ଇଂଲଣ୍ଡର ରାଜଧାନୀ ଲଣ୍ଡନ୍ରେ ବର୍ଷା ଆଉ କାଲୁଆ ପାଗ ହୋଇଥାଏ। କ୍ୟାପ୍ଟେନ୍ ୱିଲିୟମ୍ କିଡ୍ଙ୍କୁ ଫାଶି କାଠ ପାଖକୁ ନିଆଗଲା। ବେକରେ କାଳପାଶ ଲଗାଯାଇ ପାଦତଳୁ କାଠ କାଢ଼ିନିଆଗଲା। ହଠାତ୍ ଫାଶୀ ଦଉଡ଼ି ଛିଡ଼ିଗଲା ଓ କିଡ୍ ବଞ୍ଚିଗଲେ। କିନ୍ତୁ, ସେ ଜୀବନ ଥିଲା କ୍ଷଣସ୍ଥାୟୀ। ପୁନଶ୍ଚ ପ୍ରସ୍ତୁତି କରାଗଲା ଓ ତାଙ୍କୁ ଫାଶୀକାଠରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଗଲା। ଏମିତି ଶେଷହେଲା ଇତିହାସ ପ୍ରସିଦ୍ଧ ଜଣେ କୁଖ୍ୟାତ ଜଳଦସ୍ୟୁର ଜୀବନ।
ଅଜ୍ଞାତ ସ୍ଥାନରେ ପୋତାଧନ
କ୍ୟାପ୍ଟେନ୍ କିଡ୍ କୁଖ୍ୟାତ ଓ ଅସାମାନ୍ୟ ଦୁଃସାହସୀ ବୋଲି ଲୋକେ ତାଙ୍କୁ ଆଜିଯାଏ ମନେ ରଖିନାହାନ୍ତି। ମନେରଖିଛନ୍ତି ସେ କେଉଁ ଏକ ଅଜ୍ଞାତ ସ୍ଥାନରେ ପୋତି ରଖିଥିବା ଅପର୍ଯ୍ୟାପ୍ତ ଚୋରାଧନ ପାଇଁ। ଅନେକେ ବିଶ୍ବାସ କରନ୍ତି ସେ ଆମେରିକାର ନିୟୁଜର୍ସି ଅନ୍ତର୍ଗତ ଆଣ୍ଟ୍ଲାଟିକ୍ ଉପକୂଳଠାରୁ ପ୍ରାୟ ୧୩୦ କିଲୋମିଟର୍ ଦୂର ସମୁଦ୍ର ମଧ୍ୟରେ କେଉଁଠି ସେହି ଧନ ପୋତିଯାଇଛନ୍ତି। ସେଦିନରୁ ଆଜିଯାଏ ଅନେକ ଅନୁସନ୍ଧାନ, ଖନନ ଆଦି ଚାଲିଥିଲେ ବି ପୋତାଧନର ପତ୍ତା ମିଳୁନି।
କ୍ୟାପ୍ଟେନ୍ କିଡ୍ କିଏ
କ୍ୟାପ୍ଟେନ୍ କିଡ୍ ଇଂଲଣ୍ଡ୍ ଅନ୍ତର୍ଗତ ସ୍କଟ୍ଲାଣ୍ଡ୍ରେ ଜନ୍ମଗ୍ରହଣ କରିଥିଲେ। ରୟାଲ୍ ନେଭିରେ ଚାକିରି ଅନ୍ବେଷଣ ନିମନ୍ତେ ୧୬୯୫ରେ ସେ ଇଂଲଣ୍ଡ୍ ଯାଇଥିଲେ। ସେଠାରେ ସେ ଗୋଟାଏ ଘରୋଇ ଜାହାଜରେ କମାଣ୍ଡର୍ ପଦବି ପାଇଲେ। ଶତ୍ରୁପକ୍ଷ ଦେଶର ଜାହାଜଗୁଡ଼ିକରୁ ଲୁଟ୍ କରିବା ଲାଗି ଇଂଲଣ୍ଡ୍ ସରକାର ସେ ଜାହାଜକୁ ଅନୁମୋଦନ ଦେଇଥିଲେ। ସମ୍ପ୍ରତି ସେ ଯେଉଁ ଜାହାଜର କମାଣ୍ଡର୍ ହୋଇଥିଲେ ତାହା କାରିବିୟନ୍ ଅଭିମୁଖେ ଯାଉଥିଲା ଏବଂ ସେ ଅଭିଯାନରେ କିଡ୍ ଅଭୂତପୂର୍ବ ସଫଳତା ହାସଲ କରି ରାଜନୈତିକ ସ୍ତରରେ ଉପନିବେଶବାଦୀଙ୍କ ପ୍ରିୟଭାଜନ ହୋଇଗଲେ। ତା’ପରେ ସେ ବିବାହକଲେ ମମଥ୍ କାଉଣ୍ଟିର ଜଣେ ବିତ୍ତଶାଳିନୀ ବିଧବାଙ୍କୁ। ବ୍ରିଟିସ୍ ନୌସେନାରେ କମାଣ୍ଡର୍ ଚାକିରି ପାଇବାରେ ଅସଫଳ ହୋଇ ଶେଷକୁ ସେ ରାଜନୈତିକ ସହଯୋଗୀ ଓ ଗୁପ୍ତ ଷଡ୍ଯନ୍ତ୍ରକାରୀଙ୍କ ବୁଦ୍ଧିରେ ପଡ଼ି ଘରୋଇ ଜାହାଜ ଲାଇସେନ୍ସ୍ ପାଇଁ ଆବେଦନ କଲେ। ତାଙ୍କୁ ଲାଇସେନ୍ସ୍ ମିଳିଗଲା। ତା’ ସହିତ ତାଙ୍କୁ ଫରାସୀ ଓ ଜଳଦସ୍ୟୁ ଜାହାଜ ସବୁକୁ ଜବତ କରିବା ଅନୁମତି ବି ମିଳିଲା। ସେଥିରୁ ସେ ଲୁଟ୍ କରିଥିବା ଧନସମ୍ପଦ ଇଂଲଣ୍ଡର ରାଜା ଓ ନିଜ ଦଳ ମଧ୍ୟରେ ବାଣ୍ଟକୁଣ୍ଟ କରିନେଇ ପାରିବେ।
ଜଳଦସ୍ୟୁ କିଡ୍
ନିଜର ନୂତନ ଜାହାଜ ‘ଆଡ୍େଭଞ୍ଚର୍ ଗାଲି’ ନେଇ ୧୬୯୬ ମେ ମାସରେ ସେ ଇଂଲଣ୍ଡ୍ରୁ ନ୍ୟୁୟର୍କ ଚାଲିଲେ। ଯିବା ବାଟରେ ତାଙ୍କ ଜାହାଜର ଅଧିକାଂଶ ନାବିକମାନଙ୍କୁ ବଳପୂର୍ବକ ଗୋଟାଏ ବ୍ରିଟିସ୍ ଯୁଦ୍ଧପୋତ ନେଇଗଲା। ତେଣୁ ନ୍ୟୁୟର୍କରେ ପହଞ୍ଚି ସେ ନୂଆ ନାବିକ ନିଯୁକ୍ତ କଲେ। ଏଥର ଧନ ଅନ୍ବେଷଣରେ କିଡ୍ ଚାଲିଲେ ଲୋହିତ ସାଗର। ୧୬୯୭ ବସନ୍ତକାଳେର ‘ଆଡ୍େଭଞ୍ଚର୍ ଗାଲି’ ପହଞ୍ଚିଲା ଲୋହିତ ସାଗରରେ। ସେତେବେଳକୁ କିଡ୍ ତାଙ୍କ ମୂଳ ଅଭିଯାନ ପାସୋରି ପକାଇଥିଲେ। ଲାଇସେନ୍ସ୍ ପାଇଥିଲେ ସୁଦ୍ଧା ସମୁଦ୍ର ପଥରେ ଦେଖିଥିବା ଜଳଦସ୍ୟୁ ଜାହାଜଗୁଡ଼ିକୁ ନିର୍ବିଘ୍ନରେ ଛାଡ଼ିଦେଇଥିଲେ। କେବଳ ଫରାସୀ ଜାହାଜଗୁଡ଼ିକୁ ଲୁଟ୍ କରି କିଡ୍ ନିଜ ପ୍ରତିଶ୍ରୁତି ରଖୁଥିଲେ। ଜାହାଜ ଲୁଟ୍ପାଟ୍ ନେଇ ଥରେ କିଡ୍ଙ୍କ ନାବିକମାନେ ବିଦ୍ରୋହ ଉଦ୍ୟମକଲେ। କ୍ରୋଧବଶତଃ କିଡ୍ ଗୋଟାଏ ବାଲ୍ତିରେ ୱିଲିୟମ୍ ମୋର୍ ନାମରେ ଜଣେ ବନ୍ଧୁକ ଚାଳକଙ୍କ ମୁଣ୍ଡପିଟି ହତ୍ୟାକଲେ। ଏହାଦେଖି ବିଦ୍ରୋହୀ ନାବିକମାନେ ଆତ୍ମସମର୍ପଣ କଲେ। ମାତ୍ର ଏହି ଘଟଣା ପରଠାରୁ କିଡ୍ଙ୍କ ମନୋଭାବ ବଦଳିଗଲା। ଆଉ ଶତ୍ରୁମିତ୍ର ନ ବିଚାରି ଯେଉଁ ଜାହାଜ ହାବୁଡ଼ରେ ପଡ଼ିଲା ତାକୁ ଲୁଟ୍ କଲେ। ଫଳରେ ସରକାରୀ ରେକର୍ଡରେ ସେ ହୋଇଗଲେ ଜଳଦସ୍ୟୁ।
ଭାରତୀୟ ଜାହାଜ ଲୁଟ୍
ବିପୁଳ ପରିମାଣର ଟସର, ବନ୍ଧୁକ ଓ ସୁନା ନେଇ ଯାଉଥିବା ଭାରତୀୟ ଜାହାଜ ‘କ୍ବେଡା ମର୍ଚାଣ୍ଟ୍’କୁ ଲୁଟ୍କରି ଜଳଦସ୍ୟୁ ପରିସରରେ ଅତି କୁଖ୍ୟାତ ହୋଇଗଲେ ସେ। କିଛି ଲୁଟ୍ ସମ୍ପଦ ନାବିକମାନଙ୍କ ମଧ୍ୟରେ ବାଣ୍ଟିଦେଇ ‘ଆଡ୍ଭେଞ୍ଚର୍ ଗାଲି’ ଡୁବାଇ ଦେଲେ। ଜବତ କରିଥିବା ଭାରତୀୟ ଜାହାଜଟିର ନାମ ‘ଆଡ୍ଭେଞ୍ଚର୍ ପ୍ରାଇଜ୍’ ରଖି କ୍ୟାରିବିୟନ୍ ସାଗର ଅଭିମୁଖେ ଚାଲିଲେ। ସେଠାରେ ପହଞ୍ଚି ଜାଣିଲେ ଯେ ବ୍ରିଟିସ୍ ରାଜା ତାଙ୍କୁ ଦଣ୍ଡିତ କରିବାକୁ ଖୋଜୁଛନ୍ତି। ଅଗତ୍ୟା ‘ଆଡ୍ଭେଞ୍ଚର୍ ପ୍ରାଇଜ୍’ ଜାହାଜ ଡୁବାଇଦେଇ କିଡ୍ ‘ସାନ୍ ଆଣ୍ଟୋନିଓ’ ନାମରେ ଗୋଟିକିଆ ମାସ୍ତୁଲ୍ ଥିବା ଛୋଟ ପୋତଟିଏ କିଣି ଅଳ୍ପ କେତେଜଣ ନାବିକଙ୍କୁ ସାଥିରେ ନେଇ ଆମେରିକାର ବୋଷ୍ଟନ୍ ବନ୍ଦର ଅଭିମୁଖେ ଗଲେ।
ଗିରଫଦାରି ଓ ଗୁପ୍ତଅର୍ଥ
ବୋଷ୍ଟନ୍ ଯାତ୍ରା ପଥରେ କିଡ୍ ନିୟୁଜର୍ସିର ବିଭିନ୍ନ ଅଞ୍ଚଳରେ ଅଟକି ଶେଷକୁ ରରିଟନ୍ ସାଗର ଅନ୍ତର୍ଗତ ମମଥ୍ କାଉଣ୍ଟି ଉପକୂଳରେ ଲଙ୍ଗର୍ ପକାଇଲେ। ଜଳଦସ୍ୟୁ ମାମଲାର ଆପୋସ ବୁଝାମଣା ପାଇଁ ସେ ନ୍ୟୁଜର୍ସି ଓ ନ୍ୟୁୟର୍କ ସହରକୁ ନାବିକମାନଙ୍କୁ ପଠାଇଲେ। ଆଶା କରିଥିଲେ ରାଜନୈତିକ ସମ୍ପର୍କ ଓ ଲୁଟ୍ ଧନସମ୍ପଦ ବଳରେ ଅନାୟାସରେ ସମସ୍ୟା ସମାଧାନ ହୋଇଯିବ। ଆମେରିକୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇସାରି କିଡ୍ ବୋଷ୍ଟନ୍ ଗଲେ ଗଭର୍ଣ୍ଣର୍ଙ୍କୁ ଭେଟିବା ଲାଗି। କିନ୍ତୁ, ସେ ପହଞ୍ଚିଲାମାତ୍ରେ ସଚ୍ଚୋଟ ଗଭର୍ଣ୍ଣର୍ ତାଙ୍କୁ ଗିରଫ କଲେ। କିଡ୍ ୪୦,୦୦୦ ବ୍ରିଟସ୍ ପାଉଣ୍ଡ୍ ଲୁଚାଇ ରଖିଥିବା କଥା କୁହାଗଲା। କିନ୍ତୁ, ଶୁଣାଯାଏ କିଡ୍ ୪୦୦,୦୦୦ ପାଉଣ୍ଡ୍ ଲୁଚାଇଥିଲେ। ଆଦ୍ୟ ୧୭୦୦ ମସିହାରେ ସେଥିରୁ ମାତ୍ର ୧୦,୦୦୦ ପାଉଣ୍ଡ୍ ଉଦ୍ଧାର କରାଯାଇ କିଡ୍ଙ୍କ ସହିତ ଇଂଲଣ୍ଡ୍ ପଠାଗଲା।
ତୁରନ୍ତ ବିଚାର ଓ ଫାଶୀ
କାଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ କିଡ୍ ଖସିଯିବେ ସେଥିପାଇଁ ତୁରନ୍ତ ବିଚାର କରାଯାଇ ସର୍ବସାଧାରଣରେ ତାଙ୍କୁ ଫାଶୀ ଦେବାପାଇଁ ରାୟ ଦିଆଗଲା। ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ମୁକ୍ତକରି ଗୋଟାଏ ଜାହାଜ ଦେଲେ ଲୁଚାଇ ରଖିଥିବା ସମସ୍ତ ଧନଦୌଲତ ଆଣି ସରକାରଙ୍କୁ ଦେବେ ବୋଲି ଯେତେ ପ୍ରତିଶ୍ରୁତି ଦେଲେ ବି ଅଦାଲତ ତାଙ୍କ ଅନୁରୋଧ ରଖିଲେନାହିଁ। ୧୭୦୧ ମେ ୨୩ ତାରିଖରେ ଫାଶୀ ପରେ ତାଙ୍କ ଶବରେ ଆଲକାତରା ବୋଳି ଲଣ୍ଡନ୍ର ଟେମସ୍ ନଦୀ ଉପରେ ଝୁଲାଇ ଦିଆଗଲା। ଉଦ୍ଦେଶ୍ୟ ଥିଲା ଭବିଷ୍ୟତର ଜଳଦସ୍ୟୁଙ୍କୁ କୃତକର୍ମ ସମ୍ପର୍କରେ ଚେତାଇ ଦେବା।
କେଉଁଠି ଅଛି ଅସୁମାରି ସମ୍ପଦ
କ୍ୟାପ୍ଟେନ୍ ୱିଲିୟମ୍ କିଡ୍ଙ୍କ ଗିରଫଦାରି ପରେ ପରେ ନ୍ୟୁୟର୍କର ଲଙ୍ଗ୍ ଦ୍ବୀପ ଉପକୂଳରେ ଥିବା ଗାର୍ଡିନରର୍ସ ଦ୍ବୀପ ଖନନ କରି ବ୍ରିଟିସ୍ କର୍ତ୍ତୃପକ୍ଷ ସୁନା ଏବଂ ୨୦,୦୦୦ ପାଉଣ୍ଡ୍ ମୂଲ୍ୟର ଅନ୍ୟାନ୍ୟ ସମ୍ପଦ ଉଦ୍ଧାର କଲେ। କିନ୍ତୁ, କିଡ୍ ଆହୁରି ବିପୁଳ ସମ୍ପଦ କେଉଁଠି ପୋତି ରଖିଛନ୍ତି ତା’ପାଇଁ ଅଦ୍ୟାବଧି ଅନ୍ବେଷଣ ଚାଲିଛି। କିଡ୍ ‘କେପ୍ ମେ’, ‘ଟମ୍ସ୍ ନଦୀ ମୁହାଣ’ ଓ ‘ସ୍ୟାଣ୍ଡି ହୁକ୍’ରେ ଅପର୍ଯ୍ୟାପ୍ତ ସମ୍ପଦ ପୋତିଥାଇ ପାରନ୍ତି ବୋଲି ଅନୁମାନ କରାଯାଏ। ସ୍ୟାଣ୍ଡି ହୁକ୍ ନିକଟ ୱେଲ୍ କ୍ରିକ୍ ନିକଟରେ କିଡ୍ ସମ୍ପଦ ପୋତିଥାଇ ପାରନ୍ତି ବୋଲି ମଧ୍ୟ ଅନେକେ ଅନୁମାନ କରନ୍ତି। କାରଣ ସେ ଅଞ୍ଚଳରୁ ୧୭ଶ ଶତାବ୍ଦୀର କେତେକ ସ୍ପେନୀୟ ସ୍ବର୍ଣ୍ଣମୁଦ୍ରା ମିଳିଥିଲା। ତେଣୁ, ସେ ଦ୍ବୀପର ନାଁ ହୋଇଗଲା ‘ଟଙ୍କାଦ୍ବୀପ’। ପରବର୍ତ୍ତୀ ସମୟରେ ସେଠାରୁ ମଧ୍ୟ କିଛି ସ୍ବର୍ଣ୍ଣମୁଦ୍ରା ମିଳିଥିଲା। ଆଉ ଆଜି ବି କେବେ କେମିତି ଲୋକେ ସେଠାରେ ମେଟାଲ୍ ଡିଟେକ୍ଟର୍ ଆଦି ପକାଇ ଖୋଳାଖୋଳି କରୁଛନ୍ତି। କେବେ କେମିତି ସୁନାରୁପା ଟୁକୁରା ବି ପାଉଛନ୍ତି। କିନ୍ତୁ, ସେଗୁଡ଼ିକ ପ୍ରାଚୀନ କି ନୂତନ ତାହା ନିର୍ଦ୍ଧାରଣ କରାଯାଇନାହିଁ।