୧୯୮୦ ଦଶକରେ ଆବିଷ୍କୃତ ହେବାଠାରୁ ‘ଜାପାନର ଆଟ୍ଲାଣ୍ଟିସ୍’ କୁହାଯାଉଥିବା ଜଳମଗ୍ନ ୟୋନାଗୁନି ଇମାରତ୍ ବିଷୟରେ ଅନେକ ବିତର୍କ ଚାଲିଛି। ଏହା ସମ୍ପୂର୍ଣ୍ଣ ସ୍ବାଭାବିକ ଭାବେ ସୃଷ୍ଟି ହୋଇଛି ବୋଲି କେତେକ କହୁଥିବା ବେଳେ ଆଉ କେତେକ କହୁଛନ୍ତି ଯେ ତାହା ପ୍ରାଚୀନ ସଭ୍ୟତା ସମୟର ମାନବ ନିର୍ମିତ ଇମାରତ୍। କିନ୍ତୁ, ସମୁଦ୍ର ଭିତରେ ବୁଡ଼ି ରହିଥିବା ଏ ବିସ୍ମୟର ପ୍ରକୃତ ପରିଚୟ ଏଯାବତ୍ ଅମୀମାସିଂତ ହୋଇ ରହିଛି। ୧୯୮୬ ମସିହାର କଥା। ଜାପାନର ଓକିନାୱା ଅନ୍ତର୍ଗତ ୟୋନାଗୁନି ଦ୍ବୀପାଞ୍ଚଳରେ ହାମର୍ହେଡ୍ ସାର୍କ ବା ହାତୁଡ଼ିମୁଣ୍ଡିଆ ହାଙ୍ଗରମାଛ ଅଛନ୍ତି କି ନାହିଁ, ତା’ର ସନ୍ଧାନ ନେବା ଲାଗି କିହାଚିରୋ ଅରାତକେ ନାମରେ ଜଣେ ସ୍ଥାନୀୟ ବୁଡ଼ାଳି ସମୁଦ୍ରରେ ବୁଡ଼ି ଖୋଜାଖୋଜି କରୁଥିଲେ। ବୁଡ଼ିବା ବେଳେ ସେ ଚତୁଃପାର୍ଶ୍ବସ୍ଥ ଅଗଭୀର ଜଳରାଶି ଭିତରେ ଅଜବ ଇମାରତ୍ଟିଏ ଦେଖିଲେ।
ସେଭଳି ବସ୍ତୁ ସାଧାରଣତଃ ସମୁଦ୍ର ଶଯ୍ୟାରେ ଦେଖାଯାଏ ନାହିଁ। ତାହା ଦେଖିବାକୁ ପିରାମିଡ୍ ସଦୃଶ। ତା’ର ଶୀର୍ଷକୁ ଉଠିବା ପାଇଁ ରହିଥିଲା ଅନେକ ପାହାଚ ବା ସ୍ତର। ସ୍ପଷ୍ଟ ଦିଶୁଥିବା ତା’ର ଧାର, କୋଣ ଓ ପାହାଚ ସବୁ ଥିଲା ଗୋଟିଏ ମାପର। ଇମାରତ୍ର ଉଚ୍ଚତା ୨୫ ମିଟର୍, ଦୈର୍ଘ୍ୟ ୧୦୦ ମିଟର୍ ଓ ପ୍ରସ୍ତ ୬୦ ମିଟର୍। ତାହା ଅବକ୍ଷିପ୍ତ ଓ କନ୍ଦା ଶିଳାରେ ତିଆରି ହୋଇଥିଲା। ୪୫ ହଜାର ବର୍ଗ ମିଟର୍ ପରିମିତ ସ୍ଥାନରେ ଅବସ୍ଥିତ ସେ ଇମାରତ୍ଟି ପ୍ରାୟ ୨୦ ନିୟୁତ ବର୍ଷ ପୁରାତନ। କିନ୍ତୁ, ତା’ର ନିର୍ମାତା କିଏ ବା ତାହା କେମିତି ସୃଷ୍ଟି ହେଲା ସେ କଥା କାହାକୁ ଜଣାନାହିଁ।
ପ୍ରାଚୀନ ସଭ୍ୟତା!
ଜାପାନର ରୁୢକ୍ୟୁସ୍ ବିଶ୍ବବିଦ୍ୟାଳୟର ଗବେଷକ ମସାକି କିମୁରା ମନେକରନ୍ତି ଯେ ସେ ଇମାରତ୍ ହେଉଛି ମାନବକୃତ ପୁଞ୍ଜାଏ ମନୋଲିଥ୍। ତାହା ୧୦ ହଜାର ବର୍ଷ ପୁରାତନ ଏବଂ ବିଲୁପ୍ତ ମହାଦେଶ ‘ମୁଉ’ର ଅଂଶବିଶେଷ ଥିଲା ବୋଲି କୁହାଯାଏ। କିନ୍ତୁ ଆଉ କେତେକ ଗବେଷକଙ୍କ ମତରେ ଏଭଳି କୌଣସି ମହାଦେଶର ଅସ୍ତିତ୍ବ ଥିବାର ପ୍ରମାଣ ନାହିଁ।
‘ମୁଉ’ ଏକ କଳ୍ପିତ ମହାଦେଶ। ଏହାର ଇତିବୃତ୍ତ ‘ଆଟ୍ଲାଣ୍ଟିସ୍’ ଓ ‘ଲ୍ୟୁମେରିଆ’ ଜନଶ୍ରୁତି ଭଳି ବୋଲି କେତେକ ଗବେଷକ ଦାବିକରନ୍ତି। ଉକ୍ତ ମତବାଦ ଅନୁସାରେ, ଭୂମିକମ୍ପ ଅଥବା ମହାବାତ୍ୟା ଭଳି ଗୋଟାଏ ମହାପ୍ରଳୟ ଏ ଦେଶକୁ ସମୁଦ୍ର ଗର୍ଭରେ ଲୀନ କରିଦେଲା। ଆଉ ସେଠାକାର ବାସିନ୍ଦାମାନେ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ପଳାୟନ କରି ସଭ୍ୟତା ସ୍ଥାପନକଲେ। ପ୍ରାଚୀନ ମିଶର ଓ ମାୟା ସଭ୍ୟତା ସେମାନଙ୍କ ଅବଦାନ। କିନ୍ତୁ, ବିଦ୍ବାନ୍ମାନେ ଏ ତତ୍ତ୍ବକୁ କଳ୍ପନାପ୍ରସୂତ ବା ନିରୋଳା ପରୀକାହାଣୀ ବୋଲି କହି ଅଗ୍ରାହ୍ୟ କରିଦିଅନ୍ତି।
ଏ ସଂକ୍ରାନ୍ତରେ କିମୁରା କେତୋଟି ପ୍ରମାଣ ବି ଉପସ୍ଥାପନ କରନ୍ତି। ପ୍ରଥମତଃ, ‘ରିଙ୍ଗ୍ ଅଫ୍ ଫାୟାର୍’ ବା ଅଗ୍ନିବଳୟ ମଧ୍ୟରେ ଜାପାନର ଅସ୍ଥିର ଅବସ୍ଥିତି କାରଣରୁ ସେଠାରେ ସଦାବେଳେ ଭୂମିକମ୍ପ ଏବଂ ଆଗ୍ନେଗିରି ଉଦ୍ଗୀରଣ ଘଟୁଛି। ଜାପାନରେ ଭୀଷଣ ତୋଫାନ୍ ହୁଏ। ସେଥିଯୋଗୁଁ ସେ ଭୂଖଣ୍ଡଟି ସମୁଦ୍ର ଭିତରେ ଡୁବିଯାଇଥିବ। ଦ୍ବିତୀୟତଃ, ସେ ଇମାରତ୍ରେ ଜୀବଜନ୍ତୁଙ୍କ ସହିତ ମେଳ ଖାଉଥିବା ପ୍ରତିମା ରହିଛି। ତା’ଛଡ଼ା ଶିଳା ଖୋଦେଇ ଓ ସ୍ତମ୍ଭ ଥିବା ଭଳି ଗର୍ତ୍ତ ମଧ୍ୟ ରହିଛି। ତୃତୀୟତଃ, ଉକ୍ତ ଇମାରତ୍ରେ ଥିବା ସଳଖରେଖା, ତୀକ୍ଷ୍ମକୋଣ, ପାହାଚଶ୍ରେଣୀ, କେନାଲ୍ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଉନ୍ନତ ନିର୍ମାଣ ଶୈଳୀର ପ୍ରମାଣ ଦିଏ।
ଆଉ କିଛି ଲୋକ ବିଶ୍ବାସ କରନ୍ତି ଯେ, ଜୋମନ୍ ଲୋକେ ଏହି ଇମାରତ୍ ନିର୍ମାଣ କରିଥିବେ। ଜୋମନ୍ମାନେ ହେଉଛନ୍ତି ଶବର ସମ୍ପ୍ରଦାୟର ଲୋକ ଓ ସେମାନେ ଖ୍ରୀଷ୍ଟପୂର୍ବ ୩୦୦ରେ ଜାପାନୀ ଦ୍ବୀପପୁଞ୍ଜ ଦଖଲ କରିଥିଲେ। ସମ୍ପ୍ରତି ଜାପାନ ଜନସଂଖ୍ୟାର ୯୭% ହେଉଛନ୍ତି ‘ୟାମାତୋ ଜାପାନିଜ୍’। ସେମାନେ ଜୋମନ୍ଙ୍କ ବଂଶଧର। ମୋଟ୍ ଉପରେ କହିଲେ ସେ ଇମାରତ୍ ଇଚ୍ଛାପ୍ରମାଣେ ଗଢ଼ା ହୋଇଥିବା ପରି ଅନୁମାନ କରାଯାଉଛି। ହୁଏତ ତାହା ଗୋଟାଏ ପ୍ରାଚୀନ ଜଳ-ନିମଜ୍ଜିତ ନଗରୀ ହୋଇପାରେ।
ପ୍ରାକୃତିକ କାରୁକଳା!
ଆଉ ଗୋଟାଏ ତତ୍ତ୍ବ ଯାହାକୁ ଅଧିକାଂଶ ଗବେଷକ ଗ୍ରହଣ କରନ୍ତି ତାହା ହେଲା- ଏ ଇମାରତ୍ ହେଉଛି ପ୍ରାକୃତିକ ପ୍ରକ୍ରିୟାର ପରିଣାମ। ଏ ପ୍ରସଙ୍ଗରେ କିମୁରାରଙ୍କର ପ୍ରଧାନ ସମାଲୋଚକ ହେଉଛନ୍ତି ବୋଷ୍ଟନ୍ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବବିତ୍ ରବର୍ଟ ସ୍କଚ୍। ସ୍କଚ୍ଙ୍କର ମନେହୁଏ ଯେ, ସେ ଇମାରତ୍ରେ ଅସଂଖ୍ୟ ସମାନ୍ତରଳ ସ୍ତରୀଭୂତ ସମତଳ ଶିଳା ରହିଛି, ଯାହାର ସ୍ତର ସବୁ ଅନାୟାସରେ ପୃଥକ୍ ହୋଇଯାଇଛି। ଏସବୁ ଯୋଡ଼େଇ ଓ ଭଗ୍ନାଂଶ ଆୟତାକାର ଏବଂ ଅନ୍ୟାନ୍ୟ ସୁଡୌଲ ଆକାର ସୃଷ୍ଟି କରିଛି।
ସେ ପାହାଚଶ୍ରେଣୀ ପରି ବା ପ୍ରାଚୀର ପରି ଦିଶୁ, ସବୁ ପ୍ରାକୃତିକ ପ୍ରକ୍ରିୟାର ପ୍ରଭାବ ଅଥବା ଆପଣାଛାଏଁ ସୃଷ୍ଟି ହୋଇଛି। ସେଥିରେ ଥିବା ଖୋଦେଇ ସବୁ ବି ମଣିଷ ହାତହତିଆରରେ ହୋଇନାହିଁ। ସୁତରାଂ ତାହା ମଧ୍ୟ ସ୍ବାଭାବିକ ଭାବେ ହୋଇଛି ବୋଲି ସ୍କଚ୍ କହନ୍ତି। ସ୍ବାଭାବିକ ଭାବେ ଏଭଳି କିଛି ଗଠନ ହେବା ଆଦୌ ଅସାଧାରଣ ନୁହେଁ। ଏକଥା ଅଧିକ ପ୍ରାଞ୍ଜଳ କରି ସ୍କଚ୍ କହନ୍ତି ଯେ କନ୍ଦା ପଥର କ୍ଷୟ ହେଲାବେଳେ ଏଭଳି ୯୦ ଡିଗ୍ରି କୋଣ ସୃଷ୍ଟିହୁଏ। ସେ ଅଞ୍ଚଳର ତୀବ୍ର ସମୁଦ୍ର ଜଳସ୍ରୋତ ବି ଏହାକୁ ରୂପଦେବାରେ ସହାୟକ ହୋଇଛି। ୟୋନାଗୁନିର ଉତ୍ତର ପ୍ରାନ୍ତରେ ବି ଏ ପ୍ରକାର ଆକୃତି ସୃଷ୍ଟି ହୋଇଥିବା କଥା ସେ ଦର୍ଶାଇଛନ୍ତି।
ବିଗତ ସହସ୍ରାଧିକ ବର୍ଷ ଧରି ସଂଘଠିତ ଅସଂଖ୍ୟ ଭୂମିକମ୍ପ ବି ଉକ୍ତ କନ୍ଦା ପଥରଗୁଡ଼ିକୁ ଫଟାଇ ଜ୍ୟାମିତିକ ଆକୃତି ଦେଇପାରିଥାଏ। ମାଇସିନ୍ ଅମଳରେ ଭୂକମ୍ପ ଯୋଗୁଁ ସେ ଅଞ୍ଚଳରେ ବିପୁଳ ପରିମାଣର କନ୍ଦା ପଥର ଜମା ହୋଇଥିଲା। ଭୂତତ୍ତ୍ବବିତ୍ମାନଙ୍କର ମନେହୁଏ, ଏ ଇମାରତ୍ ପୋତିହୋଇ ରହିଥିବା ଅତିକାୟ ପର୍ବତର ଗୋଟାଏ ଅଂଶ ମାତ୍ର। ବାରମ୍ବାର ଭୂମିକମ୍ପ ଘଟିବା ଯୋଗୁଁ ଶିଳାଗୁଡ଼ିକ ଫାଟି ଏଭଳି ଆକୃତି ଧାରଣ କରିଥାଇପାରେ। ୧୯୮୬ ଏବଂ ୧୯୯୭ରେ ସେ ସ୍ଥାନରେ ଦୁଇଟି ବଡ଼ ଅଭିଯାନ ଚାଲିଥିଲା। କିନ୍ତୁ, ତା’ର ସୃଷ୍ଟି ସଂକ୍ରାନ୍ତରେ କେହି ସୁନିଶ୍ଚିତ ନିଷ୍କର୍ଷରେ ଉପନୀତ ହୋଇପାରି ନାହାନ୍ତି।