ଉତ୍ତରାଖଣ୍ଡର କାଠଗୋଦାମରୁ ହିମାଳୟ ପାଦଦେଶରେ ଥିବା ଲୋହଜୁଙ୍ଗ୍ ଗ୍ରାମରେ ପହଞ୍ଚିବା ପରେ ରାସ୍ତା ସରିଯାଏ। ଏଠାରୁ ପ୍ରାୟ ୩୪ କିଲୋମିଟର ଦୂରରେ ଥିବା ରୂପକୁଣ୍ଡ ହ୍ରଦକୁ ଯିବାକୁ ହେଲେ ପର୍ବତାରୋହଣ କରିବାକୁ ହିଁ ହୋଇଥାଏ। ସମୁଦ୍ର ପତ୍ତନଠାରୁ ୧୬,୫୦୦ ଫୁଟ୍‌ ଉଚ୍ଚ ହିମାଳୟ ପର୍ବତମାଳା ଅନ୍ତର୍ଗତ ତ୍ରିଶୂଳ ପର୍ବତଶୃଙ୍ଗ ପାର୍ଶ୍ବସ୍ଥ ତୀଖା ଢାଲୁଆ ଅଞ୍ଚଳରେ ଅବସ୍ଥିତ ରୂପକୁଣ୍ଡ ବର୍ତ୍ତମାନ ଟ୍ରେକିଂ ପାଇଁ ପ୍ରସିଦ୍ଧି ଲାଭକରିଛି। ତେବେ ଏହି ସ୍ଥାନ ପଛରେ ରହିଛି ଏକ ବଡ଼ ରହସ୍ୟ, ଯାହା ଏବେ ବି ଅସମାହିତ।  

Advertisment

ମାଳ ମାଳ କଙ୍କାଳ
୧୯୪୨ ମସିହା କଥା। ଥରେ ରୂପକୁଣ୍ଡ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଥିବା ଏଚ୍‌. କେ. ମାଧୱାଲ୍‌ ନାମରେ ଜନୈକ ଫରେଷ୍ଟ୍‌ ରେଞ୍ଜର୍‌ଙ୍କ ପାଦରେ ଏକ ଟାଣୁଆ ଜିନିଷ ବାଜିଲା। ସେ ଝୁଣ୍ଟିପଡ଼ିଲେ। ପାଦରେ କ’ଣ ବାଜିଲା ବୋଲି ସେ ଦେଖିଲା ବେଳକୁ ତାହା ଗୋଟାଏ ନରକଙ୍କାଳ। ସେ ଚମକି ପଡ଼ିଲେ ଓ ପାଖାପାଖି ଅଞ୍ଚଳ ତନଖି କରିବା ପରେ ଦେଖିଲେ ହ୍ରଦକୂଳରେ ବିଛାଡ଼ି ହୋଇ ପଡ଼ିଛି ଅସଂଖ୍ୟ ହାଡ଼ ଓ ଖପୁରି। କେତେକ ହାଡ଼ରେ ମାଂସ ବି ଲାଗିଛି। ସେ ହିଁ ଏ ଅଦ୍ଭୁତ ଘଟଣା ସଂକ୍ରାନ୍ତରେ ପ୍ରଥମେ ତତ୍କାଳୀନ ବ୍ରିଟିସ୍‌ ସରକାରଙ୍କୁ ଜଣାଇଥିଲେ। ଏହା ଥିଲା ରୂପକୁଣ୍ଡ କଙ୍କାଳ ସଂପର୍କରେ ପ୍ରଥମ ସୂଚନା। ସେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟ। ବ୍ରିଟିସ୍‌ ଅଧିକାରୀମାନେ ପ୍ରଥମେ ଭାବିଲେ, ସମ୍ଭବତଃ ଏହା ହେଉଛି ଗୁପ୍ତ ଅଭିଯାନ ଚଳାଇଥିବା ଜାପାନୀ ସୈନିକମାନଙ୍କ ଦେହାବଶେଷ। କିନ୍ତୁ ହାଡ଼ଗୁଡ଼ିକୁ ପରୀକ୍ଷା କରିବା ପରେ ସେ ଆଶଙ୍କା ଦୂରହେଲା। ବର୍ଷ ସାରା ବରଫ ପାଲଟି ରହିଥିବା ରୂପକୁଣ୍ଡ ହ୍ରଦ ଋତୁ ଓ ପାଣିପାଗ ଅନୁସାରେ ସମ୍ପ୍ରସାରିତ ଅଥବା ସଙ୍କୁଚିତ ହୁଏ। ବରଫ ତରଳିଲେ ନରକଙ୍କାଳ ସବୁ ଫୁଟିବାହାରେ। ଅଦ୍ୟାବଧି ସେଠାରୁ ପ୍ରାୟ ୬୦୦ରୁ ୮୦୦ ଲୋକଙ୍କ କଙ୍କାଳ ମିଳିଛି। ପର୍ଯ୍ୟଟନ ପ୍ରସାର ନିମନ୍ତେ ଉତ୍ତରାଖଣ୍ଡ ସରକାର ଏହାକୁ ‘ରହସ୍ୟମୟ ହ୍ରଦ’ ବୋଲି ଅଭିହିତ କରିଛନ୍ତି।

କିନ୍ତୁ ଏ କଙ୍କାଳ ସବୁ କାହାର? ମୃତକମାନେ କେଉଁଠୁ ଆସିଥିଲେ? କେବେ ମଲେ? କେମିତି ମଲେ? ପୁରୁଷାନୁକ୍ରମେ ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଲୋକଗୀତ ଓ ଲୋକଗଳ୍ପରେ ଏ ପ୍ରଶ୍ନର ଉତ୍ତର ରହିଛି। ଏ ଅଞ୍ଚଳରେ ହିମାଳୟରେ ଥିବା ଭାରତର ଦ୍ବିତୀୟ ସୁଉଚ୍ଚ ଶୃଙ୍ଗ ନନ୍ଦାଦେବୀକୁ ଠାକୁରାଣୀ ପାର୍ବତୀ ବିଚାରି ଆରାଧନା କରାଯାଏ। ରୂପକୁଣ୍ଡ ତଳ ଅଞ୍ଚଳରେ ଥିବା ଆଖପାଖ ଗାଁ’ଲୋକେ ନନ୍ଦାଦେବୀ ଅର୍ଥାତ୍‌ ଦେବୀ ପାର୍ବତୀଙ୍କ ପୂଜା ପାଇଁ ହ୍ରଦକୁ ଯାଇଥାଆନ୍ତି।

ନନ୍ଦାଦେବୀଙ୍କ କୋପ
ଜନଶ୍ରୁତି କହେ, ଥରେ ନନ୍ଦାଦେବୀ ଗୋଟାଏ ସୁଦୂର ରାଜ୍ୟ ଭ୍ରମଣରେ ଯାଇଥିଲେ। ସେଠାକାର ରାଜାରାଣୀ ତାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କଲେ। ନନ୍ଦାଦେବୀ ସେ ରାଜ୍ୟକୁ ଅଭିଶାପ ଦେଲେ। ଫଳସ୍ବରୂପ ରାଜ୍ୟରେ ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକ ପଡ଼ିଲା। ଠାକୁରାଣୀଙ୍କୁ ତୁଷ୍ଟ କରିବା ଲାଗି ରାଜଦମ୍ପତି ତୀର୍ଥାଟନରେ ବାହାରିଲେ। ରାଜା ଥିଲେ ମନୋରଞ୍ଜନପ୍ରେମୀ। ତେଣୁ ସେ ସାଥିରେ ଦଳେ ନୃତ୍ୟାଙ୍ଗନା ଓ ବାଦକଙ୍କୁ ନେଲେ। କିନ୍ତୁ, ଏ ସବୁ ତୀର୍ଥାଟନ ନିୟମ ବହିର୍ଭୂତ ହୋଇଥିବାରୁ ନନ୍ଦାଦେବୀ କୁପିତା ହେଲେ। ତାଙ୍କ କୋପରେ ନୃତ୍ୟାଙ୍ଗନାମାନେ ପାତାଳକୁ ଚାଲିଗଲେ। ତା’ପରେ ପ୍ରବଳ ବାତ୍ୟା ଓ କୁଆପଥର ବୃଷ୍ଟି ହେବାରୁ ରାଜା, ରାଣୀ ଓ ତାଙ୍କ ସହାୟକମାନେ ରୂପକୁଣ୍ଡ ହ୍ରଦରେ ବୁଡ଼ି ମୃତ୍ୟୁବରଣ କଲେ। ଆଉ ଗୋଟାଏ ବୃତ୍ତାନ୍ତ ଅନୁସାରେ, ଏ କଙ୍କାଳ ହେଉଛି ୧୮୪୧ରେ ତିବ୍ବତ ଆକ୍ରମଣ କରିଥିବା ଭାରତୀୟ ସୈନିକମାନଙ୍କର। ସେମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ଜଣ ହିମାଳୟ ବାଟେ ଆସିବାକୁ ବାଧ୍ୟ ହୋଇ ରୂପକୁଣ୍ଡ ଅଞ୍ଚଳରେ ମୃତ୍ୟୁମୁଖରେ ପଡ଼ିଥିଲେ। ଆଉ କିଛି ଲୋକ ମତ ଦିଅନ୍ତି, ମୃତକମାନେ ହୁଏତ ୧୩ଶ ଶତାବ୍ଦୀରେ ତିବ୍ବତ ଆକ୍ରମଣ କରିବା ଲାଗି ଦିଲ୍ଲୀ ସୁଲ୍‌ତାନ୍‌ ପ୍ରେରଣ କରିଥିବା ସୈନିକମାନଙ୍କର ଗୋଟାଏ ଦଳ କିଂବା ପଥହରା ତିବ୍ବତଗାମୀ ବଣିକ।

୫୦୦ ବର୍ଷ ତଳର
ରୂପକୁଣ୍ଡରୁ ମାଳମାଳ କଙ୍କାଳ ଆବିଷ୍କାର ହେବା ପରେ ଏହାକୁ ନେଇ ଗବେଷଣା ଆରମ୍ଭ ହୋଇଥିଲା। ୧୯୫୬ରେ ଘଟଣାର ଅନୁଧ୍ୟାନ ଲାଗି କୋଲ୍‌କାତାସ୍ଥିତ ‘ଆନ୍ଥ୍ରୋପୋଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ’ର ନୃତତ୍ତ୍ବବିତ୍‌ଙ୍କ ଏକ ଦଳ ରୂପକୁଣ୍ଡ ଗଲା। ସେଠାରୁ କିଛି ହାଡ଼ ଆଣି କାର୍ବନ୍‌ ଡେଟିଙ୍ଗ୍‌ କରାଯିବାରୁ ଜଣାପଡ଼ିଲା କି, ସେ ସବୁ ୫୦୦ରୁ ୮୦୦ ବର୍ଷ ପୁରାତନ। ଅଧିକାଂଶ ମୃତବ୍ୟକ୍ତିଙ୍କ ଉଚ୍ଚତା ସାଧାରଣଠାରୁ ଅଧିକ ଥିଲା ଏବଂ ହାରାହାରି ବୟସ ଥିଲା ୩୫ରୁ ୪୦ ବର୍ଷ। ଅଳ୍ପ କେତେଜଣ ବୟୋ‌େଜ୍ୟଷ୍ଠା ମହିଳା ବି ଥିଲେ। ସେମାନଙ୍କ ଭିତରେ କେହି ଶିଶୁ କି, ବାଳକ ବାଳିକା ନ ଥିଲେ। ଅନ୍ୟ କେତେକଙ୍କ ମତରେ, ଏ କଙ୍କାଳ ହେଉଛି ୯ମ ଶତାବ୍ଦୀରେ ଗୋଟାଏ ପ୍ରଳୟଙ୍କରୀ ଘଟଣାରେ ଏକାବେଳେ ପ୍ରାଣ ହରାଇଥିବା ଦଳେ ଲୋକଙ୍କର। କିନ୍ତୁ, ଭାରତ, ଆମେରିକା ଓ ଜର୍ମାନିସ୍ଥିତ ୧୬ଟି ପ୍ରତିଷ୍ଠାନର ୨୮ଜଣ ଗବେଷକ ୫ ବର୍ଷ ଅଧ୍ୟୟନ କରିବା ପରେ ଏହି  ସିଦ୍ଧାନ୍ତରେ ଉପନୀତ ହେଲେ କି, ଏ ଧାରଣା ସତ୍ୟ ହୋଇ ନ ଥାଇପାରେ।

ମୃତକ କେଉଁ ଦେଶର?
ହ୍ରଦରୁ ମିଳିଥିବା ୧୫ଜଣ ମହିଳାଙ୍କ କଙ୍କାଳ ସମେତ ୩୮ଟି କଙ୍କାଳର ଗୂଣସୂତ୍ରୀୟ ବିଶ୍ଳେଷଣ ଓ କାର୍ବନ୍‌-ଡେଟ୍‌ କରି ବୈଜ୍ଞାନିକମାନେ ଜାଣି ପାରିଛନ୍ତି ଯେ, ସେଗୁଡ଼ିକ ମଧ୍ୟରୁ କେତେକ ୧୨୦୦ ବର୍ଷ ପୁରାତନ। କୌତୂହଳର ବିଷୟ ହେଲା, ମୃତକମାନେ ଗୋଟିଏ ଅଞ୍ଚଳର ବାସିନ୍ଦା ନ ଥିଲେ। କେତେକ ଥିଲେ ସମ୍ପ୍ରତି ଦକ୍ଷିଣ ଏସିଆରେ ବାସ କରୁଥିବା ଲୋକଙ୍କ ପରି ତ ଆଉ କେତେକ ଗ୍ରୀକ୍‌ର କ୍ରେଟେ ଦ୍ବୀପ ଅଧିବାସୀଙ୍କ ଭଳି। ବୈଜ୍ଞାନିକମାନେ ମନେକରନ୍ତି ଯେ ତୀର୍ଥାଟନ ବେଳେ ହୁଏତ ସେଠାରେ ଗଣମୃତ୍ୟୁ ଘଟିଥାଇପାରେ। କିନ୍ତୁ, ଭୂମଧ୍ୟସାଗର ଅଞ୍ଚଳରୁ ଭାରତର ଉଚ୍ଚତମ ପର୍ବତମାଳାରେ ଥିବା ଏ ନିଭୃତ ହ୍ରଦ ପର୍ଯ୍ୟନ୍ତ ସେମାନେ ଆସିଲେ କିପରି?

ଏ କଙ୍କାଳ ସବୁ ଜାପାନୀ ଅଥବା ସିଲ୍‌କ୍‌ ରୋଡ୍‌ରେ ଯାତାୟାତ କରୁଥିବା ତିବ୍ବତୀୟ ବଣିକମାନଙ୍କର ବୋଲି ପୂର୍ବରୁ ମନେକରାଯାଉଥିଲା। ହୁଏତ ସେମାନେ ମହାମାରୀ ନତୁବା ଅତିଖରାପ ପାଣିପାଗ ଯୋଗୁଁ ମୃତ୍ୟୁମୁଖରେ ପଡ଼ିଛନ୍ତି। କିନ୍ତୁ, ୨୦୨୪ରେ ହୋଇଥିବା ଫୋରେନ୍‌ସିକ୍‌ ବିଶ୍ଳେଷଣରୁ ଜଣାପଡ଼ିଛି କି, କଙ୍କାଳଗୁଡ଼ିକ ଭାରତୀୟ ପୁରୁଷ ଓ ମହିଳା ତୀର୍ଥଯାତ୍ରୀ ଓ ସେମାନଙ୍କୁ ସହାୟତା କରୁଥିବା ସ୍ଥାନୀୟ ଅଞ୍ଚଳର କୁଲିଙ୍କର। ୯ମ ଶତାବ୍ଦୀରେ ଭୀଷଣ କୁଆପଥର ବୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମୟରେ ସେମାନଙ୍କ ଖପୁରି ଫାଟିଯାଇଥିବା ମନେକରାଯାଉଛି। ସମ୍ଭବତଃ ‌ସେମାନେ ୧୨ ବର୍ଷରେ ଥରେ ପଡୁଥିବା ନନ୍ଦାଦେବୀ ରାଜ ଜାଟ୍‌ ଯାତ୍ରାକୁ ଯାଉଥିଲେ।