ଆଣ୍ଟାର୍କଟିକାର ନିଭୃତ ‘ମ୍ୟାକ୍ ମୁଡ୍ରୋ ଡ୍ରାଏ’ ଉପତ୍ୟକାରେ ରହିଛି ଗୋଟାଏ ଅଦ୍ଭୁତ ପ୍ରାକୃତିକ ବିସ୍ମୟ! ଶତାଧିକ ବର୍ଷ ଧରି ବୈଜ୍ଞାନିକ ଓ ଅନ୍ବେଷଣକାରୀଙ୍କୁ ଏହା ଗୋଲକଧନ୍ଦାରେ ପକାଇଛି। ତାହା ହେଉଛି- ରକ୍ତ ପ୍ରପାତ! ଟେଲର୍ ଗ୍ଲାସିୟର୍ରୁ ଗାଢ଼ ଲାଲ୍ ରଙ୍ଗର ଜଳ ପ୍ରବାହିତ ହୋଇ ବୋନ୍ନି ହ୍ରଦରେ ମିଶୁଛି। ତାଜା ରକ୍ତ ରଙ୍ଗର ଜଳ ଗୋଟିଏ ପଟେ ଭୀତି ସଞ୍ଚାର କରୁଥିବା ବେଳେ ଅନ୍ୟ ପଟେ ଉତ୍ସୁକତା ସୃଷ୍ଟି କରୁଛି। ପ୍ରାୟ ୧୧୫ ବର୍ଷ ତଳେ ଆବିଷ୍କୃତ ଏ ପ୍ରପାତ ଜଳର ରଙ୍ଗ ଲାଲ୍ କାହିଁକି, ତାହାର ରହସ୍ୟ ଏବେ ବି ଅଭେଦ୍ୟ!
ରକ୍ତ ଜଳପ୍ରପାତ ଆବିଷ୍କାର
୧୯୧୧ ମସିହାରେ ଏହି ଉପତ୍ୟକା ଅନ୍ବେଷଣ କରୁଥିବା ବେଳେ ଅକସ୍ମାତ୍ ଅଷ୍ଟ୍ରେଲୀୟ ଭୂତତ୍ତ୍ବବିତ୍ ଟୋମାସ୍ ଗ୍ରିଫିଥ୍ ଟେଲର୍ଙ୍କ ଦୃଷ୍ଟି ଏ ଅସାଧାରଣ ଜଳପ୍ରପାତ ଉପରେ ପଡ଼ିଥିଲା। ସେ ଦେଖିଲେ, ପ୍ରଶସ୍ତ ହିମବାହ ବା ଗ୍ଲାସିୟର୍ ମଧ୍ୟରେ ପ୍ରବାହିତ ହେଉଛି ଉତ୍କଟ ରକ୍ତବର୍ଣ୍ଣ ଜଳଧାରା। ଟେଲର୍ ଲକ୍ଷ୍ୟ କଲେ, ଗ୍ଲାସିୟର୍ ତଳୁ ବହିଆସୁଥିବା ସ୍ବଚ୍ଛ ତରଳ ଜଳ ବାୟୁ ସଂସ୍ପର୍ଶରେ ଆସିଲେ ଲାଲ୍ ପଡ଼ିଯାଉଛି। ଏ ଆବିଷ୍କାର ବିଷୟରେ ଜାଣି ବୈଜ୍ଞାନିକମାନେ ତା’ର ରହସ୍ୟ ଉନ୍ମୋଚନ କରିବାକୁ ଲାଗିପଡ଼ିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏନେଇ ଯେତେ ପରୀକ୍ଷାନିରୀକ୍ଷା କରାଯାଉଛି ସେତେ ନୂଆ ନୂଆ ତଥ୍ୟ ମିଳୁଛି! ଏ ଜଳପ୍ରପାତର ରଙ୍ଗ କାହିଁକି ଅସ୍ବାଭାବିକ ଭାବେ ଲାଲ୍, ତାହା ଏଯାବତ୍ ଅସମାହିତ।
ପ୍ରତି ଗବେଷଣାରୁ ନୂଆ ତଥ୍ୟ
ପୁନଶ୍ଚ ଗବେଷକମାନେ ରକ୍ତପ୍ରପାତରୁ ଜଳ ଓ ମୃତ୍ତିକା ନମୁନା ନେଇ ‘ଟ୍ରାନ୍ସ୍ମିସନ୍ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପ୍’ ଯନ୍ତ୍ରରେ ବିଶ୍ଳେଷଣ କଲେ। ସେଥିରୁ ପ୍ରାପ୍ତ ଅତି ସୂକ୍ଷ୍ମ କଣିକାଗୁଡ଼ିକୁ ଏକ୍ସ୍-ରେ ଦ୍ବାରା ରାସାୟନିକ ବିେଶ୍ଳଷଣ କରି ଦେଖିଲେ ଯେ ସେସବୁ ଲୌହ, ସିଲିକା, କ୍ୟାଲ୍ସିୟମ୍, ଆଲୁମିନିୟମ୍, ସୋଡିୟମ୍ ଓ ଅନ୍ୟାନ୍ୟ ଉପାଦାନରେ ଗଢ଼ା। ଜଳ ପରିବର୍ତ୍ତନ ଲାଗି ଲୌହ ଦାୟୀ ବୋଲି ଏ ଅଧ୍ୟୟନରୁ ବି ଜଣାପଡ଼ିଲା। କିନ୍ତୁ, ପୂର୍ବରୁ ଯେମିତି ମନେକରାଯାଉଥିଲା ସେମିତି ନୁହେଁ। ଏଥିରେ ଲହୌ-ସମୃଦ୍ଧ ଖଣିଜ ଲବଣ ଅମ୍ଳଜାନ ସହିତ ପ୍ରତିକ୍ରିୟା କରୁନାହିଁ। ବିଗଳିତ ଜଳବାୟୁ ସଂସ୍ପର୍ଶରେ ଆସିବାକ୍ଷଣି ଏଥିରେ ଥିବା ଅତିସୂକ୍ଷ୍ମ କଣିକା ଲୌହ-ଅକ୍ସାଇଡ୍ ଓ ହାଇଡ୍ରୋଅକ୍ସାଇଡ୍ ଗଠନ କରୁଛି। ଏହି ଅକ୍ସାଇଡ୍ ସବୁ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସି ରାସାୟନିକ ପ୍ରତିକ୍ରିୟା କରାଉଛନ୍ତି। ତା’ଛଡ଼ା ମାତ୍ରାଧିକ ଲବଣ ଓ କ୍ଲୋରିନ୍, ମ୍ୟାଗ୍ନେସିୟମ୍ ଓ ସୋଡିୟମ୍ ଭଳି ଅନ୍ୟାନ୍ୟ ଉପାଦାନ ବି ଜଳର ରଙ୍ଗ ହଳଦିଆରୁ ନାରଙ୍ଗୀ କରୁଥାଇ ପାରେ। ଏମତି ନୂଆ ନୂଆ ଗବେଷଣା ନୂଆ ପ୍ରକାର ସିଦ୍ଧାନ୍ତରେ ଉପନୀତ କରାଉଛି। କିନ୍ତୁ, କୌଣସି ସିଦ୍ଧାନ୍ତ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଇ ନାହିଁ।
ପାଣି ଲାଲ୍ ଦିଶୁଛି କାହିଁକି?
ବହୁବର୍ଷ ଗବେଷଣା କରି ମଧ୍ୟ ବୈଜ୍ଞାନିକମାନେ ଭେଦ କରିପାରିନାହାନ୍ତି ଏହାର ରହସ୍ୟ। ଅଧିକାଂଶ କ୍ଷେତ୍ରରେ ମ୍ୟାଗ୍ନେଟାଇଟ୍, ଗୋଥାଇଟ୍ ଅଥବା ହେମାଟାଇଟ୍ ଆଦି ଲୌହ-ସମୃଦ୍ଧ ଖଣିଜ ଲବଣ ଥିଲେ ଶିଳା ଓ ଝରଜଳ ନାଲିଚିଆ ଦିଶେ। ପ୍ରାରମ୍ଭିକ ସମୟରେ ସେମାନଙ୍କର ଧାରଣା ହୋଇଥିଲା ଯେ ସମ୍ଭବତଃ ଲାଲ୍ ଶିଉଳି ଯୋଗୁଁ ପାଣି ରକ୍ତବର୍ଣ୍ଣ ଦିଶୁଛି। କିନ୍ତୁ ପରେ ସେ ଧାରଣା ଭ୍ରାନ୍ତ ପ୍ରମାଣିତ ହେଲା। ସେଥିରୁ ଅଙ୍ଗାରକ ମିଳିଲା ସିନା ଶିଉଳିର ଚିହ୍ନବର୍ଣ୍ଣ ନ ଥିଲା। ପୁନର୍ବାର ଗବେଷଣା କରାଯିବାରୁ ଜଣାପଡ଼ିଲା ଯେ କୋଟି କୋଟି ବର୍ଷ ଧରି ତୁଷାରସ୍ତୂପ ତଳେ ଆବଦ୍ଧ ହୋଇ ରହିଥିବା ଲୌହ-ସମୃଦ୍ଧ ଜଳରୁ ହିଁ ଲାଲ୍ ରଙ୍ଗ ଆସୁଛି। ସେଠାରୁ ସେ ଜଳ ନିର୍ଗମନ ହୋଇ ପରିଶେଷରେ ତୁଷାରପୃଷ୍ଠରେ ପହଞ୍ଚି ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସୁଛି। ଫଳରେ ରାସାୟନିକ ପ୍ରତିକ୍ରିୟା ଘଟି ଜଳପ୍ରପାତ ଭୟାବହ ରକ୍ତରୂପ ଧାରଣ କରୁଛି। ଯେମିତି ଅମ୍ଳଜାନ ସଂସ୍ପର୍ଶରେ ଆସି ଲୁହାରେ କଳଙ୍କି ଧରେ, ଠିକ୍ ସେମିତି। ଆଉଥରେ ସେ ଜଳ ପରୀକ୍ଷଣରୁ ଜଣାପଡ଼ିଲା କି, ସେଥିରେ ଜଳର ରଙ୍ଗ ପରିବର୍ତ୍ତନ କଲାଭଳି ଖଣିଜ ଲବଣ ଅତି ସ୍ବଳ୍ପ ମାତ୍ରାରେ ଅଛି। ତେବେ ଜଳ ଲାଲ୍ ହେଉଛି କେମିତି?
ଘନୀଭୂତ ଅବସ୍ଥାରେ ପାଣି ବହୁଛି କେମିତି?
ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରି ସେଲ୍ସିଅସ୍ରେ ଏ ରକ୍ତପ୍ରପାତର ଜଳ ତରଳ ଅବସ୍ଥାରେ ରହୁଛି କେମିତି? ବିଯୁକ୍ତ ୧୯ ଡିଗ୍ରି ତାପମାତ୍ରାରେ ଜଳ ତରଳ ହୋଇ ରହିବା ଅସମ୍ଭବ। କିନ୍ତୁ, ୨୦୦୩ରେ ଗବେଷକମାନେ ଜାଣିପାରିଲେ ଏ ଜଳ ଅତିଶୟ ଲବଣାକ୍ତ। ସମୁଦ୍ର ଜଳଠାରୁ ମଧ୍ୟ ଦି’ଗୁଣ ଲବଣାକ୍ତ। ତେଣୁ ସାଧାରଣ ମଧୁରଜଳ ଅପେକ୍ଷା ଏହା ଉତ୍ତାପ ଧରି ରଖିପାରୁଛି। ସେଥିପାଇଁ ଏ ପାଣି ଘନୀଭୂତ ନ ହୋଇ ଶୂନରୁ କମ୍ ଉତ୍ତାପରେ ବି ତରଳ ଅବସ୍ଥାରେ ରହୁଛି। କେତେକ ବୈଜ୍ଞାନିକ କହନ୍ତି ଯେ ତୁଷାରସ୍ତୂପ ତଳେ କୋଟି କୋଟି ବର୍ଷ ହେବ ଅବରୁଦ୍ଧ ଥିବା ଜଳ ହୁଏତ ସମୁଦ୍ର ଜଳ ହୋଇଥାଇ ପାରେ। ହିମବାହ ମଧ୍ୟରେ ଥିବା ଫାଟ ଓ ନିର୍ଗମନ ପଥ ଦେଇ ଉକ୍ତ ଆବଦ୍ଧ ଜଳରାଶି ତୁଷାରପୃଷ୍ଠକୁ ଚାଲିଆସୁଛି।
ଜଳର ପ୍ରାଚୀନ ଇତିବୃତ୍ତ
ରକ୍ତପ୍ରପାତ ମଧ୍ୟରେ ପ୍ରବାହିତ ଜଳର ପ୍ରାଚୀନ ଇତିବୃତ୍ତ ଅଛି। ବୈଜ୍ଞାନିକମାନେ ମନେକରନ୍ତି କୋଟି କୋଟି ବର୍ଷ ତଳେ ଏହା ଥିଲା ଗୋଟାଏ ଜଳାଶୟର କିଛି ଅଂଶ। ଟେଲର୍ ହିମବାହ କ୍ରମଶଃ ଘୁଞ୍ଚି ଘୁଞ୍ଚି ଯାଇ ବହଳ ବରଫ ଆବରଣ ତଳେ ସେ ହ୍ରଦଜଳକୁ ଏକ ନିୟୁତ ବର୍ଷରୁ ଅଧିକ ସମୟ ମୁଦିଦେଲା ଭଳି ଆବଦ୍ଧକରି ରଖିଥିଲା। କାଳକ୍ରମେ ହିମବାହ ସେଠାରୁ ସାମାନ୍ୟ ଘୁଞ୍ଚିବାରୁ ଭୟାବହ ରଙ୍ଗ ଧାରଣ କରି ସେ ଜଳ ମୁକ୍ତହେଲା। ଏତେ ବର୍ଷ ଧରି ଆବଦ୍ଧ ହୋଇ ରହିବା ପରେ ହଠାତ୍ ବାହାରି ଆସିବା ଯୋଗୁଁ ସେ ଜଳପ୍ରପାତ ରହସ୍ୟମୟ ହୋଇଯାଇଛି। ସତେଯେମିତି ଅତୀତର କିଛି କଥା ବର୍ତ୍ତମାନକୁ ଚାଲିଆସିଛି!