ସ୍କଟ୍ଲାଣ୍ଡ୍ର ଦ୍ବିତୀୟ ବୃହତ୍ ପର୍ବତ ଶୃଙ୍ଗ ବେନ୍ ମ୍ୟାକ୍ଡୁଇ ଶିଖର ଓ ଘାଟିରେ ଘୂରିବୁଲୁଥିବା ଏକ ବିଶାଳ ଜୀବକୁ ନେଇ ରହସ୍ୟ ଏବେ ବି ଉନ୍ମୋଚିତ ହୋଇନାହିଁ। ‘ବିଗ୍ ଗ୍ରେ ମ୍ୟାନ୍’ କୁହାଯାଉଥିବା ଏହି ବିରାଟ ଜୀବକୁ ହିମାଳୟର ‘ୟେତି’ ଓ ଆମେରିକୀୟ ପ୍ରଶାନ୍ତ ମହାସାଗର ଉତ୍ତରପଶ୍ଚିମ ଅଞ୍ଚଳର ‘ବିଗ୍ ଫୁଟ୍’ ସହ ତୁଳନା କରାଯାଏ। ଏହାକୁ ଖୁବ୍ସ୍ବଳ୍ପ ଲୋକ ଦେଖିଛନ୍ତି ବୋଲି ଦାବିକରନ୍ତି। କିନ୍ତୁ, ବାସ୍ତବରେ ସେଠାରେ ସେପରି କୌଣସି ଦାନବୀୟ ଜନ୍ତୁ ଥିବା କଥା ବିଶେଷଜ୍ଞମାନେ ବିଶ୍ବାସ କରୁ ନ ଥିଲେ ବି ଏହାର ଅସ୍ତିତ୍ବକୁ ସଂପୂର୍ଣ୍ଣ ଅସ୍ବୀକାର କରିପାରୁନାହାନ୍ତି।
ଉଚ୍ଚତା ଦଶଫୁଟ୍, ଚାଲିଲେ ଭାଙ୍ଗେ ପଥର
‘ବିଗ୍ ଗ୍ରେ ମ୍ୟାନ୍’ ଦେଖିଥିବା ଲୋକଙ୍କ ବର୍ଣ୍ଣନା ଅନୁସାରେ, ଜୀବଟି ଦେଖିବାକୁ ମଣିଷ ଭଳି। ତା’ର ଉଚ୍ଚତା ୧୦ ଫୁଟ୍ରୁ ଅଧିକ। କେଶ କ୍ଷୁଦ୍ର ଓ କୃଷ୍ଣକାୟ। ଛାତି ପ୍ରଶସ୍ତ ଓ ବାହୁ ଦୀର୍ଘ। ସେ ଚାଲିଲେ ତା’ଓଜନରେ ଗେଙ୍ଗୁଟି ବା ଛୋଟ ପଥରଗୋଡ଼ି ଚୂରିହୋଇଗଲା ପରି ଶବ୍ଦହୁଏ। ସ୍କଟ୍ଲାଣ୍ଡ୍ର ଅତିକାୟ ଧୂସର ମାନବ ଭାବେ ବିଦିତ ଭୟ ଉଦ୍ରେକକାରୀ ସେ ଜୀବଟିକୁ ପ୍ରାୟ ୧୦୦ ବର୍ଷ ତଳେ ଦେଖିଥିଲେ ବୋଲି ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ବୈଜ୍ଞାନିକ ଜନ୍ ନର୍ମ୍ୟାନ୍ କୋଲି କହିଥିଲେ। ଏକାଧାରରେ ସେ ଥିଲେ ବୈଜ୍ଞାନିକ, ଅନ୍ବେଷଣକାରୀ ଓ ପର୍ବତାରୋହୀ।
ଜୀବନ ବିକଳରେ ପାଞ୍ଚ ମାଇଲ୍ ଦୌଡ଼
ଆବ୍ଡିନ୍ସ୍ଥିତ କେୟାନ୍ଗୋର୍ମ କ୍ଲବ୍ରେ ଉଦ୍ବୋଧନ ଦେବାଲାଗି କଲିଙ୍କୁ ୧୯୨୫ରେ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ସେ ୩୦ ବର୍ଷ ତଳେ ବ୍ରିଟେନ୍ର ଦ୍ବିତୀୟ ବୃହତ୍ ପର୍ବତ ବେନ୍ ମ୍ୟାକ୍ଡୁଇ ଆରୋହଣ ସମୟର କଥା କହି ଶ୍ରୋତାମାନଙ୍କୁ ହତବାକ୍ କରିପକାଇଥିଲେ। ସେ କହିଥିଲେ, ଭୀଷଣ କୁହୁଡ଼ି ହୋଇଥିଲା। ପର୍ବତ ଶିଖରରୁ ଅବତରଣ କରିବା ବେଳେ ପଛଆଡୁ ଗୋଡ଼ି ରଗଡ଼ିବା ପରି କେହି ଜଣେ ପାଦ ପକାଇ ଆସୁଥିବା ଶୁଭିଲା। ମୁଁ ଚାରିଆଡ଼କୁ ଅନାଇଲି, କିନ୍ତୁ କାହାକୁ ଦେଖିଲି ନାହିଁ। ସେ ପାଦ ମତେ ଅନୁସରଣ କରି ସେମିତି ପଡ଼ିଚାଲିଲା। ବିପଦ ଆଶଙ୍କାକରି ଭୀତତ୍ରସ୍ତ ହୋଇ ମୁଁ ଜୀବନ ବିକଳରେ ଦୌଡ଼ିଲି। ଚାରିପାଞ୍ଚ ମାଇଲ୍ ବାଟ ଦୌଡ଼ି ରଥିମର୍ଚିସ୍ ଅରଣ୍ୟ ପାଖକୁ ଚାଲିଗଲି। ତା’ପରେ ସମ୍ବାଦପତ୍ର ସବୁ ପ୍ରଫେସର୍ କଲିଙ୍କ ବର୍ଣ୍ଣନା ଛାପିଲେ। ସେଉଠୁ ଜନ୍ମନେଲା ବେନ୍ ମ୍ୟାକ୍ଡୁଇର ଅତିକାୟ ଧୂସର ମାନବ ସମ୍ବନ୍ଧୀୟ କାହାଣୀ।
ବିଶାଳ ଧୂସର ମାନବକୁ ଗୁଳି
ବେନ୍ ମ୍ୟାକ୍ଡୁଇ ଆରୋହଣ ସମୟରେ ତାଙ୍କର ମଧ୍ୟ ଏଭଳି ଭୀତିପ୍ରଦ ଅନୁଭୂତି ହୋଇଥିଲା ବୋଲି ଅନ୍ୟତମ ହିମାଳୟ ଆରୋହୀ ଏ. ଏମ୍. କେଲାସ୍ ପ୍ରଫେସର୍ କଲିଙ୍କୁ କହିଥିଲେ। ସେହିପରି, ପର୍ବତାରୋହୀ ଆଲେକ୍ଜେଣ୍ଡର୍ ଟିୟୁନିୟନ୍ ବି ଦାବି କରିଥିଲେ ଯେ ୧୯୪୩ରେ କୁହୁଡ଼ି ଘୋଟିଥିବା ବେଳେ ବେନ୍ ମ୍ୟାକ୍ଡୁଇ ଆରୋହଣ କାଳରେ ସେ ବିଶାଳକାୟ ଧୂସର ମାନବକୁ ଦେଖିଥିଲେ। ସେ ତାଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଲା ବୋଲି ଦାବି କରିଥିଲେ ଟିୟୁନିୟନ୍। ଯୋଗକୁ ସେ ସାଥିରେ ରିଭଲ୍ଭର୍ ନେଇଥିଲେ। ସେଠାରୁ ଦୌଡ଼ି ପଳାଇ ଆସିବା ଆଗରୁ ସେ ଧୂସର ମାନବ ଆଡ଼କୁ ଗୁଳି ଚଳାଇଥିଲେ। ମେଷ ଚରାଇବା ବେଳେ କେୟାରନ୍ଗୋର୍ମ ଅଞ୍ଚଳରେ ଗୋଟାଏ ଛାୟାମୂର୍ତ୍ତି ହାବୁଡ଼ରେ ପଡ଼ିଥିବା କଥା ୧୯୭୦ ଦଶକରେ କବି ଜେମ୍ସ୍ ହଗ୍ ମଧ୍ୟ ଲେଖିଥିଲେ। ହଗ୍ ଦ୍ବିତୀୟବାର ବି ସେ ଛାୟାମୂର୍ତ୍ତି ଦେଖିଥିଲେ। ସେଥର ସେ ଘଟଣାସ୍ଥଳରୁ ପଳାଇ ଆସିବାରୁ ଛାୟାମୂର୍ତ୍ତି ବି ପଳାଇ ଯାଇଥିଲା।
କ’ଣ କହୁଛନ୍ତି ବୈଜ୍ଞାନିକ
ବୈଜ୍ଞାନିକମାନେ କହନ୍ତି ଯେ ହଗ୍ଙ୍କ କହିବା କଥା ସତ୍ୟ। ମାତ୍ର ସେ ଯାହାକୁ ଛାୟାମୂର୍ତ୍ତି ଭାବୁଛନ୍ତି ତାହା ‘ବ୍ରୋକେନ୍ ସ୍ପେକ୍ଟର୍’ କୁହାଯାଉଥିବା ବାୟୁମଣ୍ଡଳୀୟ ଘଟଣା। ‘ବ୍ରୋକେନ୍ ସ୍ପେକ୍ଟର୍’ ହେଉଛି ବଉଦ ଅଥବା କୁହୁଡ଼ି ଉପରେ ପଡୁଥିବା ଗୋଟାଏ ବୃହଦ୍କାୟ ଛାଇ। ସାଧାରଣତଃ ଶୀତଋତୁରେ ସୂର୍ଯ୍ୟ ଦିଗ୍ବଳୟରେ ଥିବାବେଳେ ଏହା ସଂଘଠିତ ହୋଇଥାଏ। ସେତେବେଳେ ସୂର୍ଯ୍ୟରଶ୍ମି ପର୍ବତ ଉପରେ ବା ପାଖରେ ଥିବା ବ୍ୟକ୍ତିବିଶେଷଙ୍କ ଛାଇକୁ କିମ୍ଭୁତକିମାକାର କରି ଆକାଶରେ ଥିବା ମେଘମାଳା ମଧ୍ୟସ୍ଥ ଫାଙ୍କ ଅଥବା ତଳେ ଭାସୁଥିବା କୁହୁଡ଼ି ସ୍ତରରେ ପକାଇଥାଏ। ସେତେବେେଳ ସେ ଛାଇ ଚାରିପଟେ ବୃତ୍ତାକାର ଇନ୍ଦ୍ରଧନୁ ବି ଦୃଶ୍ୟମାନ ହୁଏ। ଦୃଷ୍ଟିଭ୍ରମ ଯୋଗୁଁ ବେଳେ ବେଳେ ଲୋକେ ସେ ଛାଇକୁ ଅତିକାୟ ଜୀବ ବୋଲି ମନେକରନ୍ତି। କେତେକ ଖୁବ୍ ଭୀତତ୍ରସ୍ତ ହୋଇ ସେଠାରୁ ଧାଇଁ ପଳାଇ ଆସନ୍ତି। ବିଶେଷଜ୍ଞମାନେ କହନ୍ତି, ଅତିକାୟ ଧୂସର ମାନବ ଅତିଭୌତିକ କି ଦାନବୀୟ ଜନ୍ତୁ ନୁହେଁ। କିନ୍ତୁ, ଏହାକୁ ‘ବ୍ରୋକେନ୍ ସ୍ପେକ୍ଟର୍’ କହୁଥିବା ବିଶେଷଜ୍ଞମାନେ କଲି ଶୁଣିଥିବା ଗୋଡ଼ିରଗଡ଼ା ଶବ୍ଦ ବିଷୟରେ କିଛି କହୁନାହାନ୍ତି।
ହଠାତ୍ ଉଭେଇଯାଏ
ଆଡ୍ଭେଞ୍ଚର୍ ଓ ପ୍ରକୃତି ବର୍ଣ୍ଣନାକାରୀ ଲେଖକ, ଫଟୋଗ୍ରାଫର୍ ତଥା ଚାଲି ଚାଲି ଦୀର୍ଘପଥ ଯାତ୍ରା କରୁଥିବା କ୍ରିସ୍ ଟାଉନ୍ସେଣ୍ଡ୍ ବି ସବୁ ପାଗରେ ଅନେକଥର ବେନ୍ ମ୍ୟାକ୍ଡୁଇ ଆରୋହଣ କରିଛନ୍ତି। ସେ କହନ୍ତି, ‘‘ମୋର ଅନୁମାନ ଯେ କଦବା କ୍ବଚିତ୍ ଅତିକାୟ ଧୂସର ମାନବ ପ୍ରକଟ ହେବା ଏବଂ ପାଦଶଦ୍ଦ ଶୁଭିବା ଲାଗି କୁହୁଡ଼ି ଅଥବା ଅନ୍ଧକାର ଦାୟୀ। ଏଥିରେ କିଛି ବ୍ୟତିକ୍ରମ ଘଟୁଥିବାରୁ ଶବ୍ଦର ତୀବ୍ରତା ଓ କୌଣସି ଜିନିଷର ଛାଇ ବହୁଗୁଣିତ ହୋଇଯାଉଛି। ସେମିତି ଏକେଲା ବେନ୍ ମ୍ୟାକ୍ଡୁଇ ଶୃଙ୍ଗ ଆରୋହଣ କରିଥିବା ଆଉଜଣେ ବ୍ୟକ୍ତି ମଧ୍ୟ ‘ଅତିକାୟ ଧୂସର ମାନବ’ ଦେଖା ଅନୁଭୂତି କହିଛନ୍ତି। ଥରେ ଗ୍ରୀଷ୍ମକାଳରେ ସେ ବେନ୍ ମ୍ୟାକ୍ଡୁଇ ଯାଇଥିଲେ। ଗ୍ରୀଷ୍ମଦିନ ହୋଇ ସୁଦ୍ଧା ଏତେ କୁହୁଡ଼ି ହୋଇଥିଲା ଯେ ଦିନ ଦିଶୁଥିଲା ରାତିପରି। ତାଙ୍କୁ ଶୁଭିଲା କେହି ଯେମିତି ପର୍ବତର ଉପରଭାଗରେ ଥିବା ଗେଙ୍ଗୁଟି ଉପରେ ପାଦ ପକାଇ ଚାଲୁଛି। ପାଦଶବ୍ଦ ତାଙ୍କ ପଛଆଡୁ ମାତ୍ର କେଇଗଜ ଦୂରରୁ ଶୁଭିଲା ପରି ଜଣାପଡୁଥିଲା। ସେତିକି ବେଳେ ହଠାତ୍ କୁହୁଡ଼ି ଉଭେଇଗଲା। ସେ ଚାରିଆଡ଼କୁ ଅନାଇ ଦେଖିଲେ ପାହାଡ଼ ଉପରେ କୌଣସି ଜୀବଜନ୍ତୁ ନ ଥିଲେ। ମନୋବିଜ୍ଞାନୀମାନେ କହନ୍ତି, ‘‘କ୍ଳାନ୍ତି ଓ ନିଃସଙ୍ଗତା ଯୋଗୁଁ ଶାରୀରିକ ଓ ମାନସିକ ଭାବେ ଅବସନ୍ନ ହୋଇପଡ଼ିଥିବା ବ୍ୟକ୍ତିମାନେ ଏଭଳି ବର୍ଣ୍ଣନା କରନ୍ତି।’’ ସେ ମାନସିକ ଭ୍ରମ କି, ଦୃଷ୍ଟି ଭ୍ରମ ହୋଇଥାଉ- କେହି ସୁନିଶ୍ଚିତକରି ଅତିକାୟ ଧୂସର ମାନବ ଉପସ୍ଥିତି ଅସ୍ବୀକାର କରିପାରୁ ନାହାନ୍ତି। ଯିଏ ଯାହା କହିଲେ ମଧ୍ୟ ଅତିକାୟ ଧୂସର ମାନବ ଏବେ ବି ରହସ୍ୟମୟ ଜୀବ ହୋଇ ରହିଛି। ଏବେ ବି ସେ ଭୌତିକ ପର୍ବତ ଆରୋହଣ କରୁଥିବା ଲୋକେ ଅତିକାୟ ଧୂସର ମାନବ ପାଦଶବ୍ଦ ଶୁଣିବାକୁ କାନଡେରି ରହୁଛନ୍ତି।