ରହସ୍ୟମୟ ପରିତ୍ୟକ୍ତ ପ୍ରାଚୀନ ଦୁର୍ଗ ଓ ନଗରୀ ପରି ଭାରତର ଗାଁଗଣ୍ଡାରେ ବି ଅନେକ ଅସମାହିତ ରହସ୍ୟ ଭରି ରହିଛି। ସେମିତି ଗୋଟାଏ ରହସ୍ୟମୟ ଗାଁ ହେଉଛି ରାଜସ୍ଥାନର କୁଲଧରା। ଥର୍ ମରୁଭୂମି ମଝିରେ ଥିବା ଏହି ଗାଁରେ ବହୁ ଭଗ୍ନ ଗୃହ ଓ ଗୋଟାଏ ପୁରାତନ ମନ୍ଦିର ଦେଖିବାକୁ ମିଳେ। କୁହାଯାଏ, ୧୮୨୫ ମସିହାରେ କୁଲଧରା ବାସିନ୍ଦାମାନେ ରାତିଅଧରେ ଅନ୍ତର୍ଦ୍ଧାନ ହୋଇଗଲେ, କେହି ସେମାନଙ୍କର ପତ୍ତା ପାଇଲେ ନାହିଁ। ଜନଶ୍ରୁତି କହେ- ଗାଁ ଛାଡ଼ିବା ବେଳେ ସେମାନେ କୁଆଡ଼େ ଅଭିଶାପ ଦେଇଯାଇଛନ୍ତି ଯେ ଆଉ କେହି ସେ ଗାଁ’ରେ ରହିପାରିବେ ନାହିଁ! କିନ୍ତୁ, କୁଲଧରା ବାସିନ୍ଦା ଅକସ୍ମାତ୍ କାହିଁକି ଗାଁ ଛାଡ଼ି ଚାଲିଗଲେ, ତାହା ଅଦ୍ୟାବଧି ରହସ୍ୟମୟ େହାଇ ରହିଛି।
କୁଲଧରା ଗ୍ରାମର ଇତିବୃତ୍ତ
ଚାଷବାସ ଦକ୍ଷତା ଓ ବ୍ୟାବସାୟିକ ଚାତୁର୍ଯ୍ୟରେ ନିପୁଣ ପାଲୀୱାଲ୍ ବ୍ରାହ୍ମଣ ସମ୍ପ୍ରଦାୟ ପାଲୀରୁ ଉଠିଆସି ୧୨୯୧ ଖ୍ରୀଷ୍ଟାବ୍ଦରେ କୁଲଧରାରେ ବସତି ସ୍ଥାପନକରି ରହିଥିଲେ। ଜୈସଲମେର୍ ରାଜାଙ୍କ ପୃଷ୍ଠପୋଷକତା ପାଇ ଗାଁଖଣ୍ଡିକ ବେଶ୍ ସମୃଦ୍ଧ ହୋଇଥିଲା। ରାଜାମାନେ ଗ୍ରାମବାସୀଙ୍କ ଉପରୁ କରଛାଡ଼ କରିବା ସହିତ ସେମାନଙ୍କୁ ଜମି ମାଲିକାନା ପ୍ରଦାନ କରିଥିଲେ। ସରସ ସୁନ୍ଦର ଘର, ମନ୍ଦିର, କୂପ ଓ ରାସ୍ତାଘାଟ ନିର୍ମାଣକରି ପାଲୀୱାଲ୍ମାନେ ସୁଖଶାନ୍ତିରେ କାଳାତିପାତ କରୁଥିଲେ। କ୍ରମେ ଜନସଂଖ୍ୟା ବଢ଼ିବାରୁ ସେମାନେ ଆଖପାଖ ଅଞ୍ଚଳରେ ଖବା, ପାଲୀୱାଲୋଁ କୀ ଧାନୀ, ସୋଦାକର ଆଦି ଆଉ ୮୫ ଖଣ୍ଡ ଗ୍ରାମ ସ୍ଥାପନ କରିଥିଲେ। ଜେମ୍ସ୍ ଟଡ୍ ନାମରେ ଜଣେ ବ୍ରିଟିସ୍ ଅଧିକାରୀଙ୍କ ପ୍ରଦତ୍ତ ତଥ୍ୟାବଳି ଅନୁସାରେ, ୧୮୧୫ ବେଳକୁ କୁଲଧରାରେ ୨୦୦ ପରିବାରରେ ସମୁଦାୟ ୮୦୦ ଲୋକ ଥିଲେ। କିନ୍ତୁ, ସେତେବେଳକୁ ପାଲୀୱାଲ୍ମାନେ କ୍ରମଶଃ ଗ୍ରାମ ଛାଡ଼ିବା ଆରମ୍ଭ କରିସାରିଥିଲେ। ପୁନଶ୍ଚ ୧୮୯୦ର ଏକ ରେକର୍ଡରୁ ଜଣାପଡ଼େ ଯେ ସେତେବେଳେ ଘର ସଂଖ୍ୟା ୧୧୭ ଥିବା ବେଳେ ଗ୍ରାମବାସୀଙ୍କ ସଂଖ୍ୟା ଥିଲା ମାତ୍ର ୩୭।
ରାତିଅଧରେ ଅନ୍ତର୍ଦ୍ଧାନ
ମୂଲ୍ୟବାନ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ପାଲୀୱାଲ୍ମାନେ ରାତ୍ରିର ଅନ୍ଧକାରରେ କୁଲଧରା ଛାଡ଼ି ଚାଲିଗଲେ ବୋଲି ଜନଶ୍ରୁତି ରହିଛି। କିନ୍ତୁ, ସେମାନେ କୁଆଡ଼େ ଗଲେ ଓ କ’ଣ କଲେ କେହି ତା’ର ଟେର୍ ପାଇଲେ ନାହିଁ। କେତେକ କହନ୍ତି, ସେମାନେ ରାଜସ୍ଥାନର ଅନ୍ୟାନ୍ୟ ପ୍ରାନ୍ତକୁ ଚାଲିଗଲେ। ଆଉ କେତେକ କହନ୍ତି, ସେମାନେ ଭାରତର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତହୋଇ ରହିଲେ। ପୁଣି କେତେକ କହନ୍ତି ଯେ ସେମାନେ ସୀମା ପାରହୋଇ ପାକିସ୍ତାନରେ ବସବାସ କଲେ। କିନ୍ତୁ, କେହି ସୁନିଶ୍ଚିତ ନୁହନ୍ତି- ସେମାନଙ୍କର କ’ଣ ହେଲା ଅଥବା ଏବେ ସେମାନେ କେଉଁଠି ଅଛନ୍ତି?
ପଳାୟନ ପଛରେ ନିଷିଦ୍ଧ ପ୍ରେମ!
ଜନଶ୍ରୁତି କହେ, ଜୈସଲମେର୍ର ପ୍ରତାପୀ ପ୍ରଧାନମନ୍ତ୍ରୀ ସଲିମ୍ ଅଲି କୁଲଧରା ଗ୍ରାମ ମୁଖିଆଙ୍କ କନ୍ୟାକୁ ଦେଖି ବିମୋହିତ ହୋଇ ତାକୁ ବିବାହ କରିବେ ବୋଲି କହିଲେ। କିନ୍ତୁ, ସେ ଭିନ୍ନ ଧର୍ମାବଲମ୍ବୀ ହୋଇଥିବାରୁ ପାଲୀୱାଲ୍ ସମ୍ପ୍ରଦାୟ ଓ ଆଖପାଖ ୮୫ଖଣ୍ଡ ଗ୍ରାମବାସୀ ତାଙ୍କ ପ୍ରସ୍ତାବ ଗ୍ରହଣ କଲେନାହିଁ। ଫଳରେ ସଲିମ୍ ଗ୍ରାମବାସୀଙ୍କ ଉପରେ ଅଧିକ କର ବସାଇବା ସହିତ ଶାସ୍ତିଦେବେ ବୋଲି ଧମକଦେଲେ। ଆପଣା ମହତ ଓ ମର୍ଯ୍ୟାଦା ଉପରେ ଗୁରୁତ୍ବ ଦେଉଥିବା ପାଲୀୱାଲ୍ମାନେ ଠିକ୍କଲେ ଯେ ଅତ୍ୟାଚାରୀର ଦାବି ପୂରଣ କରିବା ଅପେକ୍ଷା ଗ୍ରାମ ଛାଡ଼ିଦେବା ଶ୍ରେୟସ୍କର। ଏଥିପାଇଁ ପାଲୀୱାଲ୍ମାନେ ସଭା ଡାକି ଆଲୋଚନା କଲେ। ତା’ପରେ ୮୫ଖଣ୍ଡ ଗ୍ରାମର ବାସିନ୍ଦା ଅଭିଶାପ ଦେଇ ସାମୂହିକ ଭାବେ ପୂର୍ବଜଙ୍କ ଭିଟାମାଟି ଛାଡ଼ି ଚାଲିଗଲେ। ଅଭିଶାପ ଯୋଗୁଁ ଆଜି ପର୍ଯ୍ୟନ୍ତ ସେ ଗ୍ରାମ ସେମିତି ଜନମାନବ ଶୂନ୍ୟହୋଇ ରହିଛି- ଠିକ୍ ୨୦୦ ବର୍ଷ ତଳେ ଯେମିତି ଥିଲା। ସେଠାରେ ଭୌତିକକାଣ୍ଡ ଘଟୁଛି ବୋଲି ସେ ଗାଁ’ରେ ରାତି ଅତିବାହିତ କରିବାକୁ ପ୍ରୟାସ କରିଥିବା ଲୋକେ କହନ୍ତି। ତେଣୁ, ସ୍ଥାନୀୟ ଓ ବାହ୍ୟ ପର୍ଯ୍ୟଟକମାନେ ସନ୍ଧ୍ୟା ପରେ ସେଠାକୁ ଯାଉନାହାନ୍ତି।
ଟିକସ ବୋଝ ନା ପ୍ରାକୃତିକ ବିପର୍ଯ୍ୟୟ?
ଆଉ କିଛି ଲୋକେ କହନ୍ତି ପ୍ରେମାନ୍ଧ ସଲିମ୍ ଅଲି ମାତ୍ରାଧିକ କର ବା ଟିକସ ଲାଗୁ କରିବାରୁ ପାଲୀୱାଲ୍ମାନେ ଗ୍ରାମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପୁନଶ୍ଚ କେତେକଙ୍କ ମତରେ, କୁଲଧରା ଗାଁରେ ଉତ୍କଟ ଜଳସଙ୍କଟ ଦେଖା ଦେଇଥିଲା। ପାଣି ନ ମିଳିବାରୁ କୁଲଧରା ଆଉ ମନୁଷ୍ୟ ବାସୋପଯୋଗୀ ହୋଇ ରହିଲାନାହିଁ। ତେଣୁ ସେମାନେ ଗ୍ରାମ ପରିତ୍ୟାଗ କଲେ। କେତେକ ବୈଜ୍ଞାନିକ କହନ୍ତି ଯେ ଭୂମିକମ୍ପ ହେବାରୁ ଲୋକେ ସ୍ଥାନାନ୍ତର ହୋଇଯାଇଥିଲେ। ସମ୍ପ୍ରତି କୁଲଧରା ଗାଁରେ ଥିବା ଭଗ୍ନ ତଥା ଜରାଜୀର୍ଣ୍ଣ ବାସଭବନ ସବୁ ଲକ୍ଷ୍ୟକଲେ ସେମାନଙ୍କ କଥା ସତ୍ୟ ବୋଲି ପ୍ରତୀୟମାନ ହୁଏ। କିନ୍ତୁ, ଉତ୍ଖନନ ସମୟରେ ସମଗ୍ର କୁଲଧରା ଗାଁ’ରୁ ଗୋଟିଏ ହେଲେ ଶବ ନ ମିଳିବାରୁ ଭୂମିକମ୍ପ ଘଟଣା ଅସତ୍ୟ ବୋଲି ଅନେକେ କହନ୍ତି।
ଏକା ଢଙ୍ଗରେ ଘରଭଙ୍ଗା
ଏହା ବ୍ୟତିରେକେ, କୁଲଧରା ଗାଁରେ ଘଟିଥିବା ଆହୁରି ଗୋଟାଏ ଘଟଣା ବି ଅଦ୍ୟାବଧି ରହସ୍ୟମୟ ହୋଇ ରହିଛି। ତାହା ହେଉଛି ଘର ସବୁ ଗୋଟାଏ ନିର୍ଦ୍ଦିଷ୍ଟ ଶୈଳୀ ବା ଢଙ୍ଗରେ ଭାଙ୍ଗିଛି। ସେଠାରେ ଥିବା କୌଣସି ବାସଗୃହର ଛାତ ନାହିଁ ଏବଂ କାନ୍ଥ ସବୁ କୋଣାକୋଣି ବା କଣବାଗେ ଭାଙ୍ଗିଛି। ଭୂମିକମ୍ପ ହେଲେ ତ ଘରଦ୍ବାରା ଏମିତି ଗୋଟାଏ ବାଗରେ ଭାଙ୍ଗିବ ନାହିଁ? ତା’ହେଲେ ଗାଁର ଘରଗୁଡ଼ିକୁ ଏମିତି ଭାବେ ଭାଙ୍ଗିଲା କିଏ? ସେ ଯାହାହେଉ, ୨୦୧୫ ମସିହାରୁ ରାଜସ୍ଥାନ ସରକାରଙ୍କ ଦ୍ବାରା କୁଲଧରା ଗାଁ ଐତିହ୍ୟସ୍ଥଳୀ ଭାବେ ଘୋଷିତ ହୋଇଛି। ଏହାର ରକ୍ଷାଣାବେକ୍ଷଣ କରୁଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା।