ନୂଆଦିଲ୍ଲୀ:  ୟୁପିଏସସି ୨୦୨୨ ସିଭିଲ ସର୍ଭିସ ପରୀକ୍ଷାଫଳ ଗତ ମଙ୍ଗବାର ଘୋଷଣା ହୋଇଥିଲା। ଏଥିରେ ଦିଲ୍ଲୀ ପୁଲିସର ହେଡ କନ‌ଷ୍ଟେବଳ ରାମ ଭଜନ କୁମାର (୩୪) ତାଙ୍କ ୮ମ ପ୍ରୟାସରେ ୬୬୭ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭଜନ କୁମାର ସାଇବର ସେଲ ପୁଲିସ ଥାନାରେ ନିୟୋଜିତ ଅଛନ୍ତି।

Advertisment

ସୂଚନାଯୋଗ୍ୟ,ଚଳିତବର୍ଷ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରୁ ୨୬ ଜଣ ଓଡ଼ିଶାରୁ ଅଛନ୍ତି । ଏହି ୨୬ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି । ତେବେ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି- ଗ୍ରେଟର ନୋଏଡ଼ାର ଇଶିତା କିଶୋର । ଇଶିତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଥିବା ବେଳେ ତୃତୀୟ ପ୍ରୟାସରେ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି । ୯୩୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୧୩ ଜଣ ପୁରୁଷ ରହିଥିବା ବେଳେ ୩୨୦ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି।

ଏଭଳି ଏକ ବଡ଼ ସଫଳତା ପାଇବା ପରେ ହେଡ କନ‌ଷ୍ଟେବଳ ରାମ ଭଜନ କୁମାର କହିଛନ୍ତି, ‘ମୋର ସ୍ବପ୍ନ ସତ ହୋଇଛି। ଏହା ମୋର ୮ମ ପ୍ରୟାସ ଥିଲା। ମୁଁ ମୋର ସ୍ଥାନକୁ ନେଇ ସନ୍ତୁଷ୍ଟ ନଥିବାରୁ ମଇ ୨୮ରେ ହେବାକୁ ଥିବା ପ୍ରାରମ୍ଭିକ ପରୀକ୍ଷାରେ ପୁଣିଥରେ ସାମିଲ ହେବି। ମୁଁ ୭ମ ଥର ବିଫଳ ହେବାପରେ ବି କେବେ ମନ ଊଣା କରି ନାହିଁ।

ଏକ ସକରାତ୍ମକ ଭାବନା ନେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲି। ମୁଁ  ଡିୟୁଟି କରି ସାରିବା ପରେ ବଳକା ସମୟରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି। କ୍ଲାନ୍ତ ଲାଗୁଥିଲେ ବି ପାଠପଢ଼ା ଜାରି ରଖିଥାଏ। କାରଣ ମୁଁ ଦେଖିଥିବା ସ୍ବପ୍ନକୁ ପୂରା କରି ବାପା ଓ ମା’ଙ୍କୁ ଖୁସି କରିବାକୁ ଚାହୁଁଥିଲି। ଯାହା ଭଗବାନଙ୍କ କୃପାରୁ ଆଜି ପୂରଣ ହୋଇ ପାରିଛି।

ମୁଁ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଛି। ଅର୍ଥ ଅଭାବ ହେତୁ ସମୟ ସମୟରେ ଖାଇବାକୁ ମିଳି ନଥାଏ। ବାପା ଦିନମଜୁରିଆ ଭାବେ କାମ କରୁଥିବା ବେଳେ କେବେ ବି ସେ ମୋର ପାଠପଢ଼ା ପ୍ରତି ହେଳା କରି ନାହାନ୍ତି।’