ବିଜୟନଗର ସାମ୍ପ୍ରାଜ୍ୟ ପୃଷ୍ଠପୋଷକତାରେ ଷୋଡ଼ଶ ଶତାବ୍ଦୀରେ ନିର୍ମିତ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଅବସ୍ଥିତ ଲେପାକ୍ଷୀ ମନ୍ଦିରକୁ ‘ଶିଳା ବିସ୍ମୟ’ କହିଲେ ଅତ୍ୟୁକ୍ତି ହେବନାହିଁ। ମନ୍ଦିରଠାରୁ ଆହୁରି ବିସ୍ମୟକର ସେଠାରେ ଥିବା ବିଶାଳ ଝୁଲନ୍ତା ଶିଳାସ୍ତମ୍ଭ। ସେ ପ୍ରସ୍ତର ସ୍ତମ୍ଭଟି କେମିତି ଝୁଲିଛି ତାହା ଜାଣିବା ଲାଗି ଅନେକ ଉଦ୍ୟମ ହୋଇଥିଲେ ବି ଅଦ୍ୟାବଧି ସେ ରହସ୍ୟ ଉନ୍ମୋଚନ ସମ୍ଭବ ହୋଇନାହିଁ।

Advertisment

ବିସ୍ମୟ ଉଦ୍ରେକାରୀ ଅନେକ ପ୍ରାଚୀନ ଭାରତୀୟ ଭାସ୍କର୍ଯ୍ୟ ମଧ୍ୟରୁ ଲେପାକ୍ଷୀ ମନ୍ଦିର ଅନ୍ୟତମ। ଏହା ବୀରଭଦ୍ର ମନ୍ଦିର ନାଁ’ରେ ବି ବେଶ୍‌ ପରିଚିତ। ‘କୂର୍ମଶିଳାମ୍‌’ ନାମରେ ଗୋଟାଏ ଅନୁଚ୍ଚ କଚ୍ଛପାକୃତି ପାହାଡ଼ ବା ମୁଣ୍ଡିଆ ଉପରେ ଏ ମନ୍ଦିରର ବହୁଳାଂଶ ନିର୍ମିତ ହୋଇଛି। ଏ ଚମତ୍କାର ମନ୍ଦିରରେ ଅବସ୍ଥାନ କରୁଛନ୍ତି ଭଗବାନ ବୀରଭଦ୍ର। ମନ୍ଦିର ଭିତରପଟ ଛାତ ବା ସିଲିଙ୍ଗ୍‌ରେ ଅଙ୍କିତ ହୋଇଛି ୨୪ ଫୁଟ୍‌ରେ ୧୪ ଫୁଟ୍‌ ଆକାରର ବୀରଭଦ୍ରଙ୍କ ରଙ୍ଗିନ ପ୍ରତିକୃତି। ବୀରଭଦ୍ର ହେଉଛନ୍ତି ଶିବଙ୍କର ଅନ୍ୟତମ କରାଳ ରୂପ ବା ତାଙ୍କ କ୍ରୋଧରୁ ଜାତ ହୋଇଥିବା ବହୁ ବାହୁବନ୍ତ ଯୋଦ୍ଧା। ତାଙ୍କର ପ୍ରତି ବାହୁରେ ଶୋଭାପାଉଛି ସର୍ପ ଓ ହସ୍ତରେ ରହିଛି ଅସ୍ତ୍ରଶସ୍ତ୍ର।

ଦେବଦେବୀମୟ ଦେବାଳୟ
ଏହା ବ୍ୟତିରକେ, ଏ ମନ୍ଦିର କାନ୍ଥରେ ଓ ଛାତ ଭିତର ପଟେ ରହିଛି ଅନେକ ଉତ୍କୃଷ୍ଟ ଓ ଅମର କଳାକୃତି। ସେଗୁଡ଼ିକ ମଧ୍ୟରେ ନୃତ୍ୟରତ ଗଣେଶ, ମାତା ପାର୍ବତୀ ଓ ପ୍ରଭୁ ଶିବଙ୍କ ବିଗ୍ରହ ଖୁବ୍‌ ଚିତ୍ତାକର୍ଷକ। ସେହିପରି, ମହାଭାରତ, ରାମାୟଣ ଓ ପୁରାଣ କାହାଣୀ ଆଧାରରେ ମନ୍ଦିର ଗାତ୍ରରେ ଖୋଦିତ ହୋଇଛି ଅନେକ ଦିଅଁଦେବତା, ବାଦ୍ୟକାର ଓ ସନ୍ଥମାନଙ୍କ ପ୍ରତିକୃତି। ସେଥିରେ ଆହୁରି ରହିଛି ନନ୍ଦୀ, ଭଦ୍ରକାଳୀ, ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପ୍ରତିମା। ମନ୍ଦିର ସମ୍ମୁଖରେ ବିରାଜମାନ ଶିବଙ୍କ ବାହନ ପ୍ରକାଣ୍ଡ ନନ୍ଦୀ ମୂର୍ତ୍ତିଟି ଗୋଟିକିଆ ପ୍ରସ୍ତରଖଣ୍ଡରେ ଖୋଦିତ ହୋଇଛି। କୁହାଯାଏ ଏତେ ବଡ଼ ଶିଳାବୃଷଭ ବିଶ୍ବରେ ଅନ୍ୟତ୍ର ନାହିଁ।

ଲେ ପକ୍ଷୀ- ଉଠ ପକ୍ଷୀ
ପୁରାଣ କହେ ଯେ ଅଗସ୍ତ୍ୟ ଋଷି ବୀରଭଦ୍ର ମନ୍ଦିର ନିର୍ମାଣ କରାଇଥିଲେ। ସେଠାରେ ଗୁହା ଭଳି ଗୋଟାଏ ପ୍ରକୋଷ୍ଠ ରହିଛି। ସେଥିରେ ଅଗସ୍ତ୍ୟ ଋଷି ବାସ କରୁଥିଲେ ବୋଲି ଜନଶ୍ରୁତି କହେ। ମାତା ସୀତାଙ୍କୁ ରକ୍ଷା କରିବା ଲାଗି ରାବଣ ସହିତ ଯୁଦ୍ଧ କରି ବିଫଳ ଜଟାୟୁ ପକ୍ଷୀ ଏହିଠାରେ ଭୂପତିତ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି କ୍ଷତବିକ୍ଷତ ହୋଇପଡ଼ିଥିବା ସେ ସାହସୀ ପକ୍ଷୀକୁ ପ୍ରଭୁ ରାମଚନ୍ଦ୍ର କହିଥିଲେ, ‘ଲେ ପକ୍ଷୀ’। ତେଲୁଗୁ ଭାଷାରୁ ଓଡ଼ିଆକୁ ଅନୁବାଦ କଲେ ଏହାର ଅର୍ଥ ହେବ ‘ଉଠ ପକ୍ଷୀ’। ଏ ମନ୍ଦିରରେ ଗୋଟାଏ ପାଦଚିହ୍ନ ବି ଅଛି। ଏହା ମାତା ସୀତାଙ୍କର ବୋଲି ଲୋକେ ବିଶ୍ବାସ କରନ୍ତି।

ମନ୍ଦିର କାନ୍ଥରେ ଲାଲ୍‌ ଦାଗ
କିନ୍ତୁ, ଇତିହାସ କହେ ବିଜୟନଗର ସାମ୍ରାଜ୍ୟରେ ରାଜା ଅଚ୍ୟୁତରାୟ ରାଜୁତି କରିବା ବେଳେ ସାମନ୍ତଭ୍ରାତା ବୀରାନ୍ନା ଓ ବୀରୁପନ୍ନାଙ୍କ ଦ୍ବାରା ଏ ମନ୍ଦିର ନିର୍ମିତ ହୋଇଥିଲା। ଏ ବିଷୟରେ ବି ଗୋଟାଏ  କିଂବଦନ୍ତି ଅଛି। ତାହା ଏମିତି- ବୀରୁପନ୍ନା ଥିଲେ ରାଜା ଅଚ୍ୟୁତରାୟଙ୍କ କୋଷାଧ୍ୟକ୍ଷ। ପ୍ରଭୁ ବୀରଭଦ୍ରଙ୍କ ଭକ୍ତିରେ ଅନୁପ୍ରାଣିତ ହୋଇ ସେ ଏଠାରେ ମନ୍ଦିର ତୋଳିବାକୁ ନିଷ୍ପତ୍ତି ନେଇଥିଲେ। ରାଜକୋଷରୁ ଅର୍ଥ ବ୍ୟୟକରି ସେ ମନ୍ଦିର ତୋଳୁଥିବା ବେଳେ ରାଜା ଅଚ୍ୟୁତରାୟ ନଗରୀରେ ନ ଥିଲେ। କିଛିଦିନ ପରେ ରାଜା ଫେରିଆସି ଦେଖିଲେ ରାଜକୋଷ ଶୂନ୍ୟ। ପୁଣି ତାଙ୍କ ଅନୁମତି ବିନା ମନ୍ଦିର ତୋଳାଯାଇଛି। କ୍ରୋଧ ଜର୍ଜରିତ ହୋଇ ସେ ସେତିକିରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଅଟକାଇଦେଲେ। ବୀରୁପନ୍ନାଙ୍କ ଆଖିଯୋଡ଼ିକ ତାଡ଼ିଦେବାକୁ ଆଦେଶ ‌େଦଲେ। କିନ୍ତୁ, ଶାସ୍ତି ଭୋଗିବାଠାରୁ ନିଜେ ଯେ ନିର୍ଦ୍ଦୋଷ, ତା’ର ପ୍ରମାଣ ଦେବା ପାଇଁ ବୀରୁପନ୍ନା ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଲେ। ସେ ତାଙ୍କ ଆଖିଦୁଇଟି ତାଡ଼ି ମନ୍ଦିର କଲ୍ୟାଣ ମଣ୍ଡପ କାନ୍ଥ ଉପରକୁ ଛାଟିଦେଲେ। ଏବେ କଲ୍ୟାଣ ମଣ୍ଡପ କାନ୍ଥରେ ଯେଉଁ ଲାଲ୍ ଚିହ୍ନ ଦୁଇଟି ଦିଶୁଛି ତାହା ବୀରୁପନ୍ନାଙ୍କ ଆଖିରୁ ନିର୍ଗତ ରକ୍ତଛିଟା। ଏଭଳି ଦୁଃଖଦ ଘଟଣା ଯୋଗୁଁ ଗାଁ’ର ନାଁ ‘ଲେପାକ୍ଷୀ’ ବା ‘ଅନ୍ଧନେତ୍ର’ ହୋଇଛି।

ଶୂନ୍ୟରେ ଝୁଲିଛି ସ୍ତମ୍ଭ
ଲେପାକ୍ଷୀ ମନ୍ଦିରରେ ଯେଉଁ ଜିନିଷଟି ଦେଖି ସମସ୍ତେ ଚମତ୍କୃତ ହୁଅନ୍ତି, ତାହା ହେଉଛି ଝୁଲନ୍ତା ସ୍ତମ୍ଭ। ମନ୍ଦିରରେ ଥିବା ୭୦ଟି ପ୍ରସ୍ତର ସ୍ତମ୍ଭରୁ ଗୋଟିଏ  ସ୍ତମ୍ଭ ସମ୍ପୂର୍ଣ୍ଣ ଚଟାଣ ସ୍ପର୍ଶ ନ କରି କେବଳ ଛାତରୁ ଓହଳି ରହିଛି। ଖାଲି ତା’ର ଗୋଟିଏ ପାର୍ଶ୍ବର ଧାର ସାମାନ୍ୟ ଚଟାଣ ସ୍ପର୍ଶ କରିଛି। ଏ ସ୍ତମ୍ଭ ଓ ତା’ ତଳେ ଥିବା ପ୍ରସ୍ତର ଚଟାଣ ମଧ୍ୟରେ ରହିଛି ଫର୍ଦ୍ଦେ କାଗଜ କି, କପଡ଼ା ପଶିବା ଭଳି ପତଳା ଫାଙ୍କ। କେଉଁ ହତିଆର ଦ୍ବାରା ଏତେ ପତଳା ଫାଙ୍କ କରାଯାଇ ପାରିଲା- ସେ କଥା ସମସ୍ତଙ୍କୁ ବିସ୍ମିତ କରେ! ଫାଙ୍କ ଏତେ ପତଳା ହୋଇ ବି ନିଦା ପ୍ରସ୍ତର ସ୍ତମ୍ଭଟି ଚଟାଣ ସ୍ପର୍ଶ ନ କରି କେମିତି ଉପରୁ ଓହଳି ରହିଛି? ଏ ରହସ୍ୟ କାରଣରୁ ହିଁ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଏହି ମନ୍ଦିର ଦେଖିବାକୁ ଛୁଟି ଆସୁଛନ୍ତି ଅସୁମାରି ପର୍ଯ୍ୟଟକ।

ହାର୍‌ ମାନିଛି ମାଧ୍ୟାକର୍ଷଣ
ସ୍ତମ୍ଭଟି କିନ୍ତୁ, ମୂଳ ଜାଗାରୁ ସାମାନ୍ୟ ଘୁଞ୍ଚିଯାଇଛି ବୋଲି କୁହାଯାଏ। ସ୍ତମ୍ଭଟି ଝୁଲି ରହିବାର ରହସ୍ୟ ଜାଣିବା ଲାଗି ବ୍ରିଟିସ୍‌ ଶାସନ ଅମଳରେ ଜଣେ ବ୍ରିଟିସ୍‌ ଇଞ୍ଜିନିୟର୍‌ ଏ ସ୍ତମ୍ଭଟିକୁ ଘୁଞ୍ଚାଇବା ଲାଗି ପ୍ରୟାସ କରି ଅସଫଳ ହୋଇଥିଲେ। କୌତୂହଳର କଥା ହେଲା, ସେ ଅଜ୍ଞାତ ବ୍ରିଟିସ୍‌ ଇଞ୍ଜିନିୟର୍‌ ଏବଂ ତାଙ୍କ ପରେ ଏ ସ୍ତମ୍ଭ ଉପରେ ଗବେଷଣା କରିଥିବା ଆହୁରି ଅନେକ ଇଞ୍ଜିନିୟର୍‌ ତଥାପି ଏ ରହସ୍ୟ ଭେଦ କରିପାରି ନାହାନ୍ତି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବି ଏଠାରେ ହାର୍‌ ମାନିଛି। ସତେ ଅବା ସେ ପ୍ରସ୍ତର ସ୍ତମ୍ଭଟି ଶୂନ୍ୟରେ ଝୁଲି ରହିଛି। ତେଣୁ, ଲୋକେ କହନ୍ତି କେବଳ ଦୈବଶକ୍ତି ବଳରେ ଏହା ସମ୍ଭବ ହୋଇଛି।
ଏ ଝୁଲନ୍ତା ସ୍ତମ୍ଭ ବିଷୟରେ ଆହୁରି କିଛି କଥା ବି ଶୁଣାଯାଏ। ସବୁଠୁ ଲୋକପ୍ରିୟ ଶୁଣାକଥାଟି ହେଉଛି ସେ ଯୁଗର କାରିଗରମାନଙ୍କ ବିଜ୍ଞ-ଚାତୁରୀ ଦର୍ଶାଇବା ପାଇଁ ଜାଣିଶୁଣି ସ୍ତମ୍ଭଟିକୁ ଏମିତି ଝୁଲାଇ ରଖାଯାଇଛି। କିନ୍ତୁ, ଘଟଣାସ୍ଥଳ ଅନୁଧ୍ୟାନ କରି କେତେକ ବିଶେଷଜ୍ଞ କହୁଛନ୍ତି- ଏହା ହୁଏତ ଭୂକମ୍ପନଜନିତ ପ୍ରଭାବ ଅଥବା ନିର୍ମାଣକାଳୀନ ପ୍ରମାଦ। ସେ ଯାହାହେଉ ଇତିମଧ୍ୟରେ ଶହ ଶହ ବର୍ଷ ଅତୀତ ହୋଇଗଲାଣି। ଅସୁମାରି ପର୍ଯ୍ୟଟକ ଆସି ପତଳା କାଗଜ ଫର୍ଦ୍ଦ, ଛୋଟ କାଠି, ରୁମାଲ, ଲୁଗାକାନି ଆଦି ସେ ପ୍ରସ୍ତର ସ୍ତମ୍ଭ ଏପଟେ ପୂରାଇ ସେପଟେ ବାହାରକରି ଖୁବ୍‌ ବିସ୍ମିତ ହେଉଛନ୍ତି।