ଗୁରୁତର ରୋଗୀଙ୍କ ପାଖରେ ୪୦୦ କିଲୋମିଟର ଦୂରରୁ ମେଡ଼ିସିନ ନେଇ ପହଞ୍ଚିଲା ପୁଲିସ

ନୋଏଡା: ଗୁରୁତର କ୍ୟାନ୍ସର ରୋଗୀଙ୍କ ପାଖରେ ୪୦୦ କିଲୋମିଟର ଦୂରରୁ ମେଡ଼ିସିନ ନେଇ ପହଁଚିଲା ପୁଲିସ | ଅସହାୟ ବାପାଙ୍କ ପାଇଁ ପୁଅ କରିଥିବା ଏକ ଟ୍ୱିଟକୁ ନେଇ ପୁଲିସ ଏଭଳି ଏକ ଉଦାହରଣ ସୃଷ୍ଟି କରିଛି | ଉତ୍ତରପ୍ରଦେଶ ପୁଲିସର ଏଭଳି ଏକ କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସଡକ ଏବଂ ରେଳ ସେବା ମଧ୍ୟ ବନ୍ଦ ରହିଛି। ଏଥିପାଇଁ ଗୌତମ ନାମକ ଜଣେ ଯୁବକ ନୋଏଡାର ସେକ୍ଟର -୧୨୮ ରେ ଫସି ରହିଥିଲେ। କନୌଜରେ ତାଙ୍କର ଅସୁସ୍ଥ ପିତା ଥିବାବେଳେ ମେଡ଼ିସିନ ସରିଯାଇଥିଲା |

ବାପାଙ୍କୁ ହୋଇଥିବା ରୋଗର ଔଷଧ କନୌଜରେ ମିଳୁନଥିବାରୁ ଏ ବାବଦରେ ଯୁବକ ଜଣକ ୟୁପି ପୁଲିସକୁ ଟୁଇଟ୍ କରି ନିଜର ଅସୁବିଧା ବିଷୟରେ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଲଖନଉ ପୁଲିସ ମୁଖ୍ୟାଳୟ ତୁରନ୍ତ ଗୌତମଙ୍କ ସହ କଥା ହୋଇଥିଲେ। ଗୌତମଙ୍କ ପାଖରୁ ଔଷଧର ନାମ ଆଣି ଏକ ପିସିଆର ନୋଏଡାରୁ ଗାଜିଆବାଦ ଅଭିମୁଖେ ବାହାରିଥିଲା | ସେଠାରେ ଔଷଧ କିଣି ଏହାକୁ ଆଗ୍ରା ଏକ୍ସପ୍ରେସୱେରେ କନୌଜ ପୁଲିସର ଏକ ପିସିଆରକୁ ଦିଆଯାଇଥିଲା |

ଏହି ପିସିଆର ଔଷଧ ନେଇ ଗୌତମଙ୍କ ବାପାଙ୍କ ନିକଟରେ ପହଞ୍ଚିଥିଲେ। ପାଖରେ ଔଷଧ ଦେଖି ଗ୍ରାମବାସୀଙ୍କ ସହ ଗୌତମଙ୍କ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ପୁଲିସକୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟରେ କମାଣ୍ଡର ଗୌରବ ଯାଦବ, ଅଶୋକ କୁମାର, ସବ୍ କମାଣ୍ଡର ରମେଶ କୁମାର, ଡ୍ରାଇଭର ଶାନୁ କୁମାର ଏବଂ ଅନିଲ କୁମାର ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନା ଥାଉ କି ନୋଏଡାରୁ କନୌଜର ଦୂରତା ପ୍ରାୟ ୪୦୦ କିଲୋମିଟର ହୋଇଥିବାବେଳେ ଏହି ପିସିଆର କର୍ମଚାରୀମାନେ ଜଣେ ଅସୁସ୍ଥଙ୍କ ପାଖରେ ମେଡ଼ିସିନ ପହଞ୍ଚାଇଥିଲେ |

ସମ୍ବନ୍ଧିତ ଖବର