ଲକ୍ଷ୍ମୌ: ଲକ୍ଷ୍ମୌର ପ୍ରୟାଗରାଜର ଜଣେ ସବ-ଇନ୍ସପେକ୍ଟରଙ୍କ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଥିବା ସବ-ଇନ୍ସପେକ୍ଟରଙ୍କ ନାମ ଚନ୍ଦ୍ରଜିତ ନିଷାଦ ସେ ସଙ୍ଗମ ସହରରେ ବସବାସ କରନ୍ତି।
ସଙ୍ଗମ ସହରରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗଙ୍ଗା ନଦୀର ଜଳ ସବ-ଇନ୍ସପେକ୍ଟର ଚନ୍ଦ୍ରଜିତ ନିଷାଦଙ୍କ ଘରେ ଆସି ପ୍ରବେଶ କରିଥିଲା। ସାଧାରଣତଃ ଘର ଭିତରେ ବନ୍ୟା ଜଳ ପ୍ରବେଶ କଲେ ଲୋକମାନେ ଖୁବ ବିଚଳିତ ହୋଇପଡ଼ିଥାଆନ୍ତି। ବନ୍ୟା ପାଣିକୁ କେମିତି ବାହାର କରିବେ ସେ ବ୍ୟବସ୍ଥା କରିବାକୁ ଚିନ୍ତା କରିଥାଆନ୍ତି। କିନ୍ତୁ ସବ-ଇନ୍ସପେକ୍ଟର ଚନ୍ଦ୍ରଜିତ ନିଷାଦଙ୍କ କ୍ଷେତ୍ରରେ ଏହାର ଓଲଟା ଘଟଣା କିଛି ଦେଖିବାକୁ ମିଳିଥିଲା।
ଚନ୍ଦ୍ରଜିତ ନିଷାଦ ଡିୟୁଟି ବାହାରୁଥିବା ବେଳେ ହଠାତ ଗଙ୍ଗା ନଦୀର ବନ୍ୟା ପାଣି ଆସି ତାଙ୍କ ଗୃହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦେଖୁଦେଖୁ ପାଣି ଘର ଭିତରକୁ ପ୍ରବେଶ କରି ସବ-ଇନ୍ସପେକ୍ଟର ବେକ ଯାଏଁ ହୋଇଯାଇଥିଲା। ଏହି ଘଟଣାରେ ଚନ୍ଦ୍ରଜିତ ନିଷାଦ ଆଦୌ ବିଚଳିତ ହୋଇ ନଥିଲେ। ବରଂ ଖୁସି ହୋଇଯାଇଥିଲେ।
ଅତି ଉତ୍ସାହର ସହ ଘର ଭିତରେ ପଶିଥିବା ଗଙ୍ଗା ପାଣିରେ ସ୍ନାନ କରି ଜୟ ଗଙ୍ଗା ଗୟ ଗଙ୍ଗାର ଗାନ କରି ବୁଡ଼ ପକାଇ ଥିଲେ। କେବଳ ଏତିକି ନୁହେଁ ପୁଲିସ ପୋଷାକ ପିନ୍ଧି କ୍ଷୀର, ଫୁଲ ଓ ଧୂପ ଦେଇ ଗଙ୍ଗା ପାଣିକୁ ସ୍ବାଗତ କରି କହିଥିଲେ, ‘ଏହି ଜଳ ମୋ ପାଇଁ ସାଧାରଣ ବନ୍ୟା ପାଣି ନୁହେଁ। ମୋ ମତରେ ମା’ ଗଙ୍ଗା ମୋ ଗୃହକୁ ସ୍ବଇଚ୍ଛାରେ ପ୍ରବେଶ କରିଛନ୍ତି। ଯାହାକି ମା’ଙ୍କ ମୋ ପ୍ରତି ଆଶୀର୍ବାଦ ବୋଲି ମୁଁ ଭାବୁଛି। ମୋ ଘର ପବିତ୍ର ହୋଇଗଲା।’