ନୂଆଦିଲ୍ଲୀ: ଏବେ ଉଡ଼ିବ ଟ୍ୟାକ୍ସି। ପୂର୍ବରୁ ଲୋକେ କାର୍ ଟ୍ୟାକ୍ସି ମାଧ୍ୟମରେ ଯାତାୟତ କରୁଥିବା ବେଳେ ଏବେ ଲୋକଙ୍କୁ ହେଲିକପ୍ଟର ଟ୍ୟାକ୍ସି ସେବା ଯୋଗାଇ ଦିଆଯିବ। ଏବେ ହେଲିକପ୍ଟର ଟ୍ୟାକ୍ସି ସେବାକୁ ରାଜ୍ୟର ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ସଂଯୋଗ କରିବା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପ୍ରସ୍ତୁତି ଶେଷ ହେବା ପରେ ଆଗ୍ରା ଏବଂ ମଥୁରା ମଧ୍ୟରେ ହେଲିକପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହେବ। ଏହି ସେବା ଆରମ୍ଭ ହେବା ଦ୍ବାରା ହେଲିକପ୍ଟର ଟ୍ୟାକ୍ସି ଯୋଗେ ପର୍ଯ୍ୟଟକ ଆଗ୍ରା ଏବଂ ମଥୁରାରେ ଥିବା ପର୍ଯ୍ୟଟନ ସ୍ଥଳକୁ ଯାଇପାରିବେ।
ଏନେଇ ମଥୁରା ଏବଂ ଆଗ୍ରାଠାରେ ହେଲିପୋର୍ଟର ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଉତ୍ତରପ୍ରଦେଶ ସରକାର ଟେଣ୍ଡର ପାଇଁ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି ଯେ, ଆସନ୍ତା ୩୧ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ଲକ୍ଷ୍ନୌର ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟରେ ଏକ ପ୍ରାକ୍ ଟେଣ୍ଡର ବୈଠକ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ପିପିପି (ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ) ଆଧାରରେ ମଥୁରା ଏବଂ ଆଗ୍ରା ହେଲିପ୍ୟାଡ ନିର୍ମାଣ କରାଯିବ। ହେଲିପ୍ୟାଡ୍ ନିର୍ମାଣ ବ୍ୟତୀତ ସର୍ବନିମ୍ନ ବିଡରଙ୍କୁ ଅପରେସନ୍ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଦିଆଯିବ।
ହେଲିକପ୍ଟର ଟ୍ୟାକ୍ସି ଆରମ୍ଭ ହେବା ପରେ ଆଗ୍ରା ଏବଂ ମଥୁରା ମଧ୍ୟରେ ଯାତାୟତର ସମୟ କମ ହେବା ସହ ପର୍ଯ୍ୟଟକମାନେ ଗୋଟିଏ ଦିନରେ ଅନେକ ସ୍ଥାନ ପରିଦର୍ଶନ କରିପାରିବେ। ଏହାପୂର୍ବରୁ ପର୍ଯ୍ୟଟନ ବିଭାଗ ଗୋବର୍ଦ୍ଧନ ପରିିକ୍ରମା ପାଇଁ ହେଲିକପ୍ଟର ବ୍ୟବହାର କରିସାରିଛି। ଯେଉଁ ପର୍ଯ୍ୟଟକ ଚାଲିବାକୁ ଅକ୍ଷମ ସେମାନେ ମଧ୍ୟ ହେଲିକପ୍ଟର ବ୍ୟବହାର କରିଥିଲେ।