ଫିରୋଜାବାଦ୍: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ କିଛି ଦିନ ହେଲାଣି ଦେଶରେ ଚାଲୁଥିବା ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସ୍ଥିତି ଗମ୍ଭୀର ହେଉଥିବା ଦେଖି ଗୁରୁବାର ଆଗ୍ରା ଓ ବୁଲନ୍ଦସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ଏବେ ଫିରୋଜାବାଦରେ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସିଏଏ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହେଉଥିବା ଜଣେ ପୁଲିସକର୍ମୀଙ୍କୁ କିଭଳି ଜଣେ ମୁସଲିମ୍ ବ୍ୟକ୍ତି ନୂଆ ଜୀବନ ଦେଇଥିଲେ, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୦ରେ ଫିରୋଜାବାଦରେ ହେଉଥିବା ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ପହଞ୍ଚିଥିଲେ ପୁଲିସକର୍ମୀ ଅଜୟ କୁମାର ଓ ତାଙ୍କ ଟିମ୍। ହେଲେ ଆନ୍ଦୋଳନକାରୀମାନେ ତାଙ୍କୁ ଘେରି ମାଡ଼ ମାରିବା ସହ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଅଜୟ କୁମାରଙ୍କ ସହ ଏଭଳି ହେଉଥିବା ଦେଖି ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ ହଜ୍ଜି କାଦିର୍। ପ୍ରଥମେ ସେ ପୁଲିସକର୍ମୀ ଅଜୟ କୁମାରଙ୍କୁ ନିଜ ଘରକୁ ନେବା ପରେ ତାଙ୍କୁ ପାଣି ପିଇବା ପାଇଁ ଦେବା ସହ ନିଜର ପୋଷାକ ପିନ୍ଧିବା ପାଇଁ ଦେଇଥିଲେ। କିଛି ସମୟ ପରେ ସ୍ଥିତି ସୁଧୁରିବାରୁ ହଜ୍ଜି ଅଜୟଙ୍କୁ ପୁଲିସ ଷ୍ଟେସନରେ ଛାଡ଼ିଥିଲେ।

publive-image indiatimes.com

ଅଜୟଙ୍କ କହିବା ମୁତାବକ, ହଜ୍ଜି ମୋତେ ନୂଆ ଜୀବନ ଦେଇଛନ୍ତି। ସେ ନଥିଲେ ‌ବୋଧହୁଏ ମୁଁ ଆଜି ଏ ଦୁନିଆରେ ନଥାନ୍ତି। ଅନ୍ୟ ପକ୍ଷରେ ହଜ୍ଜି କହିଛନ୍ତି କି, ମୁଁ ନମାଜ ପଢ଼ୁଥିବା ସମୟରେ ଜଣେ ପୁଲିସକର୍ମୀଙ୍କୁ ଆନ୍ଦୋଳନକାରୀମାନେ ଘେରି ଯାଇଥିବା ଜାଣିବାକୁ ପାଇଲି। ଏହା ପରେ ମୁଁ ତୁରନ୍ତ ଯାଇ ତାଙ୍କୁ ଆନ୍ଦୋଳନକାରୀଙ୍କ ଭିତରୁ ବାହାରକୁ ଆଣିଥିଲି, ଯାହା ବି ମୁଁ କରିଛି ମାନବିକତା ଦୃଷ୍ଟିରୁ କରିଛି।