ଶାହାଜାହନପୁର (ଉତ୍ତର ପ୍ରଦେଶ): ୫ ବର୍ଷ ତଳେ ସ୍ବାମୀ ବିନୋଦ ବର୍ମାଙ୍କର ହୃଦ୍ଘାତରେ ମୃତ୍ୟୁ ହେବାରୁ ୪ ପିଲାଙ୍କୁ ପ୍ରତିପୋଷଣ କରିବା ପାଇଁ ପ୍ରତି ରାତିରେ ଫୁଟ୍ପାଥ୍ରେ ସୁସ୍ବାଦୁ କଚୋଡ଼ି ବିକ୍ରୟ କରି ବିଧବା ଅଞ୍ଜୁ ବର୍ମା ‘କଚୋଡ଼ିବାଲୀ ଆମ୍ମା’ ନାଁରେ ପ୍ରସିଦ୍ଧ ହୋଇଯାଇଛନ୍ତି।
ଜୀବନରେ ପରାଜୟକୁ ସ୍ବୀକାର ନ କରିବା ଲାଗି ସମ୍ପ୍ରତି ୬୦ ବର୍ଷରେ ଉପନୀତା ଅଞ୍ଜୁ ସ୍ବାମୀ ଚଳାଉଥିବା କଚୋଡ଼ି ବ୍ୟବସାୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ, ପ୍ରତିଦିନ ରାତି ୧୦ଟା ବେଳେ ସବୁ ଦୋକାନ ବନ୍ଦ ହୋଇସାରିଥିବା ପ୍ଲାଟ୍ଫର୍ମରେ ତାଙ୍କ ବ୍ୟବସାୟ ପସରା ଖୋଲି ଗ୍ରାହକଙ୍କୁ ଆଳୁ, ସେୟାବିନ୍ ଓ ରସୁଣ ସସ୍ ଦିଆ ଗରମାଗରମ ୩୦ଟଙ୍କିଆ କଚୋଡ଼ି ପ୍ଲେଟ୍ ପରିବେଷଣ କରନ୍ତି। କି ବର୍ଷା, କି ଶୀତ ତାଙ୍କ କଚୋଡ଼ି ଖାଇବା ଓ ଘରକୁ ନେବା ପାଇଁ ଲୋକେ ଧାଡ଼ି ବାନ୍ଧନ୍ତି। ଦୋକାନ ରାତି ୩ଟା ପର୍ଯ୍ୟନ୍ତ ଖୋଲାଥାଏ। ଘରକୁ ଫେରି ଭୋର୍ ୫ଟାରେ ସେ ଶୁଅନ୍ତି। ଅପରାହ୍ଣରେ ଉଠି ସେ ପରିବାପତ୍ର କିଣି କଚୋଡ଼ି ତିଆରି ପାଇଁ ମଇଦା ଦଳନ୍ତି।
ଏମିତି ଏହି ବୟସ୍କା ମହିଳାଜଣକ ଦୈନିକ ପ୍ରାୟ ୨୦୦୦ ଟଙ୍କା ଉପାର୍ଜନ କରନ୍ତି। ଭଡ଼ାରେ ଉପଯୁକ୍ତ ଜାଗାରେ ଉପଯୁକ୍ତ ଘରଟିଏ ମିଳୁ ନ ଥିବାରୁ ଫୁଟ୍ପାଥ୍ରେ ଦୋକାନ ଚଳାଉଛନ୍ତି ବୋଲି ୩ ଝିଅ ଓ ଗୋଟିଏ ପୁଅର ମାଆ ଅଞ୍ଜୁ କହନ୍ତି। କଚୋଡ଼ି ବ୍ୟବସାୟ ଆୟରେ ସେ ଜଣେ ଝିଅକୁ ବାହା କରାଇଛନ୍ତି। ତାଙ୍କର ୨୦ ବର୍ଷିୟ ସବାସାନ ସନ୍ତାନ ଏବେ କଲେଜରେ ପଢୁଛନ୍ତି ବୋଲି ସେ କହନ୍ତି।