ଥଣ୍ଡା ପାଣିକୁ ଡେଇଁ ଦୁର୍ଘଟଣାର ଶିକାର ଯାତ୍ରୀଙ୍କୁ ବଞ୍ଚାଇଲେ ପୁଲିସ ଅଧିକାରୀ

ନୋଏଡା: ନିଜ ଜୀବନକୁ ଖାତିର ନ କରି ଅନ୍ୟର ଜୀବନ ବଞ୍ଚାଇବାକୁ କେନାଲରେ ଡେଇଁଲେ ପୁଲିସ ବାବୁ | ନିଜେ ବଂଚିବା ସହ ଦୁର୍ଘଟଣାର ଶିକାର ୫ ଜଣ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି ଉତ୍ତରପ୍ରଦେଶର ଜଣେ ପୁଲିସ ଅଧିକାରୀ | ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ସମସ୍ତେ ପୁଲିସ ବାବୁଙ୍କ ଏହି କାମ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି | ମିଳିଥିବା ସୂଚନା ମୁତାବକ ସୋମବାର ସକାଳେ ଏକ ପରିବାରର ୨୦ ଜଣ ସଦସ୍ୟ ଦୁଇଟି କାର ଯୋଗେ ଉତ୍ତରପ୍ରଦେଶର ସମ୍ଭଳରୁ ଦିଲ୍ଲୀ ଯାଉଥିଲେ |

Photo-PTI

ତେବେ କୁହୁଡି ଯୋଗୁଁ ରାସ୍ତା ଦୃଶ୍ୟମାନ ନ ହେବାରୁ ଗୋଟିଏ କାର ଦୁର୍ଘଟଣାର ଶିକାର ହୋଇ ଖେରଳି କେନାଲରେ ଖସି ପଡିଥିଲା | ଏ ନେଇ ପୁଲିସ ସୂଚନାକେନ୍ଦ୍ରକୁ ସୂଚନା ମିଳିବା ପରେ ତୁରନ୍ତ କେନାଲ ନିକଟରେ ପହଁଚିଯାଇଥିଲେ ରଜନୀଶ ଚୌଧୁରୀ ଓ ତାଙ୍କ ଟିମ | ଅନ୍ୟ ପୁଲିସ କର୍ମଚାରୀମାନେ ଦଉଡି ଓ କ୍ରେନର ବ୍ୟବସ୍ଥା କରୁଥିବାବେଳେ କେନାଲରେ ଗାଡିଟି ଧୀରେ ଧୀରେ ବୁଡୁଥିବା ଦେଖି ରଜନୀଶ ତୁରନ୍ତ କେନାଲକୁ ଡେଇଁପଡ଼ିଥିଲେ |

କେନାଲର ପାଣି ଅତ୍ୟନ୍ତ ଥଣ୍ଡା ଥିବା ସତ୍ୱେ ଦୁର୍ଘଟଣାର ଶିକାର ଯାତ୍ରୀଙ୍କ ଜୀବନକୁ ବଞ୍ଚାଇବା ପାଇଁ ରଜନୀଶ କେନାଲ ମଧ୍ୟକୁ ଡେଇଁ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ | ଆହତ ଅବସ୍ଥାରେ ୧୧ ଜଣଙ୍କୁ ମେଡିକାଲକୁ ପଠାଯାଇଥିଲା | କିନ୍ତୁ ଦୁର୍ଘଟଣା ଯୋଗୁଁ ୬ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଥିବାବେଳେ ୫ ଜଣଙ୍କର ଜୀବନ ବଂଚିଯାଇଥିଲା | ରଜନୀଶଙ୍କ ଏହି ପ୍ରୟାସ ପାଇଁ ୫ ଜଣଙ୍କ ଜୀବନ ବଂଚିଯାଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି |

ସମ୍ବନ୍ଧିତ ଖବର