ସମୁଦ୍ର ମଧ୍ୟରୁ ପ୍ରାୟ ୧୨ ମାଇଲ୍‌ ଦୂରରୁ ସ୍ପଷ୍ଟ ଦେଖି ହେଉଥିବା ଦକ୍ଷିଣ ଆମେରିକାର ଅନ୍ୟତମ ରହସ୍ୟମୟ ପ୍ରକାଣ୍ଡ ଭୂପୃଷ୍ଠ-ଚିତ୍ର ବା  ‘ଜିଓଗ୍ଲିଫ୍‌’ ହେଉଛି ‘ଆଣ୍ଡିଜ୍‌ର କ୍ୟାଣ୍ଡେଲାବ୍ରା’। ପେରୁ ଉପକୂଳ ଅଞ୍ଚଳ ଅନ୍ତର୍ଗତ ପିସ୍‌କୋ ଉପସାଗର ତଟରେ ଥିବା ଗୋଟାଏ ଢାଲୁଆ ପାହାଡ଼ରେ ଖୋଦେଇ ହୋଇଥିବା ଏ ଚିତ୍ରଟି ମହମବତି ଝାଡ଼ ଭଳି ଦିଶୁଥିବାରୁ ତା’ର ନାଁ ‘ଦି କ୍ୟାଣ୍ଡେଲାବ୍ରା ଅଫ୍‌ ଆଣ୍ଡିଜ୍‌’ ରଖାଯାଇଛି। ଏହା ଖ୍ରୀଷ୍ଟପୂର୍ବ ୨୦୦ରେ ନିର୍ମିତ ବୋଲି ଆଖପାଖରୁ ସଂଗୃହୀତ ମାଟିପାତ୍ରଗୁଡ଼ିକର କାର୍ବନ୍‌ ଡେଟିଙ୍ଗ୍‌ କରି ଧାର୍ଯ୍ୟ କରାଯାଇଛି। କିନ୍ତୁ ସୁଦୂର ସମୁଦ୍ରରୁ ନାବିକମାନେ ସବୁଠୁ ଭଲକରି ଦେଖିପାରିବା ଭଳି ସ୍ଥାନରେ ଏଇଟି କାହିଁକି ଖୋଦେଇ କରାଯାଇଛି ତାହା ସଭିଙ୍କୁ ବିସ୍ମିତ କରେ! ପେରୁର ପାରାକସ୍‌ ଉପଦ୍ବୀପରେ ଥିବା ଗୋଟାଏ ବିଶାଳ ପର୍ବତରେ ଖୋଦିତ ଜିଓଗ୍ଲିଫ୍‌ ‘ଦି କ୍ୟାଣ୍ଡେଲାବ୍ରା ଅଫ୍‌ ଆଣ୍ଡିଜ୍‌’ର ପ୍ରାଚୀନ ଭାରତୀୟ ସଂସ୍କୃତି ସହ ସଂପର୍କ ଥିବା କେତେକ ଗବେଷକ ଦାବି କରନ୍ତି। ସେମାନେ କହନ୍ତି, ‘ପାରାକାସ୍’ ଶବ୍ଦ ହେଉଛି ସଂସ୍କୃତ ଶବ୍ଦ ‘ପ୍ରକାଶ’ର ବିପର୍ଯ୍ୟସ୍ତ ଉଚ୍ଚାରଣ। ଏହା ‘ପରାକାଶ’ ବୋଲି ଆଉ ଗୋଟାଏ ସଂସ୍କୃତ ଶବ୍ଦର ଅପଭ୍ରଂଶ ବି ହୋଇପାରେ, ଯାହାର ଅର୍ଥ ‘ଦୂର ଦୃଶ୍ୟ’। ଯଦିଓ ଏ ତ୍ରିଶୂଳ ମହାସାଗରରେ ଆତଯାତ କରୁଥିବା ପୋତଗୁଡ଼ିକୁ ଦିଗ ସୂଚାଇବା ଲାଗି ଆଲୋକବର୍ତ୍ତିକା ଭଳି କାମ କରୁଥାଇପାରେ ବୋଲି କେତେକ ଐତିହାସିକ ମତ ଦିଅନ୍ତି, କିନ୍ତୁ ଏହାର ପ୍ରମାଣିକତ‌ା ଅତ୍ୟନ୍ତ ଦୁର୍ବଳ।

Advertisment

ମହାସାଗର ବକ୍ଷରେ ପ୍ରକାଣ୍ଡ ତ୍ରିଶୂଳ
କେତେକ ଏହାକୁ ମହମବତି ଝାଡ଼ କହୁଥିବା ବେଳେ ଆଉ କେତେକ ପ୍ରତ୍ନତତ୍ତ୍ବବିତ୍‌ ଏହା ତ୍ରିଶୂଳ ବୋଲି ମତ ଦିଅନ୍ତି। ପାହାଡ଼ ଢାଲୁରେ ଖୋଦିତ ଏ ତ୍ରିଶୂଳର ଉଚ୍ଚତା ୭୦୦ ଫୁଟ୍‌। ଏହି ବିଶାଳ ତ୍ରିଶୂଳ ପ୍ରାୟ ୨ ଫୁଟ୍‌ ଗଭୀର ଖୋଦେଇ ହୋଇ ନିର୍ମିତ ହୋଇଛି। ଏହା ଚାରିପଟେ ବା ଧାରେ ଧାରେ ଶିଳାଖଣ୍ଡମାନ ଖଞ୍ଜାଯାଇଛି। କେତେକ ବିଦ୍ବାନ୍‌ କହନ୍ତି ଯେ ଏ ପଥର ସବୁ ପରବର୍ତ୍ତୀ ସମୟରେ ଖଞ୍ଜାଯାଇଛି। ଏତେ ବର୍ଷ ଧରି ଏହା ଅକ୍ଷୁଣ୍ଣ ରହିଥିବାର କାରଣ ସଂପର୍କରେ ଫରାସୀ ଗବେଷକ ରବର୍ଟ ସାରୁକ୍‌ କହନ୍ତି, ଯଦିବା ଏ ପାହାଡ଼ ଢାଲୁ ଉପରେ ପବନ ବହେ, କିନ୍ତୁ ସେଥିରେ ଧୂଳି ଅଥବା ବାଲିକଣିକା ନ ଥାଏ। ସେଥିଲାଗି ପ୍ରାଚୀନ ହୋଇ ବି ତାହା ଅକ୍ଷୟ।

ହିନ୍ଦୁ ସଂସ୍କୃତି ସହିତ ସଂପର୍କ
ସ୍ଥାନୀୟ କିଂବଦନ୍ତି କହେ, ଏହା ହେଉଛି ସମଗ୍ର ଦକ୍ଷିଣ ଆମେରିକାରେ ପୂଜିତ ଦେବତା ବିରାକୋଚାଙ୍କ ଅସ୍ତ୍ର- ବଜ୍ର। ଆଧୁନିକ ପ୍ରତ୍ନତତ୍ତ୍ବବିତ୍‌ଙ୍କ ମତାନୁସାରେ ହିନ୍ଦୁ ଦେବତା ଇନ୍ଦ୍ର, ଗ୍ରୀକ୍‌ ଦେବତା ଜିୟସ୍‌ ଓ ଫିନିସୀୟ ଦେବତା ବାଲ୍‌ଙ୍କ ବଜ୍ର ଭଳି ଏହା ବିରାକୋଚାଙ୍କ ବଜ୍ର। ଏସବୁ କାରଣରୁ କେତେକ ବିଦ୍ବାନ୍‌ ଅନୁମାନ କରନ୍ତି ଯେ ଏ ଚିତ୍ର ଫିନିସୀୟ ଅଥବା ଭାରତୀୟ ସଭ୍ୟତା ଦ୍ବାରା ଖୋଦିତ। ଏତେ ପ୍ରାଚୀନ କାଳରେ ଦୁଇ ସଭ୍ୟତା ଦକ୍ଷିଣ ଆମେରିକା ଅାସିଥିବା ବିଷୟରେ କୌଣସି ପ୍ରମାଣ ନ ଥିଲେ ବି ଦ‌େଳ ଭାରତୀୟ ବିଦ୍ବାନ୍‌ କହନ୍ତି ‘କ୍ୟାଣ୍ଡେଲାବ୍ରା’ ହିନ୍ଦୁ ସଂସ୍କୃତି ସହିତ ସମ୍ପୃକ୍ତ।

ରାମାୟଣ ବର୍ଣ୍ଣିତ ଉଦୟ ପର୍ବତ!
‘କ୍ୟାଣ୍ଡେଲାବ୍ରା’ କଥା ରାମାୟଣ ମହାକାବ୍ୟରେ ଉଲ୍ଲେଖ ଥିବା ଦାବି କରନ୍ତି ଗବେଷକ। ସୀତାଙ୍କୁ ଖୋଜିବା ଲାଗି ବାନର ରାଜା ସୁଗ୍ରୀବ ବାନରମାନଙ୍କୁ ବିଶ୍ବର ଚାରିଦିଗକୁ ପ୍ରେରଣ କରିଥିଲେ। ସେମାନେ କେଉଁ କେଉଁ ସ୍ଥାନକୁ ଯିବେ ତାହା ନିର୍ଦ୍ଦେଶ ବି ଦେଇଥିଲେ। ପ୍ରଥମତଃ ଦିଗ ବତାଇ ଜାଭା ଯିବାକୁ କହିଥିଲେ। ତା’ପରେ ସେମାନେ ଗୋଟାଏ ବହୁ ସୁନ୍ଦର ହ୍ରଦ, ହଂସ ଓ ପାହାଡ଼ ଥିବା ବିଶାଳ ଦ୍ବୀପ ପ୍ରଦକ୍ଷିଣ କରିବେ ବୋଲି ସୁଗ୍ରୀବ କହିଥିଲେ। ତାହା ନିଉଜିଲାଣ୍ଡ୍‌ ଓ ପ୍ରଶାନ୍ତ ମହାସାଗର ବୋଲି ଅନୁମାନ କରାଯାଏ। ତା’ପରେ ସେ କହିଥିଲେ, ସେମାନେ ଗୋଟାଏ ପାହାଡ଼ ଦେଖିବେ, ଯାହା ବକ୍ଷରେ ତିନୋଟି ଶାଖାଥାଇ ସୁବର୍ଣ୍ଣ ବୁରୁଜ ପରି ଦିଶୁଥିବା ତାଳଗଛ ଏବଂ ତା’ର ସୁବର୍ଣ୍ଣ ବଇଠି ଖୋଦେଇ ହୋଇଥିବ। ତାହା ହିଁ ନିରୋଳା ସୁବର୍ଣ୍ଣ ପ୍ରାୟ ଦିଶୁଥିବା ‘ଉଦୟ ପର୍ବତ’। ‘ଦି କ୍ୟାଣ୍ଡେଲାବ୍ରା ଅଫ୍‌ ଆଣ୍ଡିଜ୍‌’ ରାମାୟଣ ବର୍ଣ୍ଣିତ ‘ଉଦୟ ପର୍ବତ’ ନୁହେଁ ତ!

ନିର୍ମାତା କିଏ?
ପେରୁର ସଂରକ୍ଷିତ ପ୍ରାକୃତିକ ଅଞ୍ଚଳ ‘ପାରାକାସ୍‌ ନ୍ୟାସ୍‌ନାଲ୍‌ ରିଜର୍ଭ’ ମଧ୍ୟରେ ଅବସ୍ଥିତ ମରୁଭୂମି ଉପଦ୍ବୀପ ‘ପାରାକା’ ପାବର୍ତ୍ୟଞ୍ଚଳରେ ଥିବା ‘ଦି କ୍ୟାଣ୍ଡେଲାବ୍ରା ଅଫ୍‌ ଆଣ୍ଡିଜ୍‌’ର ନିର୍ମାତା କିଏ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏଭଳି ଏକ ସ୍ଥାନରେ ଏ ବିଶାଳ  ଖୋଦେଇର ନିର୍ମାତା କିଏ, ତାହା ଆକଳନ କରିବା ବି ସମ୍ଭବପର ନୁହେଁ। ବିଶାଳକାୟ ଭୂପୃଷ୍ଠ-ଅଙ୍କିତ ଚିତ୍ର ଲାଗି ପ୍ରସିଦ୍ଧ ‘ନାଜ୍‌କା ପ୍ଲେନ୍‌’ଠାରୁ ୧୩୦ ମାଇଲ୍‌ ଦୂରରେ ଅବସ୍ଥିତ ହୋଇଥିବାରୁ ଏହା କଦାପି ସେ ଅଞ୍ଚଳବାସୀଙ୍କ ଦ୍ବାରା ନିର୍ମିତ ହୋଇ ନ ଥିବ ବୋଲି କୁହାଯାଉଛି।

ସାଇଜ୍‌ମୋଗ୍ରାଫ୍‌
ପେରୁ ଆକ୍ରମଣକାରୀ ସ୍ପେନୀୟ ବିଜେତ‌ାମ‌ାନେ ଏହାକୁ ‘ହୋଲି ଟ୍ରିନିଟି’ ବା ‘ପବିତ୍ର ତ୍ରିଦେବ’ ବୋଲି କହୁଥିଲେ। ମାତ୍ର ପେରୁ ଲେଖକ ବେଲ୍‌ତ୍ରାନ୍‌ ଗାର୍ସିଆ ଭାବନ୍ତି- ଏଇଟା ଭୂମିକମ୍ପ ମାପି ତା’ର ସବିଶେଷ ବିବରଣୀ ଏବଂ କମ୍ପନ ତରଙ୍ଗ ରେକର୍ଡ କରୁଥିବା ଗୋଟାଏ ପ୍ରକାଣ୍ଡ ‘ସାଇଜ୍‌ମୋଗ୍ରାଫ୍‌’।
ବିଶେଷଜ୍ଞ ରେନି ଗନନ୍‌ଙ୍କ ମତରେ ‘କ୍ୟାଣ୍ଡେଲାବ୍ରା’ ‘ଜୀବନବୃକ୍ଷ’ର ପ୍ରତିନିଧିତ୍ବ କରୁଛି।
କିନ୍ତୁ, ଏ ‘ମହମବତି ଝାଡ଼’ ବିଷୟରେ ଯେତେ କଥା କୁହାଗଲାଣି ସେସବୁ କପୋଳକଳ୍ପିତ; ତା’ର ବାସ୍ତବ ଅର୍ଥ ଓ ନିର୍ମାଣ କାରଣ ଏଯାବତ୍‌ ଦୁର୍ବୋଧ୍ୟ ହୋଇ ରହିଛି।