୧୮୯୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ସ୍କଟ୍‌ଲାଣ୍ଡ୍‌ ଅନ୍ତର୍ଗତ ଗ୍ଲାସ୍‌ଗୋର ଉତ୍ତରପଶ୍ଚିମ ପ୍ରାନ୍ତରେ ଥିବା ଡମ୍ବାଟନ୍‌ରେ ଅବସ୍ଥିତ ଓଭର୍‌ଟାଉନ୍‌ ସେତୁକୁ ଶିଳ୍ପପତି ଜେମ୍‌ସ୍‌ ହ୍ବାଇଟ୍‌ଙ୍କ ପରିବାର ନିର୍ମାଣ କରାଇଥିଲେ। ସେଠାରେ ପ୍ରବାହିତ ଏକ କ୍ଷୁଦ୍ରନଦୀ ଉପରେ ୧୫ ମିଟର ଉଚ୍ଚରେ ସ୍କଟିସ୍‌ ବରେନିୟାଲ୍‌ ଶୈଳୀରେ ଏ ସେତୁ ନିର୍ମାଣ ହୋଇଥିଲା। ବହୁବର୍ଷ ପର୍ଯ୍ୟନ୍ତ ଏ ସେତୁରେ କୌଣସି ମର୍ମନ୍ତୁଦ ଅଘଟଣ ଘଟି ନ ଥିଲା। କିନ୍ତୁ, ୧୯୫୦ ଦଶକରେ ସବୁ ଓଲଟପାଲଟ ହୋଇଗଲା। ଓଭର୍‌ଟାଉନ୍‌ ସେତୁରୁ ଡେଇଁ କୁକୁରମାନେ ଜୀବନ ହରାଉଥିବା କଥା ଚାରିଆଡ଼େ ପ୍ରଘଟ ହୋଇଗଲା। ଏ ଘଟଣା ନିୟମିତ ନ ହେଲେ ବି ଅତି ଆକସ୍ମିକ ଭାବେ ଘଟୁଥିଲା। ନିଜ ଅନୁଭୂତି ବଖାଣି ସ୍ଥାନୀୟ ମହିଳା ମାକିନନ୍‌ କହନ୍ତି, ‘‘କିଛି ବର୍ଷ ପୂର୍ବେ ବଡର୍‌ କଲି ପ୍ରଜାତି ପୋଷା କୁକୁର ବନିକୁ ସାଥିରେ ନେଇ ଚାଲି ଚାଲି ଓଭର୍‌ଟାଉନ୍‌ ସେତୁ ଅତିକ୍ରମ କରୁଥିଲି। ସେତୁ ଉପରେ ପହଞ୍ଚିବାକ୍ଷଣି ବନିକୁ ଯେମିତି କିଏ ବଶୀଭୂତ କରିପକାଇଲା। ଆଗ ସେ ସ୍ଥାଣୁ ହୋଇଗଲା, ତା’ପରେ ସେ ସିଧା ପାରାପେଟ୍‌ରୁ ତଳୁ ଡେଇଁପଡ଼ିଲା। ବନି ମରିଗଲା ବୋଲି ନିଶ୍ଚିତ ହୋଇଥିଲେ ବି ତତ୍‌କ୍ଷଣାତ୍‌ ମୁଁ ସେତୁ ତଳକୁ ଧାଇଁଯାଇ ତାକୁ ଖୋଜିବା ଲାଗି ତଳେ ଥିବା ଗଛବୃଚ୍ଛ ଧନ୍ଦାଳି ପକାଇଲି। ଟିକେ ଦୂ‌ରରେ ପଡ଼ିଥିବା ବନିର ନିଶ୍ଚଳ ଦେହ ପାଖକୁ ଯାଆନ୍ତେ ସେ କୁଁ କୁଁ ହେଲା ଓ ଉଠିବାକୁ ଚେଷ୍ଟାକଲା। ବଡ଼ ଅଦ୍ଭୁତ କଥା- ସେ ବଞ୍ଚିଗଲା!’’

Advertisment

ବଦଳିଯାଏ ମତିଗତି
ଯେଉଁମାନଙ୍କର ପୋଷା କୁକୁର ସେ ସେତୁରୁ ଡେଇଁଥିଲେ ସେମାନେ କହନ୍ତି ଯେ ଡେଇଁବାର କ୍ଷଣିକ ଆଗରୁ କୁକୁରର ମତିଗତି ହଠାତ୍‌ ବଦଳିଯାଏ। କୁକୁରକୁ ଦୁଃରାତ୍ମା ବଶ କଲାପରି ମନେହୁଏ। ସତେ ଯେମିତି କାହା ଉପସ୍ଥିତି ବାରି କୁକୁର ସ୍ଥିର ଅଥବା ଉତ୍‌କ୍ଷିପ୍ତ ହୋଇଯାଏ। ତା’ପରେ କାହାକୁ ଅନୁଧାବନ କରିବା ପରି କୁକୁର ସେତୁ ଉପରୁ ତଳକୁ ଡେଇଁପଡ଼େ। ଡେଇଁ ସୁଦ୍ଧା ବଞ୍ଚିଯାଇଥିବା କୁକୁରମାନେ ଆଘାତପ୍ରାପ୍ତ ହୋଇଥାଆନ୍ତି। କେତେକଙ୍କର ଗୋଡ଼ ଭାଙ୍ଗିଯାଏ; ଯୋଗ ଭଲ ଥିଲେ ଆଉ କେତେକ ସାମାନ୍ୟ କ୍ଷତାକ୍ତ ହୁଅନ୍ତି।

୫୦ ମୃତ, ୬୦୦ ଆହତ
ବିଭିନ୍ନ ରିପୋର୍ଟ ଅନୁସାରେ, ସେ ସେତୁରୁ ଡେଇଁ ଏଯାବତ୍‌ ୫୦ଟି କୁକୁର ଜୀବନ ହରାଇଛନ୍ତି ଓ ପ୍ରାୟ ୬୦୦ କୁକୁର ଆହତ ହୋଇଛନ୍ତି। ଓଭର୍‌ଟାଉନ୍‌ ସେତୁ ଉପରୁ କେବଳ ଯେ କୁକୁର ଡେଇଁ ଜୀବନ ହରାଉଛନ୍ତି ତାହା ନୁହେଁ; ୧୯୯୪ରେ କେବିନ୍‌ ମୟ ନାମକ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତି ତାଙ୍କର ନବଜାତ ପୁଅକୁ ସେତୁ ଉପରୁ ତଳକୁ ଫିଙ୍ଗି ଦେଇଥିଲେ। ତାଙ୍କର ମନେହୋଇଥିଲା ଯେ ପୁଅ ତାଙ୍କର ଖ୍ରୀଷ୍ଟ-ବିରୋଧୀ।

ଇଂଲଣ୍ଡ୍‌ର ସ୍କଟ୍‌ଲାଣ୍ଡ୍‌ରେ ୫୦ ଫୁଟ୍‌ ଓସାର ନଈ ଉପରେ ଶତାଧିକ ବର୍ଷ ପୂର୍ବେ ନିର୍ମିତ ଓଭର୍‌ଟାଉନ୍‌ ସେତୁ ଉପର ଦେଇ ଗଲାବେଳେ କୁକୁରମାନେ ତଳକୁ ଡେଇଁ ଜୀବନ ହାରୁଛନ୍ତି! କିନ୍ତୁ କାହିଁକି? ଏହା ପଛର ରହସ୍ୟ କ’ଣ? ବହୁ ଅନୁଧ୍ୟାନ ଓ ଗବେଷଣା ପରେ ବି ଏହି ରହସ୍ୟ ଉପରୁ ପରଦା ହଟି ପାରିନାହିଁ!

ଅତିଭୌତିକ କାଣ୍ଡ
କୁକୁରମାନେ ସେତୁ ଉପରୁ ଡେଇଁ ମରୁଛନ୍ତି କାହିଁକି? ଗୋଟାଏ ତାତ୍ତ୍ବିକ ଅନୁଶୀଳନ ଅନୁସାରେ, ନିକଟବର୍ତ୍ତୀ ସମୁଦ୍ରରେ ଥିବା ବୁଡ଼ାଜାହାଜରୁ ନିର୍ଗତ ତରଙ୍ଗ କୁକୁରମାନଙ୍କୁ ବାତୁଳ କରିପକାଉଛି। କିନ୍ତୁ, ଏହାର କୌଣସି ବୈଜ୍ଞାନିକ ସତ୍ୟତା ପ୍ରତିପାଦିତ ହୋଇନାହିଁ। ଏ ଘଟଣା ବିଜ୍ଞାନ ପରିସରରୁ ଊର୍ଦ୍ଧ୍ବରେ ବୋଲି ସ୍ଥାନୀୟ ଜନଶ୍ରୁତି କହେ। କେତେକ କହନ୍ତି- ପେତୁଣୀ ସଦୃଶ ଜଣେ ଶ୍ବେତାଙ୍ଗ ରମଣୀ କୁକୁରମାନଙ୍କୁ ଭୁଲାଇ ନେଇ ଆତ୍ମହତ୍ୟା କରାଉଛି। ଆଉ କେତେକଙ୍କ ମତରେ କୌଣସି ଦାନବ କବଳରେ ପଡ଼ି କୁକୁରମାନେ ମରୁଛନ୍ତି। ସେତୁ ଉପରେ ଚାଲି ଚାଲି ଯିବା ବେଳେ ଆଶଙ୍କିତ ବୋଧ କରିଥିବା କଥା ମଧ୍ୟ କେତେକ କହନ୍ତି। ସ୍ଥାନୀୟ ଟ୍ୟାକ୍ସିଚାଳକ ଆଲାଷ୍ଟାର୍‌ ଡୁଟନ୍‌ କହନ୍ତି, ‘‘ଡମ୍ବାଟନ୍‌ବାସୀ ଖୁବ୍‌ ଅନ୍ଧବିଶ୍ବାସୀ। ଆମେ ଓଭର୍‌ଟାଉନ୍‌ ପ୍ରାନ୍ତରରେ ଖେଳିକୁଦି ବଡ଼ ହୋଇଛୁ। ଆମେ ବି ଭୂତପ୍ରେତ କଥା ବିଶ୍ବାସ କରୁ। କାରଣ ଆମେ ଏଠାରେ ଭୂତ ଦେଖିଛୁ ଅଥବା ତା’ର ସତ୍ତା ଅନୁଭବ କରିଛୁ।’’

ଆତ୍ମହତ୍ୟା କରନ୍ତିନି ଜୀବଜନ୍ତୁ
ଏ କଥା ସତ୍ୟ ଯେ ଜୀବଜନ୍ତୁମାନେ ଆତ୍ମହତ୍ୟା କରନ୍ତି ନାହିଁ। କାରଣ, ସେମାନଙ୍କ କାର୍ଯ୍ୟକଳାପ ପ୍ରବୃତ୍ତି ଆଧାରିତ। ଜୀବଜନ୍ତୁମାନେ ଜାଣିଶୁଣି ଖାଦ୍ୟ ନ ଖାଇ ଅସୁସ୍ଥ ହୋଇପଡ଼ିବାର ଦୃଷ୍ଟାନ୍ତ ରହିଛି। କିନ୍ତୁ, ସେମାନଙ୍କର ସେ ଆଚରଣ ମଧ୍ୟରେ କୀଟାଣୁ ସଂକ୍ରମଣ ଅଥବା କୌଣସି ରୋଗ ଲୁକ୍କାୟିତ ଥାଏ। ସେମିତି ଓଭର୍‌ଟାଉନ୍‌ ସେତୁ ଉପରୁ କୁକୁର ଡେଇଁ ମରିବା ଘଟଣା କ୍ଷେତ୍ରରେ ମଧ୍ୟ କୌଣସି ବାସ୍ତବ କାରଣ ଥାଇପାରେ।

ବାତୁଳ କରେ ମିଙ୍କ୍‌ ଗନ୍ଧ
ଏ ପ୍ରସଙ୍ଗରେ ଜୀବଜନ୍ତୁଙ୍କ ଆଚାରବ୍ୟବହାର ବିଶେଷଜ୍ଞମାନେ କିନ୍ତୁ ଭିନ୍ନ କଥା କହନ୍ତି। ଶ୍ବାନ ବିଶେଷଜ୍ଞ ଡେଭିଡ୍‌ ଷ୍ଟାଣ୍ଡ୍‌ସ୍‌ଙ୍କ ମତରେ କୁକୁରମାନେ ଓଧ ପ୍ରଜାତି ଜୀବ ମିଙ୍କ୍‌ ପ୍ରତି କୌତୂହଳୀ। ମିଙ୍କ୍‌ମାନଙ୍କ ପରିସ୍ରା ଅତି ଦୁର୍ଗନ୍ଧ ହୋଇଥିଲେ ହେଁ କୁକୁରମାନେ ସେ ଗନ୍ଧ ପ୍ରତି ଆକୃଷ୍ଟ ହୋଇଥାଆନ୍ତି। ୧୯୫୦ ଦଶକରେ ମିଙ୍କ୍‌ମାନେ ଏ ଅଞ୍ଚଳରେ ଛୁଆଜନ୍ମ କରିଥିଲେ; ଯୋଗକୁ ସେତିକି ବେଳେ ଏଠାରେ କୁକୁରମାନେ ଆତ୍ମହତ୍ୟା କରୁଥିଲେ। ମାତ୍ର ଏହା କାକତାଳୀୟ ହୋଇପାରେ ବୋଲି କେତେକ ମତଦିଅନ୍ତି। ମିଙ୍କ୍‌ ମତବାଦ ଉପରେ ଅଧିକ ଗବେଷଣା କରିବାରୁ ଜଣାପଡ଼ିଲା ଯେ କୁକୁରମାନେ ମିଙ୍କ୍‌ ଗନ୍ଧ ପ୍ରତି ଆକର୍ଷିତ ହୋଇ ସେତୁ ତଳକୁ ଡେଇଁପଡୁଛନ୍ତି। ଡେଭିଡ୍‌ ଷ୍ଟାଣ୍ଡ୍‌ସ୍‌ଙ୍କର ମନେହୁଏ ଯେଉଁ କୁକୁରମାନଙ୍କର ଥୋମଣି ଅପେକ୍ଷାକୃତ ଲମ୍ବା ସେମାନେ ଗନ୍ଧ ପ୍ରତି ଅଧିକ ସ୍ପର୍ଶକାତର। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେତୁ ତଳ ପାଣି ଉପରେ ଗଛଲତା ମାଡ଼ିଯାଇଥିବା  ଯୋଗୁଁ ମଧ୍ୟ କୁକୁରମାନେ ବିଭ୍ରାନ୍ତ ହୋଇଯାଆନ୍ତି। ଫଳରେ ଉପରୁ ତଳକୁ ଚାହଁୁଥିବା କୁକୁରମାନଙ୍କର ସାମାନ୍ୟ ଦୃଷ୍ଟିଭ୍ରମ ହୋଇଯାଏ। ଷ୍ଟାଣ୍ଡ୍‌ସ୍‌ଙ୍କ ମତବାଦ ଅନୁସାରେ, କୁକୁରମାନେ ମିଙ୍କ୍‌ ଗନ୍ଧ ବାରି କ୍ଷିପ୍ର ବେଗରେ ସେ ଆଡ଼କୁ ଧାଇଁଯାଆନ୍ତି। ୧୫ ଫୁଟ୍‌ ତଳକୁ ଖସିପଡ଼ିବେ ବୋଲି ସେତେବେଳେ ସେମାନଙ୍କର ହେତୁ ନ ଥାଏ। ଏମିତି ଅନେକ ଗବେଷକ ଓ ବିଶେଷଜ୍ଞ ଯୁକ୍ତି ଓ ମତ ଉପସ୍ଥାପନ କରୁଛନ୍ତି ସତ, କିନ୍ତୁ ସେସବୁ ପ୍ରମାଣିତ ହୋଇପାରୁ ନ ଥିବାରୁ କୁକୁର ମୃତ୍ୟୁ ରହସ୍ୟ ଏଯାବତ୍‌ ଅଭେଦ୍ୟ ହୋଇ ରହିଛି।