ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପରେ ସମାଜବାଦୀ ପାର୍ଟି (ସପା)ର ଜାତୀୟ ସଭାପତି ଅଖିଳେଶ ଯାଦବ ଆଜି ସୀତାପୁରରେ ପହଞ୍ଚିଥିଲେ। ଏହି ସମୟରେ ଏକ ଷଣ୍ଢ ତାଙ୍କ କାର ଆଗକୁ ଆସିଯାଇଥିଲା।​ ଅଖିଳେଶ ଯାଦବ ଏହି ସମୟରେ ଉତ୍ତୋଳନ କରାଯାଇଥିବା ଭିଡିଓକୁ ଟ୍ୱିଟ କରି ୟୁପିରେ ଚଳାଚଳ କରିବା ବହୁତ କଷ୍ଟକର ବୋଲି ଲେଖିଛନ୍ତି।

Advertisment

ସୂଚନା ମୁତାବକ, ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ବର୍ମାଙ୍କ ଭାଇ ସ୍ୱର୍ଗତ ମହେନ୍ଦ୍ର ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଖିଳେଶ ଯାଦବ ଆଜି ସୀତାପୁରରେ ପହଞ୍ଚିଥିଲେ। ଅଖିଳେଶ ଯାଦବଙ୍କ ସହ ଅନେକ ସମର୍ଥକ ତାଙ୍କ ସହ ସୀତାପୁର ଯାଇଥିଲେ। ଗାଡ଼ି ପଛକୁ ଗାଡ଼ି ଲାଗିଥିବା ବେଳେ ସୀତାପୁରର ମହମୁଦାବାଦ ବସଷ୍ଟାଣ୍ଡରେ ପହଞ୍ଚିବା ମାତ୍ରେ ଏକ ଷଣ୍ଡ ତାଙ୍କ କାର ଆଗକୁ ଆସିଯାଇଥିଲା। ଏହି ସମୟରେ ଭିଡିଓ ସେୟାର କରି ଅଖିଳେଶ ଲେଖିଛନ୍ତି ଯେ, ଯାତ୍ରା କରିବା ସମୟରେ ଷଣ୍ଢ ତ ମିଳିବେ...ଚାଲିପାରିବ ଯଦି ଚାଲ। ୟୁପିରେ ଯାତ୍ରା କରିବା ବହୁତ କଠିନ...ଚାଲିପାରିବ ଯଦି ଚାଲ। ସେ ଏଭଳି ଭିଡିଓ ଟ୍ବିଟ କରିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି।

ତେବେ ସୀତାପୁରରେ ଗଣମାଧ୍ୟମକୁ ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ଉପରେ ପ୍ରତିକ୍ରିୟା ରଖି ଅଖିଳେଶ କହିଥିଲେ ଯେ, ଯଦି ଏହି ସିନେମା ତିଆରି ହୋଇପାରିବ ତେବେ  ଲଖିମପୁରରେ ଗାଡ଼ି ଚଢ଼ାଇ କରାଯାଇଥିବା ହତ୍ୟା ଉପରେ ଲଖିମପୁର ଫାଇଲ୍ସ କାହିଁକି ନିର୍ମାଣ ହୋଇପାରିବ ନାହିଁ?