ପ୍ରାୟ ୬୦୦୦ ବର୍ଷ ହେବ ମାଟି ତଳେ ଶୋଇ ରହିଛନ୍ତି ଦୁଇଜଣ। ନିଶ୍ଚିନ୍ତରେ, ନିର୍ଲିପ୍ତରେ....! ସମଗ୍ର ବିଶ୍ବରେ ଘଟି ଚାଲିଥିବା ଯାବତୀୟ ଘଟଣାକୁ ଏକପ୍ରକାର ଅବଜ୍ଞା କରି ମାଟି ସହିତ ମିଶି ରହିଛନ୍ତି ସେମାନେ। ଏତେବର୍ଷ ପରେ ମଧ୍ୟ ବଦଳି ନାହିଁ ସେମାନଙ୍କର ଅବସ୍ଥାନ। ବିଶ୍ବର ବିଖ୍ୟାତ ପ୍ରେମୀଯୁଗଳ ରୋମିଓ-ଜୁଲିଏଟ୍, ହିର୍-ରାଞ୍ଝାଙ୍କ ପ୍ରେମ କାହାଣୀ ସହିତ ଏମାନେ ମଧ୍ୟ ପ୍ରତିଷ୍ଠା କରିଯାଇଛନ୍ତି ସେମାନଙ୍କ ନିଜସ୍ବ ପରିଚିତି। ଏମାନେ ଜୀବିତ ନୁହନ୍ତି। ରକ୍ତ ମାଂସ ମିଶିଯାଇଛି ମାଟି ସହିତ। ପଡ଼ି ରହିଛି କେବଳ କଙ୍କାଳ। କାଳର ନିୟମରେ ତାହା ମଧ୍ୟ ଜରାଜୀର୍ଣ୍ଣ। ଲଭର୍ସ ଅଫ୍ ଭାଲ୍ଦାରୋ ନାମରେ ହିଁ ବିଶ୍ବବାସୀ ସେମାନଙ୍କୁ ଚିହ୍ନିଛନ୍ତି। ଏମାନଙ୍କ ସହିତ ୬୦୦୦ ବର୍ଷର ଇତିହାସ ଜଡ଼ିତ ହୋଇରହିଛି।
ଉତ୍ତର ଇଟାଲୀର ମାଁତୁୟା ଗ୍ରାମ ନିକଟରେ ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ମାଟିର ଗଭୀରରେ ପରସ୍ପରକୁ ଆଲିଙ୍ଗନ କରିଥିବା ଅବସ୍ଥାରେ ଦୁଇଟି କଙ୍କାଳକୁ ଉଦ୍ଧାର କରିଥିଲେ ପ୍ରତ୍ନତତ୍ତ୍ବବିଦ୍ମାନେ। କଙ୍କାଳ ଦୁଇଟି ଭିତରୁ ଗୋଟିଏ ଥିଲା ପୁରୁଷର ଏବଂ ଅପରଟି ନାରୀର। ପରୀକ୍ଷାନିରୀକ୍ଷା ପରେ ପ୍ରତ୍ନତାତ୍ତ୍ବିକମାନେ ଜଣାଇଥିଲେ ଯେ କଙ୍କାଳ ଦୁଇଟି ୫୦୦୦-୪୦୦୦ ଖ୍ରୀଷ୍ଟପୂର୍ବର। ଅର୍ଥାତ୍ ପ୍ରାୟ ୬୦୦୦ ବର୍ଷ ପୁରୁଣା। ପ୍ରତ୍ନତାତ୍ତ୍ୱିକମାନେ ଜଣାଇଛନ୍ତି ଯେ ହୁଏତ ଏଭଳି ଭାବରେ ଉଭୟଙ୍କୁ କବର ଦିଆଯାଇଥିଲା କିମ୍ବା ଉଭୟେ ଉଭୟଙ୍କୁ ଆଲିଙ୍ଗନ କରିଥିବା ଅବସ୍ଥାରେ ମାଟି ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜଣାଯାଇଛି ଯେ, ମୃତ୍ୟୁ ବେଳକୁ ପୁରୁଷ କଙ୍କାଳ ବା ଯୁବକ କଙ୍କାଳର ଏବଂ ନାରୀ ବା ଯୁବତୀର କଙ୍କାଳର ବୟସ ଥିଲା ଯଥାକ୍ରମେ ୨୦ ଓ ୧୮ ବର୍ଷ। ଉଚ୍ଚତା ଥିଲା ୫ ଫୁଟ ୨ ଇଞ୍ଚ ଓ ୫ ଫୁଟ। ମୃତ୍ୟୁପରେ ମଧ୍ୟ ଦୁଇଜଣଙ୍କୁ କେହି ଅଲଗା କରି ପାରିନଥିଲେ। ଲୋକ ବିଶ୍ବାସ ଅନୁସାରେ କୌଣସି କାଳରେ ପ୍ରକୃତ ପ୍ରେମର ମୃତ୍ୟୁ ହୋଇନଥାଏ। ଆଉ ୬୦୦୦ ବର୍ଷ ପୁରୁଣା ପ୍ରେମ ସେହିକଥା ହିଁ ପ୍ରମାଣିତ କରୁଛି।
ବର୍ତ୍ତମାନ ସେହି ଆଲିଙ୍ଗନରେ ଆବଦ୍ଧ କଙ୍କାଳ ଦୁଇଟିକୁ ଅବିକଳ ସେହିପରି ଭାବରେ ଇଟାଲୀର ମାଁତୁୟା ନ୍ୟାସନାଲ ଆର୍କିଓଲୋଜିକାଲ୍ ମ୍ୟୁଜିୟମ୍ରେ ସୁରକ୍ଷିତ ରଖାଯାଇଛି। ପ୍ରତିବର୍ଷ ହଜାର ହଜାର ଲୋକ ଏହି ଅଦ୍ଭୁତ ପ୍ରେମର ନିଦର୍ଶନକୁ ଦେଖିବା ପାଇଁ ସେଠାକୁ ଯାଇଥା’ନ୍ତି। ପ୍ରେମିକ-ପ୍ରେମିକା ସେହି ସ୍ଥାନକୁ ପ୍ରେମର ପବିତ୍ରତମ ସ୍ଥାନ ଭାବେ ମନେ କରିଥା’ନ୍ତି। ୬୦୦୦ ବର୍ଷ ପ୍ରାଚୀନ ପ୍ରେମର ନିଦର୍ଶନ ଲଭର୍ସ ଅଫ୍ ଭାଲ୍ଦାରୋକୁ ଦେଖି ବିସ୍ମୟ ଆଜି ବିଶ୍ବବାସୀ।
ଉପସ୍ଥାପନା: ପ୍ରଦୀପ କୁମାର ରାୟ
ଫଟୋ ସୌଜନ୍ୟ: ଗୁଗୁଲ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/Xr2pEB4k5I7AUg1RZUV9.jpg)