ, ହରିଶ୍ଚନ୍ଦ୍ର, ରାମ, କୃଷ୍ଣ, ରାବଣ, ଯୁଧିଷ୍ଠିର, ଧୃତରାଷ୍ଟ୍ର ଭଳି ରାଜା ଓ ରାଜପୁତ୍ର ବା ବଶିଷ୍ଠ, ବିଶ୍ବାମିତ୍ର, ଯାଜ୍ଞବଳ୍କ୍ୟ, କପିଳ, ଗୌତମ, ଋଷିଶୃଙ୍ଗ, ଭରଦ୍ବାଜଙ୍କ ଭଳି ମୁନି ଋଷି ଅଥବା ବ୍ୟାସ, ବାଲ୍ମିକୀ, କାଳିଦାସଙ୍କ ଭଳି ମହାକବି କିମ୍ବା ସୀତା, ସାବିତ୍ରୀ, ଗାର୍ଗୀ, ଅରୁନ୍ଧତୀଙ୍କ ଭଳି ବିଦୂଷୀ, ମହୀୟସୀ; କେହି ହେଲେ ସାଙ୍ଗିଆ ଧାରଣ କରୁ ନ ଥିଲେ। ସେମିତି ବୈଦ୍ୟ, ଆଚାର୍ଯ୍ୟ, ମହାପାତ୍ର, ମହାରଥୀ, ରାଜଗୁରୁ, ରଣବୀର ଭଳି ଯୋଗ୍ୟତା ଆଧାରିତ ପଦପଦବି କ୍ରମେ ଜାତିସୂଚକ ସାଙ୍ଗିଆ ଭାବରେ ବ୍ୟବହୃତ ହେଲା।
ଆମର ତର୍କକୁ ମନ ଧୢାନ ଦେଇ ଶୁଣୁଥିଲେ ଜାନକୀ ବଲ୍ଲଭ। ସେ ଥିଲେ ଜଣେ ପ୍ରଜ୍ଞା ପୁରୁଷ। ତାଙ୍କ ଆଗ୍ରହର ସୁଯୋଗ ନେଇ କହିଲି: ଆମର ଦୁଇଟି ଅନୁରୋଧ ଓ ପ୍ରସ୍ତାବ। (୧) ପିତାମାତା ଆପଣଙ୍କୁ ଏକ ସୁନ୍ଦର ନାମ ଦେଇଛନ୍ତି। ସେଥିରୁ ଜାତିସୂଚକ ସାଙ୍ଗିଆ- ‘ପଟ୍ଟନାୟକ’ ହଟାଇ ଦିଅନ୍ତୁ। ଏହାଦ୍ବାରା ଅନେକ ବ୍ୟକ୍ତି ପ୍ରଭାବିତ ହେବେ। ଅଳ୍ପ ହସି ଉତ୍ତର ଦେଲେ ବିଚାର କରିବି। ପୁଣି କହିଲି- ଆପଣଙ୍କ ନାମ ଲିଙ୍ଗଗତ ସମତା ଓ ନାରୀବାଦର ପ୍ରତୀକ ମଧ୍ୟ। ସେ ଏବେ ମୁଣ୍ତ ଟେକି କାନ ଡେରି ଶୁଣିଲେ ଏବ˚ ପଚାରିଲେ- କେମିତି? କହିଲି- ଆପଣ ଜାନକୀ-ବଲ୍ଲଭ ଅର୍ଥାତ୍ ଜାନକୀଙ୍କ ସ୍ବାମୀ। ପ୍ରାଚୀନ ଭାରତରେ ପ୍ରଚଳିତ ପର˚ପରା ଅନୁସାରେ ପତିଙ୍କର ନିଜ ନାମ ନ ଥାଏ। ସେ ପତ୍ନୀଙ୍କ ନାମ ଦ୍ବାରା ବା ମା’ଙ୍କ ନାମରେ ପରିଚିତ। ଯେପରିକି କୃଷ୍ଣ ହେଲେ ଦେବକୀ ନନ୍ଦନ, ଯଶୋଦା ନନ୍ଦନ, ରାଧାସ୍ବାମୀ; ବିଷ୍ଣୁ ହେଲେ କମଳାପତି, ଲକ୍ଷ୍ମୀ-ନାରାୟଣ; ରାମ ହେଲେ ସୀତା ପତି, କୌଶଲ୍ୟା ନନ୍ଦନ; ଲକ୍ଷ୍ମଣ ହେଲେ ସୁମିତ୍ରା ନନ୍ଦନ। ଶିବଙ୍କୁ ଆମେ ଡାକିଲେ ହେ ଉମାପତି, ପାର୍ବତୀ ପତି ତ୍ରାହି ମା˚ ଭବସାଗରମ୍।
ଏ ସବୁ ମନ ଦେଇ ଶୁଣିବା ପରେ ସେ କହିଲେ, ‘ମୁଁ ଏପରି ବ୍ୟାଖ୍ୟା ଶୁଣିନଥିଲି। ଏପରି ବିଚାର ଆମ ପାଠ୍ୟକ୍ରମରେ ସାମିଲ ହେବା ଦରକାର। ନାଁ ଲେଖା ବେଳେ ସାଙ୍ଗିଆ ନ ରଖିବା ଏକ ପଲିସି ଇସୁ। ମୁଁ ଏ ବିଷୟରେ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହେବି। ଦଶ ମିନିଟ୍ ପାଇଁ ନିର୍ଦ୍ଧାରିତ ସାକ୍ଷାତ୍ ଏକ ଘଣ୍ଟାରେ ସରିଲା। ଏହା ପରେ ଦେଶରେ ଆରମ୍ଭ ହେଲା ମଣ୍ତଳ-କମଣ୍ତଳ ଆନ୍ଦୋଳନ ଓ ରାଜନୀତି। ଜାତିମୁକ୍ତ ସମାଜର ସ୍ବପ୍ନ ହଜିଗଲା ଜାତିଯୁକ୍ତ ସମାଜରେ। ପଛୁଆ, ଅତି ପଛୁଆ ଜାତିରେ ନାଁ ଲେଖାଇବା ପାଇଁ ଆଗୁଆଙ୍କ ମଧୢରେ ଚାଲିଲା ପଛୁଆ ହେବା ପାଇଁ ପ୍ରବଳ ପ୍ରତିଯୋଗିତା। ଏହା ଦେଖି ସ୍ବର୍ଗରେ ଜାନକୀବଲ୍ଲଭ କ’ଣ ଭାବୁଥିବେ ସତେ!
-ପୂର୍ବତନ ବରିଷ୍ଠ ପରାମର୍ଶଦାତା,
ଭାରତ ନିର୍ବାଚନ ଆୟୋଗ